ଦିବ୍ୟ-ଦୁଃସାହସୀ ବିଜୁବାବୁ
ମହାନଦୀ କୂଳ ଲଙ୍ଘି ତାଣ୍ଡବ ରଚୁଥାଏ। ଚୂଡ଼ା,ଚାଉଳ ବୋଝେଇ ଡ଼ଙ୍ଗା ଗୋପବନ୍ଧୁଙ୍କୁ ଧରି ଭୟଙ୍କର ଭଉଁରୀ ଓ ସ୍ରୋତ ସହ ସଂଘର୍ଷ କରି ସେଇ ଅସହାୟ ମଣିଷମାନଙ୍କ ଆଡ଼େ ବଢ଼ୁଥାଏ। ଦାସେ ଛତା ତଳେ ବସି ଦୂର ଦିଗ୍’ବଳୟ ଆଡ଼େ ଚାହିଁ ଭାବୁଥାନ୍ତି : ଏହି ଜାତିରୁ ଏ ଦୁର୍ଭାଗ୍ୟ କେବେ ଟଳିବ ? ଓଡ଼ିଆମାନେ ଦାରିଦ୍ର୍ଯ-ଦାନବର ପଞ୍ଜାରୁ କେବେ ମୁକ୍ତ ହେବ ??
(କ) ହଠାତ୍ ତୁହାଏ ପବନ ଧସି ଆସି ଉଡ଼ାଇ ନେଲା ଗୋପବନ୍ଧୁଙ୍କ ଛତା । ଛତା ଜଳ ଭଉଁରୀରେ ହଜିଯିବା ପୂର୍ବରୁ ଚୁଡ଼ା,ଚାଉଳ ଅଖା,ସେପାଖରୁ କିଶୋରଟିଏ ଭୁସ୍ କରି ଡେଇଁଲା ସେ ଉଜାଣି ନଈକୁ । ସମସ୍ତଙ୍କ ନିଃଶ୍ୱାସ ଅଟକି ଗଲା…. ଛତା ଘେନି ଫେରିଲା କିଶୋର ।
-କିଏ ତୁ ? ତୋ’ ବାପାଙ୍କ ନାମ କଣ”? ଦାସେଙ୍କ ସ୍ନେହବୋଳା ପ୍ରଶ୍ନ କିଶୋରକୁ ।
ବାପାଙ୍କ ନାମ ଶୁଣି ଗୋପବନ୍ଧୁ ବଡ଼ ଆଖି କରି କହିଲେ,“ସାମାନ୍ୟ ଛତା ପାଇଁ ଏ ଦୁଃସାହସ !!.. ତୋର ଯଦି କିଛି ହୋଇଥାନ୍ତା, ତୋ’ ବାପାଙ୍କୁ କିଭଳି ମୁହଁ ଦେଖାଇଥାନ୍ତି ?”
କିଶୋର ନମ୍ର ଅଥଚ ଦୃଢ ଶବ୍ଦରେ କହିଲା, “ଏ ଛତା ସାମାନ୍ୟ ଛତା ନୁହେଁ,ଏହା ଆପଣଙ୍କ ଛତା… କୋଟି ଓଡ଼ିଆଙ୍କ ପାଇଁ ଆଶା ଓ ଭରଷାର ଛାଇ ଢ଼ାଳୁଥିବା ଛତା ।”
ଦାସେ ସେଦିନ ଖୁସିରେ ଆର୍ଶୀବାଦ କରି କହିଲେ,“ତୁ ନିଶ୍ଚେ ଏ ଜାତିର ଯଶ ବଢ଼ାଇବୁ ।” ସେହି କିଶୋର ଆମ ସଭିଙ୍କ ପ୍ରିୟ ବିଜୁବାବୁ ଥିଲେ ।
ସ୍ଵାଭାବିକ ଓ ସହଜ ଶବ୍ଦରେ ବହୁ ବିଜ୍ଞ,ବିଦ୍ଵାନ କହିବା ଶୁଣିଛି : “ବିଜୁ ବାବୁ ଜଣେ ଦୁଃସାହସୀ ଥିଲେ।” ମୋ ବିଚାରରେ ଏ ବାକ୍ୟଟି ପ୍ରକୃତରେ ବିଧାତା ଏଇ ଭଳି ଲେଖିଛି : ” ବିଜୁ ବାବୁ ଜଣେ ଦିବ୍ୟ-ଦୁଃସାହସୀ ଥିଲେ ।”
ଉଜାଣି ନଈକୁ ଡେଇଁ ଉଡ଼ିଯାଇଥିବା ଛତାକୁ ଆଣିବା ଆଉ ଉଜାଣି ନଈକୁ ଡେଇଁ କୋଟି ଓଡ଼ିଆଙ୍କ ଆଶା,ଭରସାର ଛାଇ ଢ଼ାଳୁଥିବା ଛତାକୁ ଆଣିବା ମଧ୍ୟରେ ଯେତିକି ଦୂରତା ରହିଛି, “ବିଜୁ ବାବୁ ଜଣେ ଦୁଃସାହସୀ” ଏବଂ “ବିଜୁ ବାବୁ ଜଣେ ଦିବ୍ୟ-ଦୁଃସାହସୀ” : ଏହି ଦୁଇ ଉକ୍ତି ମଧ୍ୟରେ ସେତିକି ଫରକ ରହିଛି। କାରଣ ବିଜୁ ବାବୁଙ୍କ ପ୍ରତିଟି ଦୁଃସାହସ ସର୍ବଦା ‘ଦିବ୍ୟତା’ରେ ଭରା ଥିଲା ।
(ଖ) କିଶୋର ବୟସରେ ସାଇକେଲରେ ଲାହୋର ଅତିକ୍ରମି ଯିବା ହେଉ….
‘କାଶ୍ମୀର’ ଓ ‘ସିଆଚୀନ୍’ରେ ସୈନ୍ୟ ପହଁଞ୍ଚାଇବା ହେଉ….
ସୁକର୍ଣ୍ଣଙ୍କୁ ଆକାଶମାର୍ଗରେ ଉଡ଼ାଇ ଆଣିବା ହେଉ…..
ପାରାଦ୍ଵୀପ ବନ୍ଦର ଆଉ “ରାଉରକେଲା ଷ୍ଟିଲ ପ୍ଲାଣ୍ଟ” ହେଉ…..
ତେର ଜିଲ୍ଲାକୁ ତିରିଶି ଜିଲ୍ଲା କରିବା ହେଉ…..
ମୂଲିଆର ମୂଲ୍ୟ ରାତିକରେ ଦୁଇଗୁଣ ବଢ଼ାଇବା ହେଉ …
ସାରା ଭାରତରେ ପ୍ରଥମ ଜନନାୟକ ଭାବରେ “ପଞ୍ଚାୟତିରାଜ ବ୍ଯବସ୍ଥା” (କ୍ଷମତାର ବିକେନ୍ଦ୍ରୀକରଣ ବା ଗ୍ରାମ-ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର)ର ପ୍ରଚଳନ (ଏପରିକି କେନ୍ଦ୍ର ପ୍ରଚଳନ ପୂର୍ବରୁ) ୧୯୯୨ ମସିହା ମାର୍ଚ୍ଚ ୫ ତାରିଖରେ ଶୁଭ ଉଦ୍ଘାଟନ ତତ୍କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ଡାକ୍ତର ରାଉତଙ୍କ ଦ୍ବାରା….
