Spread the love


lପାପମୋଚନୀ ଏକାଦଶୀ

      ଚୈତ୍ର ମାସ କୄଷ୍ଣ ପକ୍ଷ ଏକାଦଶୀ ଦିନ କୁ ପାପମୋଚନୀ ଏକାଦଶୀ କୁହାଯାଏ l ଏହି ବ୍ରତ କରିବା ଦ୍ବାରା ମନୁଷ୍ୟ ଜନ୍ମ ର ସମସ୍ତ ପାପ ନାଶ ହୋଇଥାଏ l ଏହି ବ୍ରତର କଥା ଏବଂ ମାହାତ୍ମ୍ୟ ଶୁଣିଲେ ମଧ୍ୟ ସମସ୍ତ ପାପରୁ ରକ୍ଷା ହୁଏ l

   ପ୍ରାଚୀନ ସମୟରେ ଚିତ୍ରରଥ ନାମକ  ଏକ ସୁନ୍ଦର ବନ ଥିଲା l ଦେବରାଜ ଇନ୍ଦ୍ର ଅପସରା ମାନଙ୍କ ସଙ୍ଗେ ବିହାର କରୁଥିଲେ l ସେହି ଜଙ୍ଗଲରେ ମେଧାବୀ ନାମକ ୠଷି ତପସ୍ୟା କରୁଥିଲେ l ତାଙ୍କର ତପସ୍ୟା ଦେଖି ଇନ୍ଦ୍ର ଭୟଭୀତ ହୋଇ ମଞୁଘୋଷା ନାମକ ଅପସରା କୁ ତପଭଙ୍ଗ କରିବା ପାଇଁ ପଠେଇଲେ l କାମବାଣରେ ସେହି ଅପସରି ତପସ୍ବି ଙ୍କୁ କାମ ମୋହିତ କଲେ l ୠଷି ମଧ୍ୟ ମତିଭଙ୍ଗ ହୋଇ ଅପସରା ସହିତ ଜୀବନ ଆରମ୍ଭ କଲେl ଏମିତି ସତାବନ ବର୍ଷ ବିତିଗଲାl  ଦିନେ ମଞୁଘୋଷା ସବୁକଥା କହି ସ୍ବର୍ଗ ଲୋକ ଜିବା ପାଇଁ ଅନୁମତି ମାଗିଲେl ମେଧାବୀ ସବୁ କଥା ମନେ ପକାଇ ଅତ୍ୟନ୍ତ ଦୁଖୀ ହେଲେ ଏବଂ ଅପସରି ଙ୍କୁ କ୍ରୋଧରେ ଅଭିଶାପ ଦେଲେ ଯେ ତପଭଙ୍ଗ କରିଥିବାରୁ ପିଶାଚ ଯୋନି ପ୍ରାପ୍ତ ହେଉ l

       ଅଭିଶାପ ପାଇ ଅପସରି ଡ଼ରିଯାଇ ଅଭିଶାପ ରୁ ମୁକ୍ତ କରିବା ପାଇଁ କହିଲେ ଏବଂ କ୍ଷମା ଯାଚନା କଲେ। ମୁନୀ ଅପସରି ଙ୍କୁ ପାପମୋଚନୀ ଏକଦଶୀ କରିବା ପାଇଁ କହିଲେ l ମଞୁଘୋଷା ଏହି ବ୍ରତକୁ ବିଧିପୂର୍ବକ କରି ପାପମୁକ୍ତ ହୋଇ ସ୍ବର୍ଗରେ ରହିବାକୁ ଲାଗିଲେ l  ଯିଏ ଏହି ପ୍ରସଙ୍ଗ ଶୁଣେ ଏବଂ କହେ ତାର ସମସ୍ତ ପାପ ମୋଚନ ହୋଇ ଥାଏ l 

ll ଏକାଦଶୀ ମାହାତ୍ମ୍ୟ ll :-

               ll ଯୁଧିଷ୍ଠିର ଉବାଚ ll 

ଫାଲଗୁନ କୃଷ୍ଣ ଏକାଦଶୀ l ଯାହାକୁ ଆମଳକୀ ଭାଷି ll
ଶୁଣିଲି ଯାହାର ମହିମା l ଅତିକ୍ରମିଛ ଜ୍ଞାନ ସୀମା ll
ଚୈତ୍ରର କୃଷ୍ଣ ଏକାଦଶୀ l କହିବା ନାମ ବିଧି ମିଶି ll

