Spread the love

ପୁସ୍ତକମେଳାରେ ସାହିତ୍ୟର ଅବସ୍ଥା/ ହାଲତ ।

( କ)
” ସାହିତ୍ୟ କହିଲେ କେତେ ଲୋକ କେତେ କଥା ବୁଝନ୍ତି ।କିଏ ଖାଲି କାବ୍ୟ, କିଏ ଶୈଳୀ ଓ ଆଉ କିଏ ଶେଷ ବୋଲି ବୁଛନ୍ତି।କିଏ କହନ୍ତି ‘ବାସ୍ତବ ଜୀବନର ଫଟୋ ଉଠେଇ ତାହାକୁ ସାତଗୁଣ ବଡକରି ଦେଖାଇଦେଲେ ହିଁ ସାହିତ୍ୟ ହୁଏ’।ଅନ୍ୟର ଗୁଣ ଗାଇବାକୁ କିଏ ସାହିତ୍ୟ ବୋଲି କୁହେ।ଆପଣାକୁ ଅବଗୁଣ୍ଠିତ କରି ରଖିବାକୁ ଅଥଚ ଉପଭୋକ୍ତାମାନଙ୍କ ସଭାରେ ବଢିଆରୁ ବଢିଆ ଭେକ ପିନ୍ଧି ବସିବାକୁ ହିଁ ଆଉ କିଏ ସାହିତ୍ୟର ସାଥର୍କତା ବୋଲି ବିଶ୍ବାସ କରେ।ହୁଏତ ଏହି ସଜ୍ଞାଗୁଡାକ ସବୁ ସତ; ତଥାପି ମୁଁ ଅନୁଭବ କରେ ଯେ ସାହିତ୍ୟ ହେଉଛି ମୂଳତଃ ମର୍ମବାଣି ; ଅନ୍ତର୍ବାଣୀ ।ଜଣେ ମଣିଷ ହିସାବରେ ଆଉ ପଚାଶଜଣ ମଣିଷଙ୍କ ଆଗରେ ସମସ୍ତେ ଆପଣାର ମର୍ମବାଣି ଓ ଅନ୍ତର୍ବାଣୀକୁ କହିପାରନ୍ତି ନାହିଁ ।ତାହାର କେତେବିଧ କାରଣ ରହିଛି ।କିନ୍ତୁ କେବଳ ମର୍ମବାଣୀ ହିଁ ମନକୁ ସ୍ପର୍ଶ କରିପାରେ ।ମର୍ମ ମର୍ମକୁ ଓ ଅନ୍ତର ଅନ୍ତରକୁ ସ୍ପର୍ଶ କରିପାରିଲେ ଯାଇ ସାହିତ୍ୟ ସାର୍ଥକ ହୁଏ।ହୁଏତ ଏହିପରି ଏକ କାରଣ ଦ୍ବାରା ଅନୁପ୍ରେରିତ ହୋଇ ରୋମାଁ ରୋଲାଁ ଆପଣାର ଏକ ଗ୍ରନ୍ଥକୁ
‘ଅନ୍ତର୍ଯତ୍ରା'( Le Voyage interieur,Paris,1942)ବୋଲି ଅଭିହିତ କରିଚନ୍ତି “।
( ରୋହିତର ଡାଏରୀ- ଶ୍ରୀ ଚିତ୍ତରଞ୍ଜନ ଦାସ- ପଥିକ ପ୍ରକାଶନୀ- 2023-ପ୍ରଥମ ପର୍ବ- ପ୍ରଥମାର୍ଦ୍ଧ-ମୁଖବନ୍ଧ- ଦ୍ୱିତୀୟ ପୃଷ୍ଠାର ଦ୍ୱିତୀୟ ଅନୁଛେଦ -Paragraph)

(ଖ)
ତା12.06.1988ରିଖରେ ଶ୍ରୀ ଚିତ୍ତ ରଞ୍ଜନ ଦାସଙ୍କ (ଚିତ୍ତଭାଇ) ଲିଖିତ ” ସାହିତ୍ୟ- ବାଇଆ” ପ୍ରବନ୍ଧରୁ;-

