ବାଲିମେଳା ସରସ୍ବତୀ ଶିଶୁ ମନ୍ଦିରରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ମାଲକାନଗିରି: ଦର୍ଶନସମୀକ୍ଷା
ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସୋମବାର ସକାଳ ପ୍ରାୟ ୯ ଘଟିକା ସମୟରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଅଛି। ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବାଲିମେଳା ଶିଶୁ ବିଦ୍ୟାମନ୍ଦିରର ସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସହ ଜିଲ୍ଲା ପ୍ରମୁଖ ଚିତ୍ତରଞ୍ଜନ ନାୟକ, ବାଲିମେଳା ସରସ୍ବତୀ ଶିଶୁ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ଶୁଭାରମ୍ଭ କରିଥିଲେ।ଏଥିରେ ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମେତ ଚିତ୍ରକୋଣ୍ଡା, ଖଇରପୁଟ, କୋରୁକୋଣ୍ଡା ଏବଂ କିଚପାଲ୍ଲୀ ଶିଶୁ ମନ୍ଦିରର ଛାତ୍ରୀ ଛାତ୍ର ମାନେ ଅଂଶଗ୍ରହଣ କରିଥିଲେ। ତେବେ ଏଥିରେ ଶିଶୁବର୍ଗର
୨୫ ଟି ପ୍ରକଳ୍ପ ଏବଂ ବାଲ ବର୍ଗରେ
୧୫ ଟି ସର୍ବମୋଟ ୪୦ ଟି ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ତତ ସହିତ ସଂସ୍କୃତିଜ୍ଞାନ ପ୍ରଶମଞ୍ଚ ଶିଶୁବର୍ଗ ଓ ବାଲବର୍ଗ , ବିଜ୍ଞାନ ପ୍ରଶ୍ନ ମଞ୍ଚ, ବୈଦିକ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପତ୍ର ବାଚନ , ପ୍ରୟୋଗ, ଗଣିତ -ପ୍ରୟୋଗ ପତ୍ରବାଚନ,ପ୍ରବନ୍ଧ ଶିଶୁବର୍ଗ ଏବଂ ବାଲବର୍ଗ ଆଦି ପ୍ରତିଯୋଗିତା ମାନ କରାଯାଇ ଶୁଶୁ ମାନଙ୍କପକ୍ଷରୁ ମିଳିଥିବା ଉତ୍ତର ଗୁଡିକର ମୂଲ୍ୟାଙ୍କନ କରାଯାଇଥିଲା।ଏଥିରେ ଆପନମାଳା ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ଦାସ,ଏମଭି -୨୩ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଅତିବୁଦ୍ଧି, ବାଲିମେଳା ବିଜ୍ଞାନ ବୈଷୟିକ ମହାବିଦ୍ୟାଳୟର ଅଧ୍ୟାପିକା ଲିପ୍ସା ଗମାଙ୍ଗ ଏବଂ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଧାଂଶୁ ପଣ୍ଡା ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ରହି ସମସ୍ତ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହ ସେଗୁଡିକର ମୂଲ୍ୟାଙ୍କନ କରିଥିଲେ। ଏହି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ବାଲିମେଳା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଚିତ୍ରକୋଣ୍ଡା ପ୍ରଧାନ ଆଚାର୍ଯ୍ୟ ନରସିଂହ କୋପେ, କିଚପାଲ୍ଲୀର ପ୍ରଧାନ ଆଚାର୍ଯ୍ୟ ତ୍ରିନାଥ ମାହାନ୍ତି, ଖଇରପୁଟର ପ୍ରଧାନ ଆଚାର୍ଯ୍ୟା ସର୍ମିଷ୍ଠା
କଅଁରଙ୍କ ସମେତ ସବୁ ଶିକ୍ଷାନୁଷ୍ଠାନର ଗୁରୁଜୀ ଗୁରୁମାମାନେ ଉପସ୍ଥିତ ରହି ଏହି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।ଏହି ଜ୍ଞାନ ବିଜ୍ଞାନ ମେଲାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ତଥା କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ହେବାକୁ ଥିବା ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ସାରଦା ବିହାର ଜୟପୁର, ମୂଖିଗୁଡା ଏବଂ ନବରଙ୍ଗପୁରରେ ଥିବା ସରସ୍ବତୀ ଶିଶୁ ମନ୍ଦିରକୁ ପଠାଯିବ ବୋଲି ସ୍କୁଲ କତୃପକ୍ଷଙ୍କ ଠାରୁ ସୂଚନା ମିଳିଛି।
Leave a Reply