୨୦୨୫ରେ ଲାଗି ରହିବ ଅଶାନ୍ତି-ଅଘଟଣ, ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବ ଓଡ଼ିଶା………
ଭୁବନେଶ୍ୱର, ଗ୍ରହମାନଙ୍କର ଅବସ୍ଥିତି ବୃଷରାଶିରେ ବୃହସ୍ପତି, କର୍କଟ ରାଶିରେ ମଙ୍ଗଳ, ମୀନ ରାଶିରେ କେତୁ, ବିଛା ରାଶିରେ ବୁଧ, ଧନୁ ରାଶିରେ ରବି, ମକର ରାଶିରେ ଚନ୍ଦ୍ର, କୁମ୍ଭରାଶିରେ ଶୁକ୍ର ଓ ଶନି, ମୀନରାଶିରେ ରାହୁ ଅବସ୍ଥିତ । ଏହି ଗ୍ରହମାନଙ୍କର ଅବସ୍ଥିତିକୁ ନେଇ ଆମ୍ଭେ ଫଳାଦେଶ ପ୍ରକାଶ କରୁଛୁ ।
ଓଡିଶାର ରାଶି ନକ୍ଷତ୍ରକୁ ବିଚାର କଲେ ଧନୁ ଲଗ୍ନ କର୍କଟ ରାଶିରେ ବର୍ଷ ଆରମ୍ଭରୁ ମଙ୍ଗଳ ଅବସ୍ଥାନ କରୁଥିବାରୁ ରାଜ୍ୟରେ ବହୁ ନୂତନ ପ୍ରକଳ୍ପର ଶୁଭାରମ୍ଭ ହେବ । ବିଦେଶୀ ପୁଞି ନିବେଶ ରାଜ୍ୟରେ ବୃଦ୍ଧି ପାଇବ । ଶନି ସ୍ୱସ୍ଥାନ କୁମ୍ଭ ରାଶିରେ ଶୁକ୍ରଙ୍କ ସହିତ ଥିବାରୁ ଏବଂ କର୍କଟ ରାଶିର ଅଷ୍ଟମାଧିପତି ହୋଇଥିବାରୁ ଶୁକ୍ର ଚତୁର୍ଥ ଏବଂ ଏକାଦଶ ଅଧିପତି ହୋଇଥିବାରୁ ରାଜନୈତିକ କ୍ଷେତ୍ରରେ ଉତ୍ଥାନପତନ, ନୂତନ ସମୀକରଣ ଦେଖାଦେବା ସହିତ ବହୁ ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦମର୍ଯ୍ୟାଦା ଫେବ୍ରୁୟାରୀ ୧୪ ତାରିଖରେ ଲାଭ କରିବେ । ଦୁର୍ନୀତିଖୋର ବହୁ ଉଚ୍ଚ ଅଧିକାରୀ ନିଜର ପଦମର୍ଯ୍ୟାଦା ହରାଇବେ, ପୁଲିସ ସେବା କ୍ଷେତ୍ରରେ ଉନ୍ନତୀକରଣ ଜନମାନସକୁ ଅ।।ଶ୍ୱସ୍ତି ପ୍ରଦାନ କରିବ । ଚଳିତ ବର୍ଷ ବିଶ୍ୱସ୍ତରରେ ଓଡିଶା ସୁନାମ ଅର୍ଜନକରିବ ଓ ସିଦ୍ଧି ଲାଭ କରିବ । ରାଜ୍ୟବାସୀଙ୍କ ପାଇଁ ସମୃଦ୍ଧିର ବର୍ଷ ହେବ ।କୃଷିକ୍ଷେତ୍ରରେ ଏ ବର୍ଷ ଓଡିଶା ସଫଳତା ଲାଭ କରୁଥିଲେ ମଧ୍ୟ କେତେକ ସ୍ଥାନରେ ସ୍ୱଳ୍ପ ବୃଷ୍ଟି କାରଣରୁ ମରୁଡ଼ି ଏବଂ କେତେକ ସ୍ଥାନରେ ବହୁତ ବୃଷ୍ଟି କାରଣରୁ ବନ୍ୟା ସୃଷ୍ଟି ହେବ । କ୍ରୀଡ଼ା କ୍ଷେତ୍ର ହେଉ କିମ୍ବା ସାଂସ୍କୃତିକ, ଆଧ୍ୟାତ୍ମିକ କ୍ଷେତ୍ରରେ ବିକାଶ ବୃଦ୍ଧି ପାଇବ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ଉନ୍ନତିକାରକ ହେବ । ନୂତନ ପ୍ରକଳ୍ପ ଓଡ଼ିଶା ଅସ୍ମିତାକୁ ବଜାୟ ରଖିବ । ଗ୍ରୀଷ୍ମପ୍ରବାହ ଜନଜୀବନକୁ ପ୍ରଭାବିତ କରିବ । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ସ୍ୱଳ୍ପବୃଷ୍ଟି ଏବଂ ଡିସେମ୍ବର ପର୍ଯ୍ୟନ୍ତ ବହୁବୃଷ୍ଟି, ଅନେକ ଲଘୁଚାପ ଓ ୪ଟି ଭୂମିକମ୍ପ ଓ ବହୁବାର ବଜ୍ରାଘାତ ଭୋଗିବାକୁ ପଡ଼ିବ । କେତେକ ସ୍ଥାନରେ ବିପର୍ଯ୍ୟୟକୁ ଏଡ଼ାଇ ହେବନାହିଁ । ବିଜ୍ଞାନ, କ୍ରୀଡ଼ା କ୍ଷେତ୍ରରେ ନୂତନ ସମ୍ଭାବନା, ଆଧ୍ୟାତ୍ମିକ କ୍ଷେତ୍ରରେ ପଦମର୍ଯ୍ୟାଦା ସହିତ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ଅସ୍ମିତା ବିଶ୍ୱକୁ ପ୍ରଭାବିତ କରିବ ।
ଏବର୍ଷ ଗୋଟିଏ ସୂର୍ଯ୍ୟୋପରାଗ ଓ ୩ଟି ଚନ୍ଦ୍ରଗ୍ରହଣ ସଂଗଠିତ ହେବ । ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଇତିହାସ ସୃଷ୍ଟି କରିବ । ବିଦେଶୀ ପୁଞ୍ଜିପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବେ । ଓଡ଼ିଶାରେ ବହୁ ନିଯୁକ୍ତି ସୃଷ୍ଟିହେବାର ମୂଳଦୁଆ ପଡ଼ିବ । ଏବର୍ଷ ବିଶିଷ୍ଟ ବ୍ୟକ୍ତିଙ୍କର ନିଧନ କାରଣରୁ ରାଜ୍ୟବାସୀ ମର୍ମାହତ ହେବେ । ଆକଷ୍ମିକ ଦୁର୍ଘଟଣା ବୃଦ୍ଧିର ସମ୍ଭାବନା ଥିବାରୁ ସର୍ତକତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ରାହୁ ବୃଷରାଶିରେ ଅବସ୍ଥାନ କରୁଥିବାରୁ ରାଜନୈତିକ ଦଳମାନେ ନିଜ ଭିତରେ ଛାୟା ଯୁଦ୍ଧ ସୃଷ୍ଟି କରିବେ । ନିଜ ଦଳର ନେତାମାନଙ୍କୁ ଅପମାନିତ କରିବାକୁ ପଛେଇବେ ନାହିଁ । ଏ ବର୍ଷଟି ଶୁଭାଶୁଭ ଦେଇ ଗତି କରୁଥିବାରୁ ରାଜ୍ୟବାସୀ ପ୍ରଭୁ ଜଗନ୍ନାଥ ଓ ନିଜ ଇଷ୍ଟଙ୍କର ଶରଣାପନ୍ନ ହେଲେ ସଫଳତା ଲାଭ କରିବେ ।