Spread the love

ନିର୍ବାଚନ ପ୍ରଚାରରେ ଶିଷ୍ଟାଚାର

ଆସନ୍ତାକାଲି (ଶନିବାର) ଦେଶରେ ଷଷ୍ଠ ପର୍ଯ୍ୟାୟ ଓ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଭୋଟଦାନ ଅନୁଷ୍ଠିତ ହେବ। ଜୁନ୍‌‌ ୧ରେ ସପ୍ତମ ଓ ଅନ୍ତିମ ପର୍ଯ୍ୟାୟ ସହିତ ଦେଶରେ ଓ ଆମ ରାଜ୍ୟରେ ଏକ ଦୀର୍ଘ ନିର୍ବାଚନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସରିବ। ତା’ପରେ ଭୋଟ ଗଣତି, ସରକାର ଗଠନ ପରେ ୨୦୨୪ର ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପ୍ରକ୍ରିୟାର ଅବସାନ ଘଟିବ।

ଏହି ନିର୍ବାଚନରେ, ବିଶେଷକରି ଓଡ଼ିଶାରେ, ଦୁଇଟି କଥା ଦେଖିବାକୁ ମିଳିଛି। ପ୍ରଥମତଃ, ୨୧ ଲୋକସଭା ଓ ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭା ପାଇଁ ଚାରି ପର୍ଯ୍ୟାୟରେ ନିର୍ବାଚନ କରାଯାଇଛି। ଅପରପକ୍ଷରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ଅଧିକ ଜନବହୁଳ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଦ୍ୱିତୀୟ କଥାଟି ହେଲା ଏଥର ଓଡ଼ିଶାରେ ପ୍ରଚାର ସମୟରେ ବିରୋଧୀ ଦଳର ତାରକା ପ୍ରଚାରକ ତଥା ଦାୟିତ୍ୱପୂର୍ଣ୍ଣ ନେତାମାନେ ଅଶାଳୀନ ଭାଷା, ଜାତି, ଧର୍ମ, ବର୍ଣ୍ଣ ଓ ଆଞ୍ଚଳିକତାକୁ ଆକ୍ଷେପ କରି ବିରୋଧୀ ପକ୍ଷଙ୍କୁ କଟୁ ସମାଲୋଚନା କରିଛନ୍ତି। ଏହା ନିର୍ବାଚନ ସମ୍ଭାଷଣର ମାନକୁ ନିମ୍ନ କରିବା ସହ ସାଧାରଣରେ ନକାରାତ୍ମକ ଭାବନା ସୃଷ୍ଟି କରିଛି।

ଏହି ଦୁଇ ପ୍ରସଙ୍ଗ ଘେନି ସାଧାରଣରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶା ଭଳି ଅପେକ୍ଷାକୃତ ଛୋଟ ପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ଥିବା ସତ୍ତ୍ବେ ଚାରି ପର୍ଯ୍ୟାୟରେ କାହିଁକି ମତଦାନ କରାଯାଉଛି ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଥିଲେ। ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ଅଳ୍ପ କେତେକ ସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ସୀମିତ ଥିବାରୁ ରାଜ୍ୟ ପାଇଁ ଦୁଇପର୍ଯ୍ୟାୟ ମତଦାନ ଅଧିକ ଯୁକ୍ତିଯୁକ୍ତ ହୋଇଥା’ନ୍ତା ବୋଲି ମତ ପ୍ରକାଶ ପାଇଛି। ତେବେ ଚାରିପର୍ଯ୍ୟାୟ ମତଦାନ ପାଇଁ କାହିଁକି ଓଡ଼ିଶାକୁ ବଛାଗଲା ତାହାର ଉତ୍ତର କେବଳ ନିର୍ବାଚନ କମିଶନ ହିଁ ଦେଇପାରିବେ। କମିଶନ ଏହାର କାରଣ ପ୍ରକାଶ କରନ୍ତି ନାହିଁ ଏବଂ କରିବାକୁ ମଧ୍ୟ ବାଧ୍ୟ ନୁହନ୍ତି। ତେବେ ତାଙ୍କୁ ସାଧାରଣ ଜନତା ଏଥିପାଇଁ ପ୍ରଶ୍ନ କରୁଛନ୍ତି।

