Spread the love

ନିର୍ବାଚନୀ ରାଜନୀତିରେ ବିଜୁବାବୁଙ୍କ ୫୧ ବର୍ଷ

ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର

‘ସ୍ପିଙ୍ଗ୍‌‌ସ ଯେପରି ଧ୍ୱଂସର ଶଯ୍ୟା ଭିତରୁ ଉଠି ପୁଣି ଆକାଶକୁ ଲମ୍ଫ ପ୍ରଦାନ କରେ, ବିଜୁ ବାବୁ ସେହିପରି ପରାଜୟର ଧୂଳିଶଯ୍ୟାରୁ ନୂଆ ଜନ୍ମ ଲାଭ କରି ଉତ୍‌‌ଥାନର ଚୂଡ଼ା ଆଡ଼କୁ ମାଡ଼ି ଚାଲନ୍ତି।’ ବିଜୁ ପଟ୍ଟନାୟକଙ୍କୁ ଗ୍ରୀକ୍‌‌ ଉପକଥାର ସ୍ପିଙ୍ଗ୍‌‌ସ ସହିତ ତୁଳନା କରି ଏକଦା ଏହି ବକ୍ତବ୍ୟ ରଖିଥିଲେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ। ନିର୍ବାଚନରେ ଜୟ-ପରାଜୟକୁ ହାଲୁକା ଭାବେ ଗ୍ରହଣ କରି ବିଜୁ ବାବୁ କହୁଥିଲେ, ‘ନିର୍ବାଚନ ଗୋଟାଏ ଯୁଦ୍ଧ, ଏଥିରେ ହାର୍‌‌ ଜିତ୍‌‌ ରହିଛି, ଯୋଦ୍ଧା ଯୁଦ୍ଧରେ ମୃତ୍ୟୁବରଣ କଲେ ସ୍ୱର୍ଗପ୍ରାପ୍ତ ହୁଏ। ବିଜୟୀ ହେଲେ ଯଶସ୍ୱୀ ହୁଏ, ରାଜ୍ୟ ଲାଭ କରେ। ତେଣୁ ପରାଜୟ ପାଇଁ ଦୁଃଖ କରିବାର କାରଣ ନାହିଁ। ପ୍ରକୃତ ଯୋଦ୍ଧା ଲାଗି ଜିତିବା ହାରିବା ଉଭୟ ସମାନ।’ ୧୯୪୬ରୁ ୧୯୯୭ ପର୍ଯ୍ୟନ୍ତ ଦୀର୍ଘ ୫୧ବର୍ଷ ଧରି ନିର୍ବାଚନୀ ରାଜନୀତିରେ ସକ୍ରିୟ ଥିବା ବିଜୁବାବୁଙ୍କ ରେକର୍ଡ ଏଯାବତ୍‌‌ ଆମ ରାଜ୍ୟରେ କେହି ଭାଙ୍ଗି ପାରିନାହାନ୍ତି।

ବିଜୁ ପଟ୍ଟନାୟକ ଥିଲେ ଖୁବ୍‌‌ ଜିଦ୍‌‌ଖୋର। ଛାତ୍ର ଜୀବନରେ ଏକଦା ସେ ଶପଥ କରିଥିଲେ ପାଇଲଟ୍‌‌ ହେବେ ବୋଲି। ତାହା କରି ଦେଖାଇଲେ। କଟକରୁ ପେଶୱାର ପର୍ଯ୍ୟନ୍ତ ଦୁଃସାହସିକ ସାଇକେଲ ଯାତ୍ରା କରି ସେ ସମୟରେ ସେ କେବଳ ରେଭେନ୍ସା କଲେଜରେ ନୁହେଁ, ଚାରିଆଡ଼େ ଚହଳ ପକାଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସରକାରର ପାଇଲଟ୍‌‌ ଥାଇ ସେ ଯେଉଁ ଦୁଃସାହସିକ ଅଭିଯାନ କରିଥିଲେ ତାହା ଇତିହାସର କଥାବସ୍ତୁ। ଗାନ୍ଧିଜୀଙ୍କ ‘ଭାରତ ଛାଡ଼ ଆନ୍ଦୋଳନ’ର ଗୁରୁମନ୍ତ୍ର ‘କର ବା ମର’ ତାଙ୍କୁ ଏଭଳି ପ୍ରଭାବିତ କରିଥିଲା ଯେ ସେ ସରକାରୀ ବିମାନରେ ଅରୁଣା ଅସଫ୍‌‌ଅଲ୍ଲୀ, ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ ଆଦି କ୍ରାନ୍ତିକାରୀମାନଙ୍କୁ ଗୁପ୍ତରେ ନେବା ଆଣିବା କରୁଥିଲେ। ବ୍ରିଟିଶ ସରକାରଙ୍କ ନଜରକୁ ଏ ପ୍ରସଙ୍ଗ ଆସିବା ପରେ ସେ ଗିରଫ ହୋଇ ଜେଲ୍‌‌ରେ ରହିଲେ। ୧୯୪୫ରେ କାରାମୁକ୍ତି ପରେ ସେ ଆଉ ଚାକିରିକୁ ନଫେରି ନିଜର ବିମାନ ଉଡ଼ାଣ ସଂସ୍ଥା ଆରମ୍ଭ କରିବା ସହ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଗ୍ରହକ୍ରମେ ନିର୍ବାଚନୀ ରାଜନୀତି କ୍ଷେତ୍ରକୁ ଆସି ୧୯୪୬ରେ କଂଗ୍ରେସ ପ୍ରାର୍ଥୀ ଭାବେ କେନ୍ଦ୍ର କଟକ ସଦର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଆସିଲେ। କଅଁଳା ଶିଶୁ ନବୀନଙ୍କ ସମେତ ୩ ପୁଅ ଝିଅଙ୍କୁ ଛାଡ଼ି ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କୁ ସାଙ୍ଗରେ ନେଇ ବିଜୁ ବାବୁ ଡଚ୍‌‌ ବାହିନୀର ଧମକ ସତ୍ତ୍ବେ ଇଣ୍ଡୋନେସିଆ ଯାଇ ସେଠାକାର ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଭେଟିବା ସଙ୍ଗେ ସଙ୍ଗେ ଅନ୍ୟ ୨ଜଣ ନେତା ମହମ୍ମଦ ହଟ୍ଟା ଓ ସୁଲତାନ୍‌‌ ସାହାରିର୍‌‌ଙ୍କୁ ଦିଲ୍ଲୀ ନେଇ ଆସିଥିଲେ। ତାଙ୍କ ଦୁଃସାହସିକ ଅଭିଯାନର ସନ୍ତକ ଇଣ୍ଡୋନେସିଆରୁ ରୁଷ୍‌‌ ପର୍ଯ୍ୟନ୍ତ ରହିଛି।

୧୯୪୬ରୁ ୧୯୯୭ ଏପ୍ରିଲ ୧୭ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଜନନେତା ବିଜୁ ପଟ୍ଟନାୟକ ନିର୍ବାଚନୀ ରାଜନୀତିରେ ସକ୍ରିୟ ରହିବା ସହିତ ଜାତୀୟ ଓ ରାଜ୍ୟସ୍ତରରେ କେତେବେଳେ ‘ଝଡ଼ର ଇଗଲ୍‌‌’ ତ ଆଉ କେତେବେଳେ ‘ଧରଣୀର କୃଷ୍ଣସାର’ ଅଥବା ‘ମାଟିର ମୂର୍ତ୍ତିକାର’ ଭାବେ ଉଭା ହୋଇଥିଲେ। ତାଙ୍କୁ କିଏ କେତେବେଳେ ଅପବାଦରେ ପୋତି ପକାଇଲା କି ଆଉ କିଏ ‘ପ୍ରବାଦ ପୁରୁଷ’ କହି ପ୍ରଶଂସା ଅଜାଡ଼ିଲା ସେଥିପ୍ରତି ତାଙ୍କର ଖାତିର୍‌‌ ନଥିଲା। ଦେଶର ସମ୍ବିଧାନ ଲାଗୁ ହେବା ପରେ ୧୯୫୧-୫୨ ମସିହାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦରୁ ଓ ୧୯୫୭ରେ ସୋରଡ଼ାରୁ ନିର୍ବାଚିତ ହୋଇଥିଲେ। ୧୯୬୧ର ବିଧାନସଭା ନିର୍ବାଚନରେ ସେ ଚୌଦ୍ୱାରରୁ ନିର୍ବାଚିତ ହୋଇଥିବା ବେଳେ ସେଥର ଢେଙ୍କାନାଳ ଆସନରୁ ଲଢ଼ି କିନ୍ତୁ ହାରି ଯାଇଥିଲେ। ୧୯୬୧ ଜୁନ୍‌‌ ୨୩ରେ ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ୧୯୬୩ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ୧୯୬୭ରେ ସେ ପାଟକୁରା ଆସନରୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ନିଜକୁ ନେତା ତିଆରି କାରଖାନାରେ ପରିଣତ କରିଥିଲେ। ୧୯୭୧ରେ ସେ ଏକସଙ୍ଗେ ଭଞ୍ଜନଗର ଲୋକସଭା ସହିତ ଚୌଦ୍ୱାର, ଖୋରଧା, ଭୁବନେଶ୍ୱର ଓ ଭଞ୍ଜନଗର ବିଧାନସଭା ଆସନ ପାଇଁ ‘ଉତ୍କଳ କଂଗ୍ରେସ’ ପ୍ରାର୍ଥୀ ଭାବେ ଲଢ଼ି ହାରିଥିଲେ। ଏହା ପରେ ପରେ ବିଜୁ ବାବୁ ସେହିବର୍ଷ ମଇ ୧୩ ତାରିଖରେ ରାଜ୍ୟସଭା ସଦସ୍ୟ ହୋଇଥିଲେ। ରାଜ୍ୟ ରାଜନୀତି ତାଙ୍କୁ ଏତେ ଆକର୍ଷିତ କରିଥିଲା ଯେ ସେ ଅକ୍ଟୋବର ୬ରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଲଢ଼ି ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୪ରେ ପୁନର୍ବାର ବିଜୁବାବୁ ରାଜନଗର ଆସନରୁ ବହୁ ଭୋଟ୍‌‌ ବ୍ୟବଧାନରେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହେଲେ।

ସେତେବେଳେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଚାଲିଥିବା ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ଝାସ ଦେଇ ବିଜୁବାବୁ ୧୯୭୫ର ଜରୁରୀ ପରିସ୍ଥିତି ସମୟରେ ପୁଣି ଜେଲ୍‌‌ ଗଲେ। କଂଗ୍ରେସ ଶାସନର ଅନ୍ତ ପାଇଁ ସେତେବେଳେ ଭାରତୀୟ ଲୋକଦଳ, ସଙ୍ଗଠନ କଂଗ୍ରେସ, ଜନସଂଘ ଓ ସମାଜବାଦୀ ଦଳକୁ ମିଶାଇ ଜନତା ପାର୍ଟି ଗଠନରେ ତାଙ୍କର ବଡ଼ ଭୂମିକା ରହିଥିଲା। ୧୯୭୭ର ଲୋକସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇ କେନ୍ଦ୍ରମନ୍ତ୍ରୀ ହେଲେ। ୧୯୮୦ରେ ସେ କେନ୍ଦ୍ରାପଡ଼ା ଲୋକସଭା ଓ ପାଟକୁରା ବିଧାନସଭା ଆସନରୁ ନିର୍ବାଚିତ ହେଲେ। ଏ ପରିପ୍ରେକ୍ଷୀରେ ସେ ଲୋକସଭା ଆସନଟି ହାତରେ ରଖି ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ତାଙ୍କ ମନୋନୀତ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଏହି ଆସନରୁ ବିଜୟୀ କରିଥିଲେ। ୧୯୮୪ରେ ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୧୯୮୫ରେ ବିଜୁ ବାବୁ ଭୁବନେଶ୍ୱର ବିଧାନସଭା ଆସନରୁ ଜନତା ଦଳ ପ୍ରାର୍ଥୀଭାବେ ବିଜୟୀ ହେବା ପରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ଇସ୍ତଫା ଦେଇଥିଲେ ଏବଂ ପରେ ଏଠାରେ ଅନୁଷ୍ଠିତ ଉପନିର୍ବାଚନରେ ତାଙ୍କ ମନୋନୀତ ପ୍ରାର୍ଥୀ ଶରତ କୁମାର ଦେବ ଜିଣିଥିଲେ। ଉଲ୍ଲେଖନୀୟ ଯେ ୧୯୮୦ର ଜନତା ପାର୍ଟି ବିରୋଧୀ ହାୱା ଏବଂ ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା ପରବର୍ତ୍ତୀ ଅନୁକମ୍ପା ସ୍ରୋତ ସତ୍ତ୍ବେ ବି ବିଜୁ ବାବୁ ନିର୍ବାଚନ ଜିଣୁଥିଲେ।

୧୯୯୦ରେ ସେ ଜନତା ଦଳ ପ୍ରାର୍ଥୀଭାବେ ପୁନର୍ବାର ଭୁବନେଶ୍ୱର ବିଧାନସଭା ଆସନରୁ ଜିଣିବା ସହ ତାଙ୍କ ନେତୃତ୍ୱରେ ଦଳ ରେକର୍ଡ ସଂଖ୍ୟକ ୧୨୩ ଆସନ ଅଧିକାର କରିଥିଲା। ୧୯୯୦ରୁ ୯୫ ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ। ୧୯୯୫ରେ ସେ ପୁଣି ଭୁବନେଶ୍ୱର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ପରେ ୧୯୯୬ରେ ସେ ଏକସଙ୍ଗେ ଆସିକା ଓ କଟକ ଲୋକସଭା ଆସନରୁ ଜିଣିଥିଲେ। ବିଜୁବାବୁ ଭୁବନେଶ୍ୱର ବିଧାନସଭା ଓ କଟକ ଲୋକସଭା ଆସନରୁ ଇସ୍ତଫା ଦେଇ ୧୯୯୭ ଏପ୍ରିଲ ୧୭ ତାରିଖରେ ଦିଲ୍ଲୀରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଆସିକା ଲୋକସଭା କ୍ଷେତ୍ରର ସାଂସଦ ଥିଲେ। ବିଜୁବାବୁଙ୍କ ଅବର୍ତ୍ତମାନରେ ରାଜ୍ୟବାସୀ ତଥା ଦଳୀୟ ନେତାମାନଙ୍କ ଅନୁରୋଧକ୍ରମେ ତାଙ୍କ ସାନପୁଅ ନବୀନ ପଟ୍ଟନାୟକ ରାଜନୀତି କ୍ଷେତ୍ରକୁ ପ୍ରବେଶ କରି ଆସିକାରୁ ଉପନିର୍ବାଚନ ଲଢ଼ି ସାଂସଦ ହେଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ରାଜ୍ୟ ଓ ଜାତୀୟ ରାଜନୀତି କ୍ଷେତ୍ରରେ ଅପରାଜେୟ ଓ ଚର୍ଚ୍ଚିତ ଚେହେରା ଭାବେ ରହି ଆସିଛନ୍ତି।

