ନୀତିନିଷ୍ଠ ରାଜନୀତିଜ୍ଞ ଥିଲେ ନାରାୟଣ ସାହୁ : ଜଷ୍ଟିସ ମହାପାତ୍ର
ବ୍ରହ୍ମପୁର,୨୯ା୦୬: ଦର୍ଶନ ସମୀକ୍ଷା
ସମାଜବାଦୀ ନେତା ତଥା ଖଲିକୋଟର ପୂର୍ବତନ ବିଧାୟକ ନାରାୟଣ ସାହୁ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଥିଲେ ବୋଲି ଆଜି ନାରାୟଣ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବହୁବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି।
ବିଶିଷ୍ଟ ସମାଜବାଦୀ ନେତା ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଶ୍ୱନାଥ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ନାରାୟଣ ସାହୁଙ୍କୁ ଜଣେ ସରଳ ତଥା ନିର୍ଭୀକ ରାଜନେତାଭାବେ ଅଭିହିତ କରିଥିଲେ। ସମାଜବିଜ୍ଞାନୀ ତଥା ବରିଷ୍ଠ ଆଇନଜୀବୀ ଭଗବାନ ସାହୁ ନିଜ ରାଜନୈତିକ ଜୀବନରେ ନାରାୟଣ ସାହୁଙ୍କ ପତିଆରାର ବର୍ଣ୍ଣନା କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଷ୍ଣୁଚରଣ ଚୌଧୁରୀ ଶ୍ରୀ ସାହୁଙ୍କ ରାଜନୈତିକ ଉତ୍ଥାନ ପତନର ଘଟଣା ବର୍ଣ୍ଣନା କରିବା ସହ ନିଜ ନିର୍ବାଚନମଣ୍ଡଳୀରେ ନାରାୟଣ ସାହୁଙ୍କ ଲୋକପ୍ରିୟତା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭୁବନେଶ୍ୱରସ୍ଥ ଲୋହିଆ ଏକାଡେମୀର ସଚିବ ଦେବ ରାୟ ଯୋଗଦେଇ ଲୋହିଆଙ୍କ ଅନୁଗାମୀ ନାରାୟଣ ସାହୁଙ୍କ ସମାଜବାଦୀ ଜୀବନଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚ୍ୟାଉ ପଟ୍ଟନାୟକ ସ୍ମୃତିଚାରଣ କରିଥିଲେ। ବରିଷ୍ଠ ତଥା ବର୍ଷୀଆନ୍ ସାମ୍ବାଦିକ ନରସିଂହ ସାହୁଙ୍କୁ ପ୍ରଥମ ନାରାୟଣ ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।
ପ୍ରଥମେ ନାରାୟଣ ସାହୁ ସ୍ମୃତି ସମିତିର କାର୍ଯ୍ୟକାରୀ ସଭାପତି ନବୀନ ସମ୍ପାଦକ ରବି ରଥ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ନାରାୟଣ ସାହୁଙ୍କ ନାମରେ ଏକ ପାଣ୍ଠି ଗଠନ କରାଯାଇ ତାହାକୁ ଲୋହିଆ ଏକାଡେମୀରୁ ପରିଚାଳନା କରାଯିବା, ନାରାୟଣ ସାହୁଙ୍କ ସମ୍ପର୍କରେ ଲେଖାମାନ ସଂଗ୍ରହ କରାଯାଇ ତାହାର ସଂକଳନ କରାଯିବା ନେଇ ମତପ୍ରକାଶ ପାଇଥିଲା। ପ୍ରତିବର୍ଷ ୯ ଜାନୁଆରୀରେ ନାରାୟଣ ସାହୁଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ ସହ ବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସ୍ଥିର ହୋଇଥିଲା।
ଶେଷରେ ସ୍ମୃତିସମିତି ସମ୍ପାଦକ ଦଣ୍ଡପାଣି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Leave a Reply