🌷⚫❗⚫🌷
ରଥଯାତ୍ରା
” ଦୋଳେଚ ଦୋଳଗୋବିନ୍ଦଂ, ଚାପେଚ ମଧୂସୁଦନଂ,
ରଥେତୁ ବାମନଂ ଦୃଷ୍ଟ୍ଵା, ପୁ୍ର୍ନଃଜନ୍ମ ନଲଭ୍ଯତେ…….”
ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯାଉ
ଆଲେଖ୍ୟ _ସ୍ବାଧୀନ କୁମାର ମିଶ୍ର |
ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣମାନଙ୍କରେ ଉଲ୍ଲେଖ ହୋଇଛି l ବିଶେଷ ଭାବେ ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମ ପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା, ଶାରଦା ପୁରାଣ ପ୍ରଭୃତି ଉଲ୍ଲେଖଯୋଗ୍ୟ l ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଯାତ୍ରା ମଧ୍ୟରେ ରଥଯାତ୍ରା ଅନ୍ୟତମ l ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ସମ୍ବନ୍ଧରେ ଯେଉଁ ଶ୍ଳୋକଟି ସର୍ବ ମୁଖ ନିଃସୃତ, ତାହା ହେଉଛି –
” ମଞ୍ଚ ସ୍ନାନଂ ରଥବରଗତିଃ ଶାୟନଂ ଚାୟନେ ଦ୍ୱେ
ପାର୍ଶ୍ୱ ବୃତ୍ତିଃ ଶୟନ ନିବୃତ୍ତି ପାବୃତ୍ତୈ ପୁଷ୍ୟପୂଜା
ଦୋଳଯାତ୍ରା ଦମନକମହୋତାକ୍ଷ ପୂଜା ତୃତୀୟା
ଚୈକଂ ଯାତ୍ରା ବିଧନିଗଦିତା ଦ୍ୱାଦଶୈତା ନରେନ୍ଦ୍ର l “
ଜଗତର ନାଥ ଶ୍ରୀଜଗନ୍ନାଥ । ତାଙ୍କ ପାଇଁ ବାର ମାସରେ
ତେର ପର୍ବ ପାଳିତ ହୁଏ । ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ଵିତୀୟା ତିଥିରେ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଏ । ରଥଯାତ୍ରା ଜଗନ୍ନାଥଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀଠାରେ ଜଗନ୍ନାଥ ମନ୍ଦିରରେ ତଥା ବିଶ୍ଵର ବାକି ଅନେକ ସ୍ଥାନରେ ପାଳନ କରାଯାଏ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ।
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ସପ୍ତାହକାଳ ଅବସ୍ଥାନ କରି ଦଶମୀ ଦିନ ସେଠାରୁ ବଡ଼ଦେଉଳକୁ ଫେରିଆସିଥାନ୍ତି । ଗୁଣ୍ଡିଚା ମନ୍ଦିରକୁ ମାଉସୀ ମା ମନ୍ଦିର ନାମରେ ମଧ୍ୟ ଗଣାଯାଏ । ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ “ରଥଯାତ୍ରା” ବା “ଗୁଣ୍ଡିଚା ଯାତ” ଓ ଫେରିବା ଦିନକୁ “ବାହୁଡ଼ା ଯାତ୍ରା ବା ବାହୁଡ଼ା ଯାତ” ବୋଲି କୁହାଯାଏ । ପରମ୍ପରା ଅନୁସାରେ ଘୋଷଯାତ୍ରାର ଆଗେ ଆଗେ ବଡ଼ଭାଇ ବଳଭଦ୍ରଙ୍କ ରଥ ‘ତାଳଧ୍ଵଜ’, ତାଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ଓ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।
ମହାପ୍ରଭୁମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି l ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି ରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ବା ରଥଯାତ୍ରା ଅନୁଷ୍ଠିତ ହୁଏ l ପୂର୍ବ ରାତ୍ରୀ ପ୍ରତିପଦ ରେ ଶ୍ରୀଜୀଉମାନେ ପହୁଡ ହୁଅନ୍ତି ନାହିଁ l ଶ୍ରୀମୁଖ ପୋଛା ହୋଇ ସେନାପଟା ( ବକୁଳ କାଠ ) ଲାଗିହୁଏ l ସକାଳୁ ରଥଯାତ୍ରା ଦିନ ଠାକୁରମାନଙ୍କ ମଙ୍ଗଳ ଆଳତି , ଅବକାଶ, ଖେଚେଡି଼ ଭୋଗ (ସକାଳ ଧୂପ), ମଙ୍ଗଳାର୍ପଣ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ l ଏହି ସମୟରେ ମହାପ୍ରଭୁମାନେ ଅଣସର ପିଣ୍ଡି ବା ଭିତର କାଠ ନିକଟରେ ଚକା ଉପରେ ଉପବେଶନ କରିଥାନ୍ତି l ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିରର କୋଠ ସୁଆଁସିଆ ସେବକମାନେ ରଥରେ ଚାରମାଳ ବାନ୍ଧିଥାନ୍ତି l
” ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରମ୍
ସୁଭଦ୍ରା ଚ ତତୋ ନୀତ୍ୱା ଜଗଦୀଶ ସୁରେଶ୍ୱରମ୍ । “
ସୁଦର୍ଶନ ଓ ସୁଭଦ୍ରା ଦଇତାପତିମାନଙ୍କ ହସ୍ତ ଓ ସ୍କନ୍ଧାବଲମ୍ବନ ପୂର୍ବକ ପହଣ୍ଡି ବିଜେ ହୋଇ ରଥାରୋହଣ କରିଥିବା ବେଳେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ପାଟ ଡୋରିରେ ବା ରଜ୍ଜୁଦ୍ୱାରା ଆକର୍ଷଣ କରି ଧିରେ ଧିରେ ପହଣ୍ଡି ବିଜେ କରାଇଥାନ୍ତି l
ପହଣ୍ଡି ବିଜେ ପୂର୍ବରୁ ତିନି ବାଡ଼ରେ ଯଥାକ୍ରମେ ପୂଜାପଣ୍ଡା ଜଗନ୍ନାଥଙ୍କ ବାଡ଼ରେ, ମୁଦିରଥ ବଳଭଦ୍ରଙ୍କ ବାଡ଼ରେ ଓ ପତି ମହାପାତ୍ର ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିଥାନ୍ତି l ଗରାବଡୁ ସେବକ ମଙ୍ଗଳାର୍ପଣର ସମସ୍ତ ଜିନିଷମାନ ନୀତି ସମ୍ପୃକ୍ତ ସେବକଙ୍କ ହାତକୁ ବଢାଇଥାନ୍ତି l ମଙ୍ଗଳାର୍ପଣ ସମୟରେ ସୁଦ୍ଧ ସୁଆର ଓ ଭଣ୍ଡାର ମେକାପ ମଧ୍ୟ ସେଠାରେ ଉପସ୍ଥିତ ଥାଇ ଉକ୍ତ ନୀତିରେ ଅଂଶଗ୍ରହଣ କରିଥାନ୍ତି l ବାଡ଼ଗ୍ରାହୀ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥାନ୍ତି l ଶ୍ରୀଜୀଉମାନଙ୍କୁ ପାଟ ଅଗଣା, ଆନନ୍ଦ ବଜାର, ଭିତର ସିଂହଦ୍ୱାର, ବାଇଶିପାହାଚ, ସିଂହଦ୍ୱାର, ଗୁମୁଟି, ଅରୁଣସ୍ତମ୍ଭ ଦେଇ ରଥ ପର୍ଯ୍ୟନ୍ତ ନିଆଯାଇଥାଏ l
ଶ୍ରୀବିଗ୍ରହମାନଙ୍କ ପବିତ୍ର ପହଣ୍ଡି ବିଜେ ସମୟରେ ପ୍ରଥମେ ବିଜେ କାହାଳି ବାଜିବା ପରେ ଘଣ୍ଟୁଆ , କାହାଳିଆ, ବଜନ୍ତରୀ, ଓଲାର, ଛତାର ପ୍ରମୁଖ ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ଆଦି ତାଳ ସହକାରେ ବାଜେ l ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ୱନିରେ ସମଗ୍ର ପରିବେଶକୁ ଆନନ୍ଦିତ ମୁଖରିତ କରିଥାନ୍ତି l ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ଓ ଅନ୍ୟନ୍ୟ ସେବକମାନେ ଡୋରି ଧରିଥାନ୍ତି l ଛାମୁ ଖୁଣ୍ଟିଆ, ବେହେରା ଖୁଣ୍ଟିଆ, ସେବକ ପହଣ୍ଡି ତଥା ଠାକୁରମାନଙ୍କ ଆଗରେ ବେତ ଧରି ମଣିମା, ଶ୍ରୀଅଙ୍ଗକୁ ସାବଧାନ ବୋଲି ଉଚ୍ଚାରଣ କରି ଠାକୁରମାନଙ୍କ ଆଗେ ଆଗେ ଯୋଡି଼ ବେତ ବାଡେଇ ବାଡେଅ ଚାଲିଥାନ୍ତି l
ଚତୁର୍ଦ୍ଧାମୂର୍ତ୍ତି ସାତ ପାହାଚ ଉପରକୁ ପରମ୍ପରା କ୍ରମେ ବିଜେ ହୋଇ ଆସିବା କ୍ଷଣି ରାଘବଦାସ ମଠ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ସୋଲ, ଜରି, ତୁଳସୀ, ଫୁଲ ଓ ବାଉଁଶ ପାତିଆରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଟାହିୟା ଠାକୁରମାନଙ୍କ ଶ୍ରୀମସ୍ତକରେ ଲାଗି କରାଯାଏ ଓ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କ ପକ୍ଷରୁ ପନ୍ତି ଭୋଗ ତଥା ଚାମର, ଆଲଟ ସେବା କରାଯାଏ l ଘଣ୍ଟୁଆ ସେବକମାନେ ତାଳରେ ଘଣ୍ଟବଜାଇବା ସହିତ ପଖାଉଜ ବାଦ୍ୟ ଓ ଆଗେ ଆଗେ ଗୋଟିପୁଅ ନୃତ୍ୟ ତଥା ଉପସ୍ଥିତ ଜନତାଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠେ l