ସୋମବାର ସକାଳ। ବ୍ୟାଙ୍କ୍ରେ ଗହଳି ଚହଳି ଲାଗିଥିଲେ ବି ଚିଫ୍ କ୍ୟାସିୟର୍ ବେଦପ୍ରକାଶ ମାଲହୋତ୍ରା କ୍ୟାବିନ୍ରେ ବସି ଜଣେ ଗ୍ରାହକଙ୍କ ସହିତ ଆଳାପ କରୁଥିଲେ। ୨୬ ବର୍ଷ ତଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ନାଁ ଇମ୍ପେରିୟାଲ୍ ବ୍ୟାଙ୍କ୍ ଥିବା ସମୟରୁ ତାଙ୍କ ଚାକିରି ଆରମ୍ଭ। ପଦୋନ୍ନତି ପାଇ ପାଇ ଏବେ ସେ ବ୍ୟାଙ୍କ୍ର ପାର୍ଲାମେଣ୍ଟ୍ ଷ୍ଟ୍ରିଟ୍ ଶାଖାର ମୁଖ୍ୟ କ୍ୟାସିୟର୍। କିନ୍ତୁ, ସେଦିନ ଅର୍ଥାତ୍ ୧୯୭୧ ମସିହା ମେ ୨୪ ତାରିଖ ପୂର୍ବାହ୍ନ ୧୧.୪୫ରେ ଜୀବନ ଆକସ୍ମିକ ଭାବେ ବଦଳି ଯିବ ବୋଲି ତାଙ୍କର ଧାରଣା ନ ଥିଲା।
କଥା ହେବେ ପ୍ରଧାନମନ୍ତ୍ରୀଙ୍କ ସଚିବ !
ଏତିକି ବେଳେ ତାଙ୍କ ଡେସ୍କ୍ରେ ଥିବା ୩ଟି ଟେଲିଫୋନ୍ରୁ ଗୋଟିଏ ବାଜିଲା। ସେ ରିସିଭର୍ ଉଠାଇଲେ। ସେପଟୁ ଶୁଭିଲା, ”ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ହସ୍କର୍ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି।” ମାଲହୋତ୍ରା କହିଲେ, ”ତାଙ୍କୁ ଫୋନ୍ ଦିଅନ୍ତୁ।” ଫୋନ୍ରେ ଆଉ ଜଣଙ୍କ କଣ୍ଠସ୍ବର ଶୁଭିଲା, ଯାହା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପରମେଶ୍ବର ନାରାୟଣ ହସ୍କର୍ଙ୍କ କଣ୍ଠସ୍ବର ଭଳି ଶୁଭୁଥିଲା। ସେ କହିଲେ, ”ମୁଁ ଆପଣଙ୍କୁ ଗୋଟାଏ ଗୁପ୍ତ କଥା କହିବି। ଆପଣଙ୍କ ରୁମ୍ରେ ଯଦି କେହି ବସିଛନ୍ତି ତାଙ୍କୁ ଚାଲିଯିବାକୁ କୁହନ୍ତୁ।” ମାଲହୋତ୍ରା ଫୋନ୍ ରିସିଭର୍ ଉପରେ ହାତ ଢାଙ୍କି ଗ୍ରାହକଙ୍କୁ କହିଲେ, ”ମୋର କିଛି ଗୁରୁତ୍ବପୂର୍ଣ୍ଣ କଥା ଶୁଣିବାକୁ ଅଛି। ଦୟାକରି, ଆପଣ ବାହାରେ ବସି ଅପେକ୍ଷା କରନ୍ତୁ।” ତାଙ୍କ ସାମ୍ନାରେ ବସିଥିବା ଗ୍ରାହକଜଣକ ଥିଲେ ଦିଲ୍ଲୀର ଅବୈତନିକ ମାଜିଷ୍ଟ୍ରେଟ୍ ମଥୁରା ଦାସ।