ଏ ସବୁ ଅବଶ୍ୟ ଏକ ଏକ ଚରମ ଦୁଃସାହାସ ; କିନ୍ତୁ ଏହାକୁ ଦିବ୍ୟ-ଦୁଃସାହସ କହିବା ଅଧିକ ଔଚିତ୍ୟ ହେବ । କାରଣ ଏ ସବୁ ଦୁଃସାହସ ତାଙ୍କ ନିଜ ପାଇଁ ରତିଏ ନଥିଲା ; ନିଜକୁ ଡେଇଁ ଏ ବୀରତ୍ବ, ସାହସିକତା ଦେଶ,ଜାତି ଓ ସତ୍ୟ ପାଇଁ ଥିଲା ।
(ଗ) ଗୋପବନ୍ଧୁ, ମଧୁବାବୁ .. ଏମାନଙ୍କୁ କେବେ ନେତ୍ରରେ ଦେଖିନି, ଆଖିରେ ଦେଖିଥିବା ନାୟକଙ୍କ ମଧ୍ୟରେ ମହାନାୟକ ବିଜୁବାବୁ ସର୍ବଦା ମୋତେ ଏ ଐତିହାସିକ ମାଟିର ‘ମୁରବୀ’ ଭଳି ଲାଗନ୍ତି ।
(ଘ) ରାଜନୀତିର ଚଷମା ପିନ୍ଧି କିମ୍ବା କୌଣସି ବିଚାରର ଦାସ ହୋଇ କଦାପି ବିଜୁବାବୁଙ୍କ ଭଳି ବ୍ୟକ୍ତିତ୍ୱକୁ ଦେଖି ହେବ ନାହିଁ । … ଝିଅଟିଏ ଜନ୍ମ ହେବା ପରେ ପ୍ରଥମେ ବିଜୁବାବୁ ଭାବିଲେ ଏହାର ନାମ ରଖିବେ – ଜୋଆନ୍ ଅଫ୍ ଅର୍କ। ‘ଜୋଆନ୍’ଙ୍କ ବିଷୟରେ ପାଶ୍ଚାତ୍ୟରେ ଶହ ଶହ ପୁସ୍ତକ ଲେଖାଯାଇଛି,ସେହି ଦେବୀଙ୍କ ସମ୍ପର୍କରେ ଏତିକି କହିବି : ଯାହାର ବଳିଦାନରେ ୟୁରୋପ ଧର୍ମାନ୍ଧତାରୁ ମୁକ୍ତ ହେଲା,ନାରୀ ସ୍ଵାଧୀନ ଭାବେ ଚକ୍ଷୁ ଟେକି ଦେଖି ପାରିଲା ଆକାଶ .. ସେହି ଦେବୀଙ୍କ ନାମରେ ନିଜ ଝିଅର ନାମ ରଖିବାକୁ ମନସ୍ଥ କରି ଶେଷରେ ଝିଅର ନାମ ‘ଗୀତା’ ରଖିଥିଲେ ।
(ଙ) ଅନେକ ଥର ନିଜକୁ ଏଇ କଥା କହିଛି : ବିଜୁ ବାବୁ ପାଶ୍ଚାତ୍ୟ ଆଲୋକ ଆଡ଼େ ଅବଶ୍ୟ ଆକର୍ଷି ଥିଲେ ; କିନ୍ତୁ ଆତ୍ମାରେ ସେ ଥିଲେ ଜଣେ ନିଷ୍ଠାବାନ ଭାରତୀୟ। ତାଙ୍କର ବ୍ୟକ୍ତିତ୍ଵ ଆମକୁ ଏହି କଥା କହେ : ପାଶ୍ଚାତ୍ୟର ଆଲୋକକୁ ଆହରଣ କରନ୍ତୁ ; କିନ୍ତୁ ଆତ୍ମାରେ ସର୍ବଦା ପ୍ରାଚ୍ୟ ହୋଇ ରୁହନ୍ତୁ
ସେ ଯଥାର୍ଥରେ କେତେ ଭାରତୀୟ ଓ କେତେ ଓଡ଼ିଆ ଥିଲେ : ଦୁଇଟି ପ୍ରସଙ୍ଗ ଏଠି ଲେଖୁଛି ।
(ଚ) ଅବଦୁଲ୍ କାଲାମ ବହୁ ରାଜ୍ୟର ମୁଖିଆଙ୍କ ଠାରୁ ନକାରାତ୍ମକ ଉତ୍ତର ଶୁଣି ଶୁଣି ଶେଷରେ ଆସି ଓଡ଼ିଶାରେ ପହଁଞ୍ଚିଲେ ; କ୍ଷେପଣାସ୍ତ୍ର ନିର୍ମାଣ ଓ ପରୀକ୍ଷା ଉଦ୍ଦେଶ୍ୟରେ ଭୂମି ଖଣ୍ତେ ପ୍ରାପ୍ତ ପାଇଁ। ସେ ସମୟରେ ବିଜୁବାବୁ ଥାନ୍ତି ମୁଖ୍ୟମନ୍ତ୍ରୀ। କାଲାମ୍ ତାଙ୍କୁ ଦେଖାକରି ବାଲିଆପାଳ ଭୂମି ମାଗିଲେ। କାଲାମଙ୍କ ଶବ୍ଦରେ ବିଜୁବାବୁଙ୍କ ଉତ୍ତର ଏହି ଭଳି : “ତୁମକୁ ମୁଁ ସାରାଭାଇଙ୍କ ସହ ମିଶି କାମ କରିବା ଦେଖି ଆସିଛି,ଯେତେ ସ୍ଥାନ ଆବଶ୍ୟକ ନିଅ ; କିନ୍ତୁ ମୋତେ ଏ ସୌଭାଗ୍ୟ କେବେ ଦେବ କାଲାମ୍ ! ମୁଁ ପୃଥିବୀର ଯେ କୌଣସି ସ୍ଥାନରେ ଠିଆ ହୋଇ କହି ପାରିବି ଯେ,ମୁଁ ଜଣେ ଶକ୍ତିଶାଳୀ ଭାରତୀୟ !