ଦଇତାପତି, ପୂଜପଣ୍ଡା, ମହାସୁଆର, ପ୍ରତିହାରୀ ପ୍ରମୁଖ ସେବକମାନେ ମୁଖ୍ୟ ବିଗ୍ରହଙ୍କ ସ୍କନ୍ଧ, ଶ୍ରୀମସ୍ତକ, ଶ୍ରୀଭୂଜ ତଳେ ରହିବା ସଙ୍ଗେ ସଙ୍ଗେ ପାଟ ଡୋରିରେ ଆଗ ଓ ପଛରେ ରହି ଧିରେ ଧିରେ ପହଣ୍ଡି ବିଜେ କରିଥାନ୍ତି l କିନ୍ତୁ ସୁଦର୍ଶନ ଓ ସୁଭଦ୍ରା ଦେବୀଙ୍କୁ ଦଇତାପତି ସେବକମାନେ ହସ୍ତ ଓ ସ୍କନ୍ଧରେ ବହନକରି ବିଜେ କରାଇଥାନ୍ତି l ସୁଦର୍ଶନ, ସୁଭଦ୍ରା ଙ୍କୁ ଦେବଦଳନ ରଥରେ ଏବଂ ବଳଭଦ୍ର ଙ୍କୁ ତାଳଧ୍ୱଜ ରେ ଓ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥ ଉପରେ ଅଧିଷ୍ଠିତ କରାଇଥାନ୍ତି l ପହଣ୍ଡି ଶେଷ ହେବାପରେ ପୁଷ୍ପାଳକ ମହାଜନମାନେ ମଦନମୋହନଙ୍କୁ ଜଗନ୍ନାଥ ରଥରେ ଓ ରାମକୃଷ୍ଣ ବିଗ୍ରହ ଦ୍ୱୟଙ୍କୁ ବଳଭଦ୍ରଙ୍କ ରଥରେ ବିଜେ କରାଇଥାନ୍ତି l ରଥ ଉପରକୁ ପହଣ୍ଡି ବିଜେ କରିବା ପରେ ରଥ ଉପରେ ଠାକୁରମାନଙ୍କ କେତେକ ବିଶେଷ ନୀତି ମୁଦିରସ୍ତ, ପତିମହାପାତ୍ର ସେବକମାନଙ୍କଦ୍ୱାରା ସମ୍ପାଦିତ ହୋଇଥାଏ l ସୋଲ, ଚିତା ଲାଗି ରୁନ୍ଧା ଇତ୍ୟାଦି ନୀତି ବଢିବା ପରେ ମୁଖ୍ୟ ବିଗ୍ରହଙ୍କ ମଇଲମ ଓ ମାଳଫୁଲ ଲାଗି ହୋଇଥାଏ l ଶ୍ରୀବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନ ଭୋଗ ନ ହୋଇ କେବଳ ଶୁଖିଲା ଭୋଗ ହୋଇଥାଏ l ଗୋପାଳବଲ୍ଲବ ଠାରୁ ଆରମ୍ଭ କରି ସମସ୍ତ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଧୂପରେ ମୂଖ୍ୟତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ ହୁଏ l ସ୍ୱତନ୍ତ୍ର ଆକାରର ରଥ କୋରା ଶ୍ରୀମନ୍ଦିରରେ ନିର୍ମିତ ହୋଇ ବଡ଼ଦାଣ୍ଡରେ ରଥ ଯେଉଁ ସ୍ଥାନରେ ରହି ନୀତି ଆରମ୍ଭ ହୋଇଥାଏ, ସେଠାରେ ଏହି ଭୋଗ କରାଯାଏ l ମହାସୁଆରମାନେ ଭୋଗ ଆଣି ରଥ ଉପରେ ପନ୍ତିରେ ବାଢ଼ନ୍ତି l ପୂଜାପଣ୍ଡାମାନେ ପଞ୍ଚୋପଚାରରେ ଏହି ଧୂପ ପୂଜାଗୁଡି଼କୁ ସମାପନ କରିଥାନ୍ତି l ରଥ କୋରା, ବଲ୍ଲଭ ଖଇ, ଗଜାମୁଗ, ପାତି ନଡିଆ, ବିଭିନ୍ନ ଫଳ, ଶଙ୍ଖାକୃତି ଶାକର ଇତ୍ୟାଦି ଭୋଗ ରଥରେ ଠାକୁରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ହୋଇଥାଏ l ଏହାପରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥାଏ l
ଗଜପତି ମହାରାଜା ଛେରା ପହଁରା ସେବା କରିବା ପାଇଁ ଆସିବା ପୂର୍ବରୁ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୌପ୍ୟ ନିର୍ମିତ ତାମଯାନ (ମେହେନା)ରେ ବିଜେ କରିଥାନ୍ତି l
ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରନ୍ତି l ପ୍ରଥମେ ଗରାବଡୁ ସେବକଙ୍କଠାରୁ ହାତୁଆଣି (ରାଜାଙ୍କ ହାତକୁ ଉକ୍ତ ସେବକ ପାଣି ବଢାଇଥାନ୍ତି) ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି l ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢାଇଥାନ୍ତି l ରାଜା ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା କରିଥାନ୍ତି l ତତ୍ପରେ ରଥ ଉପରେ ସିଂହାସନ ତଳକୁ ଓହ୍ଲାଇଥାନ୍ତି l ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ପୂଜା ପିଙ୍ଗଣରେ ଧରିଥାଏ l ଏହି ସମୟରେ ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡି଼କା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି l ଭଣ୍ଡାର ମେକପ ରଥର ଚାରି ପାଖରେ ବୁଲି ଶୁକ୍ଳ ଫୁଲ ଆଗରେ ପକାଉଥିବେ ଓ ଗଜପତି ମହାରାଜା ସୁନା ଖଡିକା ଧରି ରଥ ଚାରି ପାଖେ ପହଁରିଥାନ୍ତି l ଏହା ପରେ ଘଟୁଆରୀ ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ପାଣିକୁ ରାଜଗୁରୁ ସଂସ୍କାର କରିବାପରେ ଭଣ୍ଡାର ମେକପ ଗଜପତିଙ୍କ ହସ୍ତକୁ ବଢାଇଥାନ୍ତି l ତତ୍ପରେ ଗଜପତି ଚନ୍ଦନପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି l ଏହି କ୍ରମରେ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ସରିଥାଏ l ଛେରା ପହଁରା ନୀତି ସରିବା ପରେ ତାମଯାନରେ ଗଜପତି ମହାରାଜା ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି l
ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର (ତାଳ ଓ ନଡିଆ ଗଛ କାଠରେ ଚାରମାର ପ୍ରସ୍ତୁତ ହୋଇଥାଏ ) ଭୋଇ ସେବକମାନଙ୍କ ସହାୟତାରେ ଖୋଲା ଯାଇଥାଏ l ତତ୍ପରେ ସାରଥୀ ଓ ଅଶ୍ୱଙ୍କୁ ଆରୋହଣ ପୂର୍ବକୁ ରୂପକାର ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି଼ଦ୍ୱାରା ବାନ୍ଧିଥାନ୍ତି l ଏହା ପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଇଥାଏ l ପ୍ରତି ରଥରେ ୪ଟି ଲେଖାଏଁ ଦଉଡି଼ ବନ୍ଧା ଯାଇଥାଏ l ରଥ ଟଣାର ଅନ୍ୟତମ ଆକର୍ଷଣ ହେଉଛି ରଥ ଦଉଡି଼ l ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି l
ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ l ସମତାଳରେ ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ଘଣ୍ଟ ବଜାଇଥାନ୍ତି l ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି l ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ରଥ ଦଉଡ଼ି ଧାରଣ ପୂର୍ବକ ଆନନ୍ଦ ମନରେ ରଥକୁ ଟାଣିଥାନ୍ତି l ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ l ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ l ଏହି ରଥ ଟଣା ସମୟରେ ବିଭିନ୍ନ ମଠ, ଜାଗା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ l ଯଦି ଗୋଟିଏ ଦିନରେ ରଥ ତିନିଟି ଯାକ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚି ନ ପାରେ, ତେବେ ତହିଁପର ଦିନ ସକାଳେ ଏହି ରଥଟଣା ହୋଇ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥାଏ l
ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏl ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ l ତେଣୁ ପୁରାଣମାନଙ୍କରେ କୁହାଯାଇଛି – ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ l
