Spread the love

କାଲିପାଇଁ କେତେ ହୁଏ ହୀନିମାନ
ମାନ ଇଜ୍ଜତକୁ ବିକେ,
ବିକଳ ମନରେ ନୀରବ ରହିସେ
ସବୁ ତାମସାକୁ ଦେଖେ ।

କାହାର କ୍ଷତି କର ନାହିଁ, ମନରୁ ରାଗ, ହିଂସା ଓ ଅହଙ୍କାରକୁ ଦୂରେଇ ଦିଅ, ଏହା କରି କିଛି ପାଇବ ନାହିଁ ।
ମନେ ରଖ…
ତୁମର ଶେଷ ଠିକଣାଟି ମାଟି ଭିତରେ ମଣିଷକୁ ଭଲପାଇବା ଶିଖ, ଉପକାର କର ଏବଂ ସତ୍ ମାର୍ଗରେ ଚାଲ ।

ଅନ୍ୟର ଭୁଲ୍ ଦେଖି ତାତ୍ସଲ୍ୟ କରୁଥିବା ବ୍ୟକ୍ତି ଜଣକ ମନେ ରଖିବା ଉଚିତ୍ ଯେ ଆସନ୍ତା କାଲି ସମୟ ତା ନିଜ ପାଇଁ ମଧ୍ୟ ଖରାପ୍ ହୋଇପାରେ । ଗର୍ବ ଅହଙ୍କାରକୁ ଈଶ୍ୱର ସହି ନଥାନ୍ତି ।

              

ଯେଉଁ ଅବିଦ୍ୟା ହେତୁ ପରମାର୍ଥସ୍ବରୂପ ଆତ୍ମା ଏହି ଜନ୍ମମରଣରୂପ ଅନର୍ଥ ପରମ୍ପରାରେ ପଡିଛି ,ଗୁରୁସ୍ବରୂପ ଶ୍ରୀହରିଙ୍କ ଠାରେ ସୁଦୃଢ଼ ଭକ୍ତି ହୋଇଗଲେ ହିଁ, ତାହାର ନିବୃତ୍ତି ହେବ ଅର୍ଥାତ୍ ସେଥିରୁ ଉଦ୍ଧାର ମିଳିବ । ଭଗବାନ୍ ବାସୁଦେବଙ୍କ ଠାରେ ଏକାଗ୍ରତାପୂର୍ବକ ସୁଦୃଢ଼ ଭକ୍ତିଭାବ ରଖିଲେ, ଜ୍ଞାନ ଓ ବୈରାଗ୍ୟ ଉଦୟ ହେବ । ଏହି ଭକ୍ତିଭାବ ଜାଗ୍ରତ ହେବା ଭଗବାନଙ୍କର ଲୀଳା-ଚରିତ ଶ୍ରବଣାଦି କରିବା ଉପରେ ନିର୍ଭର କରେ । ତେଣୁ ଯେ ଶ୍ରଦ୍ଧାପୂର୍ବକ ସେହିସବୁ ଲୀଳାକଥା ପ୍ରତିଦିନ ଶୁଣନ୍ତି ବା ପଢ଼ନ୍ତି , ତାଙ୍କୁ ଅତି ଶୀଘ୍ର ସେହି ଭକ୍ତିଭାବ ପ୍ରାପ୍ତ ହୋଇଯାଏ । ଯେଉଁଠାରେ ଭଗବାନଙ୍କର ଗୁଣ କହିବାରେ ଓ ଶୁଣିବାରେ ତତ୍ପର ବିଶୁଦ୍ଧଚିତ୍ତ ଭକ୍ତଜନମାନେ ରହନ୍ତି , ସେହି ସାଧୁସମାଜରେ ମହାପୁରୁଷମାନଙ୍କ ମୁଖରୁ ଶ୍ରୀମଧୁସୂଦନ ଭଗବାନଙ୍କର ଚରିତରୂପୀ ବିଶୁଦ୍ଧ ଅମୃତର ଅନେକ ନଦୀ ପ୍ରବାହିତ ହୋଇଥାଏ । ଯେଉଁମାନେ ଯେତେ ଶୁଣିଲେ ବି ଅତୃପ୍ତ ଚିତ୍ତରେ ନିଜର କର୍ଣ୍ଣକୁହରଦ୍ଵାରା ସେହି ଅମୃତକୁ ଏକାଗ୍ରତାପୂର୍ବକ ବାରମ୍ବାର ପାନ କରନ୍ତି,ସେମାନଙ୍କୁ କ୍ଷୁଧାତୃଷା,ଭୟ , ଶୋକ,ମୋହ ଆଦି ବାଧା ଦେଇପାରନ୍ତି ନାହିଁ।

