ଯେ ଏମିତି ଜିଏଁ … …
ଦୁନିଆକୁ ଦେଖିଲେ ତ କେମିତି ଲାଗୁଛି,
କିଏ ଏଇଠି ହସୁଛି ତ କିଏ କାନ୍ଦୁଛି।
କିଏ ଜନମ ନେଉଛି କେ’ ଆଖି ମୁଜୁଛି,
କିଏ ବେଗେ ଦଉଡ଼ୁଛି କିଏ ଧକାଉଛି।
ମନ ଭରମି ଯାଉଛି, ଡରିକି ଥରୁଛି,
ସାମନା ନ କରି ତାଠୁଁ ଦୂରେଇ ଧାଉଁଛି।
ନିଜେ ଦେଖିବା ବଦଳେ କା’ ଦେଇ ଦେଖୁଛି,
ଆଉ କାହା ପଛେ ଧାଇଁ କଣେଇ ଚାହୁଁଛି।
ନିଜେ ନ ଦେଖିକି ସିଏ ଯେ ଧାରେ ଜିଉଁଛି,
ଭୁଲ୍ ଧାରଣାରେ ସଦା ସେ ଘାରି ହେଉଛି।
ଦୁନିଆକୁ ଦେଖିଲେ ତ କେମିତି ଲାଗୁଛି,
କିଏ ଏଇଠି ହସୁଛି ତ କିଏ କାନ୍ଦୁଛି। (୦)
ଜଗତରେ ସବୁ କିଛି ନିରବେ ଚାଲିଛି,
ବିବିଧତା ସବୁଠାରେ ହସି ଚାଲିଅଛି।
ଘଡ଼ିକୁ ଘଡ଼ି ଏଇଠି ସବୁ ବଦଳୁଛି,
ନୂଆ ପୁରୁଣା ହେଉଛି, ନୂଆ ଉଧାଉଛି।
ମଣିଷ ଜୀବନେ ବି ତ ଏଇଆ ଚାଲିଛି,
ନୂଆ ପୁରୁଣା ହେଉଛି, ସେ ପୁଣି ଉଉଁଛି।
ଯିଏ ଏହି ଧାରାଟିକୁ ବୁଝି ପାରୁଅଛି,
ସବୁ ଭରମ ତାହାର ଦୂରେଇ ରହୁଛି।
ଜୀବନେ ଯାହା ଘଟୁଛି ଆପଣାଉଅଛି,
ଯାହା ତା’ ହାତରେ ଅଛି, କରି ଚାଲୁଅଛି।
ଘଡ଼ି ପରେ ଘଡ଼ି ଯେବେ ସେ ଚେତି ଜିଉଁଛି,
ଜନମ ପାଇବା ତା’ର ସଫଳ ହେଉଛି।
ଏହା ଛଡ଼ା ଜୀବନରେ କିସ ଅବା ଅଛି,
ଯାହା ବି ମନ ଚାହୁଁଛି, ଭରମ ତେଜୁଛି।
ଦୁନିଆକୁ ଦେଖିଲେ ତ କେମିତି ଲାଗୁଛି,
କିଏ ଏଇଠି ହସୁଛି ତ କିଏ କାନ୍ଦୁଛି। (୧)
ଏ ଜଗତେ ମଣିଷ ରୂପେ ଯେ’ ଜନମିଛି,
ଜୀବନକୁ ଜିଇଁବାର କଳା ସେ ଜାଣିଛି।
ଥିର ରହି ଯେତେ ସିଏ ନିଜକୁ ଶୁଣୁଛି,
ନିଜର ମନକୁ ସିଏ ସେତିକି ଜିଣିଛି।
ଯହିଁ ଯାହା ହେଉଅଛି ଦେଖୁଛି, ଜାଣୁଛି,
ତା’ ସାଥେ ଖାପ ଖୁଆଇ ଆଗେଇ ଚାଲିଛି।
ସବୁ ଶକତି ଲଗାଇ ପାଖୁଡ଼ା ମେଲୁଛି,
ଚେତା ରହି ସବୁ ବିପଦକୁ ସେ ଟାଳୁଛି।
ଏହି ବାଟେ ସଭିଙ୍କୁ ସେ ବାଟ ଦେଖାଉଛି,
ହସି ଜୀବନ ଜିଇଁବା କଳା ଶିଖାଉଛି।
ମଣିଷର ଧରମକୁ ଚିହ୍ନି ଚିହ୍ନାଉଛି,
ପ୍ରତି ଘଡ଼ିକୁ ନିଜେ ସେ ଖୁସିରେ ଜିଉଁଛି।
ପ୍ରତିଟି ଘଡ଼ିରେ ସିଏ ଜୀବନ ଜିଉଁଛି,
ମଣିଷ ରୂପରେ ସିଏ ବାଟ ଦେଖାଉଛି।
ଦୁନିଆକୁ ଦେଖିଲେ ତ କେମିତି ଲାଗୁଛି,
କିଏ ଏଇଠି ହସୁଛି ତ କିଏ କାନ୍ଦୁଛି। (୨)
ରଚନା, ସ୍ୱର ଓ କଣ୍ଠ: ଡ଼. ବିନୟକୃଷ୍ଣ ପଟ୍ଟନାୟକ
ପୁଣେ, ୦୭ ମାର୍ଚ୍ଚ ୨୦୨୫