ନିର୍ବାଚନ ବହୁପର୍ଯ୍ୟାୟ ଭିତ୍ତିକ ହେଲେ କେନ୍ଦ୍ରୀୟ ସ୍ତରର ନେତାମାନେ ଗୋଟିଏ ରାଜ୍ୟରେ ପଶି ସେଠାକାର ଶାସକ ଦଳକୁ ଘେରିବାକୁ ଯଥେଷ୍ଟ ସମୟ ଓ ସୁଯୋଗ ପାଆନ୍ତି। ଏଥର ଓଡ଼ିଶାରେ ଶାସକଦଳକୁ ବିଜେପିର କେନ୍ଦ୍ରୀୟ ନେତୃମଣ୍ଡଳୀ ଯେଭଳି ଘେରିବାକୁ ଚେଷ୍ଟା କରୁଛନ୍ତି, ତାହା ରାଜ୍ୟବାସୀ ଦେଖୁଛନ୍ତି। ଆଞ୍ଚଳିକ ଦଳଗୁଡ଼ିକ ସ୍ଥାନୀୟ ସମସ୍ୟା ଓ ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ରାଜନୀତି କରିବା ସ୍ୱାଭାବିକ। ସେମାନଙ୍କର ଜାତୀୟ ରାଜନୀତିରେ ବଡ଼ ପ୍ରତ୍ୟକ୍ଷ ଅଭିଳାଷ ନଥାଏ। ଏଭଳି ସ୍ଥିତିରେ ଜାତୀୟ ଦଳମାନେ ‘ଡବଲ ଇଂଜିନ୍‌‌ ସରକାର’ ଏବଂ ଅନ୍ୟ ନକାରାତ୍ମକ ପ୍ରଚାର ଅଭିଯାନ ଦ୍ୱାରା ଆଞ୍ଚଳିତ ଦଳମାନଙ୍କୁ ହଟାଇବା ସବୁବେଳେ ସମ୍ଭବ ହୁଏନାହିଁ। ବିଶେଷକରି ଯେତେବେଳେ ଦୀର୍ଘବର୍ଷର ସ୍ଥିର ସରକାର, ବହୁମୁଖୀ ବିକାଶ ଯୋଜନାର ପ୍ରଚଳନ ଏବଂ ଜନମଙ୍ଗଳ ଓ ସାମାଜିକ ନ୍ୟାୟଭିତ୍ତିକ ଲୋକପ୍ରିୟ କାର୍ଯ୍ୟକ୍ରମର ରୂପାୟନ ମାଧ୍ୟମରେ ବିଜୁ ଜନତା ଦଳ ସରକାର ଓ ଏହାର ମୁଖିଆଙ୍କ ଦ୍ୱାରା ବ୍ୟାପକ ଜନସମର୍ଥନ ହାସଲ ଥାଏ, ସେତେବେଳେ ବିରୋଧୀ ଦଳ ଜାତୀୟ ଶାସକ ଦଳ ହେଲେ ମଧ୍ୟ ପ୍ରାଦେଶିକ ରାଜନୀତିରେ ବଡ଼ ପ୍ରଭାବ ସୃଷ୍ଟି କରିପାରେ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚବିଶବର୍ଷର ଶାସନ ନେତୃତ୍ୱ ନେବା ପରେ ମଧ୍ୟ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ବିରୁଦ୍ଧରେ ଶାସକବିରୋଧୀ ଜନମତ ସୃଷ୍ଟି ହୋଇନାହିଁ। ଏହି ପୃଷ୍ଠଭୂମିରେ ସମୀକ୍ଷକମାନଙ୍କ ମତ ଯେ ଓଡ଼ିଶାରେ ଚାରି ପର୍ଯ୍ୟାୟ ମତଦାନ ବ୍ୟବସ୍ଥା ଲଦି ଦେବା ନିର୍ବାଚନୀ ଦୁରଭିସନ୍ଧି ବୋଲି ବିବେଚନା କରାଯିବ। ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦେବା ଏବଂ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ। କେଉଁଠି ଏହା କେନ୍ଦ୍ର ସରକାରଙ୍କ ଚାପର ବଶବର୍ତ୍ତୀ ହେଉଛି ବୋଲି ଲୋକଙ୍କ ମଧ୍ୟରେ ସେ ଭାବନା ସୃଷ୍ଟି ନହେଉ। ଆୟୋଗ ଜନସନ୍ଦେହର ଊର୍ଦ୍ଧ୍ବରେ ରହୁ।