ଶ୍ରୀଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରାର ବିବରଣୀ ସ୍କନ୍ଦପୁରାଣରେ ଦେଖିବାକୁ ମିଳେ, ତନ୍ମଧ୍ୟରୁ ରଥଯାତ୍ରା ସର୍ବଶ୍ରେଷ୍ଠ । ସ୍ନାନଯାତ୍ରା ହେଉଛି ରଥଯାତ୍ରାର ଆଦ୍ୟଯାତ୍ରା । ସମସ୍ତ ଯାତ୍ରାମାନଙ୍କରେ ଶ୍ରୀଜିଉଙ୍କର ପ୍ରତିମା ଯୋଗ ଦେଉଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ସ୍ୱୟଂ ଜିଉମାନେ ବିଜେ ହୁଅନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମାରେ ଜିଉମାନେ ଏକଶହ ଆଠଗରା ଜଳରେ ସ୍ନାନ କରି ହାତୀବେଶ ହେବା ପରେ ଅଣସରରେ ରହନ୍ତି । ଆଷାଢ ଶୁକ୍ଳ ପ୍ରତିପଦା ଦିନ ନେତ୍ରୋତ୍ସବ ପାଳିତ ହୁଏ ଏବଂ ଦ୍ୱିତୀୟା ଦିନ ରଥଯାତ୍ରା ଅନୁଷ୍ଠିତ ହୁଏ ।
ଇନ୍ଦ୍ରନୀଳମଣି ପୁରାଣରେ ଲେଖାଅଛି,*
‘ଆଷାଢ ଶ୍ୟାମଳ ପକ୍ଷେ,ଦ୍ୱିତୀୟା ପୁଷ୍ୟା ସଂଯୁତେ ।
ଚରାଚର ହିତାର୍ଥାୟ ଘୋଷଯାତ୍ରା ବିଧିୟତେ ।’
ଶ୍ରୀଜୀଉମାନେ ରଥରେ ବିଜେ ହୋଇ ଜଗତର କଲ୍ୟାଣ ପାଇଁ ଓ ପତିତ ଜନତାକୁ ପାବନ କରିବା ପାଇଁ ରଥରେ ଯାତ୍ରା କରନ୍ତି । ଭଗବାନଙ୍କ ଅବତାରଗୁଡ଼ିକ ମଧ୍ୟରେ ବାମନ ଅବତାର ଶ୍ରେଷ୍ଠ ଅବତାର । ଅନ୍ୟ ଅବତାରଗୁଡ଼ିକର ସମସ୍ତ ଲୀଳା ମର୍ତ୍ତ୍ୟରେ ସୀମାବଦ୍ଧ ହୋଇଥିବାବେଳେ ପ୍ରଥମ ସମ୍ପୂର୍ଣ୍ଣ ମଣିଷ ତଥା ବ୍ରାହ୍ମଣ ରୂପୀ ବାମନଙ୍କ ଲୀଳା ସ୍ୱର୍ଗ,ମର୍ତ୍ତ୍ୟ ଓ ପାତାଳ ପର୍ଯ୍ୟନ୍ତ ତିନିପୁରକୁ ବ୍ୟାପୀଥିଲା । ସେଥିପାଇଁ ରଥରେ ବାମନଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି କପିଳ ସଂହିତାରେ ବର୍ଣ୍ଣିତ ହୋଇଛି ।*
ଅକ୍ଷୟ ତୃତୀୟା ଠାରୁ ରଥ ଅନୁକୂଳ ହୋଇ ରଥଯାତ୍ରା ପୂର୍ବଦିନ ଆସି ରଥ ସିଂହଦ୍ୱାର ସମ୍ମୁଖରେ ଲାଗେ । ପ୍ରଭୁ ସକାଳେ ସଅଳ ଖେଚିଡ଼ି ଭୋଗ (ସକାଳ ଧୁପ ଓ ଗୋପାଳବଲ୍ଲଭ) ଖାଇ ବାହାରି ପଡ଼ନ୍ତି ରଥକୁ । ଏଥିପାଇଁ ପ୍ରତୁ୍ୟଷରୁ ଠାକୁରମାନଙ୍କର ମଙ୍ଗଳଆଳତି, ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଇତ୍ୟାଦି ନୀତି ଉକ୍ତ ଦିନର ପାଳିଆ ସେବକମାନଙ୍କ ଦ୍ୱାରା ସମାପିତ ହୋଇଥାଏ । ଏ ସମୟ ବେଳକୁ ଶୋ୍ରତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାଏ । ବାହାରକୁ ଯିବାପାଇଁ ଅଲଗା ଭିଡ଼ାଭିଡ଼ି ହୋଇ ଲୁଗା ପିନ୍ଧନ୍ତି (ଛେଣାପଟା) । ରତ୍ନ ସିଂହାସନରୁ ଓହ୍ଲାଇ ସାତ ପାହାଚ ପହଞ୍ଚିଲା ବେଳକୁ ରାଘବ ଦାସ ମଠ ପ୍ରଦତ୍ତ ଟାହିଆ ଶ୍ରୀମସ୍ତକରେ ଲାଗିହୁଏ । ତାହାପରେ ପ୍ରଭୁ ଆନନ୍ଦ ବଜାର, ବାଇଶ ପାହାଚ ଓ ସିଂହଦ୍ୱାର ଦେଇ ଆସନ୍ତି ରଥକୁ । ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ, ହଲିହଲି ଭକ୍ତମାନଙ୍କୁ ଖେଳାଇ ଖେଳାଇ ଆସନ୍ତି ରଥକୁ । ଦିଅଁମାନେ ଧାଡ଼ି ପହଣ୍ଡିରେ ବିଜେ ହୁଅନ୍ତି । ଏହା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାର୍ପଣ ନୀତି ବଢିଥାଏ । ନାଟମଣ୍ଡପଠାରେ ପ୍ରଥମ କାହାଳି ବାଜିବା ପରେ ଘଣ୍ଟ, କାହାଳି, ତେଲିଙ୍ଗିବାଜା ବାଜେ ଓ ଛତା ଧରାଯାଏ । ବିଭିନ୍ନ ମଠର ମଠାଧୀଶ, ବ୍ୟକ୍ତିବିଶେଷମାନେ ଚାମର, ଆଲଟ ସେବା କରିବା ସହିତ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତୀ ଭୋଗ ହୋଇଥାଏ । ବେହେରା ଖୁଣ୍ଟିଆର ‘ମଣିମା’ ’ମଣିମା’ର ଡାକ ମଧ୍ୟରେ ଆନନ୍ଦ ମୁଖରିତ ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ, ବେଦଧ୍ୱନି ଓ କରତାଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୁଏ । ମୋଟ ଉପରେ ସେ ସମୟର ପହଣ୍ଡିକାଳୀନ ଦୃଶ୍ୟ ବର୍ଣ୍ଣନାତୀତ ହୋଇଉଠେ ।