କାଲାମ ଲେଖିଛନ୍ତି : ସେ ପ୍ରଥମ ଥର ପାଇଁ ଦେଶ ପ୍ରତି ଏତେ ଜୀବନ୍ତ,ଉତ୍ସର୍ଗୀକୃତ ଶବ୍ଦ ଓ ଭାବକୁ ଭେଟିଲେ ।
ତାଙ୍କ ଶବ୍ଦରେ : ମୋ ସମଗ୍ର ସତ୍ତାରେ ଦିବ୍ୟ ଶିହରଣ ଖେଳିଗଲା । ଦେଶ ପ୍ରେମର ବିଦ୍ୟୁତ୍ ପ୍ରବାହ ମୋତେ ଛୁଇଁଗଲା … l”
ପୁଣି ଲେଖିଛନ୍ତି : “ତାଙ୍କୁ ଏହି କାମ ପାଇଁ ଯେବେ ଯେବେ ମିଶିଛି,ପ୍ରେରଣା ଓ ଦେଶପ୍ରେମର ପ୍ଲାବନରେ ପ୍ଲାବିତ ହୋଇଛି ।”
ସେଥି ପାଇଁ ସେ ତାଙ୍କ “ଅଗ୍ନିର ଡେଣା” ଓ “ପ୍ରଜ୍ଜ୍ବୋଳିତ ମନ” ପୁସ୍ତକରେ ଲେଖିଛନ୍ତି : ଭାରତୀୟ ନେତାମାନଙ୍କ ଆଦର୍ଶ ବିଜୁବାବୁ ହେବା ଆବଶ୍ୟକ । “
ଏବେ ଆସନ୍ତୁ ଆଲୋଚନା କରିବା : ସେ କେତେ ଓଡ଼ିଆ ଥିଲେ ?
ଇଣ୍ଡୋନେସିଆ ତାଙ୍କୁ ଭୂମିପୁତ୍ର ଘୋଷଣା କଲାପରେ,ଏକ ଭବ୍ୟ ସଭାରେ ତାଙ୍କୁ କେତୋଟି “ତୈଳକୂପର ମାଲିକାନା ପତ୍ର” ପ୍ରଦାନ କରାଗଲା । ପ୍ରଦାନ ତୈଳ୍ୟ କୂପର ମୂଲ୍ୟ ହେଉଛି ଆମ “ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ” ସହ ସମ, ଦୁଇ ଡ଼ଜନ ପ୍ଲାଣ୍ଟ ମୂଲ୍ୟ ଠାରୁ ଅଧିକ। ସେହି ପ୍ରାପ୍ତପତ୍ରକୁ ସଭିଙ୍କ ସାମ୍ନାରେ ତତ୍କାଳ ଚିରିଦେଇ ବିଜୁବାବୁ କହିଲେ, “ଓଡ଼ିଆ ପୁଅ କେବଳ ଦେଇ ଜାଣେ,ସେ କେବେ ନେଇ ଜାଣେନି….”
