Spread the love

⚫❗⚫
ll ଦେବସ୍ନାନ ପୂର୍ଣ୍ଣିମା ll :

    ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା  ସ୍ନାନ ପୂର୍ଣ୍ଣିମା  ବା ମହତି ଜେଷ୍ଠା ସ୍ନାନ ଉତ୍ସବ l ଆଜି ସ୍ନାନ ଯାତ୍ରାରେ ମହାପ୍ରଭୁ ସ୍ନାନ କରିବେ l ବିଶ୍ୱରେ ଏମିତି ଦିଅଁ ଇଏ ଯାହାଙ୍କର ସ୍ନାନ କୁ ନେଇ ଯାତ୍ରା l  ସବୁଦିନ ସ୍ନାନ କରନ୍ତି ଆଜି ଭି ସ୍ନାନ କରିବେ l  ହେଲେ ସବୁଦିନ ଯେଉଁ ସ୍ନାନ କରନ୍ତି  ତାଙ୍କ ସମ୍ମୁଖରେ ଦର୍ପଣ ରଖାଯାଏ ଏବଂ ସେଥିରେ ତାଙ୍କ ପ୍ରତିବିମ୍ବ ପଡେ ସେ ଦର୍ପଣ କୁ ସ୍ନାନ କରାଯାଏ ତାକୁ ବିମ୍ବ ସ୍ନାନ କୁହାଯାଏ l କିନ୍ତୁ ଆଜି ଯେଉଁ ସ୍ନାନ କରିବେ ତାକୁ ପ୍ରତ୍ୟେକ୍ଷ ସ୍ନାନ କୁହାଯାଏ l 

  ଏହି ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ  ଭିତ୍ତି ଭୂମିର ଲୀଳା l ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥେମେ ଏହି ସ୍ନାନ ହୋଇଥିବାରୁ ଶ୍ରୀ ଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ l ମହାପ୍ରଭୁ ଦାରୁ ବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମେ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା ଅନୁଷ୍ଠିତ କରିଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ l  ସେତେବେଳେ ସ୍ନାନ ମଣ୍ତପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହେଉଥିଲା l ସେଥିପାଇଁ ଶାସ୍ତ୍ରରେ ଏହାକୁ ମଞ୍ଚାସ୍ନାନ ବୋଲି ଉଲେଖ କରାଯାଇଛି l  ଶାସ୍ତ୍ର ମତରେ ୧୦୮ ସ୍ନାନ କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁ ବ୍ରହ୍ମଙ୍କ ଆଦ୍ୟ ସ୍ଥାନ ଲୀଳା ସମାପନ ହୋଇଥିଲା  l ସେଇ ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଅଛି l 

   ପୂର୍ଣ୍ଣିମା ପୂର୍ବ ଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି  l ପ୍ରଭୁଙ୍କର ସେନାପଟା ଓ ବାହୁଟି ନାଗି ହୁଏ l ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ l  ସ୍ନାନ ମଣ୍ଡପକୁ ମହାପ୍ରଭୁ ଆସିବେ ବୋଲି ବ୍ୟାକୁଳ ହୁଅନ୍ତି ଯେ ଆଖିଆ ଅପିୟା ଯାତ୍ରା କରିବେ ଭକ୍ତାଧୀନ ଭଗବାନ l ଯେତେବେଳେ ଆସିବେ ତା ନାମ ହେଲା ଧାଡ଼ି ପହଣ୍ଡି l ଧାଡି ଧାଡି କରିକି ଆସିବେ ଚତୁର୍ଦ୍ଧାମୂର୍ତ୍ତି l  ଆଉ ଯେତେବେଳେ ଅଣସର ପିଣ୍ଡି କୁ ଯିବେ ତା ନାମ ହେଲା ଗୋଟି ପହଣ୍ଡି l 

             ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମହାପ୍ରଭୁ ମାନଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଥିବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ l ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ଯରେ ଅବସ୍ତିତ l ବର୍ଷସାରା ସିଂହ ହିଁ ଏହି କୂଅକୁ ସୁରକ୍ଷିତ ରଖିଥାନ୍ତି l କୂଅର ବ୍ୟବହର  ବର୍ଷ ସାରା ନଥିବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣ ତୁଠ ପାଣି ବୋଲି ଗ୍ରହଣ କରାଯାଏ l  ପ୍ରତ୍ୟକଦିନ  ସ୍ନାନ ଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥିବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ l ସେଗୁଡିକ ହେଲା - 