“ଜଣେ ଜଣେ ମଣିଷ ସାହିତ୍ୟକୁ ନେଇ ଏଡେ ଅଥୟ ଓ ବିଧୂର ହୋଇପଡନ୍ତି କାହିଁକି କେଜାଣି?ଯେଉଁ ଦେଶରେ ସାହିତ୍ୟ ନିନ୍ଦିତ, ସେହି ଦେଶରେ ସବୁକିଛି ନିନ୍ଦିତ ବୋଲି କାହିଁକି କହି ବୁଲୁଥାନ୍ତି କେଜାଣି?ଯୋଉ ଦେଶରେ ସର୍ବମୋଟ ଲୋକସଂଖ୍ଯାର ଅଧିକରୁ ଅଧିକ ମଣିଷ ନିତି ଅପମାନିତ ହେଉଥାନ୍ତି, ଗଣ୍ଡାଏ ଅନ୍ନ ଯୋଗାଡ କରିବାର ଆବର୍ତ୍ତ ଭିତରେ ଘେରା ବୁଲିବାରେ ଲାଗିଥାନ୍ତି,
( ସେ ଏବର ” ମାଗଣା ଦାନା ବଣ୍ଟନ ଧାଡି ” ଦୃଶ୍ୟ ବେଳକୁ ବଞ୍ଚିଥିଲେ କଣ ଲେଖିଥାନ୍ତେ କେଜାଣି?) ସେହି ଦେଶ ଏକ ଅସଭ୍ୟ ବା ଅଯୋଗ୍ୟ ଦେଶ ବୋଲି କୁହାହେଲା ବେଳକୁ ସେମାନେ କୋଉଠି ଲୁଚି ରହିଥାନ୍ତି କାହିଁକି କେଜାଣି?ଅଥବା ଦେଶର ସାହିତ୍ୟକୁ ଏଡେ ବଡ ବୋଲି କହି ସେମାନେ ଆଉ କୌଣସି ନିଷ୍ଠୁର ସତ୍ୟକୁ ଘୋଡାଇ ରଖିବାକୁ ଇଛା କରୁଥାନ୍ତି କି?ତଥାକଥିତ ସାହିତ୍ୟ ପ୍ରତି ନିଜର ଅତି- ଅଧିରତା ଦେଖାଇ ସେମାନେ ନିଜର କୌଣସି ଅପରାଧବୋଧକୁ ଫାଙ୍କିଦେବାକୁ ମନ କରିଥାନ୍ତି କି?

ଏହି ଦେଶରେ ଅସଲ ସାହିତ୍ୟଗୁଡିକୁ ଯେତିକି ଉପେକ୍ଷା କରାଯାଉଛି ବା ଘୋଡେଇ ପକେଇବାର ଚେଷ୍ଟା କରାଯାଉଛି, ଏଣେ ସେତିକି ଅଧିକ ଅଥୟ ଭାବରେ ଏଠି ଥୋକେ ମଣିଷ ସାହିତ୍ୟର କଥା କହୁଛନ୍ତି ।ବର୍ତ୍ତମାନର ବହୁବିଧ ଚଲାଖପଣିଆ
ଦ୍ବାରା ଏଠାରେ ଭବିଷ୍ୟତଗୁଡାକୁ ଯେପରି ଭଣ୍ଡୁର କରି ଦିଆଯାଉଛି , ସେତିକି ଅଧିକ ଭାବପ୍ରବଣତା ଦେଖାଇ ଥୋକେ ମଣିଷ ସାହିତ୍ୟର ଆର ଦୁଆରେ ପରସ୍ପରକୁ କୁଣ୍ଢେଇ ଧରିଛନ୍ତି ଓ ସାହିତ୍ୟର ନାମରେ ବାହୁନି ହେଉଛନ୍ତି ।××××

××××× ଅସଲ ସାହିତ୍ୟ ମଣିଷକୁ ଯୋଡନ୍ତା, ଖାଲି ଗପ ବା କବିତାରେ ନୁହେଁ, ଜୀବନରେ ମଧ୍ୟ ଲୋଡନ୍ତା।ଏହି ଅସଲ କଥାଟିକୁ ଆମ ବାଇଆମାନଙ୍କୁ କିଏ ଅବା କିପରି ବୁଝେଇ ପାରିବ?କିଏ ସେମାନଙ୍କୁ ସେହି ବିସ୍ମରଣର ବଣ ଭିତରୁ ଆମର ଅସଲ ଘର ଭିତରକୁ ଡାକି ଆଣି ପାରିବ?

(ଗ)
ତା 31.07.1988ରିଖରେ ଶ୍ରୀ ଚିତ୍ତ ରଞନ ଦାସ, ତାଙ୍କ ଲିଖିତ
‘ ଯିଏ ଯେଝାପାଇଁ ଲାଗିଲେ ‘ ପ୍ରବନ୍ଧରେ ସାହିତ୍ୟ ଓ ସାହିତ୍ୟିକମାନଙ୍କ ଉପରେ ଲେଖିଥିଲେ;

” ××ସାହିତ୍ୟିକମାନେ ବି ସହରରେ ସଭା ମଣ୍ଡାଇ ଦୁଃସ୍ଥ ହେଲେ,ହାତ ପତେଇଲେ।ନିଜ ପାଇଁ ଲାଗିଲେ। ସାହିତ୍ୟକୁ ନେଇ ସାହୁକାରଙ୍କ ଘରେ ବାନ୍ଧିଦେଇ ଆସିଲେ।ଯିଏ ଯେଝାପାଇଁ ଲାଗି ଗୌରବ ଅନୁଭବ କଲେ××”।
ଶେଷ ପାରାଗ୍ରାଫ:-
“ଯିଏ ତ ଯେଝାପାଇଁ ଲାଗିଲେ, ଯେଝା ନିଶକୁ ଦର୍ପଣ ଭିତରେ ଦେଖି ଫୁଲେଇ ହେଲେ।ତେବେ, ଦେଶ ପାଇଁ, ମଣିଷ ପାଇଁ କିମ୍ବା ନ୍ୟାୟ ପାଇଁ କଥା କହିବାକୁ ଆଉ କେଉଁମାନେ ବାକି ରହିଲେ? ମାତ୍ର ଅଧିକରୁ ଅଧିକ ମଣିଷ ତଥାପି ଦେଶ ବିଷୟରେ ଭାଷଣ ଦେଲେ।ଆଦର୍ଶ ବିଷୟରେ ପିଲାମାନଙ୍କୁ ତ୍ୟାଗର ଉଦବୋଧନ ଦେଲେ।ଏଣିକି ଚରିତ୍ର ବିଷୟରେ ଅଧିକ କଥା କୁହାଗଲା, ଧର୍ମସଭାରେ ଅଧିକ ଉତ୍ସାହ ଓ ଉଛନ୍ନପଣିଆ ଦେଖାଇ ଧର୍ମକଥାର ଉଦଗାର ହେଲା।ଶ୍ରଦ୍ଧାଳୁ ଶ୍ରୋତାମାନେ ରାତି ଅନିଦ୍ରା ହୋଇ ସେହି ଉଦଗାରଗୁଡିକ ଶୁଣିଲେ, କୃତ୍ୟକୃତ୍ୟ ହେଲେ, ମର ଜୀବନକୁ ଧନ୍ୟ କଲେ।ପରଜୀବନ ପାଇଁ ପୁଣ୍ୟ କିଣି ରଖିଲେ।କିଏ କେଉଁଠୁ ଛତରା ପିଲାଟିଏ ଯଦି ଏହିସବୁ ଆଖଡା ଭିତରେ ଆସି ପଶିଯାଆନ୍ତା ଓ କେବଳ ଆପଣା ପାଇଁ ଲାଗିଥିବା ଏହି ମହାମଣିଷମାନଙ୍କର ପିତ୍ତଗ୍ରନ୍ଥି ଭିତରେ ରହିଥିବା କଥାଟିକୁ ଖୋଲି କହିଦିଅନ୍ତା, ତେବେ ତାହା ସତକୁ ସତ କେଡେ ବଢିଆ କଥାଟିଏ ହୁଅନ୍ତା!”

