ଆଜିର ଭାଗବତ ବାଣୀ
ମନୁଷ୍ୟର ଇନ୍ଦ୍ରିୟମାନେ ଯଦି ତାର ବଶରେ ନ ଥାନ୍ତି ଏବଂ ସେ ଯଦି ସନ୍ତୋଷୀ ହୋଇ ନ ଥାଏ, ତେବେ ସଂସାରର ସକଳ ପ୍ରିୟ ବସ୍ତୁ ତାକୁ ମିଳିଗଲେ ବି ତାହା ସେହି ଜଣକର ସମସ୍ତ କାମନା ପୂର୍ଣ୍ଣ କରିବାକୁ ସମର୍ଥ ହେବ ନାହିଁ । ପ୍ରାରବ୍ଧ ଅନୁସାରେ ଯାହା ମିଳିଯିବ, ସେତିକିରେ ସନ୍ତୁଷ୍ଟ ହେଉଥିବା ବ୍ୟକ୍ତି ହିଁ ସୁଖରେ ଜୀବନ ଅତିବାହିତ କରେ । କିନ୍ତୁ ନିଜ ଇନ୍ଦ୍ରିୟମାନଙ୍କୁ ବଶ କରିପାରି ନ ଥିବା ପୁରୁଷ ତ୍ରିଲୋକ-ରାଜ୍ୟ ପାଇଗଲେ ମଧ୍ୟ ସୁଖ ପାଇପାରେ ନାହିଁ ; କାରଣ ତା ହୃଦୟରେ ଅସନ୍ତୋଷର ଅଗ୍ନି ହୁ ହୁ ହୋଇ ଜଳୁଥାଏ । ଧନ ଓ ଭୋଗରେ ସନ୍ତୁଷ୍ଟ ନ ହେବା ହିଁ ହେଉଛି ଜନ୍ମମୃତ୍ୟୁ ଚକ୍ରରେ ଘୁରିବାର କାରଣ ତଥା ଯାହା କିଛି ମିଳିଯାଏ, ସେଥିରେ ସନ୍ତୁଷ୍ଟ ହେବା ହିଁ ମୁକ୍ତିର କାରଣ ।
ଯାହାଙ୍କ ଚେତନାର ସ୍ପର୍ଶରେ ସମଗ୍ର ବିଶ୍ବ ଚେତନ ହୋଇଥାଏ, କିନ୍ତୁ ବିଶ୍ବ ଯାହାଙ୍କୁ ଚେତନା ଦାନ କରିପାରେନାହିଁ; ବିଶ୍ବ ଶୋଇପଡ଼ିଲେ ମଧ୍ୟ ଯେ ପ୍ରଳୟକାଳରେ ଜାଗ୍ରତ ରହନ୍ତି; ଯାହାଙ୍କୁ ଏହି ବିଶ୍ବ ସିନା ଜାଣିପାରୁନାହିଁ, କିନ୍ତୁ ଯେ ବିଶ୍ବକୁ ଜାଣନ୍ତି, ସେ ହିଁ ପରମାତ୍ମା । ଏହି ସମ୍ପୂର୍ଣ୍ଣ ବିଶ୍ବ ଏବଂ ବିଶ୍ବରେ ରହୁଥିବା ସମସ୍ତ ଚରାଚର ପ୍ରାଣୀ – ସମସ୍ତେ ସେହି ପରମାତ୍ମଙ୍କ ଦ୍ବାରା ଓତପ୍ରୋତ । ତେଣୁ ସଂସାରର କୌଣସି ପଦାର୍ଥରେ ମୋହ ନ ରଖି, କେବଳ ଜୀବନ ନିର୍ବାହ ଉଦ୍ଦେଶ୍ୟରେ ତାହା ଉପଭୋଗ କରିବା ଉଚିତ । ତୃଷ୍ଣାକୁ ସର୍ବଥା ତ୍ୟାଗ କରିଦେବାକୁ ପଡ଼ିବ । ସଂସାରର ଏ ସମ୍ପତ୍ତିସବୁ କାହାର ଭଲା । ଭଗବାନ ହେଉଛନ୍ତି ସମସ୍ତଙ୍କର ସାକ୍ଷୀ । ସେହି ପ୍ରଭୁଙ୍କୁ ଆମର ବୁଦ୍ଧିବୃତ୍ତି କିମ୍ବା ନେତ୍ର ଆଦି ଇନ୍ଦ୍ରିୟମାନେ ଦେଖିପାରିବେ ନାହିଁ । ସକଳ ପ୍ରାଣୀଙ୍କ ହୃଦୟନିବାସୀ ସେହି ସ୍ବୟଂପ୍ରକାଶ ଅସଙ୍ଗ ପରମାତ୍ମଙ୍କ ଶରଣ ଗ୍ରହଣ କରିବା ଉଚିତ ।
ଶ୍ରୀ ଜଗନ୍ନାଥ ଶରଣଂ