ବେଦବ୍ୟାସ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡାଙ୍କ ପ୍ରାକ୍ ଅବସରକାଳୀନ ସମ୍ବର୍ଦ୍ଧନା
ରାଉରକେଲା :ଦର୍ଶନ ସମୀକ୍ଷା
ସହର ଉପକଣ୍ଠରେ ଥିବା ବେଦବ୍ୟାସ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା ନିଜ କର୍ମମୟ ଜୀବନରୁ ଚଳିତମାସ ୩୦ ତାରିଖରେ ଅବସର ଗ୍ରହଣ କରିବେ। ଏହି ଅବସରରେ ଡ. ପଣ୍ଡାଙ୍କ ପାଇଁ ଏକ ପ୍ରାକ୍ ଅବସରକାଳୀନ ସମ୍ବର୍ଦ୍ଧନାର ଆୟୋଜନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଡ.ପୀତବାସ ମିଶ୍ରଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତଭାବେ ବରିଷ୍ଠ ଶିକ୍ଷାବୀତ୍ ଡ. କିଶୋରୀ ଦାଶ, ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ଶଶଧର ପଣ୍ଡା, ବେଦବ୍ୟାସ ସ୍ଥିତ କଲ୍ୟାଣ ଆଶ୍ରମର ଅଗ୍ନିବାବା, ବେଦବ୍ୟାସ ଗୁରୁକୁଳ ଆଶ୍ରମର ସ୍ୱାମୀ ନକୁଳ ଦେବ ଆର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ଡ. ମିଶ୍ର ଡ. ପଣ୍ଡାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ବେଦବ୍ୟାସ କ୍ଷେତ୍ରର ପ୍ରଚାର ଓ ପ୍ରସାର ଦିଗରେ କର୍ମମୟ ଜୀବନରୁ ଅବସର ପରେ ଅଧିକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଡ. ଦାଶ ତାଙ୍କ ବକ୍ତବ୍ୟରେ ଡ. ପଣ୍ଡାଙ୍କୁ ଅଧ୍ୟାପନା ଜୀବନରୁ ଅବସର ନେବା ପରେ ନିଜର ସୃଜନ କର୍ମ ବିଶେଷ କରି ଐତିହାସିକ ଗବେଷଣା ସମ୍ପର୍କୀତ କାର୍ଯ୍ୟରେ ଅଧିକରୁ ଅଧିକ ମନୋନିବେଶ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ। ସ୍ୱାମୀ ଅଗ୍ନିବାବା ସଂସ୍କୃତ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ଡ. ପଣ୍ଡାଙ୍କ ଅବଦାନ ସମ୍ପର୍କରେ କହିଥିଲେ। ଶଶଧର ପଣ୍ଡା ନିଜ ବକ୍ତବ୍ୟରେ ଡ. ପଣ୍ଡାଙ୍କର ଓଡ଼ିଆ ଭାଷା ଓ ସାହିତ୍ୟ ତଥା ବେଦବ୍ୟାସ କ୍ଷେତ୍ରର ବିକାଶ ଦିଗରେ କରିଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପାର୍ବତୀ ଗୋବିନ୍ଦ ସ୍ମୃତି ସାହିତ୍ୟ ସଂସଦ, ରଶ୍ମିପ୍ରଭା ଓ ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଡ. ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଡ. ପଣ୍ଡାଙ୍କ ଅବସର ଜୀବନ ପାଇଁ ଶୁଭେଚ୍ଛା ଜ୍ଞାପନ ସହିତ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ରହି ଡ. ପଣ୍ଡାଙ୍କ ସହିତ ସେମାନଙ୍କର ସମ୍ପୃକ୍ତି ସମ୍ପର୍କରେ ସୂଚନା ଦେବା ସହ ସ୍ମୃତିଚାରଣ କରିଥିଲେ। ଗୁରୁକ୍ୁଳ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦ୍ରଧ୍ୱଜ ମାଝିଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ରାଧାକାନ୍ତ ମହାରଣା, ସମାଜସେବୀ ଅନିଲ ଦାସ, ସଙ୍ଗଠକ ଓ ସାହିତ୍ୟିକ ଡ. ସୁଭାଷ ଲେଙ୍କା, ବରିଷ୍ଠ ଶିକ୍ଷକ ଓ ସଙ୍ଗଠକ ପ୍ରଫୁଲ୍ଲ ବାରିକ, ବରିଷ୍ଠ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ଭୋଇ, ଅଧ୍ୟାପକ ଡ. ଶିବ ପ୍ରସାଦ ପାଠୀ, ମୃତ୍ୟୁଞ୍ଜୟ ଦାଶ ଶର୍ମା, ଲେଖକ ତଥା ସଙ୍ଗଠକ ମନୋଜ ନନ୍ଦ, ଆଇନଜୀବୀ ବବିତା ମହାପାତ୍ର ପ୍ରମୁଖଙ୍କ ସମେତ ସହରର ଅନେକ ସାମ୍ବାଦିକ ଓ ବୁଦ୍ଧିଜିବୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ଡ. ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କର ତାଙ୍କ ଭଲ ପାଇବା ପ୍ରତି ଧନ୍ୟବାଦ ଦେବା ସହ ଆସନ୍ତା ଦିନରେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ନେଇ ନିଜର ସୃଜନକର୍ମରେ ମନୋନିବେଶ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଡ. ପଣ୍ଡାଙ୍କ ସମେତ ଅନ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଡ. ପଣ୍ଡାଙ୍କ ନିରାମୟ ଅବସରକାଳୀନ ଜୀବନ ପାଇଁ ଆଶାବ୍ୟକ୍ତ କରିଥିଲେ।