Spread the love

ମନସା ପଞ୍ଚମୀ କଥା, ମନସା ମଙ୍ଗଳ
=================
ପୁରାଣମାନଙ୍କରେ ମାଆ ମନସା ସର୍ପ ବିଷହାରୀ ଦେବୀ ଭାବେ ବର୍ଣ୍ଣିତ l ମନସାମାତାଙ୍କର ଭାରତ ବର୍ଷରେ ବହୁ ମନ୍ଦିର ରହିଛି l ତନ୍ମଧ୍ୟରୁ ହରିଦ୍ୱାର, ଚଣ୍ଡିଗଡ଼,ମଥୁରା, ରାଜନନ୍ଦଗାଓଁ ଠାରେ ଅବସ୍ଥିତ ମନସାମାତା ମନ୍ଦିର ବିଶ୍ୱ ପ୍ରସିଦ୍ଧ l ମନସା ଦେବୀ ଶକ୍ତିସ୍ୱରୂପା l ସେ ମହାଦେବଙ୍କ ମାନସ କନ୍ୟା ଓ ନାଗରାଜ ବାସୁକୀଙ୍କ ଭଉଣୀ l ମାନସିକ ପୂରଣ କରୁଥିବାରୁ ଦେବୀ ହେଉଛନ୍ତି ମନସା l
ମନସା ଦେବୀଙ୍କ ମହିମା ବିଷୟରେ ବୃହତ୍ ଶିବ ପୁରାଣ ଅନ୍ତର୍ଗତ ଏକ ସୁନ୍ଦର ଉପାଖ୍ୟାନ ରହିଛି ଯାହା ମନସା ମଙ୍ଗଳ ନାମରେ ପ୍ରସିଦ୍ଧ l ଏଥିରେ ରହିଛି ମର୍ତ୍ତ୍ୟରେ ସର୍ପପୁଜାର ଉନ୍ମେଷ ଗାଥା l
କାହାଣୀ ଅନୁସାରେ, ବାଣାସୁରର କନ୍ୟା କୃଷ୍ଣଙ୍କ ନାତି ଅନିରୁଦ୍ଧଙ୍କୁ ପ୍ରେମବିବାହ କରିଥିଲେ l କାଳ କ୍ରମେ,ସେମାନେ ଦେବତା ମାନଙ୍କ ଅଭିଶାପରେ ପର ଜନ୍ମରେ ବେହୁଲା ଓ ଲକ୍ଷୀନ୍ଦର ଭାବେ ଜନ୍ମ ନେଲେ l ଏହି ଜନ୍ମରେ ମଧ୍ୟ ତାଙ୍କର ପୁଣି ବିବାହ ହେଲା l ବେହୁଲା ଉଜ୍ଜୟିନୀରାଜ ସାୟାବେନଙ୍କ ଏକମାତ୍ର କନ୍ୟା ଥିଲେ ଓ ଲକ୍ଷୀନ୍ଦର ଥିଲେ ଚମ୍ପା ନଗରର ଚାନ୍ଦ ସୌଦାଗରଙ୍କ ସପ୍ତମ ପୁତ୍ର l
ବେହୁଲା ଥିଲେ ମନସା ମାତାଙ୍କ ଭକ୍ତ ଏବଂ ଚାନ୍ଦ ସୌଦାଗର ଥିଲେ ମହାନ ଶୈବ ଭକ୍ତ l ସେ କିନ୍ତୁ ମାଆ ମନସାଙ୍କୁ ଭକ୍ତି କରୁ ନ ଥିଲେ l କାରଣ ମା ମନସା ସେତେବେଳେ ଦେଵତା ମାନଙ୍କ ମଧ୍ୟରେ ଦେବୀର ଆସନ ପାଇ ନଥିଲେ l କଥାଥିଲା ଯଦି ଶିବଭକ୍ତ ଚାନ୍ଦ ସୌଦାଗର ତାଙ୍କ ଦକ୍ଷିଣ ହସ୍ତରେ ମାଆ ମନସାଙ୍କୁ ଅଞ୍ଜଳୀ ଦେବେ, ତେବେ ମନସା ଦେବୀର ମାନ୍ୟତାପାଇବେ l ତେଣେ ସୌଦାଗର କିନ୍ତୁ ପ୍ରତିଜ୍ଞା କରିଥାନ୍ତି ମୁଁ ଯେଉଁ ହାତରେ ଶିବଙ୍କୁ ଅଞ୍ଜଳି ଦେଉଛି ସେହି ହସ୍ତରେ ମନସାଙ୍କୁ କେବେ ହେଲେ ଅଞ୍ଜଳୀ ଦେବି ନାହିଁ l ତାଙ୍କୁ ଶାସ୍ତି ଦେବା ପାଇଁ ମନସା ମାତା ନାଗମାନଙ୍କୁ ପଠାଇ ତାଙ୍କର ଛଅଗୋଟି ପୁଅଙ୍କୁ ସର୍ପାଘାତରେ ବିନାଶ କଲେ l ଏଥିରେ, ଚାନ୍ଦ ସୌଦାଗର ଆହୁରି ରାଗି ଗଲେ l ତାଙ୍କ ସପ୍ତମ ସନ୍ତାନ ଲକ୍ଷୀନ୍ଦରକୁ ମା’ ମନସାଙ୍କ କବଳରୁ ବଞ୍ଚାଇବା ପାଇଁ ସେ ପ୍ରତିଜ୍ଞା କଲେ l ସମୟକ୍ରମେ ଚାନ୍ଦସୌଦାଗର ପୁତ୍ର ଲକ୍ଷୀନ୍ଦରକୁ ସୌଭାଗ୍ୟବତୀ ବେହୁଲା ସହିତ ବିବାହ କରାଇ ଦେଲେ l ବେହୁଲା ବର ଲାଭ କରିଥିଲେ କେବେ ହେଲେ ସେ ବିଧବା ହେବେନାହିଁ l ସୌଦାଗରଙ୍କ ଗୋଟିଏ ଲୌହପ୍ରାସାଦ ଥିଲା l ତହିଁରେ ପ୍ରବେଶ ପାଇଁ କୌଣସି ଛିଦ୍ର ନଥିଲା ଓ ପ୍ରାସାଦ ଭିତରକୁ କୌଣସି ସର୍ପପ୍ରବେଶ ଅସମ୍ଭବ ଥିଲା l ବିଶ୍ୱକର୍ମା ସେହି ପ୍ରସାଦଟିକୁ ନିର୍ମାଣ କରିଥିଲେ l ବିଶ୍ୱକର୍ମା କିନ୍ତୁ ମନସାଙ୍କ ଅନୁରୋଧ କ୍ରମେ ସେହି ପ୍ରାସାଦ ମଧ୍ୟରେ ଏକ ସୁକ୍ଷ୍ମ ଛିଦ୍ର ରଖି ଦେଇଥିଲେ ଯାହା କେହି ଜାଣି ପାରିବେନାହିଁ l ନବଦମ୍ପତ୍ତିଙ୍କ ବାସର ରାତ୍ରିରେ ମନସାଦେବୀ କାଳନାଗୁଣୀକୁ ସେଠାକୁ ଲକ୍ଷୀନ୍ଦରକୁ ଦଂଶନ କରିବା ପାଇଁ, ପଠାଇଲେ l ଦେବୀ ତାଙ୍କ ମାୟା ବିସ୍ତାର କରିଥାନ୍ତି l ବେହୁଲା ଗାଢ଼ନିଦରେ ଶୋଇ ପଡ଼ିଥାଏ l ଏହି ସମୟରେ କାଳ ନାଗୁଣୀ ପ୍ରାସାଦରେ ଥିବା ସେହି ଛିଦ୍ର ମଧ୍ୟ ଦେଇ ଶୟନ କକ୍ଷରେ ପଶି ଲକ୍ଷୀନ୍ଦରକୁ ଦଂଶନ କଲା l ଯନ୍ତ୍ରଣାରେ ଲକ୍ଷୀନ୍ଦର ଭୟଂକର ଚିତ୍କାର କଲାରୁ ବେହୁଲାର ନିଦ ଭାଙ୍ଗି ଗଲା l ସେ ଉଠି ଦେଖିଲା,କାଳନାଗୁଣୀ କାମୁଡ଼ି ଦେଇ ପ୍ରାସାଦର ସେହି ଛିଦ୍ରବାଟ ଦେଇ ପଳାଇଯାଉଛି l ପାଖରେ ଜଳୁଥିବା ପିତ୍ତଳ ଦୀପଟିକୁ ବେହୁଲା ଯୋରରେ ଫିଙ୍ଗିଦେବାରୁ କାଳନାଗୁଣୀ ଲାଙ୍ଗୁଡ଼ କଟିଗଲା l ଵିଷଜ୍ୱାଳାରେ ଲକ୍ଷୀନ୍ଦରର କିଛିକ୍ଷଣ ପରେ ଛଟ ପଟ ହୋଇ ପ୍ରାଣବାୟୁ ଉଡ଼ିଗଲା l
ସେ ସମୟ ପ୍ରଥାନୁଯାୟୀ ଶବକୁ ଏକ ଭେଳାରେ ରଖି ନଦୀରେ ଭସାଇ ଦିଆଗଲା, କିନ୍ତୁ ବେହୁଲା ସ୍ୱାମୀର ମୃତ ଶରୀରକୁ ଛାଡିଲା ନାହିଁ l ଶବକୁ ଜାବୁଡ଼ିଧରି ସେ ଭେଳା ଉପରେ ବସିରହିଲା ଓ ଭେଳାଟି ଭାସି ଭାସି ଚାଲିଲା l ଭେଳା ଉପରେ ବସି,ବେହୁଲା ମା’ ମନସାଙ୍କୁ ପ୍ରାର୍ଥନା କରି ଚାଲି ଥାଏ ସ୍ୱାମୀକୁ ଫେରାଇ ଦେବା ପାଇଁ l ସ୍ୱାମୀର ଶବଟି କ୍ରମେ ପଚି ଦୁର୍ଗନ୍ଧ ବାହାରୁଥାଏ l ଏପରି ଛଅମାସ ଚାଲିଗଲା l ଲକ୍ଷୀନ୍ଦରର କଙ୍କାଳ ପଡ଼ି ରହିଥାଏ l କଙ୍କାଳକୁ ଧରି ବେହୁଲା ଯାଇ ସ୍ୱର୍ଗ ପୁରରେ ପହଞ୍ଚିଲା l