ଅଷ୍ଟବନ୍ଧ , କୃଷ୍ଣ – ଅଗରୁ , ଉଶୀର , ଗୋରଚନା , ଦେବଦାରୁ , ମୁଥା , ହରିତାଳ , ବାହାଡା , ଆମଳକୀ , ସଞ୍ଚିଷ୍ଠା , ତାମ୍ରପର୍ଣ୍ଣୀ ,ସୋମପର୍ଣ୍ଣୀ ଓ ଲୋଧା

    ମିଶ୍ରିତ କରାଯାଏ  l ଏହି ମହୌଷଧୀ ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ l

                    ସେଦିନ ମଧ୍ୟ ରାତ୍ରି ରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତା ମାନେ ଧାଡି ପହଣ୍ଡି କରି ଆଣନ୍ତି l ପହଣ୍ଡି ବିଜେ ସମୟରେ ସାତ ପାହାଚ ପାଖରେ ଦିଅଁ ମାନେ ପହଞ୍ଚିଲା ପରେ ଟାହ୍ୟା ନାଗି ହେବାପରେ ଦ୍ୱତୀୟ ମଙ୍ଗଳାର୍ପଣ କରାଯାଏ l ତାପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା   ନାଗି କରାଯାଏ l ତାପରେ ପନ୍ତି ଖାଇ ଖାଇ ଠାକୁର ମାନେ ସ୍ନାନ ବେଦି ଅଭିମୁଖେ ଅଗ୍ରସର ହୁଅନ୍ତି l  ସୁଆର ବଡୁ ଅମୂଣିଆ ପାଣି ଛିଞ୍ଚନ୍ତି l  ପ୍ରଥମେ ସ୍ନାନ ବେଦି କୁ ଆସନ୍ତି ଚକ୍ରରାଜ ସୁଦର୍ଶନ ସେ ଶୂନ୍ୟ ପହଣ୍ଡି  କରି ଆସି  ନିଜ ସ୍ଥାନ ରେ ବିଜେ ହୁଅନ୍ତି l  ପଛେ ପଛେ ବଳଭଦ୍ର ଭଗବାନ ରେବତୀ ରମଣ  ହଳାୟୁଧ ସେନାପଟା ଭିଡା ହୋଇ ଟାହ୍ୟା ଲାଗି କରି ସ୍ନାନ ବେଦିରେ ବିଜେ ହୁଅନ୍ତି l ତାଙ୍କପରେ କାମ୍ପିଲ୍ୟ ବାସିନୀ ସୁଭଦ୍ରିକା ଭଗବତୀ କୃପାମୟି ମଧ୍ୟ ସୁଦର୍ଶନ ଙ୍କ ପରି  ଶୂନ୍ୟ ପହଣ୍ଡି ରେ ସ୍ନାନ ବେଦି କୁ ବିଜେ ହୁଅନ୍ତି l 

     ଶେଷରେ କାଳିଆ କଳା ଠାକୁର କୋଟି  କୌବଲ୍ୟ ନାଥ ଜଗନ୍ନାଥ ମହାପ୍ରଭୁ ପୂର୍ଣ୍ଣିମା ଚାନ୍ଦ ପରି ରତ୍ନ ସିଂହାସନ ରୁ ସ୍ନାନ ବେଦି ଅଭିମୁଖେ ଉଇଁ ଆସନ୍ତି  l ଆସିଲା ବେଳେ ଆଖିଆ ଅପିୟା ଧାଇଁ ଆସନ୍ତି ଟାହ୍ୟା ଏବଂ  ଘଣ୍ଟ ଛତ୍ର ର ଦୋଳନରେ ଛୁଲିଛୁଲି ହଲିହଲି ଆସି ସ୍ନାନ ମଣ୍ଡପ ରେ ଦଇତା ଙ୍କ ଦ୍ୱାରା ବିଜେ ହୁଅନ୍ତି  l କିନ୍ତୁ ମଦନମୋହନ କେବଳ ମହାଜନ ସେବକମାନଙ୍କ ଦ୍ୱାରା ବିଜେ ହୁଅନ୍ତି l  ଏବଂ ଆଳତି ଅବକାଶ ନୀତି ଆରମ୍ପ ହୁଏ l                         

      ବିଧି ଅନୁସାରେ ଜଗନ୍ନାଥଙ୍କ ବାଡ଼ରେ ୩୫ ଗରା  l  ବଳଭଦ୍ର ଙ୍କ ବାଡ଼ରେ  ୩୩ ଗରା l ସୁଭଦ୍ରାଙ୍କ ବାଡ଼ରେ  ୨୨ ଗରା ଏବଂ ସୁଦର୍ଶନଙ୍କ  ବାଡ଼ରେ  ୧୮ ଗରା l  ଏହି କ୍ରମରେ ୧୦୮ ଗରା  ସୁଭାସିତ ଜଳ ରେ ସ୍ନାନ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି l  ସ୍ନାନ ନୀତି ପରେ ଛେରା ପହଁରା  ନୀତି ଅନୁଷ୍ଠିତ ହେବ l  ଏଥରକଭି  ଗଜପତି ଙ୍କ ପ୍ରତିନିଧି ମୁଦିରସ୍ତ ଛେରା ପହଁରା ନୀତି ସମ୍ପାଦନ  କରିବେ l  

