Spread the love


ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି

  "ହଇହେ କାପି ଏଣ୍ଡୁ ପେଷ୍ଟୁ ଏକସପାର୍ଟ ମଣି,

‘ଇତ୍ୟାଦି’ ଶବ୍ଦ ଉପରେ ସୁନ୍ଦର ଲେଖାଟିଏ କାପି କରି ଏଠାରେ ପେଷ୍ଟୁ କରି ପାରିଲେ ରହିବି, ନଚେତ୍ ତୁମକୁ ଛାଡି ପଳେଇବ ତୁମ ମୁଣି ହେ”
(ଆଜି ହଠାତ୍ ‘ମୁଣି’ ଦରଖଣ୍ଡିଆ ଦକ୍ଷିଣୀ ଓଡିଆବୋଲିରେ ମୋତେ ଏପରି ଧମକ ଦେବାରେ ମୁଁ ହତବିମ୍ବ ହୋଇ ଚଉକିରେ ବସିପଡ଼ିଲି।)
‌ ‌ ……….. 🪑……….
ଅତି ଆଦରର ମୁଣିଟି ପଳେଇବା ଭୟରେ , ତାକୁ ସନ୍ତୁଷ୍ଟ କରିବାକୁ
ସେହି ମୁଣିରେ ଖୋଜୁ ଖୋଜୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହିନ୍ଦିଭାଷାର କବି ଶ୍ରୀ ରାଜେଶ ଯୋଶୀ ମହାଶୟଙ୍କର
” ଇତ୍ୟାଦି” ଶୀର୍ଷକ କବିତାଟିଏ ମିଳିଗଲା, ଯାହାର ଓଡିଆରେ ଅଂଶଟିକୁ ତଳେ ପେଷ୍ଟୁ କରିଦେଇଛି, ମୋ ତରଫରୁ କିଛି ମିଶେଇଦେଇ, ଯାହା ବନ୍ଧନୀ ( ) ଭିତରେ ଅଛି।
” ଇତ୍ୟାଦି”
………..

ସଭାରେ କିଛି ଲୋକଙ୍କ ନାମ ଉଲ୍ଲେଖ କରାଯାଉଥିଲା, ଯେଉଁମାନଙ୍କର ଗୁଋତ୍ୱ ଥିଲା,
ବାକି ଯଥେଷ୍ଟ ଉପସ୍ଥିତଥିବା ” ଇତ୍ୟାଦି” ବର୍ଗର ଥିଲେ, ଯେଉଁମାନେ
ମୂଲଚାଲ କରି ତେଲ, ଲୁଣ ଓ ପରିବା କିଣି ( ଚାଉଳ, ଗହମ ମାଗଣାରେ) ଓ ରୋଷେଇକରି ଖାଇବାପରେ ଖାସ୍ ନାମକରା ମହାମହିମଙ୍କ ଭାଷଣ ଶୁଣିବାକୁ ଯାଉଥିଲେ।୧।

“ଇତ୍ୟାଦିମାନେ” ପ୍ରତ୍ୟେକ ସମାବେଶକୁ ଯାଉଥିଲେ,
ଶୋଭାଯାତ୍ରା (ଧାରଣା)ରେ ଭାଗ ନେଉଥିଲେ,
(ଜିତିବରେ ଜିତିବ, କଳପାଭାଇ ଜିତିବ ରଡି ପକାଉଥିଲେ)
ଲମ୍ବାଧାଡିରେ ଠିଆହୋଇ ଭୋଟ ଦେଉଥିଲେ ଓ ସେମାନଙ୍କୁ ବୁଝେଇ ଦିଆଯାଉଥିଲା ଯେ
” ସେଇମାନେ ହିଁ ସରକାର ଗଢୁଛନ୍ତି”
(ଯଦିଓ ସରକାର ନାମକରାଙ୍କ ପାଇଁ)।୨।

“ଇତ୍ୟାଦିବର୍ଗ” ଆନ୍ଦୋଳନରେ ଯୋଗ ଦେଉଥିଲେ,
ବେଳେ ବେଳେ ଗୁଳିଖାଇ ମରିଗଲେ,
ସ୍କୁଲ ସାର୍ଟିଫିକେଟରୁ ସେମାନଙ୍କ ନାମ ଖୋଜି ଜଣେଇ ଦିଆଯାଉଥିଲା,
ବହୁତ ଅଳ୍ପ ସଂଖ୍ୟକ, କାଳେ ପ୍ରକୃତ ସଂଖ୍ୟା ଜଣାପଡିଲେ ସରକାରଙ୍କୁ
ଅଧିକ କ୍ଷତିପୂରଣ ଦେବାକୁ ପଡ଼ିବ ବୋଲି,
( ଏବେ ଆଉ ନାମ ଜଣାଇ ଦିଆଯାଉନି)।୩।

“ଇତ୍ୟାଦିବର୍ଗ” ସବୁବେଳେ ଭୟରେ ରହୁଥିଲେ,
କିନ୍ତୁ କେତେବେଳେ କେମିତି ଭୟ ଛାଡିଦେଲେ,ନାମଧାରୀବର୍ଗ ଭୟଭୀତ ହେଉଥିଲେ,
(ତେଣୁ, ଏବେ ସେମାନଙ୍କୁ ସବୁବେଳେ ଭୟାତୁର ପରିବେଶରେ ରଖାଯାଉଛି)।୪।

” ଇତ୍ୟାଦିବର୍ଗ” ହିଁ ଦେଶ ଓ ଦୁନିଆଁ ଚାଲିବାର ସବୁକାମ କରୁଥିଲେ,
କିନ୍ତୁ ସେମାନେ ଭାବୁଥିଲେ ଯେ,
” ନିଜ ପରିବାର ଚଳେଇବାପାଇଁ ଏପରି କରୁଛନ୍ତି”,
ସେମାନେ ସବୁଥିରେ ସାମିଲଥିଲେ,
କିନ୍ତୁ, ସେମାନଙ୍କର ନାମ କେଉଁଠି ହେଲେ ନଥିଲା,
କଦବା କେମିତି ଜଣେ ଅଧେ କବିଙ୍କ କବିତାରେ ଜଣେ, ଦିଜଣଙ୍କ ନାମ ଆସିଯାଉଥିଲା।୫।

” ଏଥର ମନରେ ଶାନ୍ତି ଆସିଲା ତ ରେ ‘ଅଝଟିଆ ମୁଣି’,
ପୃଷ୍ଠପୋଷକଙ୍କ କାପି ଏଣ୍ଡୁ ପେଷ୍ଟୁର ପରାକାଷ୍ଠା ଜାଣି”?

(ଫଟୋଟିକୁ ଛୁଇଁଦେଇ ସମ୍ପୂର୍ଣ୍ଣ ଫଟୋ ଦେଖିପାରିବେ)

Leave a Reply

Your email address will not be published. Required fields are marked *

You Missed