Spread the love

ଓଡ଼ିଆ ଭାଷା ଆନ୍ଦୋଳନର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ

ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା, ଭୁବନେଶ୍ୱର

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଉତ୍କଳମାଟିର ଅନ୍ୟତମ ବରପୁତ୍ର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ। ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। କଟକ ବଡ଼ ମେଡିକାଲ ଓ କଲେଜ ତାଙ୍କ ନାମରେ ନାମିତ ହୋଇଛି।

୧୭ ଡିସେମ୍ବର ୧୮୭୦ରେ ମୟୂରଭଞ୍ଜରର ରାଜପରିବାରରେ ଶ୍ରୀରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଥିଲେ କୃଷ୍ଣଚନ୍ଦ୍ର ଭଞ୍ଜ। ମୟୂରଭଞ୍ଜରୁ ସେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ତାଙ୍କୁ ମାତ୍ର୯ ବର୍ଷ ହୋଇଥିବାବେଳେ ତାଙ୍କ ପିତା ପ୍ରାଣ ହରାଇଥିଲେ। ରାଜ୍ୟ ଶାସନଭାର ଗ୍ରହଣ କରିବାକୁ ପଡ଼ିବାରୁ ସେ ପାଠପଢ଼ା ଛାଡ଼ି ଦେଇଥିଲେ। ପରେ ସେ କଟକ ଯାଇ ବ୍ରେଟାମ୍ କିଡେଲ୍ ସାହେବଙ୍କ ପାଖରେ ରହି ୧୨ ବର୍ଷ ଶିକ୍ଷାଲାଭ କରିବା ପରେ ୧୮୮୮ମସିହାରେ ରେଭେନ୍ସା କଲିଜିଏଟ୍ ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କରିଥିଲେ। ବିଏ ପଢୁଥିବା ସମୟରେ ଶ୍ରୀରାମଚନ୍ଦ୍ର ରାଜଗାଦିରେ ବସିବାରୁ ବି.ଏ ପରୀକ୍ଷା ଦେଇନଥିଲେ।

୧୮୯୨ରେ ତାଙ୍କ ଶାସନ କାଳରେ ମୟୂରଭଞ୍ଜ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହୋଇଥିଲା। ୧୮୯୬ରେ ସେ ଲକ୍ଷ୍ମୀ କୁମାରୀଙ୍କୁ ବିବାହ କରିଥିଲେ। ରାଜା ହୋଇ ମଧ୍ୟ ସେ ସରଳ ଜୀବନଯାପନ କରୁଥିଲେ। ୧୯୦୩ ମସିହା ଡିସେମ୍ବର ୩୦ ତାରିଖରେ କଟକ ଇଦ୍‌ଗା ପଡ଼ିଆରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ସମସ୍ତଙ୍କ ସହ ତଳେ ବସି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ରାଜକୋଷର ଅର୍ଥକୁ ସେ ପ୍ରଜାଙ୍କର ବୋଲି ଭାବୁ ଥିଲେ। ବିଳାସବ୍ୟସନ, ଚାକଚକ୍ୟ ପ୍ରତି ତାଙ୍କର କୌଣସି ଆଗ୍ରହ ନ ଥିଲା। ଗଣତାନ୍ତ୍ରିକ ପଦ୍ଧତିରେ ରାଜ୍ୟର ଶାସନ ପରିଚାଳନା ପାଇଁ ସେ ଷ୍ଟେଟ୍ କାଉନ୍ସିଲ୍ ଗଠନ କରିଥିଲେ। ସେ ନିଜେ ଏହାର ସଭାପତି ଥିଲେ। ଏହି କାଉନସିଲ୍‌ରେ ଉଭୟ ସରକାରୀ ଓ ବେସରକାରୀ ବ୍ୟକ୍ତିବିଶେଷଙ୍କୁ ନିଆଯାଇଥିଲା। ଏହି କାଉନ୍ସିଲ୍ ରାଜ୍ୟ ପାଇଁ ଆଇନ୍ ପ୍ରଣୟନ କରୁଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ରାଜନୈତିକ ପରାମର୍ଶଦାତା।

କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେର ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସହିତ ତାଙ୍କ ଭଲ ବନ୍ଧୁତା ଥିଲା। ତାଙ୍କ ପୃଷ୍ଠପୋଷକତାରୁ ବାରିପଦାରୁ ‘ଉତ୍କଳପ୍ରଭା’ ନାମକ ସାହିତ୍ୟ ପତ୍ରିକା ପ୍ରକାଶ ପାଇଥିଲା। ରେଭେନ୍ସା କଲେଜ ପାଇଁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅନେକ ଅବଦାନ ରହିଛି। ସେ ଏହି କଲେଜର ବିଜ୍ଞାନ ବିଭାଗ ଖୋଲିବାରେ ସାହାଯ୍ୟ କରିଥିଲେ। ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଦାନରେ ହିଁ କଟକରେ ପ୍ରଥମ ମେଡିକାଲ ସ୍କୁଲ ସ୍ଥାପିତ ହୋଇଥିଲା। ଯାହା ପରବର୍ତ୍ତୀ କାଳରେ େମଡିକାଲ କଲେଜ ଓ ହସ୍ପିଟାଲରେ ପରିଣତ ହୋଇଛି। ୧୯୧୨ ମସିହା ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲା।

Leave a Reply

Your email address will not be published. Required fields are marked *

You Missed