ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି
" ଖାତିର କରିବାରୁ ନିଜକୁ ସିଏ
କୋହିନୁର ବୋଲି ଭାବିଲା,
ଭଙ୍ଗାକାଚଖଣ୍ଡିକ ମନରେ ଦେଖ
କେତେ ଯେ ଭ୍ରମ ଜାତ ହେଲା।"
( ଆଜି,ଗୁଲଜାର ମହାଶୟଙ୍କ (ମୂଳ ନାମ- ସଂପୂର୍ଣ୍ଣ ସିଂହ କାଲରା) ଦ୍ୱାରା ଲିଖିତ ଗୋଟିଏ ଉର୍ଦ୍ଦୁ ମୋହାବରାର ଓଡ଼ିଆରେ ଅନୁବାଦିତ ଲେଖାଟିଥିବା କାଗଜଖଣ୍ଡିକ ‘ମୋରି ମୁଣି’ ମୋତେ ଧରେଇଦେଇ, ମୋ ଉଦ୍ଦେଶ୍ୟରେ ଆଉ କିଛି ଲେଖି ନାହିଁଁ।)
……….. 💎 ……….
ଯେହେତୁ ମୋତେ କୈାଣସି ପ୍ରଶ୍ନ ନାହିଁ, ତେଣୁ ମୋର ବି ଉତ୍ତର ନାହିଁ।
ତେବେ, ଗୁଲଜାର ମହାଶୟ ଲେଖିଥିବା ମୋହାବରା ଆଧାରରେ ବହୁ ପୂର୍ବରୁ ଆମର ଅନେକ ଓଡ଼ିଆ ଲୋକକଥା ଭଣତି କରାଯାଇଛି, ଯଥା;
(୧) କୁହନ୍ତି ଯେଡେ, ନୁହନ୍ତି ସେଡେ,
(୨) ତୁଛାକୁ ଏତେ,
ମୁଦି ନାହିଁ ଗୋଡ଼ କଚାଡୁ କେତେ,
(୩) କଥାକୁହା କପିଳା
(୪)ବଚନ ମଧୁର ତିଳକ ସରୁ,
ଠକିବାରେ କିନ୍ତୁ ସର୍ବୋଚ୍ଚଗୁଋ,
(୫) ନ ଦେଖିଲା ଓଉ ଛ ଫଡା।
(୬) ସର୍ବେ ପିତଳ ମୁଁ ସୁନା
ଇତ୍ୟାଦି ଇତ୍ୟାଦି।
ଏବଂ, ଅଗ୍ରେଜୀରେ
” ALL THAT GLITTERS
IS NOT GOLD”
etc etc.
(ଆପଣମାନଙ୍କୁ ଅନୁରୋଧ, ଆଉ ଯାହା ଅଛି, ତାହା ଜଣାଇବେ।)
-” ସର୍ବେ ପିତଳ ମୁଁ ସୁନା ” ଶୀର୍ଷକ ଓଡ଼ିଆ ଲୋକକଥାଟି, ତା୨୪.୦୩.୧୯୯୦ରିଖରେ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ଲିଖିତ ‘ସର୍ବେ ପିତଳ ମୁଁ ସୁନା’ ପ୍ରବନ୍ଧଟିଏର ବି ଶୀର୍ଷକ ରହିଥିଲା, ଯାହାର ଅଂଶଟିଏ ତଳେ ସ୍ଥାନିତ ଅଛି;
“ମୋ ପକ୍ଷର ସମର୍ଥନ କରି ଭାଷଣ ପିଟିଲାବେଳେ ମୁଁ ନିଜକୁ ଓ ନିଜର ଦଳକୁ ଗୋଟାସୁଦ୍ଧା ସୁନା କହେ ଓ ଅନ୍ୟ ପ୍ରତିଦ୍ବନ୍ଦିମାନଙ୍କୁ ବା ସେମାନଙ୍କ ଦଳକୁ ଗୋଟାସୁଦ୍ଧା ପିତଳ ବୋଲି ପ୍ରମାଣ କରିଦିଏ।’ମୁଁ କାହିଁକି ସୁନା’ ସେଇଟିର ପ୍ରସଙ୍ଗ ପଡିବା ଆଦୌ ଆବଶ୍ୟକ ହୁଏ ନାହିଁ। ଆଉମାନଙ୍କୁ କଥା ଅକଥା ଲଗେଇ ପିତଳ ବୋଲି ସାବ୍ଯସ୍ତ ଦ୍ବାରା ହିଁ ମୁଁ ସୁନା ବୋଲି ଆପେ ଆପେ ପ୍ରମାଣିତ ହୋଇଯାଏ। ଗଣତନ୍ତ୍ରକୁ ଗାଦୀବ୍ରହ୍ମ ଋପେ ଗ୍ରହଣ କରିଥିବା କୌଣସି ସାମନ୍ତବାଦୀ ଦେଶରେ ଏତିକି ହିଁ ସବୁଠାରୁ ଅଧିକ କାମ ଦିଏ। ଶୁଣୁଥିବା ଲୋକମାନେ ମଧ୍ୟ ତାହାକୁ ଭାରି ଉପଭୋଗ କରନ୍ତି।
ଏସବୁ ରଙ୍ଗ ଦେଖିଲେ ବେଳେବେଳେ ମନେହୁଏ ଯେ, ଏହି ଦୁଇଟାଯାକ ପଟ ଏହିପରି ଭାବରେ ପରସ୍ପରକୁ ଝିଙ୍ଗାସିବାରେ ଲାଗିଥିବେ ଏବଂ ସମସ୍ୟାଗୁଡ଼ିକ ସେମିତି ଲାଗି ରହିଥିବ”।-
ଶ୍ରୀ ଦାସ, ପଇଁ ତିରିଶି ବର୍ଷ ତଳେ ଲେଖିଥିବା 'ଶୁଣୁଥିବା ଲୋକମାନେ ମଧ୍ୟ ତାହାକୁ ଭାରି ଉପଭୋଗ କରନ୍ତି' କଥାଟି ଏବେ 'ଶୁଣୁଥିବା ଲୋକମାନେ ଏଭଳି ସୁନାମାନଙ୍କ ଭିତରୁ ଯିଏ ବନେଇ ଚୁନେଇ ଯେତେ ଅଧିକ ମିଛ କୁହନ୍ତି , ପ୍ରତିଶୃତି ପାଳନ କରନ୍ତି ନାହିଁ, ସେଇମାନଙ୍କୁ ସେତେ ଅଧିକ ଭୋଟ ନାଦି ଦିଅନ୍ତି'କୁ ପରିବର୍ତ୍ତିତ ହୋଇଯାଇଛି। ସମସ୍ୟାଗୁଡିକର ସମାଧାନ ହେବାର ହିଁ ନାହିଁ । ସମାଧାନ ହୋଇଗଲେ'ଜିତିବରେ ଜିତିବ- କଳ୍ପାଭାଇ ଜିତିବ'ରଡି ପକେଇବାକୁ ଦାଦନ ଶ୍ରମିକ ମିଳିବେ ନାହିଁ ଚିନ୍ତାରେ ହିଁ, ସମସ୍ୟାଗୁଡିକ ରହିଥିବ।
ନମସ୍କାର