               ll  ଶ୍ରୀ କୃଷ୍ଣ ଉବାଚ ll

କୃଷ୍ଣ କହନ୍ତି ପଣ୍ଡୁ ସୁତ l ଯାହା ପଚାର ଲୋକହିତ ll
ଏ ଏକାଦଶୀର ବିଶେଷ l କହି ଯା ଅଛନ୍ତି ଲୋମଶ ll
ମାନ୍ଧାତା ରାଜା ପଚାରନ୍ତେ l ଯାହା କହିଲେ ଲୋକହିତେ ll

                  ll ମାନ୍ଧାତା ଉବାଚ ll

ଲୋକମାନଙ୍କ ହିତ ପାଇଁ l ତୁମ୍ଭଙ୍କୁ କିଛି ପଚାରଇ ll
ଚଇତ୍ରକୃଷ୍ଣ ଏକାଦଶୀ l କେଉଁ ନାମରେ ତାକୁ ଭାଷି ll
ଏଥିରେ କି ଫଳ କି ବିଧି l କହିବା ତେବେ ତପୋନିଧି ll

             ll  ଲୋମଶ ଉବାଚ ll

ଚଇତ କୃଷ୍ଣ ଏକାଦଶୀ l ନାମେ କାମଦା ବୋଲି ଭାଷି ll
ସେ ସର୍ବ ସିଦ୍ଧି ପ୍ରଦାୟିନୀ l ଜାଣ ମାନ୍ଧାତା ନୃପମଣି ll
ପୂର୍ବେ କୁବେର ବନଦେଶ l ବସନ୍ତ କଲାକ ପ୍ରବେଶ ll
ପୁଷ୍ପିତ ହେଲେ ଲତାମାନେ l ମଧୁପ ମତ୍ତ ମଧୁପାନେ ll
କୋକିଳ କୁହୁ ରାବ କଲେ l ଚତୁ ବକୁଳ ବଲ୍ଲବିଲେ ll
ଉତ୍ସୁକ ଅସୁର ଅପସରା l ଗନ୍ଧର୍ବ ତୁଲେ ହେଲେ ତୋରା ll
ଚୈତ୍ର ରଥରେ ବିହରିଲେ l ଭ୍ରମରେ ସ୍ୱାର୍ଥମନା ହେଲେ ll
ବାଦିତ ଗୀତ ଧ୍ୱନି ମେଳେ l କୋକିଳ କଫରୁହ ମିଳେ ll
ମନ ବିକାର ମୁନିଗଣେ l ଉତ୍ସୁକ ହେଲେ ଅନ୍ୟ ବଣେ ll
ମୃଗୀଏ ମୃଗ ସଙ୍ଗ ଛାଡି l କରିଲେ ନାହିଁ ପଦ ହୁଡ଼ି ll
କାମଦେବ ହିଁ ଦେହ ବହି l ସଞ୍ଚାର କଲା ସ୍ୱୟଂ ତହିଁ ll
ଅପସରାମାନେ ଆନନ୍ଦରେ l ବୁଲିଲେ ସେ ବନ କନ୍ଦରେ ll
ପୁଷ୍ପିତ ଲତା ଦ୍ରୁମ ଦେଖି l ମାନେ ହୋଇଲେ ମହାସୁଖୀ ll
ଦେଖିଲା ମଞ୍ଜୁଘୋଷା ତହିଁ l ମେଧାବୀ ଋଷିଛନ୍ତି ଭହି ll
ରୂପ ବୟସ ଦେଖି ତାର l ମାନସେ ଉପୁଜେ ବିକାର ll
ମାନେ ମନୋଜ କୀର୍ତ୍ତି ହେଲା l ପୁନି ମୋହନ ପ୍ରବର୍ତ୍ତାଲା ll
ବିପଞ୍ଚ ଧରି ସ୍ୱମଧୁର l ପ୍ରକାଶ କଲା କଣ୍ଠସ୍ଵର ll
ଭୟରୁ ଅପ୍ରେମ ନ ଆସି l କ୍ରୋଶ ମାତ୍ରକେ ହେଲା ବାସି ll
ଗାଇଲା ବିପଞ୍ଚିକୁ ଧରି l ମେଧାବୀଠାରେ ମନ ଭରି ll
ସୁମଲ୍ୟ ଚନ୍ଦନ ଚର୍ଚ୍ଚିତ l ବପୁକୁ କରୁ ସୁଶୋଭିତ ll
ଦେଖି ଏ ମଞ୍ଚ ଘୋଷା ପରି l କନ୍ଦର୍ପ ହେଲା ଆଗସରିll
ଜାଣି ତାହାକୁ ଶିବଭକ୍ତ l କରଇ ବୋଲି ପରାଭୂତ ll
ତା ଚକ୍ର ମଞ୍ଜୁଳ ଭୂଯୁଗ୍ମ l କଲା ସ୍ୱଧନୁ ଅନୁକ୍ରମ ll
ତାର କଟାକ୍ଷ ଗୁଣ କରି l ସୁପକ୍ଷ୍ମ ନେତ୍ର ଶର କରି ll
