Spread the love

ରାଉରକେଲା: ରାଉରକେଲାରେ କୋଟିକୋଟି ଟଙ୍କାର କ୍ରେଡିଟ୍‌ କାର୍ଡ ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ। ଏହା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଲିବାସ୍‌ ଟେଲର୍ସର ମାଲିକ ମହମ୍ମଦ ତବରେଜ୍‌ ଆଲମ୍‌, ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ ବିଭାଗର କର୍ମଚାରୀ ବିଭୁଦତ୍ତ ବିଶ୍ବାଳ, ଉଦିତନଗରରେ ଥିବା ଟ୍ୟାକ୍‌ସ ଆଣ୍ଡ ଆକାଉଣ୍ଟ ସର୍ଭିସେସ୍‌ର ମାଲିକ ଚାଟାର୍ଡ ଆକାଉଣ୍ଟାଣ୍ଟ ତାପସ ମହାରଣା ଏବଂ ଆର୍‌ଏନ୍‌ ଟ୍ରେଡର୍ସର ମାଲିକ ଜିତେନ୍ଦ୍ର ପ୍ରଧାନକୁ ଗିରଫ କରିଛି ଉଦିତ ନଗର ପୋଲିସ
ସୂଚନାନୁଯାୟୀ, କିଛିଦିନ ପୂର୍ବେ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ୫୨ ଲକ୍ଷ ୯୦ ହଜାର ଟଙ୍କାର କ୍ରେଡିଟ୍‌ କାର୍ଡ ଠକେଇ ନେଇ ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପରେ ପୁଲିସ ବ୍ୟାଙ୍କରୁ ତଥ୍ୟ ନେଇ ତନାଘନା ଆରମ୍ଭ କରିଥିଲା। ଏହି କ୍ରେଡିଟ୍‌ କାର୍ଡ ଠକେଇର ଘଟଣାକ୍ରମ କିଛି ଏହିଭଳି ଥିଲା। ଅଭିଯୁକ୍ତ ତବରେଜ୍‌ ଆଲମ୍‌ କିଛିବର୍ଷ ପୂର୍ବରୁ ଜଣେ ମଧ୍ୟସ୍ଥି ଭାବେ ଟଙ୍କା ଆବଶ୍ୟକ ଥିବା ଲୋକଙ୍କୁ ପୁଳାପୁଳା ଟଙ୍କା ଯୋଗାଇ ଦିଏ। ଏମିତି କି କମ୍‌ ଦରମା ବା ଅଳ୍ପ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ସହଜରେ କ୍ରେଡିଟ୍‌ କାର୍ଡ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଥିଲା। ଚାଟାର୍ଡ ଆକାଉଣ୍ଟାଣ୍ଟ ତାପସ ମହାରଣାଙ୍କ ପାଖକୁ ଯାଇ ଲୋକଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଆୟକର ଫେରସ୍ତ (ଆଇଟି ରିଟର୍ନ) ଫାଇଲ୍‌ କରୁଥିଲେ। ଏହି ଡକ୍ୟୁମେଣ୍ଟକୁ ନେଇ ସେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ ବିଭାଗର କର୍ମଚାରୀ ବିଭୁଦତ୍ତ ବିଶ୍ବାଳଙ୍କୁ ଦେଉଥିଲା। ପରେ ବିଭୁଦତ୍ତ ଉକ୍ତ ଡକ୍ୟୁମେଣ୍ଟ ସାହାଯ୍ୟରେ ଅଧିକ ଲିମିଟ୍‌ ଯୁକ୍ତ କ୍ରେଡିଟ୍‌ କାର୍ଡ ପାଇଁ ଆବେଦନ କରୁଥିଲେ। ଯେଉଁଥିରେ ଲୋକଙ୍କୁ ୩ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବହାର କରିବାକୁ ମିଳିଥାଏ। ସେଥିରୁ ଲୋକଙ୍କୁ ଆବଶ୍ୟକ ଥିବା ଟଙ୍କା ଦେଇ ସେମାନେ ବାକି ଟଙ୍କା ନିଜ ପାଖରେ ରଖୁଥିଲେ। ସେହିଭଳି ଆର୍‌ଏନ୍‌ ଟ୍ରେଡର୍ସର ମାଲିକ ଜିତୁ ପ୍ରଧାନ ବିଭିନ୍ନ ଲୋକଙ୍କୁ ହୋମ୍‌ ଲୋନ୍‌ ଏବଂ କାର୍‌ ଲୋନ୍‌ ଆଦି ସହଜରେ କରାଇ ​ଦେଉଥିଲେ। ଏହି ଠକେଇ ଘଟଣାରେ ତାଙ୍କର ମଧ୍ୟ ସମ୍ପୃକ୍ତି ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ତେବେ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ପୁଲିସ ଅଭିଯୁକ୍ତ ତବରେଜ୍‌ ଆଲମ୍‌ର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲା ପରେ ପରେ ଠକେଇ ବିଷୟରେ ଜଣାପଡିଥିଲା

Leave a Reply

Your email address will not be published. Required fields are marked *

You Missed