୬୦ ଲକ୍ଷ ଟଙ୍କା ଆବଶ୍ୟକ
ମଥୁରା ଦାସ କାଚ କ୍ୟାବିନ୍ରୁ ବାହାରକୁ ଚାଲି ଆସିବା ପରେ ରୁମ୍ରେ କେହି ନାହାନ୍ତି ଜଣାଇ ମାଲହୋତ୍ରା ପୁଣି ଫୋନ୍ରେ ହସ୍କର୍ଙ୍କ ସହ କଥାହେଲେ। ସେ କହିଲେ, ”ପ୍ରଧାନମନ୍ତ୍ରୀ ଗୋଟାଏ କାର୍ଯ୍ୟ ପାଇଁ ୬୦ ଲକ୍ଷ ଟଙ୍କା ପଠାଇବାକୁ ଚାହାନ୍ତି। କିନ୍ତୁ, ଏକଥା ଅତି ଗୁପ୍ତରେ ହେବା ଆବଶ୍ୟକ। ସେ ଜଣେ ଲୋକ ପଠାଇବେ। ଆପଣ ସେ ଲୋକକୁ ଟଙ୍କା ଦେଇଦେବେ।” ମାଲହୋତ୍ରା ପଚାରିଲେ, ”ଚେକ୍ ନା, ରସିଦ ବିନିମୟରେ ଟଙ୍କା ଦିଆଯିବ?” ସେପଟୁ ଶୁଭିଲା, ”ଖୁବ୍ ଜରୁରି ଓ ଗୁପ୍ତ କାର୍ଯ୍ୟ। ପ୍ରଧାନମନ୍ତ୍ରୀ ଏମିତି ଆଦେଶ ଦେଇଛନ୍ତି। ‘ଦି ଲୁଟ୍ ଫାଇଭ୍ ଲେଟର୍’ ନାଁରେ ରସିଦ ବା ଚେକ୍ ଦିଆଯିବ। ତା’ପରେ ପୁଣି କହିଲେ, ”ଏ ଟଙ୍କା ବାୟୁସେନା ବିମାନରେ ବାଂଲାଦେଶ ପଠାଯିବ। ତେଣୁ, ଗୋଟାଏ ଭ୍ୟାନ୍ରେ ଟଙ୍କାତକ ନେଇ ଫ୍ରି ଚର୍ଚ୍ଚ ଗେଟ୍କୁ ଆସନ୍ତୁ। ଏହା ଅତି ଗୁପ୍ତକାର୍ଯ୍ୟ ହୋଇଥିବାରୁ ଅନ୍ୟ କାହାକୁ କହିବେ ନାହିଁ। ଅବିଳମ୍ବେ ଟଙ୍କା ନେଇ ଆସନ୍ତୁ।” ଏତେ ଦିନର ଚାକିରି କାଳରେ ସେ ଏମିତି ପରିସ୍ଥିତିରେ ପଡ଼ି ନ ଥିଲେ। ତାଙ୍କ ପାଟି ଖନି ମାରିଗଲା। ସେ କହିଲେ, ”ବଡ଼ ଅଡୁଆ କାମ।”
ମୁଁ ବାଂଲାଦେଶ୍କା ବାବୁ
ସେପଟୁ ଶୁଭିଲା, ”ତା’ହେଲେ ଆପଣ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସଙ୍ଗେ କଥା ହୁଅନ୍ତୁ।” କ୍ଷଣିକ ପରେ ମାଲହୋତ୍ରା ଫୋନ୍ରେ ଶୁଣିଲେ ସୁପରିଚିତ କଣ୍ଠସ୍ବର, ”ମୁଁ ଇନ୍ଦିରା ଗାନ୍ଧୀ କହୁଛି। ଏବେ ମୋ ସଚିବ ଆପଣଙ୍କୁ ଯାହା ସୂଚନା ଦେଲେ, ବାଂଲାଦେଶରେ ଗୋଟାଏ ଗୁରୁତ୍ବପୂର୍ଣ୍ଣ ଗୁପ୍ତ କାର୍ଯ୍ୟ ଲାଗି ୬୦ ଲକ୍ଷ ଟଙ୍କା ତୁରନ୍ତ ଆବଶ୍ୟକ। ଶୀଘ୍ର ଟଙ୍କା ବାହାର କରି ରଖନ୍ତୁ। ମୁଁ କୋରିୟର୍ ପଠାଉଛି। ହସ୍କର୍ ଯେଉଁ ସ୍ଥାନ କଥା କହିେଲ, ଆପଣ ସେଠାରେ ତାଙ୍କୁ ସେ ଟଙ୍କା ଦେଇଦେବେ।” ମାଲହୋତ୍ରାଙ୍କର ହୃଦ୍ବୋଧ ହେଲା ଯେ, ଫୋନ୍ରେ ଶୁଭୁଥିବା କଣ୍ଠସ୍ବର ଭାରତର ପ୍ରଧାନମନ୍ତ୍ରୀଙ୍କର। ସେ ଆଶ୍ବସ୍ତ ହୋଇ କହିଲେ, ”ମୁଁ ସେ ଲୋକକୁ ଚିହ୍ନିବି କେମିତି?” ସେପଟୁ ଶୁଭିଲା, ”ସେ ଲୋକ ଆପଣଙ୍କୁ କୋଡ୍ ୱାର୍ଡ ‘ମୁଁ ବାଂଲାଦେଶ୍କା ବାବୁ’ ବୋଲି କହିବ। ଆପଣ କହିବେ, ”ମୁଁ ବାର୍-ଆଟ୍-ଲ’। ଏମିତି ଆପଣ ସୁନିଶ୍ଚିତ ହୋଇଯିବେ ଯେ, ସେ ମୋ କୋରିୟର୍। ତା’ପରେ ସେ ଯାହା କହିବ ଆପଣ ତାହା କରିବେ। ଟଙ୍କା ଦେଇ ସିଧା ମୋ ବାସଭବନକୁ ଆସିଲେ ଆପଣଙ୍କୁ ରସିଦ ମିଳିଯିବ।” ତା’ପରେ ଫୋନ୍ ଲାଇନ୍ କଟିଗଲା। ଏଥର ମାଲହୋତ୍ରା ଗୋଟାଏ ଟ୍ରଙ୍କ୍ରେ ଟଙ୍କା ନେଇ କାର୍ ଚଳାଇ ପ୍ରଧାନମନ୍ତ୍ରୀଙ୍କ କୋରିୟର୍ ବୋଲି କୁହାଯାଇଥିବା ସେ ବ୍ୟକ୍ତିଙ୍କୁ ଭେଟିବାକୁ ଗଲେ। ସେଠାରେ ସେ ଗୌରବର୍ଣ୍ଣ, ଦୀର୍ଘ ଓ ସୁଗଠିତ ଚେହେରାସମ୍ପନ୍ନ ଜଣେ ବ୍ୟକ୍ତିଙ୍କୁ ଭେଟିଲେ। ସେ ପ୍ରଧାନମନ୍ତ୍ରୀ କହିଥିବା କୋଡ୍ ୱାର୍ଡ କହିବାରୁ ମାଲହୋତ୍ରା ତାଙ୍କୁ ୬୦ ଲକ୍ଷ ଟଙ୍କା ଭରା ଟ୍ରଙ୍କ୍ ହସ୍ତାନ୍ତର କଲେ।
‘ଅପରେସନ୍ ତୁଫାନ୍’ ସଫଳ
ସଙ୍ଗେ ସଙ୍ଗେ ମାଲହୋତ୍ରା ରସିଦ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲେ। ଜଣାପଡ଼ିଲା କି ପ୍ରଧାନମନ୍ତ୍ରୀ ନାହାନ୍ତି ଓ ଟଙ୍କା ବ୍ୟାପାରରେ କାହାକୁ କିଛି କହି ନାହାନ୍ତି। ଏଥର ମାଲହୋତ୍ରା ଠକାମି ବିଷୟରେ ପୁଲିସରେ ଏତଲା ଦେଲେ। ଜଣାପଡ଼ିଲା କି, କେହି ଜଣେ ବ୍ୟକ୍ତି ଫୋନ୍ କରିଥିଲେ। ତାଙ୍କୁ ଗିରଫ କରିବା ଲାଗି ଇନ୍ସ୍ପେକ୍ଟର୍ ହରି ଦେବ ଓ ଏ. କେ. ଘୋଷଙ୍କୁ ନେଇ ସହକାରୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଡି. କେ. କଶ୍ୟପଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଗଲା ଓ ‘ଅପରେସନ୍ ତୁଫାନ୍’ ଆରମ୍ଭ ହେଲା। ଗୋଟିଏ ଦିନ ଭିତରେ ସେ ବ୍ୟକ୍ତିଙ୍କୁ ଗିରଫ କରାଗଲା। ସେ ଥିଲେ ପାର୍ସି ସମ୍ପ୍ରଦାୟ ବ୍ୟକ୍ତି ରୁସ୍ତମ୍ ସୋହରାବ୍ ନାଗରୱାଲା। ଠକି ନିଆଯାଇଥିବା ଟଙ୍କା ମଧ୍ୟ ତାଙ୍କ ପାଖରୁ ଉଦ୍ଧାର କରାଗଲା। ମେ ୨୬ ତାରିଖ ଦିନ ନାଗରୱାଲା ଦୋଷ ସ୍ବୀକାର କଲେ ଓ ୧୦ ମିନିଟ୍ ପାଇଁ ବସିଥିବା ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲେ। ତାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧୦୦୦ ଟଙ୍କା ଜରିମାନା ହୋଇଥିଲା। ଅନୌପଚାରିକ ଭାବେ ବ୍ୟାଙ୍କ୍ରୁ ୬୦ ଲକ୍ଷ ଟଙ୍କା ଉଠାଇଥିବା ଅଭିଯୋଗରେ ବେଦପ୍ରକାଶ ମାଲହୋତ୍ରା ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ନାଗରୱାଲାଙ୍କ ଆକସ୍ମିକ ମୃତ୍ୟୁ
ଦିଲ୍ଲୀରେ ବନ୍ଦୀ ଜୀବନ ବିତାଉଥିବା ନାଗରୱାଲା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ୧୯୭୨ ଫେବ୍ରୁଆରି ପ୍ରାରମ୍ଭରେ ତିହାର ଜେଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଗଲା। ଫେବ୍ରୁଆରି ୨୧ରେ ତାଙ୍କୁ ଜି. ବି. ପନ୍ତ୍ ହସ୍ପିଟାଲ୍ରେ ଭର୍ତ୍ତି କରାଗଲା। କିନ୍ତୁ ମାର୍ଚ ୨ ତାରିଖ ଦିନ ମଧ୍ୟାହ୍ନ ଭୋଜନ ପରେ ପରେ ସେ ଟଳି ପଡ଼ିଲେ। ନାଗରୱାଲା ମୃତ ବୋଲି ଅପରାହ୍ଣ ୨.୧୫ରେ ଘୋଷଣା କରାଗଲା। ସେଦିନ ଥିଲା ତାଙ୍କର ୫୧ତମ ଜନ୍ମଦିନ। କେବଳ ସେ ନୁହନ୍ତି, ଏ ଘଟଣାର ତଦନ୍ତ କରୁଥିବା ଜଣେ ପୁଲିସ ଅଧିକାରୀଙ୍କର ବି କିଛି ମାସ ମଧ୍ୟରେ ମୃତ୍ୟୁ ହୋଇଗଲା। ନାଗରୱାଲାଙ୍କ ମୃତ୍ୟୁକୁ ନେଇ ବିରୋଧୀ ବିବାଦ ଆରମ୍ଭ କଲେ। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଚ୍ଛନ୍ନ ସଂପୃକ୍ତି ଅଛି ବୋଲି ଅଭିଯୋଗ ଆଣିଲେ।