ଆଉ ଏକ କଥା ହେଲା ଆଚରଣ ବିଧି ପାଳନ କରି ନେତାମାନେ ବାକ୍‌‌ସଂଯମ ରକ୍ଷା କରିବାର ଆବଶ୍ୟକତା। ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ବା ତାଙ୍କ ଦଳର ରାଜନୈତିକ ଚାଳକମାନଙ୍କ ପ୍ରତି କେନ୍ଦ୍ରୀୟ ନେତା ଓ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିବିଶେଷ ଅଶାଳୀନ ଭାଷା ପ୍ରୟୋଗ କରିବା, ଜାତି, ଧର୍ମ ଓ ଆଞ୍ଚଳିକତା ଭିତ୍ତିରେ ସେମାନଙ୍କୁ ନିଶାଣ ଲଗାଇ ଆକ୍ଷେପ କରିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ। ଆହୁରି ଚିନ୍ତାଜନକ ହେଉଛି କିଛି ଇଲେକ୍‌‌ଟ୍ରୋନିକ୍ସ ଓ ପ୍ରିଣ୍ଟ ମିଡିଆ ଏସବୁ ଆପତ୍ତିଜନକ ଆକ୍ଷେପକୁ ବହୁଳଭାବେ ଏକପାଖିଆ ପ୍ରଚାର କରିବା। ଏଭଳି ପରିସ୍ଥିତି କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ସ୍ପଷ୍ଟ ଭାବରେ ଏଥର ଦେଖିବାକୁ ମିଳୁଛି। ଏ ନେଇ ଅଭିଯୋଗ ହେବା ପରେ ନିର୍ବାଚନ କମିଶନ ଉଭୟ ବିଜେପି ଓ କଂଗ୍ରେସକୁ ସତର୍କ କରାଇ ସାରିଛନ୍ତି। ଆଚରଣବିଧି ଅନୁସାରେ ତାରକା ପ୍ରଚାରକମାନେ ଲକ୍ଷ୍ମଣରେଖା ମଧ୍ୟରେ ରହିବା ସହିତ ବାକ୍‌‌ସଂଯମ ଆଚରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଞ୍ଚପର୍ଯ୍ୟାୟ ମତଦାନ ପରେ ଏହି ନିର୍ଦ୍ଦେଶ ଆସିଛି ଏବଂ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଗତ ସନ୍ଧ୍ୟାରେ ଶେଷ ହୋଇଛି। ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ବାକି ଅଛି। ସଂପୃକ୍ତ ଦୁଇ ଜାତୀୟଦଳ ଏମ୍‌‌ସିସିର ଯାହା ଉଲ୍ଲଂଘନ କରିବା କଥା କରିସାରିଛନ୍ତି। ଆମ ମତରେ କମିଶନଙ୍କ ଏହି ନିର୍ଦ୍ଦେଶ ଓ ତାଗିଦ ବହୁ ବିଳମ୍ବରେ ଆସିଛି ଏବଂ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ଉପରେ ଯାହା ନକାରାତ୍ମକ ପ୍ରଭାବ ପଡ଼ିବା କଥା ତାହା ପଡ଼ିସାରିଛି।

ଓଡ଼ିଶାର ଶାସକ ଦଳ ଓ ଏହାର ନେତୃତ୍ୱକୁ କୁଭାଷା ପ୍ରୟୋଗ କଲେ ଭୋଟ ମିଳିବ ବୋଲି ଆଶା କରିବା ବୃଥା। ଏହା ଓଷୁଅ ବିକଳରେ ତାଟିଆ କାମୁଡ଼ିବା ଭଳି କଥା ହେଉନି କି? ବିଜେଡି ସରକାର କ୍ରମାଗତ ୨୪ ବର୍ଷ କ୍ଷମତାରେ ରହିବାର ରହସ୍ୟ ହେଲା ଏହା ନିରନ୍ତର ଲୋକଙ୍କ ସହିତ ରହିଛି ଓ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିଆସୁଛି। ବେଶୀ କଥା ନ କହି ନିରବରେ କାମ କରୁଥିବା ସରକାର ପ୍ରତି ସେଥିପାଇଁ ଜନସାଧାରଣ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ବାରମ୍ବାର ଏହି ଦଳ ଓ ଏହାର ମୁଖିଆଙ୍କୁ ବିଜୟୀ କରାଉଛନ୍ତି। ବିଜେଡିର ସଂଗଠନ ତୃଣମୂଳସ୍ତରରୁ ଅତ୍ୟନ୍ତ ସୁଦୃଢ଼ ଏବଂ ଶୀର୍ଷ ନେତୃତ୍ୱ ଅତ୍ୟନ୍ତ ଦକ୍ଷ ତଥା ଲୋକପ୍ରିୟ। ନିର୍ବାଚନ ରଣନୀତିରେ ଗୋଟିଏ ସ୍ଥିର ଜନପ୍ରିୟ ସରକାରର ଦୃଢ଼ ବିକଳ୍ପ ଭାବେ ନିଜକୁ ଜନତାଙ୍କ ଆଗରେ ଉପସ୍ଥାପିତ କରିବାକୁ ହେଲେ ବଡ଼ ବଡ଼ ଜାତୀୟ ରାଜନୈତିକ ଦଳମାନଙ୍କୁ ବିଶେଷ ଗୁରୁତ୍ୱ ଦେଇ ବିକାଶ ଓ ଜନମଙ୍ଗଳ ଯୋଜନାର ନକ୍ସାମାନ ଉପସ୍ଥାପନା କରିବାକୁ ପଡ଼ିବ। ବିଶେଷକରି ଦୃଢ଼ ଜାତୀୟତାବାଦ ନାଁରେ ଧାର୍ମିକ ଆସ୍ଥା, ଜାତି, ଭାଷା, ସଂସ୍କୃତି ଓ ପ୍ରାଦେଶିକ ଅସ୍ମିତା ଆଦି ତତ୍ତ୍ୱର ରାଜନୀତିକରଣ କରିବା ସେମାନଙ୍କ ପକ୍ଷରେ ଶୋଭନୀୟ ନୁହେଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ନିକଟରେ ଯେଉଁଭଳି ଅଶୋଭନୀୟ ଅବତାରଣା ନିର୍ବାଚନ ପ୍ରସଙ୍ଗରେ କରାଗଲା ତାହାଠାରୁ ବଳି ଅନୈତିକ ରାଜନୀତି ଆଉ କ’ଣ ହୋଇପାରେ?

Leave a Reply

Your email address will not be published. Required fields are marked *