ଅଳ୍ପ ଗଳ୍ପ. ଛାଡ଼ପତ୍ରର ଆନନ୍ଦ//ଯେଉଁ ଛାଡ଼ପତ୍ର ଅତୀତରେ ଏକ ଅଭିଶାପ ପରି ମନେ ହେଉଥିଲା,ସେହି ଛାଡ଼ପତ୍ର ଆଜି ବୁଝାମଣା ଓ ଖୁସିର କାରଣ ହୋଇଛି।

Spread the love

ଛାଡ଼ପତ୍ରର ଆନନ୍ଦ
ମଉସା ମାଉସୀଙ୍କ ଦେହାନ୍ତର ଅନେକ ଦିନ ପରେ ତାଙ୍କ ଘରକୁ ଯାଇଥିଲି।ରମେଶ ନନା ତାଙ୍କର ଏକମାତ୍ର ପୁଅ।ଦୁଇ ଭଉଣୀଙ୍କର ବିବାହ ହୋଇଯାଇଥାଏ।ରମୁ ନନା,ରଞ୍ଜୁ ଭାଉଜ ଦୁଇଟି ପିଲାଙ୍କ ସହିତ ହସ ଖୁସିରେ ଥାଆନ୍ତି।ଖରାଦିନ।ଭାଉଜ ଦେଖି ଖୁସି ହୋଇଗଲେ। ସଙ୍ଗେ ସଙ୍ଗେ ଗୋଟିଏ ଗ୍ଲାସରେ ଦହି ସରବତ ଆଣି ଦେଲେ। ମୁଁ ନମସ୍କାର କରି ଚୌକିରେ ବସି ଢକ୍ ଢକ୍ କରି ସରବତ ଗ୍ଲାସଟା ପିଇ ଶେଷ କରିଦେଲି। ଚାରି ବଖୁରିଆ ନୂଆ କୋଠା ଘର ଖଣ୍ଡେ କରିଛନ୍ତି। ପିଲାଙ୍କ ପଢା ବହି ଟେବୁଲ୍ ଉପରେ ଖେଳେଇ ହୋଇ ପଡିଥାଏ।ପାଖରେ ଗୋଟିଏ ଲାମ୍ଵିନେସନ ପେପରଟି କଣ ଦେଖିବାପାଇଁ ଟାଣି ଆଣିଲି।ସେଇଟା ଗୋଟାଏ ପରିବାର ଅଦାଲତର ଡିଭର୍ସ ସାର୍ଟିଫିକେଟ ଥିଲା। ଆଶ୍ଚର୍ଯ୍ୟ ହୋଇ ପଢିଲି।ରଞ୍ଜୁ ଭାଉଜ ଆଉ ରମେଶ ନନାଙ୍କ ଡିଭର୍ସ ସାର୍ଟିଫିକେଟ୍।ଦେଖୁ ଦେଖୁ ଭାଉଜ ମୋ ହାତରୁ ଟାଣି ନେଇଗଲେ। ସେତେବେଳକୁ ମୁଁ ପଢି ସାରିଥିଲି ସେଥିରେ କଣ ଲେଖା ଯାଇଛି।ଟିକେ ଦୂରରେ ରମୁ ନନା ମୋତେ ଚାହିଁ ମୁରୁକି ମୁରୁକି ହସୁଥାନ୍ତି।
ମୁଁ ପଚାରିଲି
ନନା ଏଇଟା କଣ?
ରମୁ ନନା କହିଲେ
ତୁ ପଢିସାରି ଆଉ କଣ ପଚାରୁଛୁ?
ଭାଉଜ ମୋ ହାତରୁ ସେ ସାର୍ଟିଫିକେଟ ନେଇ ଆଲମିରାରେ ରଖି ମୋ ଆଡକୁ ଚାହିଁ ଠିଆ ହୋଇଥାନ୍ତି।
ମୁଁ ପଚାରିଲି
ତୁମେ ଦୁଇଜଣତ ଖୁବ୍ ଖୁସିରେ ଅଛ
ତେବେ ଏଇ ଡିଭର୍ସ ପେପର ପୁଣି କାହିଁକି?
ରମୁ ନନା କହିଲେ
ଆରେ ବୋକା !
ଏଇ ଡିଭର୍ସ ସାର୍ଟିଫିକେଟ ପାଇଁ ଆମେ ଖୁସିରେ ଅଛୁ
ଏଇଟା ନଥିଲେ ଏ ଘର କେମିତି ହୋଇଥାନ୍ତା?
କଣ ଆମର ଜମିବାଡି ଅଛି ନା ଆଉ ତୋ ପରି ଚାକିରୀରୁ ମାସକୁ ମାସ ପଇସା ଆସୁଛି ଯେ ସେଥିରେ ଆମେ ଖୁସିରେ ରହି ଘର କରିପାରିଥାନ୍ତୁ?ଏଇ ଡିଭର୍ସ ନେବାପରେ ଦୁଇ ଦୁଇଟା ଆବାସ ସରକାରଙ୍କଠାରୁ ମିଳିଛି। ପିଲାଙ୍କ ପାଠ ପଢାରେ ଗୋଟିଏ ପଇସା ଖର୍ଚ୍ଚ ନାହିଁ।ଦୁଇଟା ରାସନ୍ କାର୍ଡ ମିଳିଛି।ଭାଉଜଙ୍କୁ ତୋର ଭତ୍ତା ମିଳୁଛି।ଖୁସିରେ ଘର ଚଳୁଛି।ଏବେ ଆମର ଏଇଟା ଗୋଟିଏ ହସଖୁସିର ଡବଲ୍ ଇଞ୍ଜିନ୍ ପରିବାର। ଗୋଟିଏ ଇଞ୍ଜିନ୍ ଅଟକିଗଲେ ଅନ୍ୟ ଇଞ୍ଜିନ୍ ଆଗକୁ ବଢିବାରେ ଅସୁବିଧା ନାହିଁ।
ରମୁ ନନା ଆଉ ରଞ୍ଜୁ ଭାଉଜଙ୍କର ଖୁସିର ସୀମା ନଥାଏ।ସତେ ଯେପରି ବିବାହ ବନ୍ଧନ ଅପେକ୍ଷା ଏଇ ବିବାହ ବିଚ୍ଛେଦ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଅଧିକ ସୁଦୃଢ କରି ଖୁସି ଭରିଦେଇଛି।
ମୁଁ ଆଶ୍ଚର୍ଯ୍ୟ ହେଲି ।
ଡିଭର୍ସ ପଛରେ ଦାମ୍ପତ୍ୟ ଜୀବନର ଖୁସି ଏମିତି ଥାଏ ଏକଥା ମୋତେ ଜଣା ନଥିଲା।
ସଞ୍ଜୟ ରଥ ଭୁବନେଶ୍ୱର ✍️
ଯେଉଁ ଛାଡ଼ପତ୍ର ଅତୀତରେ ଏକ ଅଭିଶାପ ପରି ମନେ ହେଉଥିଲା,ସେହି ଛାଡ଼ପତ୍ର ଆଜି ବୁଝାମଣା ଓ ଖୁସିର କାରଣ ହୋଇଛି।

Leave a Reply

Your email address will not be published. Required fields are marked *