ରଥ ଉପରେ ଅଣ ସେବକ କେମିତି?ଅନୁମତି ମିଳିଲା କେମିତି? ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଲେ ଜଣେ ଅବତାରୀ ପୁରୁଷ। ସେ ଅନ୍ତର୍ଯ୍ୟାମୀ, ସେ ନିରାକାର ସେ ସର୍ବବ୍ୟାପୀ ଓ ପୁଣି ମାୟାବୀ। ସେ ପୁଣି ଭାବର ଠାକୁର। ଯେଉଁ ଠାରେ ଭାବ ନାହିଁ, ସେ ସେଠୁ ବହୁତ୍ ଦୂରରେ।ଯାହାର ତତ୍ତ୍ଵ ସ୍କନ୍ଦ ପୁରାଣ ଠାରୁ ଆରମ୍ଭ କରି ଗୀତା, ଭାଗବତ, ମାଳିକା ସବୁଠି ଚର୍ଚ୍ଚିତ।ସତରେ, ଏ ଅନୁଭୂତି ଓ ଭାବାବେଗ ମୁଁ ପରିପ୍ରକାଶ ମଧ୍ୟ କରିପାରୁ ନାହିଁ_ଦିଲ୍ଲୀପ ମଙ୍ଗରାଜ ଦେଉଳକରଣ ସେବକ ବଡ ଠାକୁର ପୁରୀ

Spread the love

ମୋର କିଶୋର ଅବସ୍ଥାର ର ବଂଧୁ ଙ୍କ ସହ ଏକ ବିଚିତ୍ର ଅନୁଭୂତି ୨୦୨୫ ର ଘୋଷ ଯାତ୍ରା ମୋର ଜଣେ ବାଲ୍ୟ ବଂଧୁ (ସ୍କୁଲ୍ ର) ଏହି କିଶୋର ଅବସ୍ଥାର ବଂଧୁ ଟିକୁ ଭଲ ଭାବରେ ଜାଣିଅଛି।

ନିଜକୁ ଅତ୍ୟନ୍ତ ଭାଗ୍ୟବାନ ଏତି ପାଇଁ ମନେକରେ କାରଣ ମୁଁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପରିବାରର ଏକ ସଦସ୍ୟ। ହେତୁ ପାଇଲା ଦିନୁ ଦୀର୍ଘ ୫୦ ବର୍ଷ ଧରି ମୁଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଘୋଷ ଯାତ୍ରା ଦେଖି ଆସୁଅଛି।
ପିତା ଙ୍କ ସାଙ୍ଗରେ ଅନେକ ଥର ଚନ୍ଦନ ଚାପ ଓ ଭଉଁରୀ ଠାରୁ ଆରମ୍ଭ କରି, ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ ବେଳେ ମଧ୍ୟ ରହିଛି। କିନ୍ତୁ, ଏଥର ଘୋଷ ଯାତ୍ରା ର ଅନୁଭୂତି ଅତ୍ୟନ୍ତ ଭାବାତ୍ମକ ଏବଂ ଭାବ ବହୁଳ। ସତରେ, ଭକ୍ତ ଟିଏ ପାଇଁ ସାଆନ୍ତେ କେତେ ଯେ ଆକୁଳ ତାହା ଆଜି ମୋର ଏହି ଅନୁଭୂତି ଟିରୁ ମୁଁ ସ୍ପଷ୍ଟ ବାରି ପାରୁଚି।

ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା, ସକାଳୁ ସକାଳୁ ବାହାରି ଗଲି ଭିତର ପହଣ୍ଡି ଦର୍ଶନ କରିବା ପାଇଁ।
ଯିବା ପୂର୍ବରୁ ମୋର ସ୍କୁଲ୍ ବେଳର ଅନେକ ବାଲ୍ୟ ବଂଧୁ ଏବଂ ମୋ କିଶୋର ଅବସ୍ଥାର (କଲେଜ୍ ସାଙ୍ଗ) କୁ ମଧ୍ୟ ନିମନ୍ତ୍ରଣ କରିଥିଲି ମୋ ପୁରୀ ଠାରେ ଥିବା ଘରେ ରହି ପ୍ରଭୁ ଙ୍କ ଘୋଷ ଯାତ୍ରା ଦେଖିବା ପାଇଁ।
କିନ୍ତୁ କୌଣସି ବାଲ୍ୟବନ୍ଧୁ କିଛି ବି ଆସିବାର ଆଗ୍ରହ ଦେଖାଇଲେ ନାହିଁ।
କିନ୍ତୁ ମୋର ସେହି କିଶୋର ଅବସ୍ଥାର ସାଙ୍ଗ ଟି କଥା ବାରମ୍ବାର କାହିଁକି ମନରେ ଆସୁଥାଏ। ସେ ୧୯୯୨ ମସିହା ରେ ପୁରୀ ରେ ଚାକିରି ମଧ୍ୟ କରୁଥିଲା ଏବଂ ୧୯୯୩ ମସିହା ଠାରୁ ପ୍ରତ୍ୟେକ ବର୍ଷ ଘୋଷ ଯାତ୍ରା ଦେଖିବା ପାଇଁ ପୁରୀ ଆସେ ବୋଲି ମୁଁ ଏ ବର୍ଷ ଜାଣିବାକୁ ପାଇଲି।
ଭୋର୍ ପ୍ରାୟ ୫.୩୦ ବେଳକୁ ସେ ଘରୁ ଗୋଡ଼ କାଢିବା ପାଇଁ ମନସ୍ଥ କରିଛି ଶ୍ରୀ ଜୀଉ ମାନଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ।
ମୁଁ ପ୍ରତ୍ୟକ ଦିନ ତାକୁ ରଚନା କରୁଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ କବିତା ଗୁଡ଼ିକୁ ପଠାଏ ଓ ସେ ବଡ଼ ଆଗ୍ରହ ସହକାରେ ତାକୁ ପଢ଼େ ମଧ୍ୟ।

ସେ ଏତେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରିୟ ଯେ ଯଦି କୌଣସି ଗୋଟିଏ ବି ଦିନ ମୁଁ ଲେଖୁଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ କବିତା ତାକୁ ନ ପଠାଏ, ସେ ମୋତେ ବହୁତ୍ ଗାଳି ଦିଏ। ମୁଁ କର୍ମ ବ୍ୟସ୍ଥତା ମଧ୍ୟରେ ଦେଇ ପାରେନା। କିନ୍ତୁ ସେ ଭାରି ବ୍ୟତି ବ୍ୟସ୍ଥ ହେଇଯାଏ। ସେ କୁହେ “ଆରେ ସାଙ୍ଗ, ପ୍ରଭୁ ଙ୍କ ସେବକ ହୋଇ ତାଙ୍କରି ଆଶୀର୍ବାଦ ରେ ତୁ ଯେଉଁ ସାଆନ୍ତଙ୍କ କବିତା ପ୍ରତ୍ୟେକ ଦିନ ଲେଖୁଚୁ, ତାକୁ ମୁଁ ମୋର ଅନ୍ୟ ୱାଟସାପ୍ ଗ୍ରୁପ୍ ରେ ପ୍ରାୟ ୫୦ ଜଣଙ୍କୁ ଦେଉଛି। ସମସ୍ତେ ଖୁବ୍ ଆନନ୍ଦରେ ସେ କବିତା ଗୁଡ଼ିକୁ ପଢ଼ନ୍ତି। ତୁ ମତେ ନ ଦେଲା ମାନେ ଆଉ ୫୦ ଜଣ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ସେ କବିତା ରୁ ବିଚ୍ୟୁତ ହୋଇ ରହୁଛନ୍ତି। ତେଣୁ, ଜମା ସେମିତି ସାଙ୍ଗ କରିବୁ ନାହିଁ”
ହଁ, କହୁ କହୁ କବିତା ଆଡ଼କୁ ଚାଲି ଗଲି।
ସକାଳୁ ପ୍ରାୟ ୨୭୦ ରୁ ୨୮୦ କିଲୋମିଟର ଯାତ୍ରା କରି ଆସିଲେ ହିଁ ସେ ବଡ଼ ଦାଣ୍ଡରେ ଶ୍ରୀ ଜୀଉ ମାନଙ୍କ ଦର୍ଶନ କରି ପାରିବ।
ସେହିଦିନ ମଧ୍ୟ ମୋର କବିତା ଟି ବୋଧେ ତାରି ପାଇଁ ପ୍ରଯୁଜ୍ୟ ଥିଲା। ବଡ଼ି ଭୋରରୁ ପ୍ରାୟ ୪.୩୦ ru ୪.୫୪ ସମୟରେ ମୁଁ ତାକୁ ଘୋଷ ଯାତ୍ରା ଦିନ ସକାଳୁ ନିମ୍ନ ଲିଖିତ କବିତା ଟି ପୋଷ୍ଟ୍ କରିଥିଲି। 👇
*ନନ୍ଦିଘୋଷ ରଥ ଚାହିଁ ଵସି ଅଛି
ରଥେ ବିଜେ ହେବେ କଳା ବାମନ
ତୁମ ବିନୁ ପରା ଅଲୋଡ଼ା ମୋ ପିଣ୍ଡ
ସାଆନ୍ତେ,ମୁଁ ପିଣ୍ଡ ହେଲେ ତୁମେ ପରାଣ🙏

