ବନ୍ଦେ ଉତ୍କଳ ଜନନୀ
ବାଲେଶ୍ଵର ସହରରେ ଉତ୍କଳ ସମ୍ମିଳନୀର ତୃତୀୟ ଅଧିବେଶନ ଆହୁତ ହୋଇଥୁଲା ୧୯୦୫ ମସିହାରେ । ଏହାର ମୁଖ୍ୟ ଆୟୋଜକ ଥିଲେ ବ୍ୟାସକବି ଫକିରମୋହନ ସେନାପତି । ଏହି ଅଧିବେଶନ ପାଇଁ ଆବାହନୀ ସଙ୍ଗୀତ ରଚନା କରିବା ଲାଗି ସେ ତାଙ୍କର ବନ୍ଧୁପୁତ୍ର ଲକ୍ଷ୍ମୀକାନ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେତେବେଳକୁ ଯୁବକ ଲକ୍ଷ୍ମୀକାନ୍ତ ଖୁବ୍ ସୁନ୍ଦର କବିତାମାନ ରଚନା କରିବା କଥା ଜଣାଥିଲା । ଏତଦ୍ ବ୍ୟତୀତ ଏହି ଯୁବକବି ନିଜେ ହାରମୋନିୟମ ବଜାଇ ସୁଲଳିତ କଣ୍ଠରେ ସ୍ୱରଚିତ କବିତା ସବୁ ଗାନ କରି ଶ୍ରେତାମାନଙ୍କୁ ମୁଗ୍ଧ କରି ଦେଉଥିଲେ । ତେଣୁ ବ୍ୟାସକବି ତାଙ୍କୁ ଏହି ଦାୟିତ୍ୱ ଦେଇଥିଲେ ।
ଏଥି ପୂର୍ବରୁ ୧୯୦୩ ମସିହାରେ ଯେତେବେଳେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକରେ ଆୟୋଜିତ ହୋଇଥିଲା, ସେତେବେଳେ ମଧୁବାବୁଙ୍କ ଅନୁରୋଧରେ ଆବାହନ ସଙ୍ଗୀତ ରଚନା କରିଥିଲେ କବିବର ରାଧାନାଥ ରାୟ । ସେ ଥିଲା ଏକ ସଂସ୍କୃତ କବିତା – “ସର୍ବେଷାଂ ନୋ ଜନନୀ” । ମାତ୍ର ବାଲେଶ୍ୱରରେ ଓଡ଼ିଆ ଆବାହନୀ ସଙ୍ଗୀତର ଆବଶ୍ୟକତା ଅନୁଭବ କରିଥୁଲେ ଫକିରମୋହନ ।
ବାଲେଶ୍ୱର ଅଧିବେଶନରେ ଅଧ୍ୟକ୍ଷତା କରିଥୁଲେ ତାଳଚେର ରାଜା କିଶୋରଚନ୍ଦ୍ର ହରିଚନ୍ଦନ । ତା’ ଛଡ଼ା ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, କବିବର ରାଧାନାଥ, ରାଜା ବୈକୁଣ୍ଠନାଥ ଦେ, ଭକ୍ତକବି ମଧୁସୂଦନ, ପଲ୍ଲିକବି ନନ୍ଦକିଶୋର, ଗୋପାଳଚନ୍ଦ୍ର ପ୍ରହରାଜ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ପ୍ରମୁଖ ନେତୃତ୍ୱବୃନ୍ଦଙ୍କ ଉପସ୍ଥିତିରେ ଯୁବକ ଲକ୍ଷ୍ମୀକାନ୍ତ ଅଧିବେଶନ ପ୍ରାରମ୍ଭରେ ସୁଲଳିତ ସ୍ୱରରେ ସ୍ୱରଚିତ କବିତା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥୁଲେ । ସେହି ସଙ୍ଗୀତ ଶୁଣି ସାମନା ଧାଡ଼ିରେ ବସିଥିବା ଗୋପବନ୍ଧୁଙ୍କ ଚକ୍ଷୁରୁ ବହି ଚାଲିଥାଏ ଧାରଧାର ଅଶ୍ରୁ ।
