ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା, ଭୁବନେଶ୍ୱର
‘‘ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା’’
ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଏହି ପଙ୍କ୍ତିଟି ପ୍ରତି ମୁହୂର୍ତ୍ତରେ ଆମକୁ ମାତୃଭାଷାର ବନ୍ଧନରେ ବାନ୍ଧି ହେବା ପାଇଁ ବାଧ୍ୟ କରିଥାଏ। ଯେଉଁ ଜାତିର ଭାଷା ନାହିଁ, ସେ ଜାତି କେବେ ଉପରକୁ ଉଠି ନାହିଁ। ତେଣୁ ମାତୃଭାଷାର ସୁରକ୍ଷା ଦ୍ବାରା ହିଁ ସମାଜର ପ୍ରତିଷ୍ଠା, ପରମ୍ପରା ଓ ଐତିହ୍ୟର ସୁରକ୍ଷା ସମ୍ଭବ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଅନ୍ୟତମ, ଓଡ଼ିଆ ଭାଷା ହେଉଛି ଆମ ଅସ୍ମିତାର ପରିଚୟ। ଏହାର ମାଧୁର୍ଯ୍ୟ ଆମକୁ କରିଛି ସ୍ବତନ୍ତ୍ର। ଏହା ଓଡ଼ିଶାର ପ୍ରାଶାସନିକ ଭାଷା। ଭାରତର ସମ୍ବିଧାନରେ ସ୍ବୀକୃତିପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଏହା ଅନ୍ୟତମ। ଓଡ଼ିଆ, ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ବତନ୍ତ୍ର ଓ ଅନ୍ୟଭାଷା ଦ୍ବାରା ପ୍ରଭାବିତ ହୋଇ ନଥିବା ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ପାଇଛି।
୨୦ ଫେବୃଆରୀ ୨୦୧୪ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଥିଲେ ଓ ମାର୍ଚ୍ଚ ୧୧ ତାରିଖ ଦିନ ଏ ନେଇ ଗାଜେଟ୍ ନୋଟିଫିକେସନ୍ ଜାରି କରାଯାଇଥିଲା। ୨୦୧୫ରୁ ଏହି ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଭାବେ ପାଳନ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଆ ଭାଷା ସମ୍ପର୍କରେ ବିଶ୍ବବ୍ୟାପୀ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଅଛି ।
ଏହା ପରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷା ସାହିତ୍ୟର ଗୁରୁତ୍ବ ବଢିଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବିତ। ଏହାପୂର୍ବରୁ ତାମିଲ, ସଂସ୍କୃତ, ତେଲଗୁ, କନ୍ନଡ଼ ଓ ମାଲାୟଲମ୍କୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିଛି। ଏହି ମାନ୍ୟତା ପାଇବାରେ ଓଡ଼ିଆ ଦେଶର ଷଷ୍ଠ ଭାଷା ହେଲେ ବି ପ୍ରଥମ ଆର୍ଯ୍ୟଭାଷା। ଏହି ମାନ୍ୟତା ପାଇଥିବା ଅନ୍ୟ ଚାରିଟି ଭିଷା(ତାମିଲ୍, ତେଲଗୁ,କନ୍ନଡ଼ ଓ ମାଲାୟଲମ୍) ଦ୍ରାବିଡ଼ ଗୋଷ୍ଠୀର।