ଚାରିଶ କୋଷ ରୁ, ବା’ଟ ମୁଁ ଚାଲୁଛି
ନନ୍ଦିଘୋଷେ ପ୍ରଭୁ ଥିବଟି ରହି
ବେନି ନେତ୍ର ମୋର ହୋଇବ ପବିତ୍ର
ଚକା ଚକା ଆଖି ଦେଲେ ମୁଁ ଚାହିଁ 🚩
*
ଏବଂ ସେ ଗୋଟିଏ ଘଣ୍ଟା ମଧ୍ୟରେ ନିଜକୁ ପ୍ରସ୍ତୁତ କରି ଠିକ୍ ୫.୩୦ ମିନିଟ୍ ସମୟରେ ନିଜର ଏକ ଲମ୍ବା ବିସ୍ତୀର୍ଣ୍ଣ ଯାତ୍ରା ଆରମ୍ଭ କଲା ପୁଣି ପ୍ରାୟ ୧୫ ବର୍ଷ ର ଏକ ପୁରୁଣା ମଟରସାଇକେଲ ରେ। ବୟସ ପ୍ରାୟ ୬୩+
ମୁଁ ଦେଉଳ ଭିତରେ ଚତୁର୍ଦ୍ଧା ମୂର୍ତ୍ତି ମାନଙ୍କର ଆଭିତର ପହଣ୍ଡି ଦର୍ଶନ କରିବା ରେ ବ୍ୟସ୍ତ। ମୋତେ ବି ସେ କିଛି କହିନି ଯେ ସେ ଏତେ ଦୂରରୁ, ଏ ବୟସରେ ପୁଣି ମଟରସାଇକେଲ ରେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରିବାକୁ ଆସୁଛି ବୋଲି।
ପହଣ୍ଡି ସରିଲା, ଛେରାପହଁରା ନୀତି ସମ୍ପନ୍ନ ସରିଲା, ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ରଥ ଟଣା ସରିବା ପରେ ମୁଁ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କଲି
ଘରକୁ ଫେରି, ମୁହଁ ହାତ ଧୋଇ କଣ ଟିକେ ଖାଦ୍ୟ ଗହଣ କରି ଚାଲିଗଲି ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ମଠ କୁ। ମୋ ଘରୁ ଶ୍ରୀ ମନ୍ଦିର ଏବଂ ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ମଠ ଖୁବ୍ ନିକଟ। ସନ୍ଧ୍ୟା ଧୂପ ମଠରେ ସରିବା ପରେ ଘରକୁ ଫେରି ଦୁଇ ଖଣ୍ଡ ରୁଟି ଆଉ ଟିକେ ଡ଼ାଲମା ଖାଇ ମୁଁ ବିଶ୍ରାମ ଗଲି। ଘରେ ଯେହେତୁ ଟିଭି ନାହିଁ ତେଣୁ ରଥ ଗୁଡ଼ିକ କେଉଁ କେଉଁ ସ୍ଥାନରେ ଦଣ୍ଡାୟମାନ ଜାଣିବାର କିଛି ଉପାୟ ନ ଥିଲା କିମ୍ବା ନିଉଜ୍ ଶୁଣିବା ପାଇଁ ମୋବାଇଲ୍ ରେ ବାଲାନ୍ସ ମଧ୍ୟ ସରିଯାଇଥିଲା। ତେଣୁ ଆଖି ବନ୍ଦ କରୁ କରୁ ନିଦ ଆସିଗଲା।
ରାତି ଠିକ୍ ୧୨.୪୫ ମିନିଟ୍ ସମୟରେ ମୋ ମୋବାଇଲ୍ ଫୋନ୍ ଟି ବାଜି ଉଠିଲା ଆଉ ଦେଖିଲି ସକାଳେ ଯେଉଁ କିଶୋର ଅବସ୍ଥାର ବନ୍ଧୁଟି କଥା ଭାବୁଥିଲି ସେହି ବଂଧୁ ମହାନ୍ତି ଫୋନ୍ କରିଛି।