*ନୀଳାଦ୍ରି ମହୋଦୟରେ ଉଲ୍ଲେଖ ଅଛି ….
*‘କାହାଳଯନ୍ତ୍ରବୀଣାଦି ସ୍ପୁରଦ୍ ଘଣ୍ଟାବଳି ଧ୍ୱନୋ ।*
ମୃଦଙ୍ଗ କାଂସ୍ୟତାଳାନାଂ ଶଙ୍ଖାନାଞ୍ଚ ମହସ୍ୱନମ । କାରୟେଦତିଯନେ୍ିନ ଚାରୁଚାମର ଚାଳନମ୍ ।
ଚନ୍ଦ୍ରମଣ୍ଡଳସଂକାଶଂ ଛତ୍ରଞ୍ଚ ଶ୍ୟାମଳଂ ତଥା ।
ସୂର୍ଯ୍ୟ ଚନ୍ଦ୍ରାନ୍ୱିତଂ ତ୍ରାସଂ ମେଘାଡ଼ମ୍ବରମୂତ୍ତମମ୍ ।
ଏତତ୍ସର୍ବଂ ପୁରୋବିଷ୍ଣୋଦ୍ଧାରୟେ ନୃପସତ୍ତମ ।
ଭକ୍ତାନାଂ ଜୟଶବ୍ଦୈଶ୍ଚ କରତାଳୋତ୍ତମ-ସ୍ୱନୈଃ ।
ଗୀତୈ ନୃତୈ୍ୟଶ୍ଚ ବାଦୈ୍ୟଶ୍ଚ ବିପ୍ରାଣାଂ ସ୍ତୁତିନିଃସ୍ୱନୈଃ ।
ତାହାପରେ ଚଳନ୍ତି ପ୍ରତିମାମାନେ ରଥକୁ ବିଜେ ହୁଅନ୍ତି । ଶ୍ରୀଦିଅଁମାନେ ରଥାରୂଢ ହେବାପରେ ଦଇତାପତିମାନେ ରୁନ୍ଧାକାର୍ଯ୍ୟ ବଢାଇଥାନ୍ତି । ମହାଜନ (ପୁଷ୍ପାଳକ ଶ୍ରେଣୀୟ) ସେବକମାନେ ଏକ ପଟୁଆର ଶୋଭାଯାତ୍ରାରେ ଘଣ୍ଟ, କାହାଳି ଓ ଘସା ବାଦ୍ୟ ସହିତ ଶ୍ରୀମନ୍ଦିର ଦକ୍ଷିଣ ଘରୁ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଏବଂ ରାମ, କୃଷ୍ଣ ବିଗ୍ରହଙ୍କୁ ତାଳଧ୍ୱଜ ରଥରେ ଅଧିଷ୍ଠିତ କରାନ୍ତି । ପରମ୍ପରା ଅନୁସାରେ ଶ୍ରୀମନ୍ଦିର ବଣିଆ ସେବକମାନଙ୍କ ଘରୁ ସୋଲ ଚିତା ତିନୋଟି ଅଣାଯାଇ ସିଂହଦ୍ୱାର ସଂଲଗ୍ନ ଛାଉଣୀ ମଠରେ ରଖାଯାଏ । ରଥ ଉପରେ ରୁନ୍ଧା, ମାଳଫୁଲ ବେଶ, ସୋଲ ଚିତା ଇତ୍ୟାଦି ଲାଗି ହେବା ପରେ ଗୋବର୍ଦ୍ଧନ ପୀଠର ଜଗତ୍ଗୁରୁ ପୂଜ୍ୟ ଶ୍ରୀଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିଥାନ୍ତି । ଗୁଣ୍ଡିଚା ଯାତ୍ରା ନିମନ୍ତେ ପ୍ରତିବର୍ଷ ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କର ନୂତନ ରଥ ନିର୍ମିତ ହୋଇଥାଏ । ରଥର କଳସ, ପାଶ୍ୱର୍ ଦେବତା, ସାରଥି ଓ ଘୋଡ଼ା ବ୍ୟତୀତ ଅନ୍ୟ ସମସ୍ତ ଅଂଶ ନୂଆହୁଏ କିନ୍ତୁ ନବକଳେବର ବର୍ଷ ସମୁଦାୟ ରଥ ଓ ରଥାଙ୍ଗ ନୂତନ ନିର୍ମିତ ହୋଇଥାଏ । ବାହାରକୁ ବୁଲିବାକୁ ଯାଉଥିବାରୁ ସାଙ୍ଗରେ କିଛି ଲୁଗାପଟା ନେଇ ବାହାରି ପଡ଼ନ୍ତି ମହାପ୍ରଭୁ । ରତ୍ନ ଭଣ୍ଡାରରୁ ଦୁଇଗୋଟି ବଡ଼ ସିନ୍ଦୁକ ଆନୀତ ହୋଇ ଶ୍ରୀଜଗନ୍ନାଥଙ୍କ ପଛପଟେ ରଖାଯାଏ । ଗୋଟିଏ ସିନ୍ଦୁକରେ ଠାକୁରଙ୍କ ବ୍ୟବହାର ପାଇଁ ଲୁଗାପଟା ଓ ପାଟ ଏବଂ ଅନ୍ୟଟିରେ ଅଳଙ୍କାରମାନ ରଖାଯାଇଥାଏ । ସେବା ଭାବର ପ୍ରତୀକ ଲକ୍ଷେ ରାଜାଙ୍କ ମଉଡ଼ମଣି ଗଜପତି ରାଜା ସାମାନ୍ୟ ଭକ୍ତଟିଏ ପରି ଆସି ରଥ ଓଳାଇ (ଛେରା ପହଁରା) ପରିଷ୍କାର କରନ୍ତି । ଏହି ସେବା ସମ୍ପାଦନା ପାଇଁ ଗଜପତି ମହାରାଜ ବ୍ରତାଚରଣ ପୂର୍ବକ ରାଜଗୁରୁଙ୍କ ଉପସ୍ଥିତିରେ ଶ୍ରୀନଅରର ଇଷ୍ଟଦେବୀ କନକଦୁର୍ଗା ସମେତ ପଞ୍ଚଦେବତାଙ୍କର ଉପାସନା କରିଥାନ୍ତି । ରାଜଗୁରୁଙ୍କ ଦ୍ୱାରା ଦଶବିଧ ଉପଚାରରେ ମଙ୍ଗଳାରୋପଣ କର୍ମ ସମାହିତ ହୋଇଥାଏ । ଶ୍ରୀମନ୍ଦିର ତରଫରୁ ନିମନ୍ତ୍ରଣ କରାଯିବା ପରେ ମହାରାଜା ଶୁକ୍ଳରଙ୍ଗର ଚୁଡିଦାର କୁର୍ତ୍ତା, ନୀଳ କମରପଟୀ, ଲାଲ ପଇତାପଟୀ, ଲାଲ ବର୍ଣ୍ଣର ଉତ୍ତରୀୟ ଓ ଅଣ୍ଟାରେ ରାଜଦଣ୍ଡ ଝୁଲାଇ ମୁଣ୍ଡରେ ପରଚୂଳ ସଂଯୋଜିତ ଜରିଧଡି ଲଗା ଶୁଭ୍ରପାଗ ପିନ୍ଧିବା ସହିତ ଗଳାରେ କୋସ୍ତୁଭ ରତ୍ନହାର ପରିଧାନ କରନ୍ତି ।