ବ୍ରାହ୍ମଣକ୍ଷତ୍ରିୟବିଶାଂ ନଳଶୂଦ୍ରାଣାଂ ଚ ପରନ୍ତପ॥
କର୍ମାଣି ପ୍ରବିଭକ୍ତାନି ସ୍ୱଭାବପ୍ରଭବୈର୍ଗୁଣୈଃ॥

ଶବ୍ଦାର୍ଥ:- ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଏବଂ ଶୁଦ୍ରମାନଙ୍କର କର୍ମର ବିଭାଜନ ସେମାନଙ୍କର ସ୍ୱଭାବ ଜାତ ଗୁଣର ଅନୁସାରେ ହୋଇଥାଏ (ଜନ୍ମ ଅନୁସାରେ ନୁହେଁ)॥

ବ୍ୟାଖ୍ୟା :- କେହି ଜଣେ ଯଥାର୍ଥରେ କହିଥିଲେ ଯେ ଏକ ଉପଯୁକ୍ତ ବୃତ୍ତି ଖୋଜି ପାଇବା, ଜଣେ ଉପଯୁକ୍ତ ଜୀବନ ସାଥୀ ଖୋଜି ପାଇବା ପରି ଅଟେ । କିନ୍ତୁ ନିଜ ପାଇଁ ଏକ ଉପଯୁକ୍ତ କର୍ମ ଆମେ ଖୋଜିବା କିପରି ? ଶ୍ରୀକୃଷ୍ଣ ଏଠାରେ ସ୍ପଷ୍ଟ କରିଛନ୍ତି ଯେ ମନୁଷ୍ୟ ବ୍ୟକ୍ତିତ୍ୱରେ ଗୁଣର ପ୍ରାଧାନ୍ୟ ଅନୁଯାୟୀ, ସେମାନଙ୍କର ସ୍ୱଭାବ ଭିନ୍ନ ଭିନ୍ନ ହୋଇଥାଏ, ତଦନୁଯାୟୀ ସେମାନଙ୍କ ପାଇଁ ନିର୍ଦ୍ଧାରିତ ବୃତ୍ତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ସ୍ୱଭାବ-ପ୍ରଭାବୈର୍ ଗୁଣୈଃ (ମନୁଷ୍ୟର ଗୁଣ ଓ ସ୍ୱଭାବ ଉପରେ ଆଧାରିତ କାର୍ଯ୍ୟ) ଅନୁଯାୟୀ, ବର୍ଣ୍ଣାଶ୍ରମ ଧର୍ମ ପ୍ରଣାଳୀ, ସମାଜ ଗଠନର ଏକ ବୈଜ୍ଞାନିକ ପଦ୍ଧତିି ଥିଲା । ଏହି ବିଭକ୍ତିକରଣ ପ୍ରଣାଳୀରେ ଚାରୋଟି ଆଶ୍ରମ (ଜୀବନ ସୋପାନ) ଏବଂ ଚାରୋଟି ବର୍ଣ୍ଣ (ବୃତ୍ତିଗତ ଶ୍ରେଣୀ) ଥିଲା । ଜୀବନର ସୋପାନ ଗୁଡ଼ିକ ହେଲା: ୧. ବ୍ରହ୍ମଚର୍ଯ୍ୟ ଆଶ୍ରମ (ଛାତ୍ର ଜୀବନ), ଯାହାର ଅବଧି ଜନ୍ମଠାରୁ ୨୫ ବର୍ଷ ବୟସ ୨. ଗୃହସ୍ଥ ଆଶ୍ରମ (ପାରିବାରିକ ଜୀବନ) ଏହା ୨୫ ଠାରୁ ୫୦ ବର୍ଷ ପର୍ଯ୍ୟନ୍ତ ସାଧାରଣ ବୈବାହିକ ଜୀବନ । ୩. ବାନପ୍ରସ୍ଥ ଆଶ୍ରମ (ଅର୍ଦ୍ଧ ସନ୍ୟାସ ଜୀବନ), ଏହାର ଅବଧି ୫୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ । ଏହି ସୋପାନରେ ବ୍ୟକ୍ତି ପରିବାରରେ ରହି ତ୍ୟାଗର ଆଚରଣ କରିଥାଏ । ୪. ସନ୍ୟାସ ଆଶ୍ରମ (ପୂର୍ଣ୍ଣତ୍ୟାଗ) ଏହା ୭୫ ବର୍ଷ ବୟସରୁ ଆଗକୁ ହୋଇଥାଏ । ଏହି ଆଶ୍ରମରେ ବ୍ୟକ୍ତି ସମସ୍ତ ପାରିବାରିକ କର୍ମ ତ୍ୟାଗ କରି ଏକ ପବିତ୍ର ଧାମରେ ବାସ କରିବା ସହିତ ଭଗବାନଙ୍କ ଠାରେ ମନୋନିବେଶ କରିଥାଏ।