ଫୋନ୍ ଉଠାଇ ପଚାରିଲି, “ଆବେ, ଏତେ ରାତିରେ ଫୋନ୍ କଲୁ ଯେ ସାଙ୍ଗ”? ତାର ଉତ୍ତର ଥିଲା ” ସାଙ୍ଗ ତୋର ଆଜିର କବିତା ଟି ପଢ଼ି ମୁଁ ଆଉ ରହି ପାରିଲିନି ରେ, ଭାବିଲି ତୁ ଯେତେବେଳେ ପୁରୀ ରେ ଅଛୁ ତେଣୁ ଏ ସୁଯୋଗ କାହିଁକି ହାତ ଛଡ଼ା କରିବି? ମନେ ମନେ କାଳିଆ ସାଆନ୍ତେ ଙ୍କୁ ବାଟ ଯାକ ଗୁହାରୀ କରି କରି ଆସୁଛି, ସାଆନ୍ତେ ରଥରେ ସେମିତି ଥିବ, ମୁଁ ତମକୁ ସିଂହ ଦୁଆରେ ଦର୍ଶନ କରିବା ନିମନ୍ତେ ଇଚ୍ଛା ପ୍ରକାଶ କରି ଅଛି। ଦୀର୍ଘ ୩୩ ବର୍ଷ ହେଲା ମୁଁ ଦେଉଳ ରେ କିମ୍ବା ଆଡ଼ପ ମଣ୍ଡପରେ ହିଁ ଦର୍ଶନ କରି ପାରୁଛି। କେବେ ମଧ୍ୟ ତୁମକୁ ରଥ ଉପରେ ବାମନ ବେଶ ରେ ଦର୍ଶନ କରି ନାହିଁ। ଏଇ ଥରୁଟିଏ ମୋତେ ରଥ ଉପରେ ନିହାତି ଦର୍ଶନ ଦେବ। ମୋତେ ଆଦୌ ହତାଦର କରିବନି ପ୍ରଭୁ”
ତାର ଫୋନ୍ ଟି ଗ୍ରହଣ କଲା ପରେ ତାକୁ ମୋର ବାଲି ସାହି ଘରକୁ ଡ଼ାକିଲି ବହୁ ପଥ ଅତିକ୍ରମ କରି ଆସିଥିବାରୁ ରାତିରେ ବିଶ୍ରାମ ନେବା ପାଇଁ।
ଘରେ ପହଞ୍ଚି ମଟରସାଇକେଲ ଟି ରଖିଦେଇ କହିଲା “ସାଙ୍ଗ ଚାଲେ, ଯିବା ନନ୍ଦିଘୋଷ ରଥରେ କାଳିଆ ସାଆନ୍ତେ ଙ୍କୁ ଦର୍ଶନ କରିବା ଆଉ ଟାଉନ୍ ଥାନା ନିକଟରେ ଥିବା ଆଉ ଦୁଇ ରଥ ମଧ୍ୟ ଦର୍ଶନ କରିବା। ବାହାରେ, ଶୀଘ୍ର ବାହାରେ।
ମୁଁ କହିଲି “ସାଙ୍ଗ, ହାଲିଆ ହେଇ ଆସିଚୁ, ଟିକେ ବିଶ୍ରାମ ନେ, ତୋର କଣ ଆଉ ସେ କିଶୋର ଅବସ୍ଥା ଅଛି,୬୩ ବୟସ ହେଲା ପରା”।
ଏ କଥା ଶୁଣି ଖୁବ୍ ହସିଲା ଓ ମୋତେ ପରିହାସ କଲା ମଧ୍ୟ। କହିଲା” ତତେ ୬୩ ହେଇଥିବ, ମୁଁ ଏବେ ବି ତୋର ସେହି କିଶୋର ଅବସ୍ଥାର ସାଙ୍ଗ, ମୁଁ ଜମା ହାଲିଆ ହେଇନି, ତୁ ମୋ ସଙ୍ଗେ ଯିବୁ କି ନ ଯିବୁ ଆଗ କହ? ମୁଁ ଏବେ ସଙ୍ଗେ ସଙ୍ଗେ ଯିବି କାଳିଆ କୁ ଦର୍ଶନ କରିବା ପାଇଁ, ନ କଲେ, ମୁଁ ତୋ ଘରେ ପାଣି ମଧ୍ୟ ଗ୍ରହଣ କରିବି ନାହିଁ”
