ଢେଙ୍କାନାଳ // ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି

Spread the love

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

ଢ଼େଙ୍କାନାଳ,ତା. ୧୨.୧୨.୨୦୨୫- ଦର୍ଶନ ସମୀକ୍ଷା ରତ୍ନାକର ପରିଡା

ଆଜି ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ରାଜପଥର ଡ଼ିଭାଇଡ଼ରକୁ ଅବୈଧ ଭାବେ କଟିଂ କରୁଥିବା ହୋଟେଲ, ଢ଼ାବା ଭଳି ସଂସ୍ଥାକୁ ବନ୍ଦ କରି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କଲେଜ ବାଇପାସ ଓଭର ଫ୍ଳାଏ ବ୍ରିଜ ତଳେ ଟାଉନକୁ ପ୍ରବେଶ କରିବା ରାସ୍ତାକୁ ଯଥାଶୀଘ୍ର ଶେଷ କରିବାକୁ ଏନ୍.ଏଚ. କର୍ତ୍ତୃପକ୍ଷକୁ କହିଥିଲେ । କଲେଜ ବାଇପାସ ଠାରୁ କୋରିଆଁ ବାଇପାସ ରାସ୍ତାର ଆଲୋକିକରଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ କହିଥିଲେ ଏବଂ ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ ବୋଲି ଏନ୍.ଏଚ.ର କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । ଗେଙ୍ଗୁଟିଆ ଫ୍ଲାଏ ଓଭର ବ୍ରିଜରେ ବାରିକେଟିଂର ଓ ସାଇନେଜର ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିଲା । ସହର ମଧ୍ୟରେ ଥିବା ଛକମାନଙ୍କରେ ଲାଗିଥିବା ଟ୍ରାଫିକ୍ ସିଗ୍ନାଲ ଲାଇଟ ପୋଷ୍ଟ ଗୁଡ଼ିକ ପୁନଃ କାର୍ଯ୍ୟକ୍ଷମ ହେବ । ସହରର ପ୍ରମୁଖ ବିଦ୍ୟାଳୟଗୁଡ଼ିକର ସମ୍ମୁଖ ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବାରିକେଟିଂର ବ୍ୟବସ୍ଥା କରାଯିବ ବୋଲି ସ୍ଥିର କରାଯାଇଛି । କୋରିଆ ବାଇପାସ ଠାରେ ରାସ୍ତାକୁ ସଠିକ ଭାବେ ସମତୁଲ କରି ଦୁର୍ଘଟଣା ଏଡାଇବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ଏନ.ଏଚ. ର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ, ଷ୍ଟେସନରୋଡ ଛକ ଓ ଷ୍ଟେସନ ଠାରେ ଗାଡ଼ିପାର୍କିଂ କୁ ବ୍ୟବସ୍ଥିତ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ସହର ମଧ୍ୟରେ ଟ୍ରଫିକ ଜାମ୍ ହେଉଥିବାରୁ ସମସ୍ତ ଅବୈଧ ନିର୍ମାଣକୁ ଆସନ୍ତା ୧୮ ତାରିଖରୁ ପୌରପାଳିକା ପକ୍ଷରୁ ଉଚ୍ଛେଦ କରାଯିବ ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ । ଏହି ଅବସରରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିଥିବା ନୂଆବଗର ଶ୍ରୀ ରବି ବେହେରା, ରାସୋଳର ବିଭୂ ପ୍ରସାଦ ଶତପଥୀ ଏବଂ କଙ୍କଡ଼ାହାଡ଼ର ପ୍ରଶାନ୍ତ କୁମାର ସାହୁଙ୍କୁ ଗୁଡ଼ସମରିଟାନ ଭାବେ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଏହି ବୈଠକରେ, ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ, ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *