Spread the love


ପ୍ରଜାଙ୍କ ଆଖିରେ ଲୁହ

ତ୍ରେତୟା ଯୁଗର ରାମକଥାୟନର ଏହି ମୋଡରେ ଆସନ୍ତୁ ଟିକିଏ ସେହି ପବିତ୍ର ଗାଥାର ସ୍ରୋତସ୍ବିନୀରେ ଅବଗାହନ କରି ଶାଶ୍ବତ ମାନବୀୟ ଗୁଣର ଚିନ୍ତନରେ କିଛି ସମୟ ହଜିଯିବା।ସତ୍ୟ,ଧର୍ମ,ପ୍ରେମ ଓ ଶକ୍ତିର ପରାକାଷ୍ଠା ଚିତ୍ରଣ କରୁଥିବା ଏହି ମହାନ ଗାଥା ଭିତରେ ଲୁଚି ରହିଛି ଯେଉଁ ମହାଭାରତୀୟ ସଂସ୍କୃତି ତାହା ହୃଦୟଙ୍ଗମ କରି ମନକୁ ପବିତ୍ର କରିବା, ଟିକିଏ ଚିନ୍ତା କରିବା..ସତେ କି ମହାନ୍ ଥିଲା ଭାରତ ଭୂଖଣ୍ଡର ସଂସ୍କୃତି !

ପିତୃସତ୍ୟ ପାଳନ ଏବଂ ବଂଶ ଗୌରବ ରକ୍ଷା କରିବା ପାଇଁ ଜଣେ ରାଜପଦ ତ୍ୟାଗକରି ଅରଣ୍ୟ-ଜୀବନ ଆଲିଙ୍ଗନ କରିପାରେ,ପତିଙ୍କର ପଦାଙ୍କ ଅନୁସରଣ କରି ରାଜକୀୟ ସୁଖ ସ୍ବାଚ୍ଛନ୍ଦ୍ୟ ତ୍ୟାଗ କରି, ହିଂସ୍ରଜନ୍ତୁପୂର୍ଣ୍ଣ ଭୟଙ୍କର କଣ୍ଟକିତ ଅରଣ୍ୟରେ ଜଣେ ପତ୍ନୀ ସ୍ବାମୀର ସହଯାତ୍ରୀ ହୋଇପାରେ, ବିମାତାପୁତ୍ର ଭାଇର ପ୍ରେମ ଓ ଭକ୍ତିରେ ଉଦ୍ବୁଦ୍ଧ ଏକ ବ୍ୟକ୍ତି ରାଜସୁଖ ତ୍ୟାଗକରି ବନୌକା ବେଶରେ ଭାଇ ଓ ଭାଉଜଙ୍କ ସୁରକ୍ଷା ପାଇଁ ଅରଣ୍ୟରେ ଚଉଦ ବର୍ଷ ଦିବାନିଶି ଅନିଦ୍ରା ରହିପାରେ,ପତିଧର୍ମ ପାଳନ ଅବସରରେ ଜଣେ ଉର୍ମିଳା, ଆଖିର ଲୁହ ପିଇ ପିଇ ଚଉଦବର୍ଷ ସ୍ୱାମୀ ସ୍ନେହରୁ ବଞ୍ଚିତ ହୋଇପାରେ..ଏହା ସାମ୍ପ୍ରତିକ ଅବକ୍ଷୟମାଣ ସମାଜରେ ଅବାସ୍ତବ ଲାଗିପାରେ, କିନ୍ତୁ ଦିନେ ଏଭଳି ମହାନ କାର୍ଯ୍ୟପାଇଁ ଗୌରବାନ୍ଵିତ ଥିଲା ଆମ ଭାରତୀୟ ସଂସ୍କୃତି। ଆଜି ସେହି ମହାନ ଗାଥା ରୋମନ୍ଥନ କରି ଆତ୍ମାକୁ ପବିତ୍ର କରିବାର ଅବସର ଆସିଛି। ରାମାୟଣ କେବଳ ଏକ କଥାୟନ ନୁହେଁ,ଏହା ଏକ ଜୀବନଶୈଳୀ.. ଦୁର୍ଲ୍ଲଭ ମନୁଷ୍ୟ ଜୀବନକୁ ସାର୍ଥକ କରିବାପାଇଁ ଦ୍ରବଣର ଏକ ମାଧ୍ୟମ (କ୍ୟାଟାଲିଷ୍ଟ୍)।