ଚାରି ବର୍ଣ୍ଣ (ବୃତ୍ତିଗତ ଶ୍ରେଣୀ) ଗୁଡ଼ିକ ହେଲା, ବ୍ରାହ୍ମଣ (ପୂଜକ ଶ୍ରେଣୀ), କ୍ଷତ୍ରିୟ (ଯୋଦ୍ଧା ଏବଂ ଶାସକ ଶ୍ରେଣୀ) ବୈଶ୍ୟ (ବ୍ୟବସାୟୀ ଏବଂ କୃଷକ ଶ୍ରେଣୀ) ଏବଂ ଶୂଦ୍ର (ଶ୍ରମିକ ଶ୍ରେଣୀ) । ବର୍ଣ୍ଣାଶ୍ରମ ଧର୍ମରେ କୌଣସି ବର୍ଣ୍ଣକୁ ଉଚ୍ଚ ବା ନୀଚ ବିଚାର କରାଯାଉ ନ ଥିଲା । ସମାଜର କେନ୍ଦ୍ର ଭଗବାନ ଥିଲେ, ପ୍ରତ୍ୟେକ ବ୍ୟକ୍ତି ଗୁଣ ଅନୁସାରେ କର୍ମ କରି ନିଜର ତଥା ସମାଜର ପୋଷଣ କରିବା ସହିତ ଭଗବତ୍ ପ୍ରାପ୍ତି ଦିଗରେ ଅଗ୍ରସର ହୋଇ ନିଜ ଜୀବନକୁ ସଫଳ କରୁଥିଲେ । ଅତଏବ, ବର୍ଣ୍ଣାଶ୍ରମ ପ୍ରଣାଳୀର ବିବିଧତାରେ ଏକତା ଥିଲା ।

ବିବିଧତା ସ୍ୱାଭାବିକ ଅଟେ, ଯାହାକୁ ଦୂର କରାଯାଇ ପାରିବ ନାହିଁ । ଆମ ଶରୀରରେ ବିଭିନ୍ନ ପ୍ରକାରର ଅଙ୍ଗ ରହିଛି ଏବଂ ସେମାନେ ସମସ୍ତେ ଭିନ୍ନ ଭିନ୍ନ କାର୍ଯ୍ୟ ତୁଲାଇଥାନ୍ତି । ସମସ୍ତ ଅଙ୍ଗ ଠାରୁ ଏକ ପ୍ରକାର କାର୍ଯ୍ୟର ଆଶା କରିବା ବୃଥା ଅଟେ । ସେମାନଙ୍କୁ ପରସ୍ପର ଠାରୁ ଭିନ୍ନ ଭାବରେ ଦେଖିବା ଅଜ୍ଞାନତାର ସୂଚକ ନୁହେଁ, ବରଂ ତାଙ୍କ ଉପଯୋଗିତାର ଯଥାର୍ଥ ଜ୍ଞାନ ଅଟେ । ସେହିପରି ମନୁଷ୍ୟମାନଙ୍କ ମଧ୍ୟରେ ରହିଥିବା ବିବିଧତାକୁ ଉପେକ୍ଷା କରାଯାଇ ପାରିବ ନାହିଁ । ଏପରିକି କମ୍ୟୁନିଷ୍ଟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ, ଯେଉଁଠାରେ ସାମ୍ୟବାଦ ପ୍ରମୁଖ ନିୟମ ଅଟେ, ସେଠାରେ ମଧ୍ୟ ଦଳୀୟ ନେତୃବୃନ୍ଦ ନୀତି ପ୍ରଣୟନ କରିଥାନ୍ତି, ଅସ୍ତ୍ର-ଶସ୍ତ୍ରରେ ସଜ୍ଜିତ ସୈନିକ ରାଷ୍ଟ୍ରକୁ ସୁରକ୍ଷା ପ୍ରଦାନ କରନ୍ତି, କୃଷକ ଜମି ଚାଷ କରନ୍ତି ଏବଂ ଶିଳ୍ପ ଶ୍ରମିକମାନେ ଯାନ୍ତ୍ରିକ ବୃତ୍ତିରେ ନିଯୁକ୍ତ ଥାଆନ୍ତି । ସମାନତା ପ୍ରଦାନ କରିବାର ସମସ୍ତ ଉଦ୍ୟମ ସତ୍ତ୍ୱେ ସେଠାରେ ମଧ୍ୟ ଚାରିପ୍ରକାର ବୃତ୍ତି ରହିଅଛି । ବର୍ଣ୍ଣାଶ୍ରମ ପ୍ରଣାଳୀ, ମନୁଷ୍ୟମାନଙ୍କର ସ୍ୱଭାବରେ ଥିବା ବିବିଧତାକୁ ବିଚାର କରି, ସେମାନଙ୍କ ପାଇଁ କର୍ତ୍ତବ୍ୟ ଓ ବୃତ୍ତିର ନିର୍ଦ୍ଧାରଣ କରିଥାଏ।

କିନ୍ତୁ ସମୟକ୍ରମେ ବର୍ଣ୍ଣାଶ୍ରମ ପ୍ରଣାଳୀର ଅବକ୍ଷୟ ଘଟିଥିଲା ଏବଂ ବର୍ଣ୍ଣର ନିର୍ଣ୍ଣୟ ସ୍ୱଭାବ ଅନୁଯାୟୀ ହେବା ପରିବର୍ତ୍ତେ ଜନ୍ମ ଅନୁଯାୟୀ କରାଗଲା । ବ୍ରାହ୍ମଣମାନଙ୍କର ସନ୍ତାନମାନେ, ତାଙ୍କର ସ୍ୱଭାବ ବ୍ରାହ୍ମଣୋଚିତ ହେଉ ବା ନ ହେଉ, ନିଜକୁ ବ୍ରାହ୍ମଣ ଭାବରେ ପରିଚିତ କଲେ । ମନୁଷ୍ୟ ମଧ୍ୟରେ ଉଚ୍ଚ ଓ ନୀଚ ଜାତିର ପରିକଳ୍ପନା କରାଗଲା ଏବଂ ଉଚ୍ଚଜାତିର ବ୍ୟକ୍ତି ନୀଚ ଜାତିର ବ୍ୟକ୍ତିଙ୍କୁ ହେୟ ଦୃଷ୍ଟିରେ ଦେଖିବାକୁ ଲାଗିଲେ । ଏହି ପ୍ରଣାଳୀ କଠୋର ଏବଂ ଜନ୍ମ-ଗତ ହୋଇଯିବା ଦ୍ୱାରା, ଏହା ନିଷ୍କ୍ରିୟ ହୋଇଗଲା । ସମୟକ୍ରମେ, ଏହା ଏକ ସାମାଜିକ ଦୋଷର ରୂପ ନେଲା, ଯାହା ମୂଳ ବର୍ଣ୍ଣାଶ୍ରମ ପ୍ରଣାଳୀର ଲକ୍ଷ୍ୟ ନ ଥିଲା । ପରବର୍ତ୍ତୀ କେତୋଟି ଶ୍ଳୋକରେ, ଏହି ପ୍ରଣାଳୀର ମୂଳ ବିଭକ୍ତିକରଣ ଅନୁଯାୟୀ, ଶ୍ରୀକୃଷ୍ଣ ମନୁଷ୍ୟମାନଙ୍କର ଗୁଣ ଅନୁସାରେ କର୍ମର ସ୍ୱାଭାବିକ ନକ୍‌ସା ପ୍ରସ୍ତୁତ କରିଛନ୍ତି।