ପୁଣି ମୋତେ କହିଲା”ସାଙ୍ଗ, ଜାଣିଛୁ“? କାଲି କାଳିଆ ସାଆନ୍ତେ ସିଂହ ଦ୍ୱାର ଠାରେ ଅଟକି ରହିଛନ୍ତି, ସେଠୁ ମାତ୍ର ୪ ରୁ ୬ ହାତ ଯାଇ ପୁଣି ଅଟକି ଅଛନ୍ତି। ସତରେ, ସାଙ୍ଗ, ମୁଁ ବଡ଼ ଭାଗ୍ୟବାନ, ପ୍ରଭୁ ମୋ ଅନୁରୋଧ ରକ୍ଷା କରିଅଛନ୍ତି ଆଉ ସବୁଠୁ ବଡ଼ ଭାଗ୍ୟବାନ ତୋ ଭଳି ଜଣେ ସେବକ ବଂଧୁ ଟିଏ ପାଇ”।
ମୁଁ ନିଜକୁ ବିଶ୍ୱାସ ମଧ୍ୟ କରିପାରିଲି ନାହିଁ ଯେ ଗତକାଲି ନନ୍ଦିଘୋଷ ରଥ ଅଟକି ରହିଛି ବୋଲି। ମୁଁ ମଧ୍ୟ ସଙ୍ଗେ ସଙ୍ଗେ ଘରୁ ବାହାରିଲି ତାରି କଥାକୁ ବିଶ୍ୱାସ କରି। ସତରେ, ମୋ ଘରୁ ମାତ୍ର ୭୦୦ ମିଟର ଗଲା ପରେ ନନ୍ଦିଘୋଷ ରଥ କୁ ଦୂରରୁ ଦେଖି ପାରିଲି, ରାତି ଯାକ ପ୍ରବଳ ଜନ ସମାବେଶ। ରଥରେ କାଳିଆ ସାଆନ୍ତେ ଙ୍କୁ ଦେଖି ମୋ ସାଙ୍ଗ ଟି ଭୋ ଭୋ ହୋଇ କାନ୍ଦି ପକେଇଲା। ମୁଁ ମଧ୍ୟ ନିଜକୁ ଆଉ ସମ୍ଭାଳି ପାରିଲି ନାହିଁ, ଭୋ ଭୋ ହୋଇ ବହୁତ୍ କାନ୍ଦି ପକେଇଲି।
ମନେ ମନେ କହିଲି, ” ଭଲ ବଂଧୁ ଟିଏ ପାଇଚ ସାଆନ୍ତେ, ଭଲ ବଂଧୁ ଟିଏ ପାଇଚ, ସାତଶ ପଚାଶ କୋଶ ରୁ ଡ଼ାକି କି ଚୁପ୍ ଚାପ୍ ଏଠି ବସିଚ “।
ଦର୍ଶନ ସାରି ଘରକୁ ଫେରୁ ଫେରୁ ପ୍ରାୟ ଭୋର ୪.୩୦ ସମୟ, ମୁଁ କହିଲି,”ଏଥର ହାତ ଗୋଡ଼ ଧୋଇ ଟିକେ ଚାହା ପିଇ ଦେ, ସୋଇପଡେ଼, କାଲି ରବିବାର, କାଲି ଯିବୁ ” ସେ ମୋ କଥା କିଛି ଶୁଣିଲା ନାହିଁ, ଖାଲି ଲାଲି ଚାହା ଟିକେ ପିଇ ପୁଣି ପ୍ରାୟ ୨୮୦ କିଲୋମିଟର ଯାତ୍ରା ଆରମ୍ଭ କରିବା ପାଇଁ ମଟରସାଇକେଲ ଟିକୁ ଷ୍ଟାର୍ଟ କରି ଦେଇ ମୋତେ ଧନ୍ୟବାଦ୍ ଜଣାଇ ଚାଲିଗଲା। ମୁଁ ଏକ ଲୟରେ ତାକୁ ଚାହିଁ ରହି ମନେ ମନେ ଭାବିଲି, ହେ ପ୍ରଭୁ ତାକୁ ତୁ ହିଁ ଶକ୍ତି ପ୍ରଦାନ କରିଛୁ ଏତେ ବାଟ ଯିବା ଆସିବା ପାଇଁ। ସତରେ ତତେ ବୁଝିବା କାଠିକର ପାଠ। ତେଣୁ ତୁ
କାହାକୁ ଦେଉଚୁ ଅମାପ ର ଶକ୍ତି କାହାକୁ କରୁ ଶ୍ରୀ ହୀନ🚩 ଯିଏ ଭାବରେ ଡାକୁଛି, ଭାବରେ ଶୁଣୁଛୁ ତୁ କେମିତି ବୁଝୁ ତା ମନ🙏

