ଓଡ଼ିଶୀ ନୃତ୍ୟକଳାର ଏକମାତ୍ର ଅନୁଷ୍ଠାନ ନିମାପଡ଼ାର ନୃତ୍ୟାଳୟା ଡ୍ୟାନ୍ସ ଏକାଡେମୀର ୧୬ତମ ବାର୍ଷିକ ଉତ୍ସବ ‘ବୈଶାଖୀ’ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି। ସ୍ଥାନୀୟ ମୁକ୍ତାକାଶ ମଞ୍ଚ ଠାରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ଅନୁଷ୍ଠାନର କୁନିକୁନି କଳାକାର ମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନ ମୁଗ୍ଧକର ହୋଇଥିଲା। ନିମାପଡ଼ା ପ୍ରେସକ୍ଲବ ଓ ଟାଉନ କ୍ଲବର ସଭାପତି ଅକ୍ଷୟ ବେହେରା ଏବଂ ସଂଗୀତ ନାଟକ ଏକାଡେମୀ ସମ୍ମାନୀତ ଗୁରୁ ଜୟକୃଷ୍ଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ଓଡ଼ିଶୀ ନୃତ୍ୟ ଛନ୍ଦରେ ମଙ୍ଗଳାଚରଣ ଶାନ୍ତାକାରାମ, ସ୍ଥାୟୀ, ଓଡ଼ିଶୀ ଅଭିନୟରେ ନାଚନ୍ତି ରଙ୍ଗେ ଶ୍ରୀହରି, ଲଳିତ ଲବଙ୍ଗଲତା ପରିସିଜନ ଅତ୍ୟନ୍ତ ମନ ମୁଗ୍ଧକର ହୋଇ ଥିବାବେଳେ ପଲ୍ଲୀ ନୃତ୍ୟ ଚଉରା ବନ୍ଦନା, ଇଟିକିଲି ମିଟିକିଲି, ଟିକି ଟିକି ଫୁଲ ଆମେ, ସୁନ୍ଦର ମୋ ଜନମ ଭୂମି ଉଚ୍ଚକୋଟୀର ଥିଲା।

ସମ୍ବଲପୁରୀ ନୃତ୍ୟ ପଖାନ ଉପରେ ଝରନ ପାନିର ତାଳେ ତାଳେ ସମଗ୍ର ଉତ୍ସବସ୍ଥଳ ଝୁମି ଉଠିଥିଲା। ଶେଷରେ ନୃତ୍ୟାଭିନୟ ମାଣିକ ପାଟଣା ଦହି ଅତ୍ୟନ୍ତ ଆଦୃତ ହେବାସହ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଓଡ଼ିଶୀ ନୃତ୍ୟ କଳାକୁ ଖାଲି ରାଜ୍ୟ ନୁହେଁ ଦେଶବିଦେଶରେ ଆଦୃତ କରାଇବା ଏବଂ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ନିର୍ଦ୍ଦେଶକ ବିଷ୍ଣୁ ଚରଣ ସାସମଲ। ଏହି ଅବସରରେ ନିମାପଡ଼ାରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଇଂ.ହେମାମାଳିନୀ ପତିଙ୍କୁ ନୃତ୍ୟାଳୟା ସମ୍ମାନ ଏବଂ ଜଗତସିଂହପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଶଶାଙ୍କ ଶେଖର ନାୟକଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନରେ ସମ୍ମାନୀତ କରା ଯାଇଥିଲା। ଅନୁଷ୍ଠାନର ସହ ନିର୍ଦ୍ଦେଶକ ସୁଦେଷ୍ଣା ପ୍ରଧାନ, ଗୁରୁ ରାଜକିଶୋର ଜେନା, ଇତିଶ୍ରୀ ରାୟ, କୃଷ୍ଣପ୍ରିୟା ବେହେରା, ସ୍ଵର୍ଣ୍ଣପ୍ରଭା ଖଟୋଇ,ପାୟଲ ଦାସ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ନିରଞ୍ଜନ ପଳତା ଏବଂ ପ୍ରଜ୍ଞା ପରିମିତା ନାୟକ।
Leave a Reply