ପୂର୍ବାଭ୍ୟାସେନ ତେନୈବ ହ୍ରିୟତେ ହ୍ୟବଶୋଽପି ସଃ।
ଜିଜ୍ଞାସୁରପି ଯୋଗସ୍ୟ ଶବ୍ଦବ୍ରହ୍ମାତିବର୍ତତେ।

ବାସ୍ତବରେ ତାଙ୍କ ଅତୀତ ଅଭ୍ୟାସର ଶକ୍ତି ବଳରେ, ସେମାନେ ଅନୁଭବ କରନ୍ତି, ଯେପରି କି ତାଙ୍କର ଅନିଚ୍ଛା ସତ୍ତ୍ୱେ ସେମାନେ ଭଗବାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି । ଏପରି ସାଧକମାନେ ଶାସ୍ତ୍ରୀୟ ବିଧି-ବିଧାନର ଉର୍ଦ୍ଧ୍ୱରେ ରହିବା ସ୍ୱାଭାବିକ।

ବାଖ୍ୟା

ଥରେ ଆଧ୍ୟାତ୍ମିକ ଚେତନା ଅଙ୍କୁରିତ ହେଲେ, ତାହାର ମୂଳୋତ୍ପାଟନ କରି ହେବ ନାହିଁ । ଯେଉଁ ଜୀବର, ବର୍ତ୍ତମାନ ଜନ୍ମର ହେଉ ବା ପୂର୍ବ ଜନ୍ମର ହେଉ, ଭକ୍ତିପରକ ସଂସ୍କାର ଥାଏ, ସେ ସ୍ୱାଭାବିକ ଭାବେ ଆଧ୍ୟାତ୍ମିକତା ପ୍ରତି ଅନୁପ୍ରେରିତ ହୋଇଥାଏ । ଏପରି ବ୍ୟକ୍ତି ଭଗବାନଙ୍କ ଆଡ଼କୁ ଟାଣି ହୋଇଯିବା ପରି ଅନୁଭବ କରନ୍ତି, ଯାହାକୁ “ଭଗବାନଙ୍କର ଡାକରା” ବୋଲି ମଧ୍ୟ କୁହାଯାଏ । ପୂର୍ବ ସଂସ୍କାରର ଆଧାରରେ ବେଳେବେଳେ ଭଗବାନଙ୍କର ଡାକରା ଏତେ ବଳଶାଳୀ ହୋଇଥାଏ ଯେ, କୁହାଯାଏ “ଭଗବାନଙ୍କର ଆହ୍ୱାନ ଜୀବନର ସବୁଠାରୁ ଶକ୍ତିଶାଳୀ ଆହ୍ୱାନ ଅଟେ ।” ଯେଉଁ ବ୍ୟକ୍ତି ଏହାକୁ ଅନୁଭବ କରନ୍ତି, ସେମାନେ ସମଗ୍ର ସଂସାର ତଥା ବନ୍ଧୁ ଓ କୁଟୁମ୍ବ ମାନଙ୍କର ଉପଦେଶ ତ୍ୟାଗ କରି, ତାଙ୍କ ଚିତ୍ତକୁ ଆକର୍ଷିତ କରୁଥିବା ପଥରେ ଯାତ୍ରା କରିଥାନ୍ତି । ଇତିହାସରେ ଏପରି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଠି ବଡ ବଡ ରାଜକୁମାର, ସମ୍ଭ୍ରାନ୍ତ ବ୍ୟକ୍ତି, ଧନୀ ବ୍ୟବସାୟୀ ଇତ୍ୟାଦି, ସେମାନଙ୍କ ସ୍ଥିତିର ଉଚ୍ଚତର ସାଂସାରିକ ସୁଖ ତ୍ୟାଗ କରି, ତପସ୍ୱୀ, ଯୋଗୀ, ଋଷି, ସାଧୁ, ସ୍ୱାମୀ ହୋଇଯାଆନ୍ତି । ଯେହେତୁ ସେମାନଙ୍କର ଭୋକ କେବଳ ଭଗବାନଙ୍କ ପ୍ରତି ଥାଏ, ସେମାନେ ଭୌତିକ ଲାଭ ଉଦ୍ଦେଶ୍ୟରେ କରାଯାଉ ଥିବା ବେଦ ବର୍ଣ୍ଣିତ ବିଧିବିଧାନ ଠାରୁ ଦୂରରେ ରହନ୍ତି।

Leave a Reply

Your email address will not be published. Required fields are marked *

You Missed