ତା କୁଚ ରୁଟ କୋଟ କଲା l ବିନୟେ ସାବଧାନ ହେଲା ll
ମଞ୍ଜୁଘୋଷାର ମଞ୍ଜୁ ରୂପ l କଲା ଆପଣା ସେନା ଗୋପll
ଦେଖି ମେଧାବୀ ରୂପ କଳା l କାମେ ପୀଡିତ ସେ ଅବଳା ll
ଶୋଭା ଅପରସ୍ମର ପରି l ଶୀତୋପବିତ୍ର ଦଣ୍ଡଧାରୀ ll
କରୁଣ ସେ ମେଧାବୀ ଋଷି l ଚବନ ଆଶ୍ରମ ନିବାସୀ ll
ସେଠାରେ ମଞ୍ଜୁ ଘୋଷା ଆସି l ମୁନିଙ୍କୁ ଚାହିଁଣ ପ୍ରେୟସୀ ll
ଆରତ ସମ ପାଇ ନାରୀ l ଗାଇଲା ମନ୍ଦ ମନ୍ଦ କରି ll
ସୁବିଦ୍ୟା ସିଦ୍ଧପ୍ରଦା ଜାଣି l ନିତ୍ୟ ଆରମ୍ଭ କଲା ଆଣି ll
ମେଖଳା କିଙ୍କଣିର ଧ୍ୱନି l ନୂପୁର ସିଞ୍ଜିତକୁ ଘେନି ll
ବଳୟ ରଣାତ୍କାର କଲା l କି କାମ ଜୟଘୋସ ଦେଲା ll
ଚାହିଁ ଚକିତ ମୁନିବର l ମନେ ବାଜିଲା ସ୍ମର ଶର ll
ପଦ ନୟନ ନ ଚଳିଲେ l ମଞ୍ଜୁଘୋଷର ବେଶ ହେଲେ ll
ମୁନିଙ୍କ ଏତାଦୃଶ୍ଯ କରି l ଦେଖି ପାଖରେ ବଳି ନାରୀ ll
କଟାକ୍ଷ ଭାବ ହାବ କରି l ମୋହିତ କଲା ଅବିକାରି ll
ବାଣୀକୁ ଥୋଇ ଆଲିଙ୍ଗନ l କଲା ସେ ମୁନିଙ୍କୁ ବହନ ll
ମୁନି ଦିଶିଲେ ମନୋହାରି l ବଲ୍ଲରୀ ବୃନ୍ତ ତରୁ ପରି ll
ଲକ୍ଷଣେ ଦେଖି କାମ ତତ୍ତ୍ଵ l ଗଲା ଦେହରୁ ଶିବ ତତ୍ତ୍ଵ ll
ରସିକା ରତି ରସ ଭୋଳେ l ରାତ୍ର ଦିବସ ନ ଜାଣିଲେ ll
ଯେବେ ମୁନିର କର୍ମବେଳା l ଜାଣି ବିମୁଖ ହେଲା ବାଳା ll
ତେବେ ବହୁତ ଚାଟୁକରି l ରତେ ପ୍ରବର୍ତ୍ତେ ତପଚାରୀ ll
ନିଜ ଆଚାର ଲୋପ କରି l ଗଲା ବହୁତ କାଳ ସରି ll
ନିଜ ଭୁବନେ ଉତ୍ସୁକିତ l ହୁଅନ୍ତେ ମଞ୍ଜୁଘୋଷ ଚିତ୍ତ ll
ଯିବାକୁ ମାଗିଲେ ଅନୁଜ୍ଞା l ତହିଁକି ଋଷି କଲେ ଆଜ୍ଞା ll
ପ୍ରଭାତ ସନ୍ଧ୍ୟା ଅବଧାରୀ l ଆସ ମୋ ସମୀପେ ସୁନ୍ଦରୀ ll
ଶୁଣି ଏ ଆଜ୍ଞା ମୁନିଙ୍କର l ଭୟରେ ନ ଦେଇ ଉତ୍ତର ll
ରମିଲା ପୁଣି ସଙ୍ଗେ ରହି l ବହୁତ କାଳ ଭୀତ ହୋଇ ll
ତ୍ରିଦିନ ନବମାସ ଅନ୍ତ l ବର୍ଷିକ ପଞ୍ଚ ପଞ୍ଚାଶତ ll
ରମିଲା ପୁଣି ଅର୍ଦ୍ଧନିଶା l ରମି କହିଲା ମଞ୍ଜୁଘୋଷା ll
ଯିବି ଗୃହକୁ ମହାବାହୁ l ଅନୁଜ୍ଞା ମୋତେ ଦେବା ହେଉ ll
ଶୁଣି ମେଧାବୀ ଆଜ୍ଞା ଦେଲେ l ଏ ପ୍ରାତଃକାଳ ଅବହେଳେ ll
ଶୁଣ ମୋ ବଚନ ସନ୍ଦେହ l ସନ୍ଧ୍ୟା ସାରିବା ଯାଏ ରହ ll
ଏ ବାକ୍ଯ ମୁନିଙ୍କର ଶୁଣି l ଆନନ୍ଦ ହୋଇଲା ରମଣୀ ll
କହିଲା କିଛି ସ୍ମିତା କରି l ସେ ଶୁବିସ୍ମିତା ବରନାରୀ ll

                ll  ଅପସରୀ ଉବାଚ ll 

ଆହେ ଅଘନ ମୁନିବାର l ସ୍ମରେ କେତେକ ସନ୍ଧ୍ୟାତୋର ll
ସେ କାଳ ପ୍ରମାଣ କହିବା l ମୋ ଠାରେ ସଦୟ ହୋଇବା ll
ପ୍ରଫୁଲ ନେତ୍ର ହୋଇ ମୁନି l କାଳ ପ୍ରମାଣ କଲେ ପୁଣି ll
ତା ତୁଲେ ସେ ରମିଲେ ପୁଣି l ସପ୍ତ ପଞ୍ଚାଶ ମାସ ଜାଣି ll
ପୁଣି ଉତ୍ସୁକେ ମଞ୍ଜୁ ଘୋଷା l ନମିଲା କରିଯିବା ଆଶା ll
କ୍ରୋଧ ବହିଲେ ମୁନିବର l ଦିଶିଲେ ଜ୍ୱାଳା ମାଳାଧର ll
ନେତ୍ର ଦୁଇରୁ ବିଷ୍ଣୁର୍ଲିଙ୍ଗ l ମୁକ୍ତ କରନ୍ତି କୋପ ଲିଙ୍ଗ ll
କ୍ରୋଧରେ କମ୍ପଇ ଅଧର l ସହଜେ ଏତ ଦଣ୍ଡଧର ll
ସେ କାଳ ରୂପ ପରିମାଣି l ଚାହାଁଣି ମୁନି ସେ ରମଣୀ ll
ଦୁଃଖ ଅର୍ଜିତ ତପୋଘର l କ୍ଷୟକୁ ନେଲୁ ତୁ ମୋହର ll
ଏମନ୍ତ ବୋଲି ମୁନିବର l ବାରାଜ କଲେ ତା ବପର ll
ଧିକ ତୋ ମୋହିବା ସ୍ୱଭାବ l ଧିକ କପଟ ପ୍ରୀତିଭାବ ll
ପିଶାଚ ହୁଅ ଏହିକ୍ଷଣେ l ନ ପଡୁ ଏ ରୂପ ଇକ୍ଷଣେ ll
ଶାପକୁ ଶୁଣି ଏତ ବୃଶା l କମ୍ପି ବୋଇଲା ଏ ମୋ ଦଶା ll
ତୁମ୍ଭ ସଦୟେ ମୁନିବର l ଏ ଶାପ ନିଷ୍କୃତି ବିଚାର ll
ଏମନ୍ତେ ବୋଲି ପାଦେ ପଡି l ପାଣି ପଙ୍କଜ ପଦ ଲୋଡି ll
ବୋଇଲେ ଅପରାଧ ମୋର l କ୍ଷମା କରିବ ମୁନିବର ll
ବଚନ ପାଞ୍ଚସାତ ପଦେ l ସନ୍ଥଙ୍କ ସଙ୍ଗେ ହୁଅ ମୁଦେ ll
ତୁମ ସାଙ୍ଗରେ ମୁନିବର l ନେଲି ମୁଁ ବହୁତ ବତ୍ସର ll
ଏ ହେତୁ ଆହେ ମୁନିବର l ମୋ ଠାରେ ଅନୁକମ୍ପା କର ll

