Spread the love

ମହାପ୍ରଭୁଙ୍କ ବଡ଼ସିଂହାର ବେଶରେ ଲାଗି ହୋଇଥିବା ଚନ୍ଦ୍ରିକା ଯଦି ଖସିପଡେ଼ ତେବେ ଘଣ୍ଟଛତ୍ର, କାହାଳୀ ସହ ଗଜପତିଙ୍କ ନିକଟକୁ ପଠା ଯାଇଥାଏ । ଦିନେ ଗଜପତି ପଶା ଖେଳୁଥିବାବେଳେ ରାଜଗୁରୁ ଚନ୍ଦ୍ରିକା ବଢ଼ାଇବା ବେଳେ ସେ ବାମହାତରେ ଗ୍ରହଣ କଲେ । ଏକଥା ଜାଣିବା ପରେ ରାଜା ନିଜକୁ ଧିକ୍କାର କରିବା ସହ ଅପରାଧି ମନେକଲେ । ପ୍ରତିଦିନ ରାତିରେ ରାଜା ଦୁଃସ୍ୱପ୍ନମାନ ଦେଖିଲେ । ଜଣେ କେହି ତାଙ୍କ ଆଡ଼କୁ ବାମହାତ ବଢ଼ାଉଥିବା ସେ ଦେଖିବାକୁ ପାଉଥିଲେ । ଦିନେ ଗଜପତି ଶୋଇଥିବା ବେଳେ ମନ୍ତ୍ରୀ ଧାରୁଆ ଖଣ୍ଡା ଧରି ଜଗିକି ରହିଲେ ।

ରାତିରେ ଝରକାର ବାହାର ପାଖରୁ ଭିତରକୁ ଏକ ହାତ ପ୍ରସାରିତ ହେଉଥିବା ଦେଖି ମନ୍ତ୍ରୀ ଚୋଟଟିଏ ପକାଇଲେ । ସେହି ହାତରେ ରାଜାଙ୍କ କଙ୍କଣ ଦେଖି ମନ୍ତ୍ରୀ ଚମକି ପଡ଼ିଲେ । ରାଜାଙ୍କ ଛିନ୍ନ ହସ୍ତକୁ ରାଜ ପ୍ରମୋଦ ଉଦ୍ୟାନରେ ପୋତି ଦିଆଗଲା । ଗଜପତି ସେବା କରିବା ପାଇଁ ଅନୁପଯୁକ୍ତ ହେବାରୁ ମୁଦିରଥ ସେବାର ପ୍ରଚଳନ ଆରମ୍ଭ ହୋଇଥିଲା ।

ଗଜପତିଙ୍କ ହାତ ଯେଉଁଠି ପୋତା ଯାଇଥିଲା ସେଥିରେ ନୂଆ ସୁବାସିତ ଗୁଳ୍ମ ସୃଷ୍ଟି ହୋଇଥିଲା । ଏହାର ନାମ ବି ମାଳି କହି ପାରିନଥିଲେ । ତେବେ ବିଦେଶୀ ଗୁଳ୍ମ ହୋଇଥିବାରୁ ଏହା ପ୍ରଭୁଙ୍କ ପୂଜାରେ ଲାଗୁନଥିଲା । କିନ୍ତୁ କିଛିଦିନ ପରେ ଗୁଳ୍ମର ପତ୍ର ସବୁ ଅପହୃତ ହେବା ଦେଖି ଗଜପତି ମାଳିଙ୍କୁ ଦଣ୍ଡାଦେଶ ଦେଇଥିଲେ । ତେବେ ପ୍ରଭୁ ଜଗନ୍ନାଥଙ୍କ ସ୍ୱପ୍ନାଦେଶ କ୍ରମେ ମାଳିଙ୍କୁ ଦୋଷମୁକ୍ତ କରିଥିଲେ । ପ୍ରଭୁ ଏହାକୁ ଭଲ ପାଉଥିବାରୁ ଏହାର ନାମ ଦୟଣା ରଖାଗଲା । ପ୍ରଭୁ ସବୁଦିନେ ଏହି ପତ୍ର ନେଉଥିଲେ । ପ୍ରଭୁଙ୍କର ଦୟଣା ପତ୍ର ଚୋରି କିମ୍ବଦନ୍ତୀକୁ ନେଇ ପ୍ରତି ବର୍ଷ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ପ୍ରଭୁଙ୍କର ଦୟଣା ଚୋରି ଯାତ୍ରା କିମ୍ବା ଦମନକ ଯାତ୍ରା ପାଳନ କରାଯାଇଥାଏ ।

ସେହିପରି ସେବେଠାରୁ ପ୍ରମୋଦ ଉଦ୍ୟାନର ନାମ ଜଗନ୍ନାଥ ବଲ୍ଲଭ ନାମରେ ଖ୍ୟାତିଲାଭ କରିଥିଲା ।

ଶ୍ରୀକ୍ଷେତ୍ରରେ ସାତଶହ ବାଉନ ମଠ ଥିଲେବି ଜଗନ୍ନାଥ ବଲ୍ଳଭ ମଠରୁ ପ୍ରତିଦିନ ସକାଳେ ଏକ ଶୁଖିଲା ଭୋଗ ଆସେ । ଯାହାକୁ ଜଗନ୍ନାଥ ବଲ୍ଲଭ ଭୋଗ ବୋଲି କୁହାଯାଏ । ଜଗନ୍ନାଥ ବଲ୍ଲଭ ମଠରୁ ପ୍ରଭୁଙ୍କ ଦୟଣା ଆସିଥାଏ । ପ୍ରତିଦିନ ମଠରୁ ଶ୍ରୀଜଗନ୍ନାଥଙ୍କ ପାଇଁ ଷୋଳ ହାତ, ବଳଭଦ୍ରଙ୍କର ଚଉଦ ହାତ ଓ ସୁଭଦ୍ରାଙ୍କ ପାଇଁ ବାର ହାତର ଫୁଲମାଳ ମନ୍ଦିରକୁ ଆସିଥାଏ ।

ନବକଳେବର ସମୟରେ ଦଇତାମାନେ ଜଗନ୍ନାଥ ବଲ୍ଳଭରେ ଦିନେ ରହିବା ପରେ ରାତି ଅଧରେ ଦାରୁ ଅନ୍ୱେଷଣ ପାଇଁ କାକଟପୁର ମଙ୍ଗଳାଙ୍କ ପାଖକୁ ଯାତ୍ରା କରିଥା’ନ୍ତି । ଯଦି ଦାରୁ ଅନ୍ୱେଷଣ ବା ବନଯାଗ ଯାତ୍ରା ବେଳେ କାହାର ଦେହ ଖରାପ ହୁଏ ତେବେ ସେ ଫେରିଆସି ଏଠାରେ ରହନ୍ତି । ଏହାକୁ ଦେବ ଉଦ୍ୟାନ ବୋଲି ମଧ୍ୟ କୁହାଯାଏ ।

⚫❣️⚫

Leave a Reply

Your email address will not be published. Required fields are marked *