ସତରେ, ଏ ଅନୁଭୂତି ଓ ଭାବାବେଗ ମୁଁ ପରିପ୍ରକାଶ ମଧ୍ୟ କରିପାରୁ ନାହିଁ। ଏହି କିଶୋର ଅବସ୍ଥାର ବଂଧୁ ଟିକୁ ମୋର ଜଣେ ବାଲ୍ୟ ବଂଧୁ (ସ୍କୁଲ୍ ବେଳ ର ସାଙ୍ଗ) ଭଲ ଭାବରେ ଜାଣିଛି।

ତେଣୁ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଲେ ଜଣେ ଅବତାରୀ ପୁରୁଷ। ସେ ଅନ୍ତର୍ଯ୍ୟାମୀ, ସେ ନିରାକାର ସେ ସର୍ବବ୍ୟାପୀ ଓ ପୁଣି ମାୟାବୀ। ସେ ପୁଣି ଭାବର ଠାକୁର। ଯେଉଁ ଠାରେ ଭାବ ନାହିଁ, ସେ ସେଠୁ ବହୁତ୍ ଦୂରରେ।
ଯାହାର ତତ୍ତ୍ଵ ସ୍କନ୍ଦ ପୁରାଣ ଠାରୁ ଆରମ୍ଭ କରି ଗୀତା, ଭାଗବତ, ମାଳିକା ସବୁଠି ଚର୍ଚ୍ଚିତ।
ଯିଏ ଥରେ ତାଙ୍କ ପ୍ରେମରେ ପଡ଼ିଛି ତାକୁ ଏ ଦୁନିଆ ରେ ସବୁ କିଛି ଫିକା ଫିକା ମନେ ହୁଏ। ଅଦ୍ଭୁତ ତାଙ୍କର ସୃଷ୍ଟି। ଅଦ୍ଭୁତ ତାଙ୍କର ଆକାର। ସେ ଝୁଲି ଝୁଲି ପହଣ୍ଡିରେ ଚାଲି ଚାଲି ବାଇଶି ପାହାଚ ଓହ୍ଲାଇ ଆସନ୍ତି। ହାତ ନାହିଁ କିନ୍ତୁ ସମସ୍ତ ଭକ୍ତ ମାନଂକୁ କୋଳାଗ୍ରତ କରିବା ପାଇଁ ଦୁଇ ହସ୍ତ କୁ ମେଲାଇ ସ୍ଵାଗତ ମୁଦ୍ରା ରେ ରତ୍ନସିଂହାସନ ରେ ବିରାଜମାନ କରିଥାନ୍ତି। ପାଟି ନାହିଁ କିନ୍ତୁ ଷାଠିଏ ପଉଟି ଖାଇବାକୁ ଭାରି ଆଗ୍ରହୀ ।କାନ ନାହିଁ କିନ୍ତୁ ଭକ୍ତ ର ଗୁହାରୀ ଆଗ୍ରହ ସହକାରେ ଶୁଣିଥାନ୍ତି।
ସେଥିପାଇଁ ସେ ଜଗତ ର ନାଥ ଶ୍ରୀ ଜଗନ୍ନାଥ।
ସାଧାରଣ ଭକ୍ତ ଟିଏ ପାଇଁ ସେ ଭାରି ସରଳ। ଯିଏ ତାଙ୍କୁ ଯେପରି ବୁଝନ୍ତି ସେ ତାକୁ ସେହି ପରି ଭାବ ପ୍ରଦାନ କରନ୍ତି।
ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଚିନ୍ତା, ଚେତନା ଓ ତତ୍ତ୍ଵ କୌଣସି ଗୋଟିଏ ସରଳ ରେଖରେ ଗତି ନ କରି ତିର୍ଯ୍ୟକଭାବେ ଗତି କରି ଥାଏ।

ଦିଲ୍ଲୀପ ମଙ୍ଗରାଜ

Leave a Reply

Your email address will not be published. Required fields are marked *