ଗାଁ ଜନଶୂନ୍ୟ//ମାଲକାନଗିରି ଜିଲ୍ଲା ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ୪ ଦିନ ପୂର୍ବରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ନେଇ ରାଖେଲଗୁଡା ଏବଂ ଏମଭି -୨୬ ଗ୍ରାମ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।

Spread the love

ଏବେ ଜନଶୂନ୍ୟ ହୋଇଛି ଏମଭି -୨୬ ଗ୍ରାମ
ମାଲକାନଗିରି। ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ୪ ଦିନ ପୂର୍ବରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ନେଇ ରାଖେଲଗୁଡା ଏବଂ ଏମଭି -୨୬ ଗ୍ରାମ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ମୁଖ୍ୟତଃ ଏମଭି -୨୬ ଗାଁର କୌଣସି ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ନେଇ ରାଖେଲଗୁଡା ଗ୍ରାମବାସୀ ସମେତ ଆଦିବାସୀ ସମ୍ପ୍ରଦାୟର ଲୋକେ ସନ୍ଦେହ କରିବା ସହିତ ମୃତ ମହିଳାଙ୍କ ନିଖୋଜ ଥିବା ମୁଣ୍ଡକୁ ଉଦ୍ଧାର କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପୁଲିସ ପ୍ରଶାସନ ନିକଟରେ ଦାବି କରାଯାଇଥିଲା କିନ୍ତୁ ଦୀର୍ଘ ୪ ଦିନ ବିତିଯାଇଥିଲେ ମଧ୍ୟ ମହିଳାଙ୍କ ମୁଣ୍ଡ ନ ମିଳିବାରୁ ଗତକାଲି ରବିବାର ଅପରାହ୍ନରେ ଦୁଇ ଗାଁ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ରାଖେଲଗୁଡା ଗ୍ରାମବାସୀଙ୍କ ସମେତ ହଜାର ରୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଉତେଜିତ ହୋଇ ଏମଭି -୨୬ ଗାଁରେ ପଶି ଦୀର୍ଘ ଦୁଇ ଘଣ୍ଟା ଧରି କିଛି ଘର ଓ ଆସବାବପତ୍ର ଭଙ୍ଗାରୁଜା ସହ ପୋଡାଜଳା କରିଥିଲେ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ,ଏସପି ବିନୋଦ ପାଟିଲଙ୍କ ସମେତ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଏମଭି -୨୬ ଗାଁରେ ପହଁଞ୍ଚି ଘଟଣାର ନିରିକ୍ଷଣ କରିଥିଲେ। ଗ୍ରାମବାସୀଙ୍କ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବା ସହିତ ତୁରନ୍ତ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।ଏହା ପରେ ପୁଲିସ ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିବା ନେଇ ଏସପି ସୂଚନା ଦେଇଥିଲେ। ମୃତ ମହିଳାଙ୍କ ମୁଣ୍ଡକୁ ଯଥା ଶୀଘ୍ର ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଆଦିବାସୀ ସଂଘ ଜିଦିରେ ଅଡ଼ି ବସିଛନ୍ତି। ଗତକାଲି ଠାରୁ ସୋମବାର ସକାଳ ୯ ଟା ପର୍ଯ୍ୟନ୍ତ ଏହାର କୌଣସି ନିଷ୍କର୍ଷ ନ ବାହାରିବାରୁ ରାଖେଲଗୁଡା ପୋଲ ନିକଟରେ ଥିବା ହାଟପଦାରେ ଆଦିବାସୀ ସମାଜ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଏକତ୍ରିତ ହୋଇଥିଲେ। ଉକ୍ତ ପୋଲ ଉପରେ ଏସପିଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହାପରେ ଆଦିବାସୀ ସଂଘ ସଦସ୍ୟ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକତ୍ରିତ ହୋଇ ଏମଭି-୨୬ ଗାଁ ଅଭିମୁଖେ ବାହାରିଥିଲେ। ସେମାନଙ୍କୁ ରୋକିବା ପାଇଁ ପୁଲିସ ପକ୍ଷରୁ ସମ୍ପୂର୍ଣ ପ୍ରଚେଷ୍ଟା କରାଯାଇଥିଲା। ଆଦିବାସୀ ସଂଘର ଲୋକ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ପୁଲିସ ଭିଡକୁ ନିୟନ୍ତ୍ରଣ କରି ପାରିନଥିଲେ। ଏହାର ସୁଯୋଗ ନେଇ ଉତ୍ୟକ୍ତ ଲୋକମାନେ ଘରେ ଘରେ ପଶି ଭଙ୍ଗାରୁଜା କରିବା ସହିତ ବହୁ ଆସବାବପତ୍ର,ଗାଡ଼ି , ମୋଟରସାଇକେଲ, ସାଇକେଲ, ଫ୍ରିଜ , କୁଲର , ଖଟ ପଲଙ୍କ ସହିତ ଘରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।ଏହି ଘଟଣାରେ ସୋମବାର ଏମଭି -୨୬ ଗାଁର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଘର ପୋଡି ନଷ୍ଟ ହେବା ସହ ବହୁ ଗାଡି ମଟର ,ଧାନ ଚାଉଳ ଏବଂ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇ ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ଦ୍ବାରା ଘରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ପୁଲିସ ବିଭାଗ ପକ୍ଷରୁ ଗାଁରେ ଫ୍ଲାଗ ମାର୍ଚ୍ଚ କରାଯିବା ସହିତ ଗାଁ ଏବଂ ଆଖପାଖ ଅଞ୍ଚଳରେ ପୁଲିସ ଫୋର୍ସ ଏବଂ ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ଏହି ଖବର ପାଇ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝି ଏମଭି -୨୬ ଗାଁରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ରାଖେଲଗୁଡା ଠାରେ ଆଦିବାସୀ ସମାଜ ପକ୍ଷରୁ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ଆଇନକୁ ହାତକୁ ନ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।ଆଜି ସଂଧ୍ୟାରେ ସ୍ଥିତି ନିୟନ୍ତ୍ରଣ ଥିବା ବେଳେ ଏମଭି -୨୬ ଗାଁର ଅଧିକାଂଶ ଲୋକଙ୍କ ଘରେ ପରିବାର ଲୋକ ନଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *