ଅଳ୍ପ ଗଳ୍ପ //ନମ୍ରତା ପୂର୍ଣ୍ଣ ଦୁଃଖଦ କାହାଣୀ.. ରୋଷେଇ ଘରର ଗୋଟିଏ କୋଣରେ ପିଲାଟିଏ କିଛି ରୁଟି ଧରି ଠିଆ ହୋଇଛି-ସଂଜୟ ରଥ ଭୁବନେଶ୍ବର

Spread the love

ଅଳ୍ପ ଗଳ୍ପ

ନମ୍ରତା
ନମିତା ରୋଷେଇ ଘରକୁ ଯାଇଁ ଦେଖେତ ହଟକେସଟି ଖୋଲା ପଡିଛି।ତାର ଠିକ୍ ମନେଅଛି ରୁଟି କରି ସେ ହଟକେସରେ ରଖି ବନ୍ଦକରି କିଛି ସମୟ ପାଇଁ ଟି ଭି ଦେଖିବାକୁ ଯାଇଥିଲା।ତେବେ ଏହା ଖୋଲା ପଡିଲା କିପରି? କିଏ ଖୋଲିଲା? ଟିକେ ନିରୀକ୍ଷଣ କରି ଦେଖିଲା ରୋଷେଇ ଘରର ଗୋଟିଏ କୋଣରେ ପିଲାଟିଏ କିଛି ରୁଟି ଧରି ଠିଆ ହୋଇଛି। ହଠାତ୍ ପିଲାଟି ଦୌଡିବା ଆରମ୍ଭ କଲା। ନମିତା ବଡ ପାଟିରେ ଚୋର ଚୋର କହି ଡାକ ପକାଇଲା।
ସ୍ଵାମୀ ଅରବିନ୍ଦ ପିଲାଟିର ପଛରେ ଗୋଡାଇ ଗୋଡାଇ ତାକୁ ଧରି ଥାନାରେ ପୋଲିସକୁ ଦେଇଦେଲେ।ପିଲାଟି ଜେଲରେ କିଛି ଦିନ ରହିବା ପରେ ତାର ତାରିଖ ପଡିବାରୁ ତାକୁ ବିଚାରପତିଙ୍କ ସମ୍ମୁଖରେ ଠିଆ କରାଗଲା।ବିଚରା ଗରିବ ପିଲାଟି ତରଫରୁ କିଏବା ଓକିଲକୁ ପଇସା ଦେଇ କେସ୍ ଲଢିବ?
ମାଜିଷ୍ଟ୍ରେଟ ପଚାରିଲେ
ତୁମ ନାଆଁ କଣ?
ରଘୁଆ,ପିଲାଟି ନମ୍ରତାର ସହିତ ଉତ୍ତର ଦେଲା
ତୁମେ ରୁଟି ଚୋରି କରିଛ?
ହଁ, ଆଜ୍ଞା
କାହିଁକି ଚୋରି କଲ?
ଆଜ୍ଞା ମୋର ବାପା ମାଆ ସୁରଟ ସୂତା କଳରେ କାମ କରିବାକୁ ଯାଇଥିଲେ।କୋଭିଡରେ ସେଠି ମରିଗଲେ। ମୁଁ ମାଉସୀ ଘରେ ଥିଲି।ସିଏ ବହୁତ ଗରିବ ଲୋକ।ତାଙ୍କର ପାଞ୍ଚ ଜଣ ପିଲାଙ୍କୁ ଖାଇବାକୁ ଦେବାରେ ଅକ୍ଷମ।ମୋତେ ଭଲକରି ଖାଇବାକୁ ଦିଅନ୍ତିନି।ତିନିଦିନ ହେଲା କିଛି ଖାଇ ନଥିଲି। ସେଥିପାଇଁ ଦୁଇଟା ରୁଟି ଚୋରିକରି ଖାଇଛି।
ପିଲାଟିର ଉତ୍ତର ଶୁଣି ମାଜିଷ୍ଟ୍ରେଟଙ୍କ ମୁହଁ କଳା ପଡିଯାଇଥିଲା। ତାର ନମ୍ରତା ପୂର୍ଣ୍ଣ ଦୁଃଖଦ କାହାଣୀ ମାଜିଷ୍ଟ୍ରେଟଙ୍କ ହୃଦୟକୁ ଥରାଇ ଦେଇଥିଲା ‌।ରୁମାଲରେ ଆଖି ପୋଛୁପୋଛୁ କହିଲେ:
ପିଲାଟିକୁ ଛାଡିଦିଅ।
ଟିକିଏ ଛାଡି ପିଲାଟି କାନ୍ଦି କାନ୍ଦି କହିଲା: ହଜୁର ମୋତେ ଏଇ ଜେଲରେ ରଖନ୍ତୁ। ଯେଉଁ କାମ କହିବେ କରିବି।ହେଲେ ବାହାରକୁ ଗଲେ ଆଉ କିଏ କାହିଁକି ଖାଇବାକୁ ଦେବ?
ପିଲାଟିର ନମ୍ରତା ଏବଂ ସ୍ପଷ୍ଟ ବାଦିତାରେ ନମିତା ଆଖିରୁ ଲୁହ ଝରିଯାଉଥାଏ। ଗୋଟିଏ ବୋଲି ଦୁଇ ବର୍ଷର ଝିଅ ଓ ସ୍ଵାମୀଙ୍କୁ ନେଇ ନମିତାର ଛୋଟ ସଂସାର। ହଠାତ୍ ହାତଯୋଡି କହିଲେ
ହଜୁର,ଯଦି ଆପଣଙ୍କର କିଛି ଆପତ୍ତି ନଥାଏ ତେବେ ରଘୁକୁ ମୁଁ ମୋ ନିଜ ପାଖରେ ପୁଅପରି ରଖିବାକୁ ଚାହେଁ।
କୋର୍ଟରେ ଉପସ୍ଥିତ ସମସ୍ତ ଦର୍ଶକ ତାଳି ମାରି ଉଠିଲେ। ବିଚାରପତି ନମିତା କଥାରେ ସମ୍ମତି ପ୍ରଦାନ କରି ରଘୁକୁ ନମିତା ସହିତ ରହିବାକୁ ଆଦେଶ ଦେଲେ। କଚେରୀ କକ୍ଷରେ କିଛି ସମୟପାଇଁ ନିରବତା ଖେଳିଯାଇଥିଲା।ରଘୁ ଖୁସିରେ ନମିତା ନିକଟକୁ ଆସି ତାର ପାଦ ଛୁଉଁ ଛୁଉଁ ନମିତା ତାକୁ କୋଳେଇ ନେଇଥିଲା ନିଜକୋଳକୁ। ଉପସ୍ଥିତ କିଛି ଦର୍ଶକ ନିଜ ନିଜର ଆଖି ପୋଛୁଥିବାର ଦେଖାଯାଇଥିଲା।
🌄🌴🌹✍️ ସଞ୍ଜୟ ✍️ 🌹 🌳 🌝

Leave a Reply

Your email address will not be published. Required fields are marked *