ବିଜୁବାବୁ ୧୦ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଥରେ ରାଜ୍ୟସଭା ଓ ୪ଥର ଲୋକସଭାର ସଦସ୍ୟ ରହିଛନ୍ତି। ୧୯୪୬ରୁ ୧୯୯୭ ପର୍ଯ୍ୟନ୍ତ ଦୀର୍ଘ ୫୧ ବର୍ଷର ନିର୍ବାଚନୀ ରାଜନୀତି କ୍ଷେତ୍ରରେ ସେ ଯେଉଁ କୀର୍ତ୍ତିସ୍ତମ୍ଭ ସ୍ଥାପନ କରି ଯାଇଛନ୍ତି ତାହା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ବସ୍ତୁତଃ ସେ ଥିଲେ କର୍ମୀ ଓ ନେତା ତିଆରି କାରଖାନା। ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ବ କାଳଖଣ୍ଡ ମଧ୍ୟରେ ବିଜୁବାକୁ ୨ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ୧୯୭୩, ୧୯୭୪, ୧୯୮୫, ୧୯୯୫ରେ ୪ଥର ବିଧାନସଭାରେ ବିରୋଧୀ ଦଳର ନେତା ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ମୋରାର୍‌‌ଜୀ ଦେଶାଇ ଓ ଚରଣ ସିଂହଙ୍କ ଭଳି ଦୁଇଜଣ ପ୍ରଧାନମନ୍ତ୍ରୀଙ୍କ ସରକାରରେ ସେ କେନ୍ଦ୍ର କ୍ୟାବିନେଟ୍‌‌ ମନ୍ତ୍ରୀଭାବେ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରିଛନ୍ତି। ବିଧାନସଭା ଓ ସଂସଦରେ, ସରକାରରେ କିମ୍ବା ବିରୋଧୀ ଦଳରେ ଥାଇ ସେ ଯେଉଁ ବକ୍ତବ୍ୟ ଦେଉଥିଲେ ତାହା ବେଶ୍‌‌ ଗୁୁରୁତ୍ୱ ବହନ କରୁଥିଲା। ମୁଖ୍ୟମନ୍ତ୍ରୀ ଥିବା ବେଳେ କେନ୍ଦ୍ରୀୟ ଅନୁଦାନକୁ ଅପେକ୍ଷା ନକରି ସେ ଯେଭଳି ପାରାଦୀପ ବନ୍ଦର ପ୍ରତିଷ୍ଠା ପାଇଁ କାମ ଆରମ୍ଭ କରିଦେଲେ ଏବଂ ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀ ବେଳେ ରାଜ୍ୟରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବଢ଼଼ାଇବା ସହିତ କେନ୍ଦ୍ରୀୟ ଅବହେଳାର ପ୍ରତିବାଦ ଜଣାଇ ଓଡ଼ିଶାକୁ ଆର୍ଥିକ ସ୍ୱାୟତ୍ତତା ପାଇଁ ଦାବି ଉଠାଇଥିଲେ ତାହା ଇତିହାସର କଥାବସ୍ତୁ। ସେହିପରି ସର୍ବନିମ୍ନ ମଜୁରୀ ୧୧ଟଙ୍କାରୁ ୨୫ଟଙ୍କାକୁ ବଢ଼଼ାଇବା ହେଉ ଅଥବା ‘ଗରିବର କୌଣସି ଜାତି ନାହିଁ’ ବୋଲି ବକ୍ତବ୍ୟ ରଖି ଯେଉଁ ଚହଳ ସୃଷ୍ଟି କରିଥିଲେ ତାହା ଭୁଲିବାର ନୁହେଁ। ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କ ଅବଦାନର ତାଲିକା ବେଶ୍‌‌ ଲମ୍ବା। ରାଜ୍ୟ ତଥା ଜାତୀୟ ରାଜନୀତିର ଏହି ଡେଙ୍ଗା ମଣିଷଟି ନିଜ ମୁଣ୍ଡକୁ ଠେଙ୍ଗା ଆଗରେ ପାତି ଦେଉଥିଲା ସିନା ଅନ୍ୟ କାହାର କ୍ଷତି ହେବାକୁ ଦେଉନଥିଲା।

