Spread the love

“କୁଆଡେ ଗଲେ ସେମାନେ: କେଉଁଠୁ ଓ କାହିଁକି ଆସିଲେ ଏମାନେ?”

୧୮୯୬ ମସିହାର ଆଜିର ଦିନରେ ( ୨୩.୧୧.୧୮୮୬) ଜାତୀୟ କବି ବୀର କିଶୋର ଦାସ ଓ ୧୯୦୧ ମସିହାର (୨୩.୧୧.୧୯୦୧) ପୂର୍ବତନ ମୂଖ୍ୟମନ୍ତ୍ରୀ ପୁଣ୍ୟାତ୍ମା ନବକୃଷ୍ଣ ଚୌଧୁରୀ ଜନ୍ମ ଗ୍ରହଣ କରିଥିଲେ।

ଉଭୟ ସେତେବେଳର କଟକ ତଥା ଅଧୁନା ଜଗତସିଂହପୁର ଜିଲ୍ଲାର ଯଥାକ୍ରମେ ପୁନଙ୍ଗ ଓ ଖେରସ ଗ୍ରାମର ସ୍ଥିତିସଂପନ୍ନ ପରିବାରରେ ଜନ୍ମ ହୋଇଥିଲେ। ଶ୍ରୀ ଦାସ କଟକସ୍ଥ ଭିକ୍ଟୋରିଆ ହାଇସ୍କୁଲରୁ ମାଟ୍ରିକ ପାସ କରି ସମବାୟ ବିଭାଗରେ ଚାକିରି କରିଥିଲେ। କିନ୍ତୁ, ମାତ୍ର ପାଞ୍ଚବର୍ଷର ଚାକିରି ପରେ, ମହାତ୍ମାଗାନ୍ଧୀଙ୍କ ଡାକରାରେ ଐଶ୍ବର୍ଯ୍ଯ ଛାଡି ସ୍ୱାଧୀନତା ସଂଗ୍ରାମୀ ଭଳି କଣ୍ଟକିତ ପଥ ବାଛି ନେଇ ଜେଲ ଭୋଗିଥିଲେ।

ଶ୍ରୀ ନବକୃଷ୍ଣ ଚୌଧୁରୀ ଜମିଦାରଙ୍କ ପରିବାରରେ ଜନ୍ମ ହୋଇ ତଥା ଶାନ୍ତିନିକେତନରୁ ଉଚ୍ଚ ଶିକ୍ଷା ପ୍ରାପ୍ତ ହୋଇ ମଧ୍ୟ ସୁଖ ଛାଡି ସେହି କଣ୍ଟକିତ ପଥକୁ ବାଛି ନେଇଥିଲେ।

ଆଜି ସେମାନଙ୍କର ସ୍ମୃତିଚାରଣ କଲାବେଳେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ “ମହାତ୍ମା ସାଧନ, ମହାତ୍ମା କଷଣ, ନ ଯାଏ ଜଗତେ କେବେ ଅକାରଣ” କଥାଟି ମନେ ପଡି, ସ୍ୱାଧୀନତା ପ୍ରାପ୍ତିରେ ସେ ବର୍ଗର ସମସ୍ତଙ୍କ ସାଧନା ଓ କଷଣ ଅକାରଣ ଯାଇ ନଥିବା ସ୍ଥଳେ, ସେମାନଙ୍କ ଇପସିତ ସ୍ୱାଧୀନୋତ୍ତର ସମାଜ ଗଠନ ଏ ପର୍ଯ୍ୟନ୍ତ ହୋଇ ପାରିନଥିବାରୁ ମନରେ ଦୁଃଖ ବି ଜାତହୁଏ।

