ପଞ୍ଚାୟତିରାଜ ଦିବସର ଅନୁଚିନ୍ତା
ଜୟଶ୍ରୀ ପଟ୍ଟନାୟକ
ପ୍ରତିବର୍ଷ ମାର୍ଚ୍ଚ ମାସ ପାଞ୍ଚ ତାରିଖ ଆସିଗଲେ ମନେ ପଡ଼ିଯାଏ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ କଳିଙ୍ଗ ବୀରପୁତ୍ର, ଦ୍ଵିତୀୟ ଖାରବେଳ , ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନରେ ଭୂଷିତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ତଥା ପଞ୍ଚାୟତିରାଜ ଦିବସ କଥା । ସାରା ଦେଶରେ ଅପ୍ରେଲ 24 ରେ ପଞ୍ଚାୟତିରାଜ ଦିବସ ପାଳନ କରୁଥିବା ବେଳେ ଓଡ଼ିଶାରେ ମାର୍ଚ୍ଚ ମାସ ପାଞ୍ଚ ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ପଞ୍ଚାୟତିରାଜ ବ୍ୟବସ୍ଥାର ଅନ୍ୟନାମ ସ୍ୱାୟତ୍ତ ଶାସନ । ପଞ୍ଚାୟତିରାଜ ଶାସନର ଜନକ ହେଉଛନ୍ତି ବଳବନ୍ତ ରାୟ ମେହେଟ୍ଟା କମିଟି । ଭାରତରେ ଏହି ବ୍ୟବସ୍ଥା 1959 ରୁ କାର୍ଯ୍ୟକାରୀ ହୋଇ ପ୍ରଥମେ ଆରମ୍ଭ ହୋଇଥିଲା ଅକ୍ଟୋବର 2 ତାରିଖ ଦିନ ରାଜସ୍ଥାନ ରେ । ଏହି ଦିବସର କାର୍ଯ୍ୟକାରୀତା ପାଇଁ ବଳବନ୍ତ ରାୟ ମେହେଟ୍ଟା କମିଟି ଦ୍ୱାରା ସୁପାରିଶ କରାଯାଇ ରାଜନୈତିକ କେନ୍ଦ୍ରର ବିକେନ୍ଦ୍ରିକରଣ ଓ ଗ୍ରାମସ୍ତରରେ ଲୋକଙ୍କୁ ଶାସନ ଓ ରାଜନୀତି ସହ ଜଡିତ କରାଇବା ପାଇଁ ମୁଖ୍ୟ ଉଦ୍ଦେଶ୍ୟ ରଖି ପ୍ରଧାନମନ୍ତ୍ରୀ ନେହେରୁ ଯୋଜନା କରିଥିଲେ । ପଞ୍ଚାୟତିରାଜ ଶାସନର ତିନୋଟି ସ୍ତର ରହିଛି । ଗ୍ରାମ ଲୋକଙ୍କୁ ନେଇ ଗ୍ରାମ ପଞ୍ଚାୟତ, ବ୍ଲକ ସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ। ଏହା ସମ୍ବିଧାନର ଧାରା 243 ଦ୍ୱାରା ଜଡିତ । ଭାରତୀୟ ସମ୍ବିଧାନର ଧାରା 243(କ) ରେ ଏହାର କାର୍ଯ୍ୟ ଓ କ୍ଷମତା ଉଲ୍ଲିଖିତ । ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଲୋକସଂଖ୍ୟା ଅନୁସାରେ ସ୍ଥାନ ସଂରକ୍ଷଣ ମଧ୍ୟ କରାଯାଇଥିଲା । 73 ତମ ସମ୍ବିଧାନ ସଂଶୋଧନ ଅନୁସାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏକ ତୃତୀୟାଂଶ ସ୍ଥାନ ମହିଳା ମାନଙ୍କ ପାଇ ସଂରକ୍ଷିତ ।ଁ 2012 ରେ ଓଡିଶା ସରକାର ବିଜୁବାବୁଙ୍କ ଜନ୍ମ ଦିନକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରିବାପାଇଁ ଘୋଷଣା କଲେ । ଏହି ପୁଣ୍ୟ ଦିବସ ଟିକୁ ଆମେ ଆମ ପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ରୂପେ ସମ୍ମାନ ସହକାରେ ପାଳନ କରୁ । ଏହି ଯୋଗଜନ୍ମା ବୀର ପୁରୁଷର ଜନ୍ମ 1916 ମାର୍ଚ୍ଚ ମାସ ପାଞ୍ଚ ତାରିଖରେ କଟକର ତୁଳସୀପୁର ସ୍ଥିତ ଆନନ୍ଦ ଭବନ ରେ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ଦେବୀଙ୍କ ସୁଯୋଗ୍ୟ ସନ୍ତାନ ରୂପେ ଭୂମିଷ୍ଠ ହୁଏ । ବାଲ୍ୟ ଶିକ୍ଷା ମିଶନ ସ୍କୁଲ ଓ ରେଭେନ୍ସା ରେ ଶିକ୍ଷା ସମାପ୍ତ କରି କଲେଜର ସମସ୍ତ ରେକର୍ଡ ଭାଙ୍ଗି ଚମ୍ପିୟାନ ହୋଇଥିଲେ । ଦିନେ ବାଲିଯାତ୍ରା