ରାୟଗଡ଼ା,୧୧ା୭(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ସମ୍ପର୍କୀୟ ପିଉସୀ ଓ ପୁତୁରାଙ୍କ ପ୍ରେମସମ୍ପର୍କକୁ ନେଇ ଗାଁ ଲୋକେ ବୈଠକ କରି ପ୍ରେମୀଯୁଗଳଙ୍କୁ ଚାଷଜମିରେ ହଳ କରି ଦଣ୍ଡ ଦେଇଥିବା ଘଟଣା ଏବେ ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ସିକରପାଇ ପଞ୍ଚାୟତ କଞ୍ଜାମଯୋଡ଼ି ଗ୍ରାମରେ। ତେବେ ଗାଁରେ ଏହି ଦଣ୍ଡ ମିଳିବା ପରେ ପ୍ରେମୀଯୁଗଳଙ୍କ ପତ୍ତା ମିଳୁନି। ସେମାନେ କେଉଁଆଡ଼େ ଚାଲି ଯାଇଛନ୍ତି କି ଏନେଇ କିଛି ଜଘନ୍ୟ କାଣ୍ଡ ଘଟିଛି ତାହାକୁ ନେଇ ଗାଁର କେହି ବି ମୁହଁ ଖୋଲୁନାହାନ୍ତି। ଏହିି ଘଟଣାଟି ଗୁରୁବାର ଘଟିଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, କଞ୍ଜାମଯୋଡ଼ି ଗ୍ରାମର ଯୁବକ କୋଡ଼ିୟା ସାରକା(୨୮) ଓ ତାଙ୍କ ଦୂର ସମ୍ପର୍କୀୟ ପିଉସୀ(୩୨) ଉଭୟ ପରସ୍ପରକୁ ଦୀର୍ଘଦିନରୁ ପ୍ରେମ କରିଆସୁଥିଲେ। ଉଭୟେ ବିବାହ ପାଇଁ ଯୋଜନା କରି ଫେରାର ହୋଇଯାଇଥିଲେ। ହେଲେ ଏ ବିଷୟରେ ଜାଣିବା ପରେ ପରିବାରବର୍ଗ ମନା କରିବା ସହିତ ଗାଁ ଲୋକେ ସେମାନଙ୍କୁ ଗାଁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଁ ଲୋକେ ଉଭୟ ପ୍ରେମୀଯୁଗଳଙ୍କୁ ଚାଷଜମିରେ ବଳଦ ବଦଳରେ ହଳ କରାଇ ଦଣ୍ଡ ଦେଇଥିଲେ। ତେବେ ତାହା ପରଠାରୁ ପ୍ରେମୀଯୁଗଳ ଗାଁରେ ନ ଥିବା ଜଣାପଡ଼ିଛି।
ଏନେଇ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରାଙ୍କୁ ଯୋଗାଯୋଗ କରିବାରୁ ଆମ ନିକଟକୁ ସେଭଳି କୌଣସି ଅଭିଯୋଗ ଆସି ନ ଥିବା କହିଛନ୍ତି। ହେଲେ ବର୍ତ୍ତମାନ ଦଣ୍ଡ ବିଧାନ ପରେ ପ୍ରେମୀଯୁଗଳ କେଉଁଆଡ଼େ ଫେରାର ହୋଇଯାଇଛନ୍ତି ଅଥବା ସେମାନଙ୍କ ସହିତ ଅନ୍ୟ କିଛି ଘଟଣା ଘଟିଛି ତାହା ବର୍ତ୍ତମାନ ତଦନ୍ତସାପେକ୍ଷ। ତେବେ ସମାଜରେ ଆଜି ବି ଏହିଭଳି ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ପରିବର୍ତ୍ତେ ଏଭଳି ଦଣ୍ଡବିଧାନ କେତେ ଦୂର ଗ୍ରହଣୀୟ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୌଜନ୍ୟ :ଧରିତ୍ରୀ ଡିଜିଟାଲ
Leave a Reply