ରଥ ଆରୋହଣ କରି ଯାତ୍ରାକରୁଥିଲେ ରାମ,ଲକ୍ଷ୍ମଣ, ସୀତା ଓ ସୁମନ୍ତ୍ର। ଧୀରେ ଧୀରେ ରଥ ଅଯୋଧ୍ୟାର ରାଜପଥ ଅତିକ୍ରମ କରୁଥିଲା। ରାମଚନ୍ଦ୍ରଙ୍କର ବନବାସ ସମ୍ବାଦ ବନଅଗ୍ନି ଭଳି ଅଯୋଧ୍ୟାରେ ବ୍ୟାପି ଯାଇଥିଲା।ରାଜପଥ ଜନସମୁଦ୍ରରେ ପରିଣତ ହୋଇଥିଲା।ଘରେ ଘରେ ଦ୍ୱାରଦେଶରେ ଅଶ୍ରୁଳ ନେତ୍ରରେ ଆବାଳ ବୃଦ୍ଧ ବନିତା ଧୀରେ ଧୀରେ ଗତି କରୁଥିବା ରଥକୁ ଚାହିଁ ରହିଥିଲେ।ଜନସମୁଦ୍ରରେ ହଠାତ୍ ଯେପରି ଜୁଆର ଆସିଯାଇଛି।ରାଜପୁତ୍ର ମାନଙ୍କୁ ଅରଣ୍ୟବାସୀ ବେଶରେ ଦେଖି କ୍ରନ୍ଦନ ରୋଳ ଉଠିଛି ପ୍ରଜାଙ୍କ ମଧ୍ୟରେ। ସମସ୍ତଙ୍କ ମୁହଁରେ ଗୋଟିଏ କଥା…ଆହା ! କି ନିଷ୍ଠୁର ସତେ ଦଶରଥଙ୍କ ହୃଦୟ ! ବୃଦ୍ଧକାଳରେ ପତ୍ନୀ ପ୍ରେମରେ ପଡି ଦେବତା ଭଳି ପୁତ୍ରକୁ ଅରଣ୍ୟକୁ କିପରି ପଠାଇ ପାରୁଛନ୍ତି ରାଜା, ତାହା ପୁଣି ଦିନେ ଦୁଇଦିନ ନୁହେଁ,ଚଉଦ ବର୍ଷ ! କିପରି କୌଶଲ୍ୟା,ନିଜ ହୃଦୟର କଲିଜାକୁ ବନକୁ ପଠାଇ ବଞ୍ଚି ପାରିବେ ! କେଡେ ହୃଦୟହୀନା ସତେ ମଉନମୁହୀ କୈକେୟୀ ! ଉପରେ ଉପରେ ରାମଙ୍କୁ ଭଲ ପାଉଥିଲେ,ମନରେ ଏତେ ବିଷ ଥିଲା ବୋଲି କିଏ ଜାଣିଥିଲା ! ନିଜ ପୁଅକୁ ରାଜା କରିବେ ବୋଲି ଏତେ ଷଡ଼ଯନ୍ତ୍ର ! ଧର୍ମ ସହିବଟି ?

ଯାହା ପ୍ରଜାଙ୍କ ପାଇଁ ପ୍ରଥମେ ଏକ ଅବିଶ୍ବସନୀୟ ସମ୍ବାଦ ଥିଲା ତାହା ଶୋକାକୁଳ ଘଟଣାରେ ପରିବର୍ତ୍ତିତ ହେଲା ଏବଂ ଶେଷରେ ରୋଷ ଏବଂ ଅସନ୍ତୋଷରେ ରୂପାନ୍ତରିତ ହେଲା।ପ୍ରଜାପୁଞ୍ଜ ସ୍ଥିର କଲେ…ନା,ଆମେ ରାମଙ୍କୁ ଅରଣ୍ୟକୁ ଛାଡ଼ିବୁ ନାହିଁ;ରାମ ଆମର ରାଜା,ଅନ୍ୟ କେହି ରାଜା ହୋଇ ପାରିବେ ନାହିଁ। ରାମ ଯେବେ ଆମ ଅନୁରୋଧ ରକ୍ଷା କରିବେ ନାହିଁ, ରାମଙ୍କ ସହିତ ଲକ୍ଷ୍ମଣ ଓ ସୀତା ଅରଣ୍ୟକୁ ଗଲାଭଳି ଆମେମାନେ ମଧ୍ୟ ଅରଣ୍ୟକୁ ଯାଇ ତାଙ୍କ ପାଖରେ ରହିବୁ;ଅରଣ୍ୟରେ ନୂତନ ଅଯୋଧ୍ୟା ସୃଷ୍ଟି କରିବୁ।