ପଡ଼ିଆରେ ଉଡାଜାହାଜ ଦେଖି ପାଇଲଟ ହେବାର ସ୍ୱପ୍ନ ଦେଖି ତାକୁ ବାସ୍ତବରେ ପରିଣତ କରିଥିଲେ । ଜୟ ପ୍ରକାଶ ନାରାୟଣ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଗାନ୍ଧୀଙ୍କ ଜାତୀୟ କଂଗ୍ରେସ ରେ ଯୋଗ ଦେଇଥିଲେ ସେହି ସମୟରେ ଇଣ୍ଡୋନେସିଆ ଡଚ ମାନଙ୍କ ଅଧିକୃତ ହୋଇ ସ୍ୱାଧୀନତା ହରାଇଥିଲା । ସେଠାକାର ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ବନ୍ଦୀ କରାଯାଇଥିଲା । ପଣ୍ଡିତ ନେହେରୁଙ୍କ ପରାମର୍ଶ କ୍ରମେ ବିଜୁବାବୁ ସେମାନଙ୍କୁ ଡାକୋଟା ବିମାନରେ ଭାରତ ନେଇଆସି ତାଙ୍କର ଦୁଃସାହସିକ କାର୍ଯ୍ୟର ପରିଚୟ ଦେଇଥିଲେ । 1942 ରେ ସ୍ୱାଧୀନତା ସଂଗ୍ରାମର ଅନ୍ତିମ ଝଡ଼ ଅଗଷ୍ଟ ବିପ୍ଳବରେ ଝାସ ଦେଇ ସେ ଜେଲ ଯାଇଥିଲେ । ଭାରତ ସ୍ୱାଧୀନତା ପାଇଲା ପରେ ବିଜୁବାବୁ ବହୁବାର ଓଡ଼ିଶାର ବିଧାନସଭା ଓ ଦିଲ୍ଲୀ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରି ଓଡିଶାକୁ ଆଗେଇ ନେଇଛନ୍ତି । ସେ ଓଡିଶାବାସୀଙ୍କ ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଅର୍ଥନୈତିକ ଉନ୍ନତି ପାଇଁ ସେ ଯେଉଁ ଚେଷ୍ଠା କରିଥିଲେ ତାହା ସବୁଦିନ ଅବିସ୍ମରଣୀୟ ହୋଇ ରହିବ । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଅନଗ୍ରସର ରାଜ୍ୟବାସୀଙ୍କ ଉନ୍ନତି ପାଇଁ କଳ କାରଖାନା ଓ ଖଣି ଖାଦାନ ବସାଇଥିଲେ । ନୌବାଣିଜ୍ୟର ଉନ୍ନତି ପାଇଁ ପାରାଦୀପ ବନ୍ଦର ପାଇଁ ନେହେରୁଙ୍କୁ ପ୍ରସ୍ତାବ ଦେଇଥିଲେ । ଅନୁନ୍ନତ ଅନଗ୍ରସର ଓ ଅବହେଳିତ ଓଡିଶାକୁ ଆଗେଇ ନେବାପାଇଁ ଚୌଦ୍ୱାର ଠାରେ ଓଟିଏମ ଲୁଗାକଲ ପ୍ରତିଷ୍ଠା କରି ହଜାର ହଜାର ଦରିଦ୍ର ଓଡ଼ିଆଙ୍କୁ କର୍ମ ଯୋଗାଇଥିଲେ ।କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପ୍ରତିଷ୍ଠା କରି ଶହ ଶହ ମେଧାବୀ ପିଲାମାନଙ୍କର ଉଚ୍ଚ ଶିକ୍ଷା ପାଇଁ ପଥ ସୁଗମ କରିଥିଲେ । ଚୌଦ୍ୱାର କଳିଙ୍ଗ ଟ୍ୟୁବସ, ଦୈତାରୀ ପାରାଦୀପ ପାଞ୍ଚ ନମ୍ବର ଜାତୀୟ ରାଜପଥ ନିର୍ମାଣ ,ଭୁବନେଶ୍ୱର ସୈନିକ ସ୍କୁଲ ଏବଂ ରାଉରକେଲା ଇଞ୍ଜିନିୟରିଂ କଲେଜ ତାଙ୍କର ଅବଦାନ । ସୁନାବେଡା ମିଗ ବିମାନ କାରଖାନା ତଥା ଆହୁରି ଛୋଟ ବଡ଼ ଯୋଜନା ଓ କାରଖାନା ଓଡିଶା ପାଇଁ କରିଛନ୍ତି । ପ୍ରାଥମିକ ଶିକ୍ଷା, ଦୁର୍ନୀତି ଉପରେ ବିଶେଷ ଧ୍ୟାନ ଆକର୍ଷଣ କରିଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରି ସେ ସାଧାରଣ ଜନତାଙ୍କ ସମସ୍ୟ ସମାଧାନ କରିଥିଲେ । ଓଡ଼ିଶାର ନବ ନିର୍ମାତା, ପ୍ରବାଦ ପୁରୁଷ, ଭୂମିପୁତ୍ର ବିଜୁ ପଟ୍ଟନାୟକ ଙ୍କ 1997 ଅପ୍ରଲ 17 ରେ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କର ସ୍ବପ୍ନର ଓଡିଶା ଅଗ୍ରଗତି କରିଚାଲିଛି । ଆଜି ପଞ୍ଚାୟତିରାଜ ଦିବସରେ ତାଙ୍କ ଆଦର୍ଶ ଓ ମହାନତା କୁ ମନେପକାଇ ପ୍ରଣିପାତ ଜଣାଇବା
ଭୁବନେଶ୍ୱର