Spread the love

ଈଶ୍ଵରଙ୍କ ଅନୁଭୂତି କିପରି ହେବ ?

ଯେଉଁ ବସ୍ତୁ ଯେତିକି ସୂକ୍ଷ୍ମ ହେବ, ତାହା ସେତିକି ବ୍ୟାପକ ହେବ। ପଞ୍ଚଭୂତ ମଧ୍ୟରେ ପୃଥ‌ିବୀ ଅପେକ୍ଷା ଜଳ, ଜଳ ଅପେକ୍ଷା ବାୟୁ, ବାୟୁ ଅପେକ୍ଷା ଅଗ୍ନି, ଅଗ୍ନି ଅପେକ୍ଷା ଆକାଶ ସୂକ୍ଷ୍ମ । ତେଣୁ ଗୋଟିଏ ଅନ୍ୟ ତୁଳନାରେ ଅଧିକ ବ୍ୟାପକ । ଆକାଶ ଇତର ତତ୍ତ୍ଵ ସର୍ବତ୍ର ବ୍ୟାପ୍ତ । କିନ୍ତୁ, ଈଶ୍ବରଙ୍କ ସୂକ୍ଷ୍ମତା ସର୍ବୋପରି, ତେଣୁ ତାହାର ବ୍ୟାପକତା ମଧ୍ୟ ଅଧିକ । ଈଶ୍ବରଙ୍କ ଉପସ୍ଥିତି ନ ଥ‌ିବା ସ୍ଥାନ ବିଶ୍ବରେ ଆଦୌ ନାହିଁ l ପ୍ରତ୍ୟେକ ଅଣୁ ପରମାଣୁରେ ତାଙ୍କର ମହତ୍ତ୍ବ ପରିବ୍ୟାପ୍ତ । ସ୍ଥାନ ବିଶେଷରେ ଈଶ୍ବରତତ୍ତ୍ଵ ଅଳ୍ପ, ଅଧିକ ହୋଇପାରେ । ଯଥା ଚୁଲୀ ପାଖରେ ଉତ୍ତାପ ଅଧିକ । ତେଣୁ ସେ ସ୍ଥାନରେ ଅଗ୍ନିତତ୍ତ୍ଵର ବିଶେଷତ୍ଵ ରହିଛି ବୋଲି କୁହାଯାଇପାରେ । ସେହିପରି ଜଳାଶୟ ସମୀପସ୍ଥ ଶୀତଳ ସ୍ଥାନରେ ଅଗ୍ନିତତ୍ତ୍ଵ ନ୍ୟୁନ ଅବସ୍ଥାରେ ରହିଥାଏ ବୋଲି କୁହାଯାଇପାରେ । ଯେଉଁଠି ସତ୍ୟର, ବିବେକର ଆଚରଣ ଅଧିକ, ସେଠାରେ ଈଶ୍ବରଙ୍କ ବିଶେଷ କଳା ବିଦ୍ୟମାନ। ଯେଉଁଠାରେ ଆଳସ୍ୟ, ଅବହେଳା, ପଶୁତା, ଅଜ୍ଞାନତା ଥାଏ, ସେଠାରେ ଏହା ନ୍ୟୁନ ବୋଲି କୁହାଯିବ । ସମ୍ପୂର୍ଣ୍ଣ ଶରୀରରେ ଜୀବ ବ୍ୟାପ୍ତ । ଜୀବ କାରଣରୁ ଶରୀରର ସ୍ଥିତି ଅଛି ଓ ତାହା ବୃଦ୍ଧି ପାଉଛି । ତଥାପି ସ୍ଥାନ ବିଶେଷରେ ଜୀବ ନ୍ୟୁନାଧ୍ୟକ ଥିବାର ଜଣାଯାଏ।