ପ୍ରଜାମାନଙ୍କର ଏଭଳି ସ୍ନେହରେ ବିଗଳିତ ରାମଚନ୍ଦ୍ର କରଯୋଡି କହିଲେ… ଅଯୋଧ୍ୟାର ପ୍ରିୟ ପ୍ରଜାଗଣ ! ମୋ ପ୍ରତି ଆପଣମାନଙ୍କ ସ୍ନେହ ଓ ସମ୍ମାନ ମୁଁ ଭଲ ଭାବରେ ଜାଣେ। ରାମକୁ ଆପଣମାନେ କଣ ସତ୍ୟଭ୍ରଷ୍ଟ ଦେଖିବାପାଇଁ ଚାହାଁନ୍ତି ?ପିତୃସତ୍ୟ ପାଳନ ନକଲେ ଅଯୋଧ୍ୟାର ଇକ୍ଷ୍ବାକୁ ବଂଶର ପରମ୍ପରା କଳଙ୍କିତ ହେବ।ପ୍ରଜାଙ୍କୁ ନେଇ ରାଜ୍ୟ; ଆପଣମାନେ କଣ ଚାହାଁନ୍ତି ଯେ ଆପଣଙ୍କ ରାଜା ସତ୍ୟଭଙ୍ଗର କଳଙ୍କ ମଥାରେ ଵହନକରୁ ? ତାହା ରାଜାର ମଥାରେ ପୁତିଗନ୍ଧମୟ କ୍ଷତ ସହିତ ସମାନ ହେବ। ମୁଁ ମୋର କର୍ତ୍ତବ୍ୟ ପାଳନ କରି ଯଥା ସମୟରେ ଆପଣଙ୍କ ଗହଣକୁ ଫେରି ଆସିବି।ସେ ପର୍ଯ୍ୟନ୍ତ ଆପଣମାନେ ମୋର ଅନୁଜ ଭରତକୁ ସ୍ନେହ, ସମ୍ମାନ ଓ ସମର୍ଥନ ଦେଇ ଅଯୋଧ୍ୟାର ରାଜା ଭାବରେ ଗ୍ରହଣ କରନ୍ତୁ।

ଏହା କେବଳ ବିଧି ନିର୍ଦ୍ଦେଶିତ ନୁହେଁ,ରାଜାଙ୍କ ଆଜ୍ଞା ମଧ୍ୟ।ରାଜାଜ୍ଞା ପାଳନ କରିବା ମୋର ଯେପରି କର୍ତ୍ତବ୍ୟ, ଆପଣମାନଙ୍କର ମଧ୍ୟ ସେପରି କର୍ତ୍ତବ୍ୟ।”

ଶ୍ରୀରାମଙ୍କର ଏହି ମହାନତା ପ୍ରଜାଙ୍କ ମନକୁ ଆହୁରି ଦୃଢକଲା। ଏଭଳି ଦେବୋପମ ଚରିତ୍ରକୁ ବନବାସରେ ନ’ପଠାଇବାକୁ ଗଣନିଷ୍ପତ୍ତି ନିଆଗଲା।ଜନସମୁଦ୍ର ଭିତରେ ପୋତ ଭଳି ଧୀରେ ଧୀରେ ଆଗେଇ ଯାଉଥାଏ ଶ୍ରୀରାମଙ୍କ ରଥ।ସୁମନ୍ତ୍ର ରଥରୁ ଓହ୍ଲାଇ ପ୍ରଜାମାନଙ୍କୁ ବୁଝାସୁଝା କରିବାରେ ଲାଗିଥାନ୍ତି।ଧୀରେ ଧୀରେ ନଗରର ସୀମା ଅତିକ୍ରମ କରି ତମସା ନଦୀ ଦିଗରେ ରଥ ଅଗ୍ରସର ହେବାକୁ ଲାଗିଲା। ଅଯୋଧ୍ୟାର ସମସ୍ତ ପ୍ରଜା ନଗର ତ୍ୟାଗକରି ରାମଚନ୍ଦ୍ରଙ୍କ ରଥର ଅନୁଧାବନ କଲେ।