ଦକ୍ଷିଣାଭିମୁଖେ ବିଷ୍ଣୌ ସ୍ନାନକାଳେ ନୃପୋତ୍ତମ l
ବିଷ୍ଣୋର୍ନିରାଜନବିଧିଂ ଯେ ପଶ୍ୟନ୍ତି ଚ ଭକ୍ତିତଃ l
ପଦେ ପଦେଶ୍ବମେଧାନାଂ ଫଳଂ ତେଷାଂ ଭବେତ୍ ଧୃବମ୍ l
ମନୋରଥସ୍ୟ ସଂସିଦ୍ଧିସ୍ତେଷାଂ ଭବତି ତତ୍-କ୍ଷଣାତ୍ l
ଅନ୍ତେ ବୈକୁଣ୍ଠଭବନଂ ତେ ଚ ଗଚ୍ଛନ୍ତି ମାନବାଃ ll
( ସ୍କନ୍ଦ ପୁରାଣ, ଉତ୍କଳ ଖଣ୍ଡ )

                ସ୍ନାନମଣ୍ଡପରେ ଦକ୍ଷିଣାଭିମୁଖି ଶ୍ରୀଜଗନ୍ନାଥାଦିଙ୍କୁ ଯେଉଁମାନେ  ଦର୍ଶନ କରନ୍ତି l  ଆରତୀକୁ ଭକ୍ତି ସହକାରେ ଦର୍ଶନ କରନ୍ତି ସେମାନେ ଅଶ୍ୱମେଧ ଯଜ୍ଞର ଫଳଲାଭ କରନ୍ତି l ସେମାନଙ୍କର  ସକଳ ମନୋରଥ ପୂରଣ ହୋଇଥାଏ l  ଅନ୍ତ କାଳରେ ସେମାନେ ବୈକୁଣ୍ଠ ପୁରକୁ ଗମନ କରିଥାନ୍ତି l  ପ୍ରଭୁଙ୍କ ଏହି ଦିନ ଗଜାନନ ବେଶ ହୁଏ l  ଏହିଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ  ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଏ l ଏବଂ ଗୋପାଳତୀର୍ଥ ମଠଦ୍ଵାରା ଶ୍ରୀ ବଳଭଦ୍ର ଏବଂ ଶ୍ରୀ ଜଗନ୍ନାଥ ଙ୍କୁ ଗଜାନନ ବେଶ ଓ ସୁଦର୍ଶନ ଙ୍କୁ ଚକ୍ର ଲାଗି କରାଯାଏ l ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ l 

ll ଗଜାନନ ବେଶ କିମ୍ବଦନ୍ତି ll :-

      ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ l ଥରେ ଶ୍ରୀକ୍ଷେତ୍ରର ମହିମା ବିଷୟରେ ଶୁଣି ମହାପ୍ରଭୁଙ୍କ   ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ l  ସେ ଭଗବାନ ଗଣେଷଙ୍କ ଭକ୍ତ ଥିଲେ l  ତେଣୁ ଦାରୁ ବିଗ୍ରହଟି ଦର୍ଶନ କରି ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ବୀକାର କଲେ l  ଏବଂ କ୍ଷବ୍ଧ ହୋଇ ମନ୍ଦିର ତ୍ୟାଗ କଲେ l  ପରଦିନ ଦେବସ୍ନାନ ପୂର୍ଣ୍ଣିମା  ଥିଲା l  ମହାପ୍ରଭୁଙ୍କ ଆଦେଶରେ ବଡ଼ ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ  l ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହେଇଗଲେ l  ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୁଲ ବୁଝିପାରିଲେ l  ତାଙ୍କ ପାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ l ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି l 

                       ବେଶ ଓଲାଗି ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି l ଭିତର କାଠ ପାଖେ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ  l ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ l ତାପରେ ଏହି ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମା ଠୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡନ୍ତି l  ଏହି ୧୫ ଦିନ କାଳ ଭକ୍ତ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ରୁ ବଞ୍ଚିତ ହୁଅନ୍ତି l  ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥ ଙ୍କୁ ଦର୍ଶନ କରନ୍ତି l 

Related Post

Leave a Reply

Your email address will not be published. Required fields are marked *