ହୃଦୟ, ମସ୍ତିଷ୍କ, ପେଟ ଓ ମର୍ମସ୍ଥାନରେ ତୀବ୍ର ଆଘାତ ଲାଗିବା ଫଳରେ ମୃତ୍ୟୁ ହୋଇପାରେ। କିନ୍ତୁ, ହାତ, ଗୋଡ଼, କାନ, ନାକ, ନିତମ୍ବ ଇତ୍ୟାଦି ସ୍ଥାନରେ ତାହା ଅପେକ୍ଷା ଅଧିକ ଆଘାତ ସହିହୁଏ। ଜୀବ-ସତ୍ତା ଯୋଗୁ କେଶ ଓ ନଖ ବଢ଼େ। ତାହାକୁ କାଟି ଦେଲେ ଜୀବର କୌଣସି କ୍ଷତି ହୋଇ ନ ଥାଏ। ସଂସାରରେ ସର୍ବତ୍ର ଈଶ୍ବର ବ୍ୟାପ୍ତ । ଈଶ୍ବରଙ୍କ ଶକ୍ତିଦ୍ଵାରା ସବୁ କାମ ହୋଇଥାଏ। କିନ୍ତୁ, ସତ୍ୟ ଓ ଧର୍ମ କାମରେ ଈଶ୍ବର ତତ୍ତ୍ଵର ଆଧିକ୍ୟ ଥାଏ। ସେହିପରି ପାପ ପ୍ରବୃତ୍ତିରେ ଈଶ୍ଵର ତତ୍ତ୍ଵ ନ୍ୟୁନ ରହିଛି ବୋଲି ବୁଝିବାକୁ ହୁଏ l ଧର୍ମାତ୍ମା, ମନସ୍ଵୀ, ଉପକାରୀ, ବିବେକବାନ ଓ ତେଜସ୍ଵୀ ମହାପୁରୁଷଙ୍କୁ ‘ଅବତାର ‘ କୁହାଯାଏ । କାରଣ ସେମାନଙ୍କ ସତ୍ୟନିଷ୍ଠାର ଆକର୍ଷଣଦ୍ଵାରା ଈଶ୍ଵରୀୟ ତତ୍ତ୍ଵର ମାତ୍ରା ସେମାନଙ୍କଠାରେ ଅଧିକ ଥାଏ । ଅନ୍ୟାନ୍ୟ ପଶୁଙ୍କ ତୁଳନାରେ ଗାଈଠାରେ ତଥା ଅନ୍ୟ ଜାତି ଅପେକ୍ଷା ବ୍ରାହ୍ମଣଙ୍କଠାରେ ଈଶ୍ବର ଅଂଶ ଅଧିକ ଥିବା କଥା ସ୍ଵୀକାର କରାଯାଏ l କାରଣ ସେମାନଙ୍କ ସତ୍ୟନିଷ୍ଠା, ଉପକାରୀ ସ୍ଵଭାବ ବଳପୂର୍ବକ ଈଶ୍ଵର ଭକ୍ତିକୁ ଅଧିକ ପରିମାଣରେ ଆକର୍ଷଣ କରି ନିଜ ଭିତରେ ଧାରଣ କରେ।
ଉପରୋକ୍ତ ପଂକ୍ତିରେ କୁହାଯାଇଛି ଯେ ସମ୍ପୂର୍ଣ୍ଣ ଜଡ଼ ଚେତନ ସୃଷ୍ଟିର ନିର୍ମାଣ, ନିୟନ୍ତ୍ରଣ, ସଂଚାଳନ ବ୍ୟବସ୍ଥା କରୁଥିବା ଆଦି ବୀଜଶକ୍ତିକୁ ଈଶ୍ୱର କୁହାଯାଏ l ସେ ସମ୍ପୂର୍ଣ୍ଣ ବିଶ୍ୱର ପ୍ରତ୍ୟେକ ତିଳ ପରିମାଣ ସ୍ଥାନରେ ମଧ୍ୟ ବ୍ୟାପ୍ତ l ସତ୍ୟର, ବିବେକର, କର୍ତ୍ତବ୍ୟର ଆଧିକ୍ୟ ଯେଉଁଠି ଥାଏ, ସେଠାରେ ଈଶ୍ୱରୀୟ ଅଂଶ ଅଧିକ l ଯେଉଁ ସ୍ଥାନରେ ଯେତେ ଅଧିକ ଅଂଶର ଅଧର୍ମ ର ସମାବେଶ ଥାଏ, ସେଠାରେ ସେହି ଅନୁପାତରେ ଈଶ୍ୱରୀୟ ଦିବ୍ୟସତ୍ତାର ନ୍ୟୂନତା ରହିଥଏ l

ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ

Related Post

Leave a Reply

Your email address will not be published. Required fields are marked *

You Missed