ଏମାନେ ଏକ ସମତାଭିତ୍ତିକ ଓ ନ୍ୟାୟସଙ୍ଗତ ସମାଜ ଗଠନ ପାଇଁ
ସଂଗ୍ରାମ କରିଥିଲେ ।କିନ୍ତୁ ଏମାନଙ୍କର ଉତ୍ତରାଧିକାରୀଗଣ
” ଲୋକଙ୍କୁ ବିଭିନ୍ନ ଆଳରେ ଭାଗ ଭାଗ କରି ରଖି, କତିପୟଙ୍କ ଧନ ବଢେଇବାରେ ହାତବାରିସୀ ହୋଇ ତଥା ସେଇମାନଙ୍କ ଚାନ୍ଦାରେ ଭୋଟଦାନ ପ୍ରକ୍ରିୟାକୁ ଏମିତି କଳୁଷିତ କରିଦେଇଛନ୍ତି ” ଯେ, ଲୋକେ ଆଉ କୌଣସି ବାଟ ନପାଇ ସେହି କଳୁଷିତ ପ୍ରକ୍ରିୟାରେ ସାମିଲ ହୋଇଯାଇଛନ୍ତି ।

ସ୍ୱାଧୀନତା ପାଇଁ ଅଜସ୍ର କଷ୍ଟ କରିଥିବା ତ୍ୟାଗୀମାନଙ୍କର “ଏକ ସଶକ୍ତ ସମାଜର ସ୍ୱପ୍ନ” ଆଜି ଏକ
” ହାତପତା ସମାଜ”ର ଋପ ଧାରଣ କରିଛି , “ଫସଲ ଜଗିବାକୁ ଥିବା ବାଡ ଫସଲ ଖାଉଥିବାରୁ” ।

ସ୍ୱାଧୀନତା ସଂଗ୍ରାମରେ, ଜାତୀୟକବି ବୀରକିଶୋର ଦାସଙ୍କ ,
” ଧଳା ( ଗୋରା) ବଦଳରେ କଳା( ଆମ ଲୋକେ) ହେଲେ
ଜୋକ( ରକ୍ତ ଶୋଷୁଥିବା କୀଟ),
କଟିବ କି କୋଟି ଜନତାଙ୍କ ଦୁଃଖ,
ଚାଷୀ ମୁଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢିବା କି,
ତୁମେ କେତେଜଣ ଜୀବନକୁ ପାଣି ଛଡେଇ ନ ଦେଲେ
ଚଳିବ କି”
ଆହ୍ୱାନର ଅବସ୍ଥା ବାବଦରେ , ଏହି ଦୁଇଜଣଙ୍କଠାରୁ ବୟସରେ ସାନ କିନ୍ତୁ ଏମାନଙ୍କ ସହିତ ସ୍ୱାଧୀନତା ସଂଗ୍ରାମରେ
ଭାଗନେଇଥିବା ତଥା ଏମାନଙ୍କ ଘରପାଖର ବାଗଲପୁର ଗ୍ରାମରେ
ଜନ୍ଣିତ ଶ୍ରୀ ଚିତ୍ତରଞ୍ଜନ ଦାସ, ଆଜିକୁ ପଞ୍ଚତିରିଶି ବର୍ଷ ତଳେ,
ତା୨୩.୦୭.୧୯୮୯ରିଖରେ( ସ୍ୱାଧୀନତା ପ୍ରାପ୍ତିର ବୟାଳିଶ ବର୍ଷ ପରେ),ତାଙ୍କ ଦ୍ବାରା ଲିଖିତ ” ଚାଷୀ ମୁଲିଆର ଦେଶ ” ଶୀର୍ଷକ ଏକ ପ୍ରବନ୍ଧରେ ଯାହା ଲେଖିଥିଲେ, ତାହାର ସାରାଂଶ ନିମ୍ନରେ ;

