ଇନ୍ଦ୍ରାବତୀ ପ୍ରକଳ୍ପରେ 2000 ମସିହା ସୁଦ୍ଧା 5989ଟି ପରିବାର ବାସଚ୍ୟୁତ ହୋଇଛନ୍ତି। ସେଥିରେ ନବରଙ୍ଗପୁରର 1871, କୋରାପୁଟର 1043 ଏବଂ କଳାହାଣ୍ଡିର 3075 ପରିବାର ଅନ୍ତର୍ଭୁକ୍ତ । ପୁନଃର୍ବସତି ପାଇଁ ଅନୁଦାନରେ ଚବିଶ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେମାନଙ୍କର ଏକ ବର୍ଷର ଚଳିବା ପାଇଁ ଖର୍ଚ୍ଚ ବାବଦ ସାଢ଼େ ତିନି କୋଟି ଟଙ୍କା ବଣ୍ଟା ଯାଇଛି । ସ୍ଥାନଚ୍ୟୁତ ଲୋକମାନେ ଥଇଥାନ ପାଇଁ ମୋଟ 18683 ଏକର । କିଣିଛନ୍ତି। ପୁନଃବାସ ଗ୍ରାମପୁଞ୍ଜ ଗୁଡ଼ିକରେ ସମୁଦାୟ 335ଟି କୂପ ଓ 64ଟି ପୋଖରୀ ଖୋଳାଯାଇଛି । 49ଟି ସ୍କୁଲ ଗୃହ ଓ 170ଟି ସଂଯୋଜିକା ରାସ୍ତା ନିର୍ମିତ ହୋଇଛି । ଏପରି ପୁନଃବାସ ଗ୍ରାମପୁଞ୍ଜର ସଂଖ୍ୟା 102 ଅଟେ ।ସମୁଦାୟ 105 ବୁଡ଼ିଗ୍ରାମ ମଧ୍ୟରୁ କୋରାପୁଟର 44ଟି ଓ କଳାହାଣ୍ଡିର 61ଟି ଗ୍ରାମ ଅନ୍ତର୍ଭୁକ୍ତ ।
ବାସଚ୍ୟୁତ ହେବା ଦିନର ଗୋଟିଏ ଦୃଶ୍ୟ ଦେଖୁବା ପାଇଁ ମୋତେ ଭୂୟାଁ ବାବୁ ପ୍ରବର୍ତାଇଲେ । ସେ ଦିନ ଶୁକ୍ରବାର, ଜ୍ୟେଷ୍ଠ ମାସ ବଡ଼ି ଭୋରରୁ ମୁଁ ଓ ଭୂୟାଁ ବାବୁ ଗୋଟିଏ ଜିପ୍ ଯୋଗେ ଉପରପଙ୍ଗା ଗ୍ରାମାଭିମୁଖେ ଚାଲିଲୁ । ନାଙ୍ଗି ଆଡ଼ିବନ୍ଧ ଓ ଗୁଟୁଖାଲ ନାଳ ପାରି ହୋଇ କାଶିପୁରରୁ ବହି ଆସୁଥିବା ଗୋଲାଗାର ନଦୀ କୂଳେ କୂଳେ ଯାଇ ଉପର ପଙ୍ଗା ଗ୍ରାମରେ ନଅଟାବେଳେ ପହଞ୍ଚୁଲୁ । ଆଗରୁ ଆମର ଆଲୋଚନା ଅନୁଯାୟୀ ଲୋକେ ଘର କାନ୍ଥ ଗୁଡ଼ିକ ଅଧାଅଧ୍ ଭାଙ୍ଗି ଦେଇଥିବାରୁ ଆବାସ ଯୋଗ୍ୟ ପାଇଁ ଅନୁପଯୁକ୍ତ ହୋଇ ସାରିଥିଲା । ସକାଳୁ କେତେକ ଲୋକ କୁଡ଼ିଆ ଗୁଡ଼ିକର ଛପର ଉଠାଇବାର ଲାଗିଥାନ୍ତି । କିଛି