ଭାଗବତ କଥା
ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ଯା ଜଗନ୍ନାଥାୟ ତେ ନମଃ।
ମୈତ୍ରେୟ କହିଛନ୍ତି ଯେ ବ୍ରହ୍ମା କଳ୍ଫିଲେ ପରମେଷ୍ଟି । ସେହି ସୃଷ୍ଟି ହେଉଛି ପାପ ବହୁଳ। ତାହା ଦେଖି ବ୍ରହ୍ମା ବିଚାରିଲେ ଯେ ଏହି ସୃଷ୍ଟି ନୋହିଲେ ଉଚିତ। ବ୍ରହ୍ମା ଦୃଢ ଚିତ୍ତେ ଗୋବିନ୍ଦ ଙ୍କୁ ଧ୍ୟାନ କଲେ। ବିଷ୍ଣୁ ଙ୍କ ଅଂଶ ରୁ ଚାରି ଭ୍ରାତା ବ୍ରହ୍ମା ମନ ମଧ୍ୟରୁ ଜାତ ହୋଇଲେ। ସେମାନେ ହେଲେ ସନକ ସନନ୍ଦ କୁମାର ସନାତନ। ସେମାନଙ୍କୁ ବ୍ରହ୍ମା କହିଲେ ଯେ ତୁମେ ବେଦ ପ୍ରମାଣ ରେ ସୃଷ୍ଟି କର । ଏ ସୃଷ୍ଟି ହୋଇବ ତୁମ୍ଭର। ସେମାନେ କହିଲେ ଆମର ସେ ଆଡେ କିଛି କାର୍ଯ୍ୟ ନାହିଁ। ଗୋବିନ୍ଦ ଚରଣାର ବିନ୍ଦେ ଭକ୍ତି କରିବୁ। ତାଙ୍କର ବାଣୀ ଶୁଣି କ୍ରୋଧ ରେ କମ୍ଫିଲେ କୁଶପାଣି। ତାଙ୍କର କ୍ରୋଧ ରୁ ପୁତ୍ର ଜାତ ହୋଇଲା। ସେ ତାଙ୍କର ନାମ ରୁଦ୍ର ଦେଲେ। ତୋର ସ୍ଥାନ ହେଉଛି ମନ ଇନ୍ଦ୍ରିୟ ପ୍ରାଣ ବ୍ଯୋମ ବାୟୁ ଅନଳ ଜଳସ୍ଥାନ ମହୀ ମିହିର ଚନ୍ଦ୍ର ଓ ତପ।
ଶ୍ରୀକୃଷ୍ଣେ ଚିନ୍ତି ମନେମନ। କହନ୍ତି ବ୍ୟାସଙ୍କ ନନ୍ଦନ।
ଶୁକ ଉବାଚ
ଶୁଣ ପରୀକ୍ଷ ନୃପମଣି। କଶ୍ୟପ ମୁଖୁଁ ଏହା ଶୁଣି। ଅଦିତି କଳ୍ପି ଅନ୍ତର୍ଗତେ। ବିଧିପୂର୍ବକ ପୟୋବ୍ରତେ।
ଦ୍ଵାଦଶଦିନ ବିଧିମତେ। ସଂଯମେ ରହିଲା ଯୁଗତେ। ଏକାଗ୍ର ଚିତ୍ତେ ହରିପାଦେ। ସେବା କଳ୍ପିଲା ଅପ୍ରମାଦେ।
ସୁଦୃଢ଼ ମନ ବୁଦ୍ଧିବଳେ। ଇନ୍ଦ୍ରିଙ୍କି ନିରୋଧି ନିଶ୍ଚଳେ। ଏକାନ୍ତଚିତ୍ତେ ହରିପାଦେ। ଧ୍ୟାନ ସମ୍ପାଦି ଅପ୍ରମାଦେ।
ଦ୍ଵାଦଶଦିନ ପୟୋବ୍ରତେ। ବିଷ୍ଣୁ ସେବିଲା ଅବିରତେ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଅଷ୍ଟମ ସ୍କନ୍ଧ , ଷୋଡ଼ଶ ଅଧ୍ୟାୟ )
ପ୍ରସଙ୍ଗ – ଅଦିତିଙ୍କର ପୟୋବ୍ରତ ପାଳନ
ଅର୍ଥ – ବ୍ୟାସନନ୍ଦନ ମହାମୁନି ଶୁକଦେବ ମନ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରି କହିଲେ , ହେ ମହାରାଜା ପରୀକ୍ଷିତ ! ସ୍ଵାମୀ କଶ୍ୟପମୁନିଙ୍କ ଠାରୁ ପୟୋବ୍ରତ ପାଳନର ଉପଦେଶ ଶୁଣି ଦେବମାତା ଅଦିତି ମନ ମଧ୍ୟରେ ସେହି ବ୍ରତ ପାଳନ କରିବାକୁ ସଙ୍କଳ୍ପ କଲେ ଓ ବାରଦିନ ପର୍ଯ୍ୟନ୍ତ ସଂଯମତାର ସହିତ ସମସ୍ତ ବିଧି ବିଧାନ ପୂର୍ବକ ସେହି ବ୍ରତ ପାଳନ କଲେ। ସେ ବୁଦ୍ଧି ଓ ମନ ଦ୍ଵାରା ଇନ୍ଦ୍ରିୟମାନଙ୍କୁ ନିଜ ନିୟନ୍ତ୍ରଣରେ ରଖି ଏକନିଷ୍ଠ ଭାବେ ଭଗବାନ ଶ୍ରୀହରିଙ୍କ ପାଦପଦ୍ମରେ ମନୋନିବେଶ କଲେ। ସେ ବାରଦିନ ପର୍ଯ୍ୟନ୍ତ ଏକାଗ୍ର ଚିତ୍ତରେ ଭଗବାନ ଶ୍ରୀହରିଙ୍କ ଚରଣ କମଳରେ ନିରନ୍ତର ଧ୍ୟାନ ରଖି ପୟୋବ୍ରତ ଅନୁଷ୍ଠାନ ସମ୍ପନ୍ନ କଲେ।
ଭାବାର୍ଥ – ସ୍ଵାମୀ କଶ୍ୟପଙ୍କର ଉପଦେଶ ଅନୁସାରେ ଦେବମାତା ଅଦିତି ସମସ୍ତ ବିଧି ବିଧାନର ସହିତ ପୟୋବ୍ରତ ଅନୁଷ୍ଠାନ ସମ୍ପନ୍ନ କଲେ।
ଜୟ ଜଗନ୍ନାଥ