ଶ୍ରୀନହର କାହାଳିଆ ବିଜେ କାହାଳି ବଜାଇବା ପରେ ଏକ ସୁସଜ୍ଜିତ ତାମଜାନରେ ହାତୀ, ଛତି, ଚାମର, ବଜନ୍ତରୀ ଓ ଅନ୍ୟାନ୍ୟ ଶ୍ରୀମନ୍ଦିର ବେହେରାଖୁଣ୍ଟିଆ, ଦେଉଳକରଣ ସେବକ ଓ ରାଜଗୁରୁଙ୍କ ସହ ପାର୍ଷଦ ଗହଣରେ ବର୍ଣ୍ଣାଢ୍ୟ ପଟୁଆରରେ ରଥ ଉପରକୁ ବିଜେ କରନ୍ତି । ରଥରେ ବିଜେ ହେବାପରେ ରାଜା ଦଣ୍ଡପ୍ରଣାମ ପୂର୍ବକ ନିଉଛାଳି, ରଥମାର୍ଜନ ଏବଂ ଛେରାପହଁରା କରନ୍ତି । ତିନି ରଥର ଛେରାପହଁରା ପରେ ରାଜା ଶ୍ରୀନଅରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହାପରେ ଚାର ଫିଟାଯାଏ । ଘୋଡ଼ା ବନ୍ଧାଯାଇ ଦଉଡ଼ି ଲାଗେ । ପ୍ରତ୍ୟେକ ରଥରେ ୪ ଟି ଲେଖାଏଁ ଅଶ୍ୱ ଯୋଚାଯାଏ ଏବଂ ୪ ଟି ଲେଖାଏଁ ଦଉଡି ବନ୍ଧାଯାଏ । ପ୍ରତ୍ୟେକ ରଥ ଦାୟିତ୍ୱରେ ଜଣେ ଜଣେ ବରିଷ୍ଠ ପଦାଧିକାରୀଙ୍କ ସହ ବହୁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥାଏ । ତାଳଧ୍ୱଜ ରଥ ଦାୟିତ୍ୱରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ସୁଭଦ୍ରାଙ୍କ ରଥ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଏବଂ ନନ୍ଦିଘୋଷ ରଥ ଦାୟିତ୍ୱରେ ଜିଲ୍ଲାପାଳ ରହି ରଥ ଚାଲିବାରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରନ୍ତି । ଡାହୁକ ଡାକ ଛାଡ଼େ । ଭକ୍ତମାନେ ରଥ ଭିଡ଼ି ନିଅନ୍ତି । ଘର୍ଘର ନାଦରେ ରଥ ଆଗକୁ ମାଡ଼ିଚାଲେ । ପ୍ରଥମେ ବଳଭଦ୍ର, ପରେ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ । ଭକ୍ତମାନଙ୍କ ପାଇଁ ଭକ୍ତମାନଙ୍କ ଭୋଗ ଖାଇ ବେଳେବେଳେ ବାଟରେ ଦିନେ ଦି’ ଦିନ ଅଟକି ଯାଆନ୍ତି । ରଥ ଯାଇ ପହଞ୍ଚେ ଗୁଣ୍ଡିଚା ଘରେ । ବିଜେ କାହାଳି ବାଜିଲେ ଡୋରଲାଗି ଓ ପୁଷ୍ପାଳି ବଢେ । ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ହାତରେ ବିଜେ କରାଇ ଗୁଣ୍ଡିଚା ଘର ଭଣ୍ଡାରଘର ସିଂହାସନ ଉପରେ ବିଜେ କରାନ୍ତି । ସେହିପରି ସୁଦର୍ଶନଙ୍କୁ ବିଜେ କରାଇ ଆଣି ସିଂହାସନ ଚାରତଳେ ରଖିଲେ ବଳଭଦ୍ରାଦି କ୍ରମରେ ମଇଲମ ସାରି ରୁନ୍ଧା ଫିଟି ପହଣ୍ଡି ଆରମ୍ଭ ହୋଇଥାଏ । କର୍ପୂର ଆଳତି, ଦୁର୍ବାକ୍ଷତ, ସାତବତୀ, ସକାହାଳୀ ବନ୍ଦାପନା ଓ ଘଷାବିଡ଼ିଆ ମଣୋହି ବଢେ । ସେବକଙ୍କ ମଣିମା ଡାକ, ଛତ୍ର, ଘଣ୍ଟା, କାହାଳି, ମୃଦଙ୍ଗାଦିରେ ଅପୂର୍ବ ସମାବେଶ ତଥା ଭକ୍ତଙ୍କର ହରିବୋଲ ହୁଳହୁଳି ଧ୍ୱନିରେ ଦିଅଁମାନେ ଗୋଟି ପହଣ୍ଡିରେ ଗୁଣ୍ଡିଚା ଘରେ ବିଜେ କରନ୍ତି । ବଡ଼ ଦେଉଳ ପରି ସେଠାରେ ନୀତିକାନ୍ତି ଚାଲେ । ହେରା ପଞ୍ଚମୀ ଦିନ ଲକ୍ଷ୍ମୀ ଠାକୁରାଣୀ ତାଙ୍କୁ ସାଙ୍ଗରେ ନେଇ ନଥିବା ପାଇଁ ଏକୁଟିଆ ଯାଇ ମହାପ୍ରଭୁଙ୍କ ରଥର ଖଣ୍ଡେ କାଠ ଭାଙ୍ଗି ଦେଇ ହେରାଗୋହିରୀ ସାହିବାଟେ ମନ୍ଦିରକୁ ଫେରନ୍ତି । ବାହୁଡ଼ା ପୂର୍ବଦିନ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଏହିଦିନ ପ୍ରଥମ କରି ଅଭଡ଼ା ହୋଇଥିବାରୁ ଭକ୍ତମାନେ ମହାନନ୍ଦରେ ଆଡ଼ପ ଘରେ ଅଭଡ଼ା ଖାଇଥାଆନ୍ତି ।
ଏହି ଦର୍ଶନର ପୁଣ୍ୟ ଅନେକ । ଶାସ୍ତ୍ର ଅନୁସାରେ ନୀଳାଦ୍ରିରେ ଶହେବର୍ଷ ଦର୍ଶନ କଲେ ଯେଉଁ ଫଳ ମିଳେ ଥରେମାତ୍ର ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କଲେ ତାହାର ଫଳ ଅଧିକ । ଆଗରୁ ରଥଙ୍କୁ ଦକ୍ଷିଣ ମୋଡ଼ କରାଯାଇଥାଏ । ବାହୁଡ଼ା ଦିନ ସଅଳ ମହାପ୍ରଭୁ ଖେଚୁଡ଼ି ଭୋଗ ଖାଇ ବାହୁଡ଼ି ଆସନ୍ତି ଲୁଗା ଭିଡ଼ାଭିଡ଼ି ହୋଇ ଧାଡ଼ି ପହଣ୍ଡିରେ । ଶରଧା ବାଲିରୁ ଟିକିଏ ଭକ୍ତମାନଙ୍କୁ ଚାହିଁ ଦିଅନ୍ତି, ବେଳେବେଳେ ଟିକିଏ ଚାଲି ସେଠାରେ ରହି ଯାଇ ପୁଣି ଆଗେଇ ଯାଆନ୍ତି ।*