ସୋର ଶବଦ ନାହିଁ କି କାହା ମୁହଁରେ ସରାଗ ନାହିଁ । ଆମେ ଗାଁଟି ବୁଲି ସାରି ନଈ ଆଡ଼କୁ ଚାଲିଲୁ । ଗୋଲାଗାର ନଦୀଟି ଅଳ୍ପ ଦୂରରେ ଯାଇ ଇନ୍ଦ୍ରାବତୀ ନଦୀରେ ପଡ଼ୁଛି । ନଦୀ କୂଳରେ ଦୁଇଟି ବଡ଼ ମହୁଲ ଗଛ । ଟିକିଏ ଦୂରରେ ଗୋଟିଏ ପର୍ଚ୍ଛା ସ୍ଥାନରେ ଦୁଇଟି ମୋଟା ଶୁଖିଲା ଗଛ ଗଣ୍ଠି ପୋତା ହୋଇଛି । ତାର ଡ଼ାହାଣ ପଟେ ଛୋଟ ଶାଳ ବଣ । ପୋଡା କାଠ ଗଣ୍ଡିଟି ହେଲା ଗ୍ରାମ ଦେବତୀ । ମହୁଲ ଗଛ ତଳେ ଭାତ ଓ ମାଣ୍ଡିଆ ରନ୍ଧା ହେଉଛି । ସାଡ଼େ ଦଶଟା ବେଳକୁ ଗ୍ରାମବାସୀମାନେ ଗୋଟି ଗୋଟି ହୋଇ ନଈ କୂଳକୁ ଆସିଲେ । ଭୂୟାଁବାବୁଙ୍କ ସହିତ କଥା ହେବାପାଇଁ ତୁରନ୍ତ ନଦୀରେ ବୁଡ଼ ପକାଇ ଜଣେ ଦୌଡ଼ି ଆସିଲା । ଅନ୍ୟମାନେ ନଦୀରେ ଦୁଇତିନି ଥର ବୁଡ଼ ପକାଇ ଠାକୁରାଣୀ କାଠ ପାଖରେ ଆସି ରୁଣ୍ଡ ହେଲେ । ଗୋଟିଏ ଛେଳିକୁ ଗାଧୋଇ କାଠ ପାଖକୁ ଅଣାଗଲା । ଜଣେ ଲୋକ କଣ ଗୋଟିଏ ମନ୍ତ୍ର ପଢ଼ିଲା ପରି ଗୁଣୁ ଗୁଣୁ ହୋଇ ଛେଳିର ସ୍ପନ୍ଧ ଛେଦନ କଲା । ଛେଳିଟି ଛଟପଟ ହୋଇ ମରି ଶୋଇଲା । ଭୁଇଁ ଉପରେ ଥୋଡ଼େ ଲାଲ ରକ୍ତ ବୋହିଗଲା । ମୃତ ଛେଳିଟାକୁ ଟେକି ଟେକି ଦୁଇଜଣ ନେଇଗଲେ ମହୁଲଗଛର ଚୁଲି ମୁଣ୍ଡକୁ। ତାପରେ ହଠାତ୍ ଯେପରି ଏକ କରୁଣ ଚିତ୍କାରରେ ଚତୁର୍ଦ୍ଦିଗ କମ୍ପମାନ ହେଲା । ଓଦା ଲୁଗାରେ ପିଲାରୁ ବୁଢ଼ା ପର୍ଯ୍ୟନ୍ତ ଭୂଇଁର ମାଟିରେ ହାତ ବାଡ଼େଇ ସେଇ ମାଟି ବୋଳା ପାପୁଲିଟିକୁ ମୁହଁରେ, କପାଳରେ, ବୁକୁରେ ବାଡ଼େଇ କାନ୍ଦୁଛନ୍ତି, ବୋବାଳି ଛାଡ଼ୁଛନ୍ତି । କିଏ କେଉଁ ମନ୍ତେ ବିଚ୍ଛୁରିତ ବିକୃତ ରଡ଼ି ଛାଡ଼ି ଭୂଇଁରେ ଗଡ଼ୁଛନ୍ତି, ଠାକୁରାଣୀ କାଠ ଉପରେ ମୁଣ୍ଡ ବାଡ଼ଉଛନ୍ତି। ରକ୍ତ ଭିଜା ମାଟି ମୁଣ୍ଡରେ ମାରୁଛନ୍ତି ।
