Spread the love

ମୂଳ ଲକ୍ଷ୍ୟଠାରୁ ଦୂରେଇଯାଉଛି ପଞ୍ଚାୟତିରାଜ ବ୍ୟବସ୍ଥା

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ୦୨ ଅକ୍ଟୋବର ୧୯୫୯ରେ ପଞ୍ଚାୟତିରାଜ ବ୍ୟବସ୍ଥା ଗଠନ କରାଯାଇଥିଲା। ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ରାଜ୍ୟରେ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତସ୍ତରରୁ ଜଣେ ଲୋକପ୍ରତିନିଧିକୁ ନିର୍ବାଚିତ କରାଯାଇ ତାଙ୍କ ଜରୀଆରେ ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ରାସ୍ତା, ଘାଟ ଏବଂ ବିଜୁଳି ଭଳି ମୌଳିକ କାର୍ଯ୍ୟର ସୁଚିନ୍ତିତ ଖସଡା ପ୍ରସ୍ତୁତ କରି ଗ୍ରାମାଞ୍ଚଳ ଲୋକଙ୍କ ଅସୁବିଧା ଦୂରକରିବା ଏହାର ମୂଳ ଲକ୍ଷ୍ୟଥିଲା।

ଏଭଳି ମହତ୍ ଉଦେଶ୍ୟ ନେଇ ଗଠନ ହୋଇଥିବା ପଞ୍ଚାୟତିରାଜ ବ୍ୟବସ୍ଥା ଆଜି ତାର ମୂଳ ଲକ୍ଷ୍ୟରୁ ଦୂରେଇ ହୋଇଯାଉଛି। ପଞ୍ଚାୟତସ୍ତରରେ ପଲ୍ଲୀସଭା ଏବଂ ଗ୍ରାମସଭା କାଗଜକଲମରେ ପ୍ରସ୍ତୁତ କରାଯାଇ ପଞ୍ଚାୟତିରାଜ ନିୟମକୁ ଦଳିଚକଟି ଗ୍ରାମାଞ୍ଚଳର ସାମୁହିକବିକାଶକୁ ଜଳାଞଳି ଦିଆଯାଉଛି।ମୁଖ୍ୟତଃ ଗ୍ରାମାଞ୍ଚଳ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିଜୁଳି ଆଲୁଅ ଭଳି ମୌଳିକ କାର୍ଯ୍ୟ ନିମନ୍ତେ ଆସୁଥିବା ଅନୁଦାନ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ।
ଉଦାହରଣ ସ୍ୱରୁପ-ମନରେଗା ଯୋଜନାରେ ପ୍ରତିବର୍ଷ ପଞ୍ଚାୟତ ଅଧିନରେ ବିଭିନ୍ନ ବନ୍ଧ ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଉଛି। ପ୍ରତିବର୍ଷ ଦୁଇଲକ୍ଷରୁ ୫ଲକ୍ଷଟଙ୍କା ପର୍ଯ୍ୟନ୍ତ ବନ୍ଧ ଖନନ ଏବଂ ଉନ୍ନତିକରଣ ପାଇଁ ଅନୁଦାନ ଖର୍ଚ୍ଚ ହେଉଛି। ମାତ୍ର ବାସ୍ତବରେ ମନରେଗା ଯୋଜାନା କାର୍ଯ୍ୟକାରୀର ୧୭ବର୍ଷପରେ ବି ବନ୍ଧଗୁଡିକର ରୂପରେଖ ବଦଳିପାରୁନାହିଁ। ଯାହା କି ପଞ୍ଚାୟତିରାଜ ବ୍ୟବସ୍ଥାରେ ଚାଲିଥିବା ଆଖିବୁଜା ଦୁର୍ନୀତିକୁ ପ୍ରମାଣିତ କରୁଛି।ଅନ୍ୟପଟେ ସିଏଫସି ଏବଂ ଏସଏଫସି ଅନୁଦାନଗୁଡିକ ସଠିକଭାବେ କାର୍ଯ୍ୟକରୀ ହେବାରେ ବ୍ୟତିକ୍ରମ ମଧ୍ୟ ଘଟୁଛି। ଅଧିକ ଲାଭଖୋର ମନୋଭାବ ସାଙ୍ଗକୁ ଅଦୃଶ୍ୟ ପିସିକାରବାର ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକକାର୍ଯ୍ୟ ସଠିକଭାବେ ରୂପାୟନ ହୋଇପାରୁନାହିଁ। ସ୍ୱଛଭାରତ ମିଶନରେ ଚାଲିଥିବା ଶୌଚାଳୟ ନିର୍ମାଣ କାର୍ଯ୍ୟରେ ସବୁଠାରୁ ଅଧିକ ଦୁର୍ନୀତି ଚାଲିଛି। କେତେକ ପଞ୍ଚାୟତରେ ଯନ୍ତ୍ରୀ ପେଟିଠିକଦାର ଜରୀଆରେ ପରୋକ୍ଷରେ କାମକରି ଭଲି ଦି ପଇସା ରୋଜଗାର ଚଳେଇଛି। ଆଉ କେତେକ ସ୍ଥାନରେ ପୁରୁଣା ପାଇଖାନାକୁ ନୂଆ ପାଇଖାନା ଦର୍ଶାଇ ବିଲ କରାଯାଇ ସ୍ୱଛତା ମିଶନରେ ଅସ୍ୱଛତା କାର୍ଯ୍ୟ ଜାରିରହିଛି। ଅନ୍ୟପଟେ ତଳୁ ଉପରୁଯାଏଁ ବ୍ୟବସ୍ଥାରେ ଚାଲିଥିବା ଆଖିବୁଜା ଦୁର୍ନୀତି ଉପରେ ସରକାରଙ୍କ ଲଗାମ କାମକରୁନଥିବାରୁ ଏବେ ପଞ୍ଚାୟତିରାଜ ବ୍ୟବସ୍ଥାରେ ସବୁଠାରୁ ଅଧିକଦୁର୍ନୀତି ସମନାକୁ ଆସୁଛି। ପ୍ରଶାସନିକ କଳ ଗ୍ରାମାଚଂଳ ବିକାଶ ଦିଗରେ ଗୁରତ୍ୱାରୋପ କରିବା ବଦଳରେ ସହର,ବଜାର ବିକାଶ ଦିଗରେ ଅଧିକ ଗୁରୁତ୍ୱ ଦେଉଥିବାରୁ ପଞ୍ଚାୟତିରାଜ ବ୍ୟବସ୍ଥାର ଏବଂ ପଞ୍ଚାୟତିରାଜ ଦିବସ ପାଳନ ଯଥାର୍ଥ ପ୍ରତିଫଳିତ ହୋଇପାରୁନାହିଁ।

Leave a Reply

Your email address will not be published. Required fields are marked *