” ଭାରତବର୍ଷ ଚାଷୀ ମୁଲିଆଙ୍କର ଦେଶ ବୋଲି ସ୍ୱାଧୀନତା ସଂଗ୍ରାମ ବେଳେ ନେତାମାନେ କହୁଥିଲେ। ×× ସ୍ୱାଧୀନତା ଲାଭ କରିବାର ବୟାଳିଶ ବର୍ଷ ଭିତରେ ବଡ ଚତୁରତାର ସହିତ ଏହାକୁ ବାବୁମାନଙ୍କର ଏକ ଦେଶ କରିଦିଆଗଲା। ବାବୁମାନଙ୍କର କୌଣସି ଚେର ନଥାଏ , ତେଣୁ ସଂସ୍କୃତି ବି ପ୍ରାୟ ନଥାଏ।ସେମାନେ ଉପଭୋଗ କରନ୍ତି, ସବୁ କ୍ଷେତ୍ରରେ ସିଂହଭାଗ ମାଡି ବସିବାଲାଗି ତତ୍ପର ହୋଇଥାନ୍ତି। ××××
ସେମାନଙ୍କ କବଳରେ ପଡି ଦେଶଟା ଛତରରେ ( ହାତପତା) ପରିଣତ ହୋଇଗଲା। ×× କୁମ୍ଭୀରମାନେ ପ୍ରଧାନତଃ ମୃଗୟା କରିବେ ବୋଲି ପୋଖରୀ ଭିତରେ ଆସି ବସା ବାନ୍ଧିଥା’ନ୍ତି।ବାବୁମାନଙ୍କର ରୀତିଟି ବି ଠିକ ସେହିପରି। ସେମାନେ ମୂଳତଃ ନିଜ ପାଇଁ ହିଁ ଦେଶକୁ ନିଜର ବୋଲି କହିଥା’ନ୍ତି”।

ସର୍ବଶ୍ରୀ ବୀରକିଶୋର ଦାସ, ନବକୂଷ୍ଣ ଚୌଧୁରୀ, ଚିତ୍ତରଞ୍ଜନ ଦାସ ଇତ୍ୟାଦି ସେମାନଙ୍କର ରାଜନୈତିକ ଆଦର୍ଶ ଗାନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତାଧାରା “ସମସ୍ତେ ଆତ୍ମନିର୍ଭରଶୀଳ ହୋଇ ସମ୍ମାନର ସହ ବଞ୍ଚିବେ”ର ସଫଳ ଋପାୟନ ପାଇଁ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । ଅଥଚ , ସ୍ୱାଧୀନତାର ଛଅସ୍ତରିବର୍ଷ ପରେ ଦେଶର ଶହେ ବୟାଳିଶ କୋଟି ଲୋକଙ୍କ ଭିତରୁ ଏକାଅଶୀ କୋଟିରୁ ଅଧିକଲୋକ ଦୁଇବେଳା ଅନ୍ନ ବା ଋଟି ପାଇଁ ସରକାରଙ୍କ ଦ୍ଵାରା ଦିଆଯାଉଥିବା ମାସିକ ପାଞ୍ଚକିଲୋ ମାଗଣାଦାନା ପାଇବାକୁ ହାତପାତୁଛନ୍ତି ଓ ସେହି ହାତପତାଙ୍କ ଧାଡିରେ ସାମିଲହେବାକୁ ପ୍ରବଳ ପ୍ରତିଯୋଗିତା ଚାଲିଛି ।ଯେତେବେଳେ “ସଶକ୍ତ ଓ ଆତ୍ମନିର୍ଭରଶୀଳହେବା ଅଭିଶାପ ତଥା ହାତପତାହେବା ଆଶୀର୍ବାଦ”,
ସେତେବେଳେ ଦେଶର ସ୍ୱାଧୀନତା ତଥା ସମସ୍ତେ ଆତ୍ମନିର୍ଭରଶୀଳ
ହେବାପାଇଁ ଅନେକ କଷ୍ଟସହିଥିବାମାନଙ୍କର ସ୍ମୃତିଚାରଣ କରିବାକୁ ଆମେ ଯୋଗ୍ୟ କି?

ଶ୍ରୀ ବୀରକିଶୋର ଦାସ, ଶ୍ରୀ ନବକୂଷ୍ଣ ଚୌଧୁରୀ
ତଥା ସେମାନଙ୍କ ଗୋଷ୍ଠୀର ସମସ୍ତଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶତକୋଟି ପ୍ରଣାମ ଅର୍ପଣ କରୁଛି।

(ଉପର ଫଟୋରେ-ଯଥାକ୍ରମେ ସଂଗ୍ରାମୀ ବୀରକିଶୋର ଦାସ ଓ
ନବକୃଷ୍ଣ ଚୌଧୁରୀ)- ତୁଷାରକାନ୍ତ

Leave a Reply

Your email address will not be published. Required fields are marked *

You Missed