କିଏ ଖାଲି ଆକାଶକୁ ଚାହିଁ ଛାତିରେ କରାଘାତ କରୁଛି । କିଏ ଦୌଡ଼ି ଯାଇ ବଣର ଗଛଟାଏକୁ ଜାବୁଡ଼ି ଧରୁଛି। କିଏ କେଉଁମନ୍ତେ, କେଉଁ ଠାଣିରେ କ୍ରନ୍ଦନରତ ହୋଇ ଲୁହଧାର ଗଡ଼ାଉଛି ଟିକିନିଖ୍ ବର୍ଣ୍ଣନା କରିବା ଅସମ୍ଭବ । ଆମେ ଆବାକ୍, ଜଡ଼ ପାଲଟି ଯାଇଥିଲୁ ।
ଆମକୁ ଏହି ପ୍ରକୃତ ନାଟକର ଅର୍ଥ ବୁଝିବାକୁ ବାକି ରହିଲା ନାହିଁ । ଯୁଗ ଯୁଗ ଧରି ଆମ ଅଜା, ତାଙ୍କ ଅଜା ଏପରି କାହିଁ କେତେ ପୂର୍ବପୁରୁଷ ଏଇ ମାଟି ଉପରେ, ଏଇ ଆକାଶ ତଳେ ରହି ଆସିଥିଲୁ। ଏ ନଈ ଆମ ଦେହରେ ରସ ଯୋଗାଇଛି, ଏ ମାଟି ଆମ ଦେହରେ ମାଂସ ଭରିଛି। ଏ ବଣ ପାହାଡ଼ରେ ଆମେ ନାଚିଛୁ, କୁଦିଛୁ। ଏଇ ଆକାଶ ଚାନ୍ଦୁଆତଳେ ଆମେ କେତେ ନିର୍ଭୟରେ ଚଳୁଥୁଲୁ । ହେଲେ ମା ମାଉଲୀ (ଗ୍ରାମ ଦେବତୀ) ଆମକୁ ଆଜି କ୍ଷମା କର । ତୁମେ ଆମକୁ ଛାଡ଼ି ନାହଁ । ଆମେ କେତେ ନିର୍ଦ୍ଦୟ ଓ ପାପୀ ଯେ ତୁମର ଯୁଗ ଯୁଗର ଆଶ୍ରାକୁ ଛାଡ଼ି ଆଉ କେଉଁ ଅଜଣା ମାଟି ଆକାଶ ତଳେ ରହିବାକୁ ଆମେହିଁ ଯାଉଛୁ । ଆମର କୁକର୍ମ ପାଇଁ ଆମେ ହିଁ ଦାୟୀ । ଆମକୁ କ୍ଷମା କର । କ୍ଷମା କର ।
ଘଣ୍ଟାଏ ପରେ କ୍ରନ୍ଦନ ରୋଳ ଶେଷ ହେଲା । ଦିନ ବାର ବାଜି ସାରିଲାଣି । ଏବେ ଗ୍ରାମବାସୀମାନଙ୍କୁ ତୁରନ୍ତ ଖାଇ ସାରି, ଜିନିଷ ପତ୍ର ବାନ୍ଧି ଦିନ ଥାଉଣୁ ଚାଲି ଚାଲି ଯିବାକୁ ପଡ଼ିବ । ଆମ ଉପସ୍ଥିତି ସେମାନଙ୍କୁ ଅଡ଼ୁଆରେ ପକାଇପାରେ । ତେଣୁ ଆମେ ନିରବରେ ଘରକୁ ଫେରିଲୁ । ବାଟରେ ପଦେ ହେଲେ କଥାବାର୍ଭା ନାହିଁ ।
😢😢😢😢😢
From the book – ଇନ୍ଦ୍ରାବତୀ ର କାହାଣୀ by ଦାଶରଥି ନନ୍ଦ
Leave a Reply