(ଘ)
ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ଲିଖିତ ପ୍ରବନ୍ଧଗୁଡିଏକୁ ନେଇ ପ୍ରକାଶିତ
” ବିଦ୍ୟାବନ୍ତେ ଶୁନ” ବହିରେ
” ସାହିତ୍ୟେ ଚାଟୁକାରିତା”ଶୀର୍ଷକ ପ୍ରବନ୍ଧର
ପ୍ରଥମଭାଗ (ତା 08.10.1989ରିଖ) ଓ ଦ୍ୱିତୀୟଭାଗ
(ତା 22.10.1989 ରିଖ) ରହିଛି ।

ଦ୍ୱିତୀୟଭାଗର ତୃତୀୟ ପାରାଗ୍ରାଫ;-

“ସାହିତ୍ୟ ଭିତରେ ଚାକିରିଆମାନେ ଥିଲେ, ଅଧ୍ୟାପକମାନେ ମଧ୍ୟ ରହିଥିଲେ ।ଓଡିଶାରେ କେବଳ ସାହିତ୍ୟ ଉପରେ ଭରସାକରି ମୋଟେ ହଠାତ୍ ମହୋଦର ହେବା ସମ୍ଭବ ନୁହେଁ ବୋଲି ସେମାନଙ୍କ ପିତ୍ତଗ୍ରନ୍ଥି ଭିତରେ ରହିଥିବା ଅସାହିତ୍ୟକତା ସେମାନଙ୍କୁ ନିୟତି ହୋଇ ଖେଞ୍ଚିବାରେ ଲାଗିଥିଲା।

ସେହିମାନେ ହିଁ ଚାଟୁକାର ହେଲେ ଏବଂ ଚାଟୁକାରିତାରୁ ମହାଫଳମାନ ପାଇଲେ।ସେମାନଙ୍କ ପ୍ରାଦୁର୍ଭାବ ଫଳରେ ଓଡିଶାରେ ସାହିତ୍ୟକାରିତାର ସତେଅବା ସଜ୍ଞା ବଦଳିଗଲା।ବୃହଦାସନ ଦଣ୍ଡଧରମାନଙ୍କୁ କିଏ ‘ଋତୁରାଜ’ ବୋଲି କହିଲା, ଆଉ କେହି
‘ ବସନ୍ତ ଆସି ପହଞ୍ଚିଗଲା ‘ବୋଲି ଭାଣ କରି କୋଇଲି ଭଳି
ରାବି ଦେଲା। ଆଉ କେହି ନିଜର ଅଳସ ନିକାଞ୍ଚନରୁ ବାହାରି ଆସି ସେମାନଙ୍କ ଘରୁ କୁଲା ମାଗିଆଣି ତା’ ଉପରେ ବଡି ପାରିଦେଲା।
ଆଉ କେଉଁ ଚତୁରୀ ଓଡିଆ ସାହିତ୍ୟର ଏହି ଯୁଗଟାକୁ ସର୍ବାଦୌ ତାଙ୍କରି ଯୁଗବୋଲି କହି ଢୁ’ ଢୁ’ ଜଳବରଷି ପକାଇଲା।
ଏହାଫଳରେ ଅର୍ଥ ଓ କାମ ମିଳିଲା। ଚାଟୁକାର ସାହିତ୍ୟିକମାନେ
ରଜାଘର ଭଣ୍ଡାରି ପରି ଦେଖାଗଲେ।’ ଯତ୍ ଯତ୍ ଚରତି ଶ୍ରେଷ୍ଠଃ’ ନ୍ୟାୟରେ ରଜା ପହଞ୍ଚିବା ଆଗରୁ ଭଣ୍ଡାରିମାନେ ଯାଇ ହାଜର ହୋଇଗଲେ।ଏବଂ ରଜା କୌଣସି କାରଣରୁ ଆସିନପାରିଲେ,
ଭଣ୍ଡାରିମାନେ ହିଁ ସମବେତ ଜନତାଙ୍କୁ ‘ ସେମାନଙ୍କୁ ରାଜା ବୋଲି ବରଣ କରିବାକୁ’ ଅନୁନୟ କଲେ”।
( Disclaimer:- ଶ୍ରୀ ଦାସ ଏବେ ନାହାନ୍ତି ଓ ଏବର ପରିସ୍ଥିତି ବାବଦରେ ମୁଁ କିଛି ଜାଣିନି।)

ମୋ କଥା:- ସାହିତ୍ୟ ଲୋକଙ୍କୁ ” ହାତପତା” ରୁ “ସଶକ୍ତ”
କରିପାରିବ କି?

Leave a Reply

Your email address will not be published. Required fields are marked *