ଟେଲିକମ କମ୍ପାନୀମାନଙ୍କୁ DOTର ନିର୍ଦ୍ଦେଶ, ସାଇବର କ୍ରାଇମରେ ଲିପ୍ତ ନମ୍ବର ହେବ ବନ୍ଦ
ଦୂରସଞ୍ଚାର କମ୍ପାନୀମାନେ ୧୮ ଲକ୍ଷ ମୋବାଇଲ ନମ୍ବର ବନ୍ଦ କରିବେ। ସାଇବର କ୍ରାଇମ ଓ ଅନଲାଇନ ଫ୍ରଡ ବିରୋଧରେ ଏ ପର୍ଯ୍ୟନ୍ତ ସରକାରଙ୍କ ସବୁଠୁ ବଡ ପଦକ୍ଷେପ ବୋଲି କୁହାଯାଉଛି। ଗତ ଦିନରେ ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନି କେସନ (ଡିଓଟି) ୨୮ ହଜାରରୁ ଅଧିକ ମୋବାଇଲ ହ୍ୟାଣ୍ଡସେଟ୍କୁ ଡିସକନେକ୍ଟ କରିବାକୁ ଆଦେଶ ଜାରି କରିଥିଲେ। ଏହି ସବୁ ମୋବାଇଲ ହ୍ୟାଣ୍ଡସେଟ୍ ସାଇବର କ୍ରାଇମରେ ବ୍ୟବହୃତ ହୋଇଥିଲା।
ଏବେ ସରକାର ଏହି ସବୁ ମୋବାଇଲ ହ୍ୟାଣ୍ଡସେଟ୍ରେ ବ୍ୟବହାର ହୋଇଥିବା ମୋବାଇଲ ନମ୍ବରକୁ ବ୍ଲକ୍ କରିବା ପାଇଁ ଟେଲିକମ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମୁତାବକ ସରକାର ସାଇବର କ୍ରାଇମ, ଅନଲାଇନ ଫ୍ରଡ ଉପରେ ଲଗାମ ଲଗାଇବା ପାଇଁ ସାରା ଦେଶରେ ପାଖାପାଖି ୧୮ ଲକ୍ଷ ମୋବାଇଲ ନମ୍ବରକୁ ବ୍ଲକ୍ କରିବା ପ୍ରସ୍ତୁତିରେ ଅଛନ୍ତି। ଅଲଗା ଅଲଗା ବିଭାଗର ତଦନ୍ତକାରୀ ଏଜେନ୍ସୀମାନେ ଏହି ମୋବାଇଲ ନମ୍ବରକୁ ଆର୍ଥିକ ଠକେଇରେ ଲିପ୍ତ ଥିବା ଜାଣିବାକୁ ପାଇଛନ୍ତି।
ମେ ୯ ତାରିଖ ଦିନ ଡିଓଟି ଟେଲିକମ୍ ଅପରେଟରଙ୍କୁ ୨୮,୨୨୦ ମୋବାଇଲ ହ୍ୟାଣ୍ଡସେଟ୍ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଛଡା ୨ ନିୟୁତ ଅର୍ଥାତ ୨୦ଲକ୍ଷ ମୋବାଇଲ ନମ୍ବରକୁ ରି-ଭେରିଫାଏ କରିବାକୁ କହିଥିଲେ। ଯେଉଁ ନମ୍ବରଗୁଡିକ ଏହି ସବୁ ହ୍ୟାଣ୍ଡସେଟ୍ରେ ବ୍ୟାବହାର ହୋଇଥିଲା। ଦୂରସଞ୍ଚାର ନିଗମ ଅଧିକାରୀଙ୍କ କହିବା କଥା ହେଲା ୨ ନିୟୁତ ନମ୍ବର ମଧ୍ୟରୁ ମାତ୍ର ୧୦ ପ୍ରତିଶତକୁ ଭେରିଫାଏ କରାଯାଇ ପାରିଛି। ଟେଲିକମ କମ୍ପାନୀମାନଙ୍କୁ ୧୫ ଦିନରେ ଏହି ସବୁ ନମ୍ବର ଭେରିଫାଏ କରିବାର ଥିଲା।
ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (ଏନସିଆରପି) ଅନୁସାରେ ୨୦୨୩ରେ ସାଇବର ଫ୍ରଡ ମାଧ୍ୟମରେ ୧୦,୩୧୯ କୋଟି ଟଙ୍କା କ୍ଷତି ହୋଇଛି। ଏହି ଅବଧିରେ ଏନସିଆରପିରେ ସାଇବର ଠକେଇର ମୋଟ ୬.୯୪ଲକ୍ଷ ଅଭିଯୋଗ ରୁଜୁ ହୋଇଥିଲା। ଡିଓଟି ଅଧିକାରୀଙ୍କ ଅନୁସାରେ ସାଇବର ଅପରାଧୀମାନେ ଫ୍ରଡ କରିବା ପାଇଁ ଅଲଗା ଅଲଗା ଟେଲିକମ ସର୍କଲର ସିମ୍ ୟୁଜ କରୁଥିଲେ ସେମାନେ ଯାଞ୍ଚ ଏଜେନ୍ସୀଙ୍କ ଠାରୁ ବର୍ତ୍ତିବା ପାଇଁ ମୋବାଇଲ ନମ୍ବର ଓ ହ୍ୟାଣ୍ଡସେଟ୍ ବାରମ୍ବାର ବଦଳାଉଥିଲେ। ଯାଞ୍ଚ ଏଜେନ୍ସୀମାନେ ସାଇବର ଫ୍ରଡ କାରଣରୁ ଗତବର୍ଷ ୨ ଲକ୍ଷ ସିମ୍ କାର୍ଡ ବ୍ଲକ୍ କରିଥିଲେ।