ଚୀନ୍‌‌ ଦାର୍ଶନିକ ତାଇଚୁନ୍‌‌ଙ୍କ ଉକ୍ତି ଉଦ୍ଧାର କରି ବିଜୁବାବୁ ତାଙ୍କର ଗୋଟିଏ ଭାଷଣରେ କହିଥିଲେ, ‘ଯଦି ଆମେ କୌଣସି କାର୍ଯ୍ୟକୁ ତ୍ରୁଟିଶୂନ୍ୟ ଭାବେ କରିବାକୁ ବସିବା, ଆମକୁ ଅନନ୍ତ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।’ ସେ ପୁଣି କହିଥିଲେ, ‘ଆମ ହାତରେ ସମୟ ନାହିଁ। ବିଗତ ବର୍ଷମାନଙ୍କରେ ଅନେକ କିଛି ସୁଯୋଗ ଆମର ହାତଛଡ଼ା ହୋଇଛି। ତେଣୁ ଆମକୁ ସଙ୍କଳ୍ପ ନେବାକୁ ହେବ- ବିଜ୍ଞତା, ଦୂରଦୃଷ୍ଟି, କରୁଣା ଓ ଉତ୍ତମ ବୁଝାମଣାକୁ ପୁଞ୍ଜି କରି ଆମେ ଆମ ନିଜ ସମସ୍ୟା ସମାଧାନର ରାସ୍ତା ବାହାର କରିବା।’ ମୃତ୍ୟୁ ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ଏକ ସଭାରେ ତାଙ୍କ ଶେଷ ଭାଷଣରେ ବିଜୁବାବୁ କହିଥିଲେ, ‘ଆମେ ମହାନ ପରମ୍ପରାର ଦାୟାଦ। ମନୋଜ୍ଞ ଗିରିପୁଞ୍ଜ, ସୁନ୍ଦର ନଦୀଧାରା, ସୁଦୀର୍ଘ ବେଳାଭୂମି, ସମୃଦ୍ଧ ଅରଣ୍ୟ ସମ୍ପଦ ଓଡ଼ିଶାବାସୀଙ୍କ ପାଇଁ ଈଶ୍ୱରଙ୍କ ଉପହାର। ମୋ ରାଜ୍ୟବାସୀ, ମୋ ରାଜ୍ୟର ତରୁଣ ତରୁଣୀମାନେ ଆଗାମୀ ବର୍ଷମାନଙ୍କରେ ଏସବୁ ସମ୍ପଦର ବିନିଯୋଗ କରି ସୁନ୍ଦର ଓଡ଼ିଶା ଗଠନ କରନ୍ତୁ।’ ସ୍ରୋତର ଅନୁକୂଳ ଦିଗରେ କୁଟା, କାଠି, ମୁର୍ଦ୍ଦାର ଭଳି ଭାସି ନଯାଇ ପ୍ରତିକୂଳରେ ସନ୍ତରଣ କରି ତାଙ୍କ ଜୀବନକୁ ସାର୍ଥକ କରିବା ସହ ସମୃଦ୍ଧ ଓଡ଼ିଶା ପାଇଁ ସେ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହାକୁ ସାକାର କରିବା ଲାଗି ଆଜି ବି ଉତ୍କଳ ଜନନୀ ଖୋଜୁଛି ସମର୍ପିତ, ସଙ୍କଳ୍ପବଦ୍ଧ, ନୀତିନିଷ୍ଠ କ୍ରାନ୍ତିକାମୀ ମଣିଷଙ୍କୁ। ଏ କ୍ରାନ୍ତି ପାଇଁ ଧନ ଅପେକ୍ଷା ସଙ୍କଳ୍ପବଦ୍ଧ ମନର ଅଧିକ ଲୋଡ଼ା ପଡୁଛି।

Leave a Reply

Your email address will not be published. Required fields are marked *