ପୃଥିବୀରେ ସଭ୍ୟତା ଥିବା ଯାଏ, ବିଜୁବାବୁଙ୍କ ଏହି ପବିତ୍ର ପଂକ୍ତି ସମଗ୍ର ମାନବ ଜାତି ପାଖେ ଓଡ଼ିଆର ପରିଚୟ ବା “ଓଡିଆ ଅସ୍ମିତା” ହୋଇ ରହିବ ।
ଓଡ଼ିଆଟିଏ ଭୌତିକ ଭାବେ ଦରିଦ୍ର ଦିଶିପାରେ, କିନ୍ତୁ ସେ ଚେତନାରେ ସେ ଅନ୍ୟ ସଭିଙ୍କ ଠାରୁ ଧନୀ ଅଟେ ।
ବିଜୁବାବୁଙ୍କ ବିଷୟରେ ଏମିତି ଲେଖି ଚାଲିଲେ ନିବନ୍ଧ ନୁହେଁ ; ବହିଟିଏ ହୋଇଯିବ ।
ମନୋଜ ଦାସଙ୍କ କେତୋଟି ଶବ୍ଦ କହି ଶେଷ କରୁଛି ।
ବିଜୁ ବାବୁଙ୍କ ମହାପ୍ରୟାଣର କିଛି ମାସ ପୂର୍ବରୁ,ବିଜୁବାବୁ ଓ ମନୋଜ ବାବୁ ଗୋଟିଏ ସଭାରେ ଦୁହେଁ ଅତିଥି ହୋଇଥାନ୍ତି ।
ବିଜୁବାବୁ କହିଲେ, “ତୁ ତ ଏବେ ବହୁତ ବଡ଼ ଲେଖକ; ଅନ୍ତର୍ଜାତୀୟ ସ୍ତରର । ଓଡ଼ିଶାର ପରିଚୟ ତୁ, ମୁଁ କ’ଣ ଦ୍ୱିତୀୟ ଖାରବେଳ ନୁହେଁ ?”
ମନୋଜ ବାବୁ ତତ୍କାଳ କହିଲେ, “ଆପଣ ଜାଣନ୍ତି କି ନାହିଁ, ଖାରବେଳ ଶେଷ ଜୀବନରେ ସନ୍ନ୍ୟାସୀ ହୋଇ ଯାଇଥିଲେ ‼️”
ମନୋଜ ବାବୁ ଲେଖୁଛନ୍ତି : ସେ ମୋର ପ୍ରଶ୍ନ ଶୁଣି,ଜଣେ ବିଦ୍ୟାର୍ଥୀ ଚକ୍ଷୁରେ ମୋତେ ଚାହିଁ କହିଲେ – “ଆରେ ଏହା ତ ମୁଁ ଜାଣିନଥିଲି”।
ମନୋଜ ବାବୁ ପୁନଶ୍ଚ ଲେଖୁଛନ୍ତି – “ଏ ବୃଦ୍ଧ ବୟସରେ,ଏତେ ପ୍ରସିଦ୍ଧିି,ଏତେ ପାରିବାପଣିଆର ମୁକୁଟ ପିନ୍ଧିବା ପରେ ଜଣେ ‘କିଶୋର-ତୁଲ୍ୟ-ବିଦ୍ୟାର୍ଥୀ’ ହେବା ମୋଟେ ସହଜ ନୁହେଁ,ସମ୍ଭବ ନୁହେଁ।”
ବିଜୁବାବୁ କେବଳ ଦୁଃସାହସୀ ନ ଥିଲେ,ପ୍ରାରମ୍ଭରୁ କହିସାରିଛି ସେ ଦିବ୍ୟ-ଦୁଃସାହସୀ ଥିଲେ। ଆହୁରି ଅନେକ ଦିବ୍ୟ ଗୁଣରେ ସେ ଧନୀ ଥିବା ସହ ଜନ୍ମରୁ ମୃତ୍ୟୁ ଯାଏ ଗୋଟିଏ ଉପନିଷଦ ଚରିତ୍ର ଥିଲେ ଅର୍ଥାତ ଜଣେ ଯଥାର୍ଥ ‘ଜିଜ୍ଞାସୁ’ ଥିଲେ ।
ଶୁଭ ଜନ୍ମ ଦିନେ(ମାର୍ଚ୍ଚ-୫) ହେ “ଝଡ଼ର ଇଗଲ !”
ପ୍ରଣାମ ନିଅ ହେ !! ମୋ ମାଟିର ମଶାଲ।
ବନ୍ଦେ ଉତ୍କଳ ଜନନୀ ।
-gcpatnaik.