ଅଭୂତପୂର୍ବ ଓ ଅଶ୍ରୁତପୂର୍ବ ଥିଲା ଏହି ଘଟଣା ଉତ୍ତରକୋଶଳ ଇତିହାସରେ।ଜଣେ ବୃଦ୍ଧବ୍ରାହ୍ମଣ କାନ୍ଦି କାନ୍ଦି ରଥରେ ଯୋତା ହୋଇଥିବା ଅଶ୍ବମାନଙ୍କ ପାଖରେ ପହଞ୍ଚି କହିଲେ..କଥିତ ଅଛି ଅଶ୍ଵମାନେ ସବୁ ଶୁଣିପାରନ୍ତି ଓ ବୁଝିପାରନ୍ତି ମଧ୍ୟ। ତୁମେମାନେ କଣ ପ୍ରଜାମାନଙ୍କର ଆକୁଳ କ୍ରନ୍ଦନର ଅର୍ଥ ବୁଝିପାରୁନାହଁ ?ଯେବେ ପାରୁଛ,ରାମଙ୍କ ରଥକୁ ଅରଣ୍ୟ ଆଡ଼କୁ କାହିଁକି ଟାଣି ନେଉଛ, ଅଯୋଧ୍ୟା ରାଜପ୍ରସାଦକୁ ଫେରାଇ ନିଅ।

ପ୍ରଜାମାନଙ୍କ ଦୁଃଖରେ ବିଗଳିତହୃଦୟ ମର୍ଯ୍ୟାଦାପୁରୁଷୋତ୍ତମ ରାମ ରଥରୁ ଅବତରଣ କରି ପ୍ରଜାମାନଙ୍କୁ ବୁଝାଇସୁଝାଇ ପାଦରେ ଚାଲି ଚାଲି ପଥ ଅତିକ୍ରମ କରିବା ଆରମ୍ଭ କଲେ।ସୁମନ୍ତ୍ର,ଲକ୍ଷ୍ମଣ ଓ ସୀତା ମଧ୍ୟ ରାମଙ୍କ ସହିତ ଯୋଗଦେଲେ।ପ୍ରଜାଙ୍କ ଗହଣରେ ନରରୂପୀ ନାରାୟଣଙ୍କର ଏ ବନ ଗମନର ଦୃଶ୍ୟ ଥିଲା ଅପୂର୍ବ, ଅଭୂତପୂର୍ବ !

ସନ୍ଧ୍ୟା ପୂର୍ବରୁ ତମସା ନଦୀ କୂଳରେ ରାମଙ୍କ ରଥ ପହଞ୍ଚିଲା।ତମସା ତଟର ବାଲୁକାରାଶି ଉପରେ ବିଶ୍ରାମ ନେଲେ ରାମଚନ୍ଦ୍ର।ଆଉ ସେ ସାଧାରଣ ରାଜପୁତ୍ର ରାମ ହୋଇ ରହିନଥିଲେ।ପ୍ରଜାଙ୍କ ଆଖିରେ ସେ ମର୍ଯ୍ୟାଦାପୁରୁଷୋତ୍ତମ ପାଲଟିଯାଇଥିଲେ;ପାଲଟି ଯାଇଥିଲେ ତ୍ୟାଗ,ପ୍ରେମ ଓ କର୍ତ୍ତବ୍ୟର ପୂଜନୀୟ ପ୍ରତିମୂର୍ତ୍ତି।ରାମଙ୍କୁ ବିଶ୍ରାମ ନେବା ଦେଖି ତମସା ତଟର ସୁଦୀର୍ଘ ବାଲୁକା ତଟରେ ବିଶ୍ରାମ ନେଲେ ଅଯୋଧ୍ୟାର ପ୍ରଜାପୁଞ୍ଜ।

