Spread the love

ଆଜି ବର୍ଷର ସବୁଠାରୁ ଛୋଟ ଦିନ

ଡିସେମ୍ୱର ୨୫ ତାରିଖକୁ ଆମେ ‘ବଡଦିନ’ ରୂପେ ପାଳନ କରୁ। କିନ୍ତୁ ଏପରି ନାମକରଣର କାରଣ ଏକ ମହାଜାଗତିକ ଘଟଣାରୁ ଆସିଛି। ପ୍ରତିବର୍ଷ ଡିସେମ୍ୱର ୨୧ କିମ୍ୱା ୨୨ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ ଏବଂ ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଓ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ୱା ହୁଏ ବା ଦିନର ଲମ୍ୱ ବଡ ହେବାକୁ ଆରମ୍ଭ ହୁଏ।

ତେଣୁ ଡିସେମ୍ୱର ୨୫ ତାରିଖର ‘ବଡଦିନ’ ନାମକରଣର ଯଥାର୍ତତା ରହିଛି।

ଭୁବନେଶ୍ୱର ପାଇଁ ୨୦୨୪ ମସିହାର ଡିସେମ୍ୱର ୨୧ ତାରିଖରେ ସବୁଠାରୁ ଛୋଟ ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେ ସକେଣ୍ଡ ହେବ। ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା, ୫ ମିନିଟ୍‌ ୩୬ ସେକେଣ୍ଡ ହେବ। କିନ୍ତୁ ଭୁବନେଶ୍ୱରରେ ଡିସେମ୍ୱର ୧୫ ରୁ ଡିସେମ୍ୱର ୨୭ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍‌ ଏବଂ ରାତି ପ୍ରାୟ ପ୍ରାୟ ୧୩ ଘଣ୍ଟା ୫ ମିନିଟ୍‌ ହୁଏ। ଡିସେମ୍ୱର ୨୧ ତାରିଖରେ ସୁନ୍ଦରଗଡ଼଼ ଓ ମାଲକାନଗିରି ଠାରେ ଦିନର ଲମ୍ୱା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୪୭ ମିନିଟ୍‌ ଓ ୧୧ ଘଣ୍ଟା ୦୧ ମିନିଟ୍‌ ହେବ। ସେହି ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ୱା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟ୍‌ ଓ ୧୧ ଘଣ୍ଟା ୩୯ ମିନିଟ୍‌ ହେବ ବୋଲି ପଠାଣିସାମନ୍ତ ପ୍ଲାନେଟୋରିୟମ୍‌ର ପୂର୍ବତନ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ମାର୍ଚ୍ଚ ମାସ ୨୨ ବା ୨୩ ତାରିଖ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ। ଜୁନ ୨୧ ବା ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ଼ଦିନ ହୋଇଥାଏ। ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନ ସମୟରେ ବଡ଼ ପାର୍ଥକ୍ୟ ଅନୁଭୁତ ହୁଏ। ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ। ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ପ୍ରାୟ ୨୩.୫ ଡିଗ୍ରୀ ଢଳି ରହି ସୂର୍ଯ୍ୟ ଚାରିପଟେ ପରିକ୍ରମା କରୁଥିବାରୁ ସୂର୍ଯ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଏକା ଜାଗାରେ ଅସ୍ତ ଯାଏ ନାହିଁ ଓ ସୂର୍ଯ୍ୟର ଉତ୍ତରାୟଣ ଏବଂ ଦକ୍ଷିଣାୟଣ ଗତି ମଧ୍ୟ ଦେଖାଯାଇଥାଏ। ପ୍ରତ୍ୟେକ ବର୍ଷ ଜୁନ ମାସ ୨୧ ତାରିଖରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀ ଠାରେ ଥିବା କର୍କଟକ୍ରାନ୍ତି ଠାରୁ ଧୀରେ ଧୀରେ ଦକ୍ଷିଣ ଦିଗକୁ ଗତି କରିଥାଏ। ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟନ ଗତି କହିଥାଉ। ଏହିପରି ଦକ୍ଷିଣ ଦିଗକୁ ଢଳି ଢଳି ୨୨ ଡିସେମ୍ୱର ବେଳକୁ ସୂର୍ଯ୍ୟ ବିଷୁବ ରେଖା ଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ।

Related Post

Leave a Reply

Your email address will not be published. Required fields are marked *

You Missed