ବଡ଼ ଠାକୁର ଓ ସୁଭଦ୍ରାଙ୍କ ରଥ ସିଂହଦ୍ୱାରକୁ ଟଣା ହୋଇଆସେ । ଜଗନ୍ନାଥଙ୍କ ରଥ ବାଟରେ ମାଉସୀମାଙ୍କ ମନ୍ଦିର ପାଖରେ ଅଟକି ଠାକୁର ଛେନାପୋଡ଼ ଭୋଗ ଖାଇଲେ ଆଗକୁ ବଢେ । ରଥ ରାଜାଙ୍କ ନଅର ପହଞ୍ଚିଲା ବେଳକୁ ଲକ୍ଷ୍ମୀ ଠାକୁରାଣୀ ଚାହାଣି ମଣ୍ଡପରୁ ଚାହିଁ ସେଠାକୁ ବିଜେ କରନ୍ତି । ଲକ୍ଷ୍ମୀନାରାୟଣଙ୍କ ଭେଟହୁଏ । ମହାପ୍ରଭୁ ଫେରି ଆସନ୍ତି ଶ୍ରୀମନ୍ଦିର ଆଗକୁ । ଏକାଦଶୀ ଦିନ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହିଦିନ ଅଧରପଣା ଅନ୍ୟ ଦେବତାଙ୍କ ସହ ଖାଇଥାଆନ୍ତି । ତାହାପରେ ମନ୍ଦିରକୁ ଫେରି ଯାଆନ୍ତି, ମାତ୍ର ଲକ୍ଷ୍ମୀ ବାଟ ଓଗାଳନ୍ତି ସାତ ପାହାଚରେ । ପୁନର୍ବାର ମହାପ୍ରଭୁ ବୁଝାଇ ସୁଝାଇ ମନ୍ଦିରକୁ ପ୍ରବେଶ କରନ୍ତି । ପଥକ୍ଳାନ୍ତି ପାଇଁ ଟିକିଏ ଶୋଇ ପଡ଼ନ୍ତି ଶୟନ ପୂର୍ଣ୍ଣିମା ଦିନ । ରଥରୁ ଫେରିବା ପରେ ନୀଳାଚଳ ଅଭଡ଼ା ହୁଏ ।*
ଭକ୍ତମାନେ ଆଡ଼ପ ଅଭଡ଼ା ଖାଇ ନୀଳାଚଳ ଅଭଡ଼ା ଖାଇସାରିବା ପରେ ଆନନ୍ଦରେ ଯିଏ ଯାହା ଘରକୁ ଫେରନ୍ତି ।ଭକ୍ତ ସହିତ ମିଳିତ ହେବା ପାଇଁ ପ୍ରଭୁଙ୍କର ଏହି ରଥଯାତ୍ରାର ପରିକଳ୍ପନା କରାଯାଇଛି । ଭକ୍ତମାନେ ପ୍ରଭୁଙ୍କୁ କୁ„ାଇ ଦେହ ଓ ମନକୁ ପବିତ୍ର କରିବାର ସୁଯୋଗ ପାଆନ୍ତି । ରଥରେ ବାମନଙ୍କୁ ଦେଖିବା ଅର୍ଥ ଆତ୍ମା ଓ ପରମାତ୍ମାର ମିଳନ ହେବା । ଯୋଗତ‰ ଅନୁସାରେ ଶରୀର ରଥ ମଧ୍ୟରେ ଥିବା ଜୀବାତ୍ମାକୁ ରେଚକ କୁମ୍ଭକ ପୁରକ ଦ୍ୱାରା କୁଣ୍ଡଳୀନି ଜାଗ୍ରତ କରି ମୂଳାଧାରକୁ ଆଣି ସହସ୍ରାରରେ ଥିବା ପରମାତ୍ମାଙ୍କ ସହିତ ମିଳିତ କରାଇଲେ ମୁକ୍ତି ମିଳେ, ତେଣୁ ଜୀବାତ୍ମା ସହିତ ପରମାତ୍ମାର ମିଳନ ହିଁ ରଥଯାତ୍ରା । ରଥଯାତ୍ରା ଓଡ଼ିଶାର ଗର୍ବ ଓ ଗୌରବ ହୋଇଥିବାରୁ ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସମସ୍ତ ନାଗରିକ ଓ ପ୍ରଶାସନ ଚେଷ୍ଟା କରିବା ଉଚିତ l
ଅନେକ ଐତିହାସିକ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତି ବୌଦ୍ଧ ଧର୍ମରୁ ବୈଶିଷ୍ଟ୍ୟରୁ ଆସିଛି ଏବଂ ସେମାନଙ୍କ ମଧ୍ୟରୁ ରଥଯାତ୍ରା ଅନ୍ୟତମ। ବାସ୍ତବରେ, ପୁରୀର ଜଗନ୍ନାଥ ମନ୍ଦିରର ଜଗମୋହନ ଏବଂ ସିଂହ ଦ୍ୱାରରେ ଥିବା ଦଶାବତାର ଚିତ୍ରରେ ଜଗନ୍ନାଥଙ୍କୁ ନବମ ସ୍ଥାନରେ ବୁଦ୍ଧଙ୍କ ଅବତାର ଭାବରେ ଦେଖିବାକୁ ମିଳିଥାଏ । ଗୁପ୍ତଙ୍କ ସମୟରେ ଭାରତକୁ ଆସିଥିବା ଚୀନ୍ ତୀର୍ଥଯାତ୍ରୀ ଫା-ହସିନ୍ ବୁଦ୍ଧଙ୍କ ରଥଯାତ୍ରାକୁ ସୂଚାଇ ଥିଲେ।
ପୁରୀର ରଥଯାତ୍ରା ଉତ୍ସବ କୃଷ୍ଣ ପରମ୍ପରା ସହ ଜଡିତ। ଜଗନ୍ନାଥଙ୍କୁ କୃଷ୍ଣଙ୍କର ଗପଳାମନ୍ତ୍ରରେ ପୂଜା କରାଯାଏ ଏବଂ ସାରଳା ଦାସଙ୍କ ମହାଭାରତ ମଧ୍ୟ ଜଗନ୍ନାଥଙ୍କୁ କୃଷ୍ଣଙ୍କ ସହ ଯୋଡିଥାଏ। ରାମାନୁଜ ଠାରୁ ରାମାନନ୍ଦ, କବୀର, ଓ ଚୈତନ୍ୟ ପର୍ଯ୍ୟନ୍ତ ବହୁ ଭକ୍ତ ସାଧୁ ଜଗନ୍ନାଥଙ୍କୁ କୃଷ୍ଣ-ବିଷ୍ଣୁଙ୍କ ସହ ଜଡିତ କରନ୍ତି, ତେଣୁ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ଭଗବାନ କୃଷ୍ଣଙ୍କ ସହ ଜଡିତ ହେବା ଆଶ୍ଚର୍ଯ୍ୟଜନକ ନୁହେଁ……
ଜୟ ଶ୍ରୀଜଗନ୍ନାଥ ଶରଣଂ