ଭୁବନେଶ୍ବରରେ ଜୋଶ ଦେଖାଇଲା ଯୁବ କଂଗ୍ରେସ। ନୂଆବର୍ଷରୁ ଶାଣିତ ଢଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସର ୟଙ୍ଗ ବ୍ରିଗେଡ। ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କ ନେତୃତ୍ବରେ ରାଜଧାନୀରେ ରଣହୁଙ୍କାର ଦେଇଛି। କଣ୍ଢେଇ ସରକାର କହି ବିଜେପି ସରକାରକୁ କଟାକ୍ଷ ବାଣ ମାରିଛନ୍ତି ଯୁବ କଂଗ୍ରେସ କର୍ମୀ। ରାଜ୍ୟରେ ବେକାରୀ ସମସ୍ୟା, ଅପରାଧ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଚିଟଫଣ୍ଡ ଅର୍ଥ ଫେରସ୍ତ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ ଟିମ୍। ଦିଲ୍ଲୀ ଇସାରାରେ ଓଡ଼ିଶାର ଶାସନତନ୍ତ୍ର ଚାଲୁଛି ବୋଲି କହି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି।
ଯୁବ ଆକ୍ରୋଶ ସମାବେଶ ନାଁରେ କଂଗ୍ରେସ ପୁଣିଥରେ ଓଡ଼ିଶାରେ ଶକ୍ତିପ୍ରଦର୍ଶନ କରିଛି। ଦୀର୍ଘଦିନ ଧରି ଶାନ୍ତ ପଡିଥିବା ଯୁବ କଂଗ୍ରେସର ସଙ୍ଗଠନରେ ସଞ୍ଜିବନୀ ଭରିଛନ୍ତି ଉଦୟ ଭାନୁ। ଯୁବଭୋଟରଙ୍କୁ ନିଜ ସପକ୍ଷକୁ ନେବାକୁ ନିଯୁକ୍ତି ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ଷଣ୍ଢୁଆସୀ ଆକ୍ରମଣ କରିଛି କଂଗ୍ରେସର ୟଙ୍ଗ ୱିଙ୍ଗ୍। ଅନ୍ୟପଟେ ପରିଚୟ ସଙ୍କଟ ଦୂର କରିବାକୁ ସମାବେଶ ଶରଣରେ ଯୁବ କଂଗ୍ରେସ ପଶିଥିବା କହିଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି। ଓଡ଼ିଶାରେ କଂଗ୍ରେସ ବ୍ରାଞ୍ଚକୁ ବନ୍ଦ କରିଛି ବୋଲି କହି ଟାର୍ଗେଟ କରିଛନ୍ତି ଅଭିଳାଷ।
ରାଜ୍ୟ ସରକାରଙ୍କ ବିରୋଧରେ ଯୁବ କଂଗ୍ରେସର ହଲ୍ଲାବୋଲ ଜରିଆରେ କଂଗ୍ରେସ ନିଜର ଉପସ୍ଥିତି ଜାହିର କରୁଛି। କିନ୍ତୁ ଏଯାଏଁ କଂଗ୍ରେସର ସଙ୍ଗଠନର ନା ନବକଳେବର ହୋଇପାରୁଛି ନା ମୁଖିଆ ଘୋଷଣା ହେଉଛି। ମାସ ଶେଷ ସୁଦ୍ଧା ପିସିସି ସଭାପତି ଘୋଷଣା ନେଇ ଦଳୀୟ ମହଲରେ ଚର୍ଚ୍ଚା ହେଉଛି।