                 ll ମୁନି ଉବାଚ ll

କଲୁ ମୋ ମହାତପ କ୍ଷୟ l ଏଥିରେ ଅଛି କି ଉପାୟ ll
ଶୁଣି ବାମାର ଦୀନ ବାଣୀ l ଦୟାରେ ମୁନିବର ଭଣି ll
କହିଲେ ଯେଣେ ତୋର ଶାପ l ନିବର୍ତ୍ତି ହେବ ଦିବ୍ୟ ରୂପ ll
ଚୈତ୍ରର କୃଷ୍ଣ ଏକାଦଶୀ l ପାପମୋଚନୀ ନାମେ ଭାଷି ll
ସର୍ବ ପାତକ କ୍ଷୟକାରୀ l ମୋ ବ୍ରତ ଜାଣ ସୁକୁମାରୀ ll
ମଞ୍ଜୁ ଘୋଷାକୁ ଏତେ କହି l ମେଧାବୀ ଗଲେ ଲତା ଯହିଁ ll
ଆଶ୍ରମେ ମେଧାବୀକି ଦେଖି l କହେ ଚ୍ୟବନ ହୋଇ ଦୁଃଖୀ ll
ହେ ପୁତ୍ର ଏ କି ବିଧି କଲ l କଲା ସୁକୃତ କ୍ଷୟ କଲ ll

                 ll ମେଧାବ୍ୟୁବାଚ ll 

ହେ ତାତ କଲି ମୁଁ ପାତକ l ରମିଲି ଅପସରୀ ଏକ ll
କହିବା ପ୍ରାୟଶ୍ଚିତ ତାତ l କେଣେ ଏ ପାପ ହେବ ହତ ll

             ll ଚ୍ୟବନ ଉବାଚ ll

ଚୈତ୍ରର କୃଷ୍ଣ ଏକାଦଶୀ l ସେ ସର୍ବ ପାତକ ବିଧ୍ୱଂସି ll
ପାପମୋଚନ ନାମ ବହି l ସମସ୍ତ ଶାସ୍ତ୍ରେ ଖ୍ୟାତ ହୋଇ ll
ସେ ଏକାଦଶୀ ବ୍ରତ କର l ଆତ୍ମାକୁ ଆପଣେ ଉଦ୍ଧର ll
ମେଧାବୀ ପିତା ବାକ୍ୟ ଶୁଣି l କଲେ ସେ ବ୍ରତ ତତ୍ତ୍ଵ ଜାଣି ll
ସଞ୍ଚିତ ପାପ ହେଲା ଗତ l ଉଦିତ ପୁଣ୍ୟେ ହେଲା ଯୁକ୍ତ ll
ଏ ବ୍ରତ ମଞ୍ଜୁ ଘୋଷା କରି l ପିଶାଚ ପାପରୁ ଉଦ୍ଧରି ll
ପୂର୍ବୁ ଅଧିକ ରୂପ ବହି l ସ୍ୱର୍ଲୋକେ ଗଲା ଥିଲା ଯହିଁ ll

               ll ଲୋମଶ ଉବାଚ ll 

ଏ ପାପମୋଚନିକା ବ୍ରତ l କରିବ ଯେ ଅବା ନିୟତ ll
ତାର ସମସ୍ତ ପାପ କ୍ଷୟ l ହୁଅଇ ନୃପ ନିଃସଂଶୟ ll
ପଢ଼ଇ ଯେ ଅବା ଶୁଣଇ l ଧେନୁ ସହସ୍ର ଫଳ ପାଇ ll
ଗୁରୁତଳ୍ପଗ ମହାପାପୀ l ସୁବର୍ଣ୍ଣହାରୀ ଯେ ସୁରାପୀ ll
ଏମାନେ ଏହି ବ୍ରତ କରି। ଏ ସର୍ବ ପାପୁ ଯାନ୍ତି ତରି ll
ବହୁତ ପୁଣ୍ୟ ଏହି ବ୍ରତେ। ଏଣୁ ଏ ଉତ୍ତମ ଜଗତେ ll

  ଇତି ଶ୍ରୀ ଭବିଷ୍ୟୋତ୍ତର ପୁରାଣେ ଚୈତ୍ର କୃଷ୍ଣ ପାପମୋଚନୀ ନାମୈକାଦଶୀ ମାହାତ୍ମ୍ୟେ ନବମୋଽଧ୍ୟାୟଃ l

Related Post

Leave a Reply

Your email address will not be published. Required fields are marked *