ଗୀତ ଗାଇ ସାରି ଲକ୍ଷ୍ମୀକାନ୍ତ ଉଠିଯିବା ମାତେ ଉତ୍କଳମଣି ତାଙ୍କୁ କୁଣ୍ଢାଇପକାଇ କୋହ ଭରା କଣ୍ଠରେ କହିଲେ – “ତୁମେ ଦୀର୍ଘାୟୁ ହୁଅ ଯୁବକ । ଆଜି ତୁମ ସଙ୍ଗୀତର ଛନ୍ଦେ ଛନ୍ଦେ ମା’ ଉତ୍କଳ ଜନନୀଙ୍କର ସାକ୍ଷାତ ଦର୍ଶନ ମୁଁ ପାଇଗଲି । ତୁମକୁ ପ୍ରଶଂସା କରିବାର ଭାଷା ମୁଁ ପାଉ ନାହିଁ । ଆଶୀର୍ବାଦ କରୁଛି ତୁମ ଲେଖନୀରୁ ଫୁଲ ଚନ୍ଦନ ବର୍ଷୁ ।’
କାନ୍ତକବିଙ୍କ ରଚିତ ଏହି ସଙ୍ଗୀତ ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ଏବେ ମଧ୍ୟ ସ୍ପନ୍ଦନ ସୃଷ୍ଟି କରୁଛି । ମାତୃଭୂମି ଉତ୍କଳ ଜନନୀଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିରେ ପୁରି ଉଠୁଛି, ହୃଦୟ ।
ବନ୍ଦେ ଉତ୍କଳ ଜନନୀ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
୧
ବନ୍ଦେ ଉତ୍କଳ ଜନନୀ,
ଚାରୁ ହାସମୟୀ ଚାରୁ ଭାଷମୟୀ,
ଜନନୀ, ଜନନୀ, ଜନନୀ
ବନ୍ଦେ ଉତ୍କଳ ଜନନୀ ॥
ଉତ୍କଳ ଜନନୀଙ୍କୁ ଆମେ ବନ୍ଦନା କରୁଅଛୁଁ ।
ଉତ୍କୃଷ୍ଟ ବା ଉଚ୍ଚମାନର କଳାକୃତିରେ ଦିନେ ସମୃଦ୍ଧ ଥିଲା ବୋଲି ଓଡିଶାର ଅନ୍ୟନାମ ଉତ୍କଳ । ମନୋରମ ହସ ହସ ମୁହଁରେ ସୁନ୍ଦର ଭାଷା କହୁଥିବା ଆମର ଉତ୍କଳ ଜନନୀଙ୍କୁ ଆମେ ବନ୍ଦନା କରୁଅଛୁଁ ।
ଚାରୁ = ସୁନ୍ଦର, ମନୋରମ
୨
ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ରତଟିନୀକୂଳ-ଶୀକର-ସମୀରା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ପବିତ୍ର ସାଗର ଜଳରେ ଯାହାର ଶରୀର ସର୍ବତା ଧୋଇ ହେଉଛି, ଯାହାର ତୀରଦେଶ ତାଳ, ତମାଳ ଆଦି ବୃକ୍ଷରାଜିରେ ସୁଶୋଭିତ, ଯାହାର ନଦୀର ତଟ ଶୁଭ୍ର ବା ପରିଷ୍କାର ଓ ଯେଉଁଠାରେ ଜଳକଣାପୂର୍ଣ୍ଣ ପବନ ସର୍ବଦା ପ୍ରବାହିତ ହେଉଥାଏ, ସେହି ଉତ୍କଳ ଜନନୀଙ୍କୁ ଆମେ ବନ୍ଦନା କରୁଅଛୁଁ ।
ପୂତ = ପବିତ୍ର, ପୟୋଧି = ସମୁଦ୍ର, ବିଧୌତ = ଧୋଇ ହେବା, ଶୁଭ୍ର = ଧଳା, ଏହି କବିତାରେ ପରିଷ୍କାର ବୁଝାଉଛି, ଶୀକର ସମୀରା = ଜଳକଣା ପୂର୍ଣ୍ଣ ଆଦ୍ର ବାୟୁ
ପଦକୁ ଲଳିତ କରିବା ପାଇଁ, ଶରୀର, ତୀର ଓ ସମୀର ସ୍ଥାନରେ ଶରୀରା, ତୀରା ଓ ସମୀରା ଏହି କବିତାରେ ବ୍ୟବହାର ହୋଇଛି ।
୩
ଘନ ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ଘନ ବା ଘଞ୍ଚ ଜଙ୍ଗଲରେ ଯାହାର ଅଙ୍ଗ ଶୋଭାୟମାନ , ଢେଉ ଢେଉକା ନୀଳ ପର୍ବତ ମାଳାରେ ଯାହାର ଶରୀର ସଜ୍ଜିତ ଓ ସୁନ୍ଦର ପକ୍ଷୀମାନଙ୍କ କଳ କଳ ଶବ୍ଦରେ ମୁଖରିତ ସେହି ଉତ୍କଳ ମାତାଙ୍କୁ ଆମେ ବନ୍ଦନା କରୁଅଛୁଁ ।
ଘନ ଘନ = ଘଞ୍ଚ, ରାଜିତ = ଦୀପ୍ତ, ଉଜ୍ଜ୍ୱଳ, ଶୋଭାନ୍ୱିତ , ଭୂଧର ମାଳା = ପର୍ବତମାଳା ବା ଶ୍ରେଣୀ, ମୁଖରିତ = ଧ୍ୱନୀରେ ପୂର୍ଣ୍ଣ
୪
ସୁନ୍ଦର ଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗୀଋଷିଗଣ-ଊଟଜ-ପବିତ୍ରା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ଯେଉଁ ପ୍ରଦେଶ ସୁନ୍ଦର ଧାନ କ୍ଷେତ୍ରରେ ସୁଶୋଭିତ, ଯେଉଁଠାରେ ଜ୍ଞାନବିଜ୍ଞାନର ଚର୍ଚ୍ଚ ସର୍ବତ୍ର ଦେଖାଯାଏ, ଯେଉଁଠାରେ ଯୋଗୀ ଓ ଋଷିମାନଙ୍କର ପବିତ୍ର ପତ୍ର କୁଡିଆ ରହିଛି, ସେହି ଉତ୍କଳ ମାଆଙ୍କୁ ଆମେ ବନ୍ଦନା କରୁଅଛୁଁ ।
ଶାଳି = ଧାନ, ଉଟଜ = କୁଟୀର, ପତ୍ର କୁଡିଆ । ଏହି ପଦରେ ମଧ୍ୟ କ୍ଷେତ୍ର, ନେତ୍ର ଓ ପବିତ୍ର ସ୍ଥାନରେ କ୍ଷେତ୍ରା, ନେତ୍ରା ଓ ପବିତ୍ରା ଶବ୍ଦର ବ୍ୟବରାର ଲାଳିତ୍ୟ ବଢାଇବା ପାଇଁ ଉପଯୋଗ ହୋଇଛି ।
୫
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥମୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ ॥
ଯେଉଁ ଦେଶ ସାରା ସୁନ୍ଦର ମନ୍ଦିରରେ ମଣ୍ଡି ହୋଇଛି, ମନୋରମ କାରୁକାର୍ଯ୍ୟ ଯାହାର ବେଶ ଶୋଭାମୟ, ତୀର୍ଥଭୂମିରେ ଯେଉଁ ଦେଶ ପୂର୍ଣ୍ଣ ହୋଇଛି, ସେହି ଉତ୍କଳମାତାଙ୍କୁ ଆମେ ବନ୍ଦନା କରୁଛୁଁ ।
