Spread the love

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରହସ୍ୟମୟ ‘ୱେଦର୍‌ ବେଲୁନ୍‌’ ଭଳି ବସ୍ତୁ ଆକାଶ ଅତିକ୍ରମ କରିଥିବା କଥା ରୋମାନିଆ ଓ ତା’ର ପଡ଼ୋଶୀ ଦେଶ ମଲ୍‌ଡୋଭା କହିଛନ୍ତି ବୋଲି ‘ଆସୋସିଏଟ୍‌ ପ୍ରେସ୍‌’ ରିପୋର୍ଟ କରିଛି।

ଉଡ଼ନ୍ତା ବସ୍ତୁକୁ ଅନୁସରଣ କରିବା ଲାଗି ତୁରନ୍ତ ଲଢୁଆ ବିମାନ ବାହାର କରିବା ପରେ ମଲ୍‌ଡୋଭା ସାମୟିକ ଭାବେ ନିଜ ଆକାଶପଥ ବନ୍ଦ କରିଦେଇଥିଲା। ସ୍ଥାନୀୟ ସମୟ ମଧ୍ୟାହ୍ନ ବେଳେ ଘଟିଥିବା ଏହି ଘଟଣା ଯୋଗୁଁ ଦୁଇ ୟୁରୋପୀୟ ଦେଶ ଖୁବ୍‌ ଚିନ୍ତିତ ହୋଇପଡ଼ିଥିଲେ। କାରଣ, ୟୁକ୍ରେନ୍‌ ସହିତ ଦୁଇ ଦେଶର ସୀମା ଲାଗିଥିବାରୁ ସେମାନେ ରୁଷ୍‌ ଯୁଦ୍ଧ ଯୋଗୁଁ ବିଶେଷ ପ୍ରଭାବିତ ହୋଇଛନ୍ତି।

ରୋମାନିଆ ଆକାଶର ୩୬୦୦୦ ଫୁଟ୍‌ ଉଚ୍ଚରେ ଉକ୍ତ ବେଲୁନ୍‌ ଭଳି ବସ୍ତୁଟି ଉଡୁଥିବା କଥା ପ୍ରଥମେ ରାଡାର୍‌ ସିଷ୍ଟମ୍‌ରୁ ଜଣାପଡ଼ିଥିଲା। ତୁରନ୍ତ ଦୁଇଟି ‘ମିଗ୍‌-୨୧ ଲାନ୍‌ସର୍‌ ଆର୍‌’ ଲଢୁଆ ବିମାନ ତା’ର ଅନୁଧାବନ କରି ସେ ଅଞ୍ଚଳରେ ପ୍ରାୟ ୩୦ ମିନିଟ୍‌ ରହିବା ପରେ ବିମାନଘାଟିକୁ ଫେରି ଆସିଥିଲେ। କିନ୍ତୁ, ଉକ୍ତ ଲଢୁଆ ବିମାନର କ୍ରୁ’ମାନେ ସେ ବେଲୁନ୍‌ ଭଳି ବସ୍ତୁ ଯୋଗୁଁ କୌଣସି ବିପଦ ନ ଥିବା କଥା କହିଛନ୍ତି।

ରାଡାର୍‌ରେ ଚିହ୍ନଟ କରା ଯାଇଥିଲେ ସୁଦ୍ଧା ସେଥିରେ କିଛି ହାନିକାରକ ସାମଗ୍ରୀ ନ ଥିବାରୁ ରୋମାନିଆ ପାଇଁ ବିପଦ ନ ଥିବା କଥା ବୈଦେଶିକ ମନ୍ତ୍ରୀ ବଗ୍‌ଡାନ୍‌ ଅରେସ୍କ୍ୟୁ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି।

କିନ୍ତୁ, ସ‌େ ବସ୍ତୁ ଦୁଇଟି କେଉଁଠୁ ଆସିଲା ଏବଂ ଉଭୟ ଘଟଣା ମଧ୍ୟରେ କିଛି ସମ୍ପର୍କ ଅଛି କି, ନାହିଁ ତାହା ଦୁଇ ଦେଶ ସ୍ପଷ୍ଟ କରିପାରି ନାହାନ୍ତି।

Leave a Reply

Your email address will not be published. Required fields are marked *