ରେଡ୍ଡୀ କମିସନ୍ଙ୍କ ୮୨୦ ପୃଷ୍ଠାର ରିପୋର୍ଟ
୧୯୭୭ରେ ଜନତା ପାର୍ଟି ସରକାର କ୍ଷମତାକୁ ଆସିବା ପରେ ଏହି ବହୁଚର୍ଚ୍ଚିତ ଠକାମି ଘଟଣାର ତଦନ୍ତ ଲାଗି ଜଷ୍ଟିସ୍ ପିଙ୍ଗଲ୍ ଜଗନମୋହନ ରେଡ୍ଡୀ କମିସନ୍ ନିଯୁକ୍ତ କରାଗଲା। ୧୯୭୮ରେ କମିସନ୍ ଏହି ମାମଲାରେ ୮୨୦ ପୃଷ୍ଠାର ରିପୋର୍ଟ ଦାଖଲ କଲା। ରିପୋର୍ଟରେ କୁହାଯାଇଥିଲା, ଷ୍ଟ୍ରଙ୍ଗ୍ରୁମ୍ରେ ବ୍ୟାଙ୍କ୍ ବ୍ୟକ୍ତିଗତ ଓ ହିସାବ ବହିର୍ଭୂତ ସମ୍ପତ୍ତି ରଖିଥିଲା ଏବଂ ଗାନ୍ଧୀଙ୍କ କାର୍ଯ୍ୟାଳୟ ପୁଲିସ ତଦନ୍ତରେ ବାଧା ଦେଇଥିଲା। କିନ୍ତୁ, ଗାନ୍ଧୀ ଏଭଳି ଭାବେ ବ୍ୟାଙ୍କ୍ରେ ଟଙ୍କା ରଖିଥିଲେ ବୋଲି କୌଣସି ପ୍ରମାଣ ମିଳି ନ ଥିଲା। ହୃଦ୍ଘାତ ଯୋଗୁଁ ନାଗରୱାଲ୍ଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କୁ କେହି ହତ୍ୟା କରି ନ ଥିଲେ ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିଲା।
ଇନ୍ଦିରାଙ୍କ କଣ୍ଠସ୍ବର ନକଲକାରୀ କିଏ?
ରୁସ୍ତମ୍ ସୋହରାବ୍ ନାଗରୱାଲ୍ ହିଁ ଇନ୍ଦିରା ଗାନ୍ଧୀଙ୍କ କଣ୍ଠସ୍ବର ନକଲ କରିଥିଲେ ବୋଲି ଅଭିଯୋଗ ହୁଏ। ନାଗରୱାଲା ଆଗରୁ ବ୍ରିଟିସ୍ ସେନାରେ ଗୁଇନ୍ଦା ଅଫିସର୍ ଭାବେ କାର୍ଯ୍ୟ କରିଥିଲେ। ଏ ଠକେଇ ସମୟରେ ବାଂଲାଦେଶରେ ମୁକ୍ତି ସଂଗ୍ରାମ ଚାଲିଥିଲା। ଅନୁମାନ କରାଯାଏ, ପ୍ରକୃତରେ ନାଗରୱାଲା ମୁକ୍ତି ବାହିନୀକୁ ପାଣ୍ଠି ଯୋଗାଇବା ଲାଗି ଭାରତୀୟ ଗୁଇନ୍ଦାଙ୍କ ତରଫରୁ କୋରିୟର୍ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ, ଏହା ଜନଶ୍ରୁତି ମାତ୍ର। ପ୍ରକୃତ ଘଟଣା ଗୁପ୍ତ ରଖାଯାଇଛି କହି ଏହି ପ୍ରସଙ୍ଗରେ ଅନେକ ବାଦବିବାଦ ସୃଷ୍ଟି ହୋଇ ପାଞ୍ଚ ଦଶନ୍ଧି ବିତି ଗଲାଣି, ହେଲେ ସତକଥା କ’ଣ ଆଜି ପର୍ଯ୍ୟନ୍ତ ଜଣା ପଡିନି..
ସୌଜନ୍ୟ ଦି ଇଷ୍ଟର୍ଣ ମିଡ଼ିଆ ଲିମିଟେଡ଼ ଭୁବନେଶ୍ୱର