ସନ୍ଧ୍ୟା ନଇଁ ଆସିଲା ତମସା କୂଳ ଅରଣ୍ୟରେ।ଶୋଷ,ଉପବାସ ମାନସିକ କଷ୍ଟରେ ବିଗଳିତ ପ୍ରଜାମାନେ ସେହିଭଳି ଉପବାସରେ ବାଲି ଉପରେ ନିଦ୍ରାଗଲେ। ପ୍ରଜାମାନଙ୍କର ଏଭଳି ସମର୍ପଣ ଭାବ ଦେଖି କରୁଣାମୟଙ୍କ ଆଖିରେ ଅଶ୍ରୁ ଆସିଗଲା। ସୁମନ୍ତ୍ର କିଛି ଫଳ ଆଣି ଭୋଜନ ପାଇଁ ରାମଚନ୍ଦ୍ରଙ୍କୁ ଦେଲେ।ସବିନୟ ପ୍ରତ୍ୟାଖ୍ୟାନ କରି ଦାଶରଥି କହିଲେ.. ଆଜି ମୋତେ ଉପବାସ ପାଳନ କରିବାକୁ ଦିଅ ଆର୍ଯ୍ୟ ସୁମନ୍ତ୍ର ! ପ୍ରଜାମାନେ ଉପବାସରେ ଶୟନ କରିଥିବା ସମୟରେ ମୁଁ କିପରି ଜଳ ଗ୍ରହଣ କରିବି ?”

ନିଶାର୍ଦ୍ଧ ଗଡି ଗଲାଣି।ତାମସା ସିକତାର କୁଶଶଯ୍ୟାରୁ ଉଠି ଶ୍ରୀରାମ,ଲକ୍ଷ୍ମଣ ଓ ସୀତା ସ୍ନାନାଦି ନିତ୍ୟକର୍ମ ଶେଷ କରି କୁଳଦେବତାଙ୍କ ପୂଜାର୍ଚ୍ଚନା ବଢାଇଲେ।ସୁମନ୍ତ୍ରଙ୍କ ନିଦ୍ରା ଭଙ୍ଗ କରି ଶ୍ରୀରାମ କହିଲେ..ଆର୍ଯ୍ୟ ! ପ୍ରଜାମାନେ ସମସ୍ତେ ବର୍ତ୍ତମାନ ଗାଢ଼ ନିଦ୍ରାରେ ଶୟନରତ।ପ୍ରଭାତ ହେଲେ ସେମାନଙ୍କୁ ଅଯୋଧ୍ୟା ଫେରାଇବା ସମ୍ଭବ ହେବନାହିଁ।ଏହା ହିଁ ଆମ ପାଇଁ ପ୍ରକୃଷ୍ଟ ସମୟ।ସ୍ବଳ୍ପ-ଜଳଧାରଯୁକ୍ତ ତମସା ନଦୀ ରଥରେ ଅତିକ୍ରମ କରାଇ ଆମକୁ ଗଙ୍ଗାନଦୀ କୂଳରେ ପହଞ୍ଚାଇ ରଥ ଫେରାଇ ଆଣନ୍ତୁ ଆର୍ଯ୍ୟ ; ରଥ ଏ ସ୍ଥାନକୁ ଆଣି ଅଯୋଧ୍ୟା ଫେରାଇ ନେବେ।ପ୍ରଭାତରେ ପ୍ରଜାମାନେ ରଥ ଚକ’ର ଚିହ୍ନ ଦେଖି ଆମେ ଅଯୋଧ୍ୟା ଫେରିଯାଇଛୁ ମନେକରି ନିଜ ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିବେ।ପ୍ରଜାମାନଙ୍କୁ ବୁଝାଇ ବୁଝାଇ ଫେରାଇନେବା ଦାୟିତ୍ଵ ଆପଣଙ୍କର ଆର୍ଯ୍ୟ ସୁମନ୍ତ୍ର !

ରଚନା //କୁଳମଣି ଷଡ଼ଙ୍ଗୀ. ଗଞ୍ଜାମ

ସଂଗ୍ରହ //କୃଷ୍ଣ ଚନ୍ଦ୍ର ସାହୁ

Leave a Reply

Your email address will not be published. Required fields are marked *