ସେଠାରେ ନିଜ ବିନୟ ଭରା ବାକ୍ୟରେ ଓ ନିଜ ରୂପଗୁଣରେ ସେ ଦେବତାମାନଙ୍କୁ ସନ୍ତୁଷ୍ଟ କଲା l ବେହୁଲା ସ୍ୱାମୀର ଜୀବନ ଫେରାଇ ଦେବା ପାଇଁ ପ୍ରାର୍ଥନା କଲା l ବେହୁଲା କଥାରେ ରାଜି ହୋଇ ଦେବତାମାନେ ସ୍ୱାମୀର ଜୀବନ ଫେରାଇ ଦେବା ପାଇଁ କହିଲେ l ମାତ୍ର ସେମାନେ ଗୋଟିଏ ସର୍ତ୍ତ ରଖିଲେ ଯେ ଚାନ୍ଦ ସୌଦାଗର ମନସାଙ୍କୁ ଅଞ୍ଜଳି ଦେବାକୁ ପଡ଼ିବ l ବେହୁଲା ସ୍ୱର୍ଗରୁ ଆସି ଏ କଥା ଶ୍ୱଶୁରଙ୍କୁ କହିଲାରୁ ପୁଅ ଜୀବନ ଫେରି ପାଇବା ଆଶାରେ ଚାନ୍ଦ ସୌଦାଗର ରାଜି ହୋଇଗଲେ l
ସେ ମା’ ମନସାଙ୍କୁ ଅଞ୍ଜଳି ଦେବାରୁ ଲକ୍ଷୀନ୍ଦରର କଙ୍କାଳରେ ପ୍ରାଣ ସଞ୍ଚାର ହେଲା l ନିଦରୁ ଉଠିଲା ଭଳି ସେ ଉଠି ବସି ପଡ଼ିଲା l ସୌଦାଗରର ଛଅ ମୃତପୁତ୍ର ମଧ୍ୟ ତା ସହ ଜୀବିତ ହୋଇ ଉଠିଲେ l ସେ ତିଳାଞ୍ଜଳୀ ଦେବା ଦ୍ୱାରା ମନସା ମାତା ମଧ୍ୟ ସ୍ଵର୍ଗରେ ଦେବୀର ଆସନ ଲାଭକଲେ l
ମନସା ମାତା ଦେବୀଙ୍କ ଆସନ ଲାଭ କଲାପରେ ମର୍ତ୍ତ୍ୟରେ ତାଙ୍କ ପୁଜା ଆରାଧନା ଆରମ୍ଭ ହେଲା l ସେ ସର୍ପଦେବୀ ଭାବେ ପରିଚିତ l ଦେବୀଙ୍କ ଦୁଇ ହସ୍ତରେ ଅମୃତ ଭରିରହିଥିବା ଶ୍ଵେତପଦ୍ମ ଓ ବିଷ ଭରିରହିଥିବା ରକ୍ତପଦ୍ମ ଶୋଭାପାଏ l ମନୁଷ୍ୟକୁ କର୍ମ ଅନୁସାରେ ମାଆ ଫଳ ପ୍ରଦାନ କରି ଥାନ୍ତି l ମନସା ମାତାଙ୍କ ସପ୍ତ ନାମ ଜପ କଲେ ସର୍ପ ଭୟ ରହେ ନାହିଁ l ମାଆ ମନସାଙ୍କ ବିଭିନ୍ନ ନାମ ଅଛି ଯଥା ବୈଷ୍ଣବୀ,ଜରତ୍କାରୁ,ଜଗତଗୌରୀ, ଶୈବୀ ନାଗେଶ୍ଵରୀ,ନାଗଭଗ୍ନୀ, ଜରତ୍କାରୁପ୍ରିୟା, ଆସ୍ତିକ ମାତା ଓ ବିଷ ହାରୀ l ମନସା ଦେବୀଙ୍କ ଉତ୍ପତ୍ତି ପୂର୍ବରୁ ପୃଥିବୀପୃଷ୍ଠରେ ସର୍ପପୂଜା ହେଉନଥିଲା l ତାଙ୍କର ଆବିର୍ଭାବ ପରେ, ମନୁଷ୍ୟ ମାନଙ୍କ ଦ୍ବାରା ସର୍ପପୂଜାର ଆରମ୍ଭ ହେଲା l
ଆସ୍ତିକ ନାମରେ କଟେ କାଳସର୍ପ ଭୟ l
ଜୟ ସର୍ପଦେବୀ ମାତା ମନସାଙ୍କ ଜୟ ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Leave a Reply

Your email address will not be published. Required fields are marked *