ଚାରୁ କଳାବଳି = ସୁନ୍ଦର କାରୁକାର୍ଯ୍ୟ, ତୀର୍ଥମୟ = ତୀର୍ଥଭୂମିରେ ପୂର୍ଣ୍ଣ
ଏହି ପଦରେ ବି ଦେଶା, ବେଶା ଓ ପ୍ରଦେଶା କବିତାକୁ ମଧୁର କରିବା ପାଇଁ ବ୍ୟବହାର ହୋଇଛି ।
୬
ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ॥
ଦର୍ପଯୁକ୍ତ ଯୋଦ୍ଧାମାନଙ୍କ ନିବାସସ୍ଥଳ ଯେଉଁଠାରେ ସେମାନଙ୍କ ଶରୀର ଶତ୍ରୁସମୂହଙ୍କ ରକ୍ତରେ ରଞ୍ଜିତ ହୋଇଥାଏ (ବା ଶତ୍ରୁମାନଙ୍କୁ ବିନାଶ କରିବାରେ ପାରଙ୍ଗମ), ଯାହା ପାଇଁ ସେମାନେ ବିଶ୍ୱର ସମସ୍ତସ୍ଥାନର ଶ୍ରେଷ୍ଠ ପୁରୁଷମାନଙ୍କ ସ୍ନେହ ଓ ଆଦର ଓ ସମ୍ମାନ ପାଇଛନ୍ତି, ସେହି ଉତ୍କଳ ଦେଶର ଜନନୀଙ୍କୁ ଆମେ ବନ୍ଦନା କରୁଅଛୁଁ ।
ସୁରବର = ଯୋଦ୍ଧା, ଗେହା = ଘର, ସ୍ଥାନ ଦର୍ପିତ-ଦେହା = ଦେହ ଦର୍ପଯୁକ୍ତ, ଅରିକୁଳ = ଶତ୍ରୁସମୂହ, ଶୋଣିତ = ରକ୍ତ, ଚର୍ଚ୍ଚିତ = ଲିପା ହୋଇଥିବା, ବିଶ୍ୱ ଭୂମଣ୍ଡଳ = ସମଗ୍ର ବିଶ୍ୱର ଭୂମି , କୃତବର = ଶ୍ରେଷ୍ଠ ବରପୁତ୍ର
ଏହି ପଦରେ ଗେହା, ଦେହା ଓ ସ୍ନେହା ଶବ୍ଦ ଲାଳିତ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଛି ।
୭
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ॥
କବିଶ୍ରେଷ୍ଠ ଯୋଗ୍ୟ ସନ୍ତାନଙ୍କ ଦ୍ୱାରା ଯିଏ ବନ୍ଦିତ ହୁଏ, ଯାହାର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ୱରେ ଘୋଷିତ ହୁଏ, ଯିଏ ସର୍ବଦା ଧନରେ, ପୁଣ୍ୟରେ ସନ୍ତାନ ମାନଙ୍କୁ ନିଜକୋଳରେ ଶରଣ ଦେଇଥାଏ, ସେହି ଉତ୍କଳ ଜନନୀଙ୍କୁ ଆମେ ବନ୍ଦନା କରୁଅଛୁଁ ।
କବିକୁଳ ମୌଳି = କବିମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସୁନନ୍ଦନ- ବନ୍ଦ୍ୟା = ଯୋଗ୍ୟ ସନ୍ତାନଙ୍କ ଦ୍ୱାରା ବନ୍ଦିତ, ଭୁବନ = ପୃଥିବୀ, ବିଘୋଷିତ = ଘୋଷଣା ହେବା, ଅନିନ୍ଦ୍ୟା = ପ୍ରଶଂସନୀୟ