ଆଜିକାଲି ଲୋକେ ଏପରି ଇହାକାଳସର୍ବସ୍ବ ହୋଇପଡିଛନ୍ତି ଯେ, ପରକାଳର ଚିନ୍ତାପର୍ଯ୍ୟନ୍ତ ସେମାନେ କରନ୍ତି ନାହିଁ। ପରକାଳ ଯେ ଅଛି, ଏ ବିଶ୍ୱାସଟିକକ ସୁଦ୍ଧା ସେମାନେ ହରାଇବସିଛନ୍ତି। ଜଣ ଜଣକର ଆୟୁ ପଚାଶ, ଷାଠିଏ ବର୍ଷ ମାତ୍ର, ଖୁବ୍ ଅଧିକ ହେଲେ ଶହେ ବର୍ଷ। ତଥାପି ସେମାନେ ଏ ଜଗତକୁ ନିତ୍ୟବାସ କରିବାକୁ ଆସିଛନ୍ତି ବୋଲି ଭାବି ଐହିକ କର୍ମାଦିର ପ୍ରବର୍ତ୍ତନପୂର୍ବକ ଦୁର୍ବଳ ଉପରେ ଅତ୍ୟାଚାର କରି ଆପଣାର ପ୍ରଭୂତ୍ବ ସ୍ଥାପନର ଚେଷ୍ଟା କରୁଛନ୍ତି ଓ ମିଥ୍ୟାର ଆଶ୍ରୟ ଗ୍ରହଣ କରି ବିଷୟ ସମ୍ପତି ବୃଦ୍ଧି ଉଦ୍ୟମରେ ଲାଗିପଡିଛନ୍ତି ; କିନ୍ତୁ ସେମାନେ ବୁଝୁ ନାହାନ୍ତି ଯେ ଦିନେ ସମସ୍ତଙ୍କୁ ନିଃସମ୍ବଳ ହୋଇ ସବୁ ତ୍ୟାଗ କରି କୌଣସି ଗୋଟିଏ ଅଜଣା ଦେଶକୁ ଚାଲି ଯିବାକୁ ହେବ। ଯାହାଙ୍କର ଅକ୍ଷୟ ଭଣ୍ଡାରର ଜିନିଷ ତାହା ତାଙ୍କରି ଭଣ୍ଡାରରେ ପଡି ରହିଥିବ।
ମହାପୁରୁଷ “ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଭାଗବତ ପୃଷ୍ଠାରୁ ଅଷ୍ଟମ ସ୍କନ୍ଦ “”,,,,,,,, ଯଜ୍ଞପୁରୁଷ ମୁଖୁଁ ଶୁଣି। ଭୃଗୁ ଅନେକ ସ୍ତୁତି ଭଣି। ଚାହିଁ ସେ ବାମନ ଚରଣ। ଯଜ୍ଞସ୍ଵରୂପୀ ନାରାୟଣ।
ବୋଲଇ ଯୋଡ଼ି ବେନିକର। ପୁଲକ ଆନନ୍ଦ ଶରୀର। ଭୋ ନାଥ ଏ ଯଜ୍ଞଶରୀର। ଅଶେଷଜନ ଉପକାର।
କର୍ମର ଈଶ୍ଵର ତୁ ଯହିଁ। ତା କର୍ମ ଛିଦ୍ର ହୋଇ କାହିଁ। ଯେ ମନ୍ତ୍ର ଆଦି ଦେଶ କାଳ। ଯେ ଛିଦ୍ର ହୁଅଇ ସକଳ।
ତୋ ନାମ-କୀର୍ତ୍ତନେ ସଫଳ। ଅଛିଦ୍ର ହୁଅଇ ସକଳ। ତୁ ପ୍ରଭୁ ସଂସାର-କାରଣ। ନମୋ ନମସ୍ତେ ନାରାୟଣ।
ଏମନ୍ତ ଆଜ୍ଞା ଘେନି ମାଥେ। ଶ୍ରୁବ ଧଇଲା ଦକ୍ଷହସ୍ତେ। ଋତ୍ଵିଜ ଋଷିଗଣ ସଙ୍ଗେ। ଆହୁତି ଦେଲା ବେଦମାର୍ଗେ।
ଆନନ୍ଦେ ହୋଇ ଦ୍ରବୀଭୂତ। ଭୃଗୁ ହୋଇଲେ କୃତ୍ୟକୃତ୍ୟ।
– ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଯଜ୍ଞପୁରୁଷ ରୂପୀ ଭଗବାନଙ୍କ ମୁଖରୁ ଯଜ୍ଞାନୁଷ୍ଠାନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଆଜ୍ଞା ପାଇ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ଆନନ୍ଦରେ ଗଦଗ୍ଦିତ ହୋଇ ଭଗବାନଙ୍କୁ ଅନେକ ସ୍ତୁତି କରିବା ସହ ଭଗବାନଙ୍କ ପାଦପଦ୍ମରେ କରଯୋଡି କହିଲେ , ହେ ପ୍ରଭୁ ! ଏହି ଯଜ୍ଞପୁରୁଷ ରୂପରେ ଆପଣଙ୍କୁ ପୂଜା କଲେ ପ୍ରାଣୀମାନଙ୍କର ସବୁକିଛି ମଙ୍ଗଳ ହୋଇଥାଏ। ଯେଉଁ ପ୍ରାଣୀ ନିଜର ସକଳ କର୍ମ ଆପଣଙ୍କୁ ସମର୍ପଣ କରିଦେଇ ଆପଣଙ୍କର ପୂଜା ଆରାଧନା କରନ୍ତି ତାହାଙ୍କର କର୍ମରେ କୌଣସି ଦୋଷତ୍ରୁଟି ବା ରହିବ କିପରି ! ମନ୍ତ୍ର ଉଚ୍ଚାରଣରେ , ଦେଶ , କାଳ ଓ ପାତ୍ର ଆଦିରେ ଯେଉଁ ସବୁ ଦୋଷ ତ୍ରୁଟି ରହିଯାଏ , ଆପଣଙ୍କର ପରମ ପବିତ୍ର ନାମକୁ କୀର୍ତ୍ତନ କରିବା ମାତ୍ରେ ସେସବୁ ଦୋଷ ତ୍ରୁଟି ସୁଧୁରି ଯାଇ ସବୁକିଛି ଦୋଷରହିତ ହୋଇ ଯାଇଥାଏ। ହେ ସକଳ ସଂସାରର କାରଣ ପ୍ରଭୁ ନାରାୟଣ ! ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଅଛି। ଏହିପରି ଭାବରେ ପ୍ରଭୁଙ୍କ ପଦାରବିନ୍ଦରେ ଭକ୍ତି ନିବେଦନ କରିବା ସହିତ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ପ୍ରଭୁଙ୍କର ଆଜ୍ଞାକୁ ଶିରୋଧାର୍ଯ୍ୟ କରି ଦକ୍ଷିଣ ହସ୍ତରେ ଶ୍ରୁବ ଧାରଣ କଲେ ଓ ଯଜ୍ଞଶାଳାରେ ଉପସ୍ଥିତ ଥିବା ଋତ୍ଵିଜ ଓ ଋଷିଗଣଙ୍କ ସହ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ଯଜ୍ଞରେ ପୂର୍ଣ୍ଣାହୁତି ଦେଇ ବଳିଙ୍କର ଯଜ୍ଞାନୁଷ୍ଠାନ କାର୍ଯ୍ୟକୁ ସମ୍ପୂର୍ଣ୍ଣ କଲେ। ପ୍ରଭୁଙ୍କ ଆଜ୍ଞା ଅନୁସାରେ ଯଜ୍ଞାନୁଷ୍ଠାନ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ଆନନ୍ଦରେ ଗଦଗ୍ଦିତ ହେବା ସହିତ ନିଜକୁ ଧନ୍ୟ ମନେ କଲେ।
କାର୍ଯ୍ୟ କରିଚାଲନ୍ତୁ….
ସଫଳ ହେଲେ ଆତ୍ମୀୟ ଖୁସି ଓ ବିଫଳତା ପାଇଲେ ନିନ୍ଦୁକ ଖୁସି….
ଆଗେଇ ଚାଲିବାକୁ ତ ପଡ଼ିବ, ଖୁସି ବାଣ୍ଟିବାରେ ଆନନ୍ଦ ହି ଆନନ୍ଦ….