Spread the love

ଓଡ଼ିଆ ପ୍ରକାଶନ ଏବେ ବିଶ୍ବସ୍ତରୀୟ: ସୌମ୍ୟରଂଜନ

ଭୁବନେଶ୍ବର: ମୁଦ୍ରଣ, ପରିପାଟୀ ଓ ପ୍ରଚାର ଦୃଷ୍ଟିରୁ ଓଡ଼ିଆ ପ୍ରକାଶନ ଏବେ ବିଶ୍ବସ୍ତରର ପ୍ରକାଶନ ସଂସ୍ଥା ସହ ତାଳ ଦେଉଛି। ନୂଆ ପିଢ଼ିର ପ୍ରକାଶକମାନେ ଯେଉଁ ଭଳି ଢଙ୍ଗରେ ପୁସ୍ତକ ପ୍ରକାଶ କରୁଛନ୍ତି ତାହା କୌଣସି ଗୁଣରେ ବର୍ତ୍ତମାନର ବିଶ୍ବ ମାନଠାରୁ କମ ନୁହେଁ। ତେବେ ଏଇ ଗୋଟିଏ ଦଶନ୍ଧି ଧରି ଓଡ଼ିଶାର ପ୍ରକାଶନ କ୍ଷେତ୍ରରେ ଏ ଯେଉଁ ଅଭ୍ୟୁଦୟ ହୋଇଛି ତାହା ଯଦି ୩୦ ବର୍ଷ ଆଗରୁ ହୋଇଥାଆନ୍ତା ତେବେ ଗୋଟିଏ ପିଢ଼ିକୁ ଆମେ ପୁସ୍ତକ ଆଡ଼କୁ ଆକର୍ଷିତ କରି ପାରିଥାଆନ୍ତେ ଏବଂ ତାହା ଦ୍ବାରା ଓଡ଼ିଆ ଭାଷା ସାହିତ୍ୟର ଯଥେଷ୍ଟ ଉନ୍ନତି ସାଧିତ ହୋଇଥାଆନ୍ତା ବୋଲି କହିଛନ୍ତି ସମ୍ବାଦ ଓ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ।

ଓଡ଼ିଶା ପ୍ରକାଶକ ସଂଘର ବାର୍ଷିକ ସମାରୋହକୁ ଉଦ୍‌ଘାଟନ କରି ଶ୍ରୀ ପ୍ରକାଶକ ଏକବିଂଶ ଶତାବ୍ଦୀର ଓଡ଼ିଆ ପ୍ରକାଶନ ଶିଳ୍ପକୁ ନେଇ ଆଶାବାଦୀ ଥିବା କହିଥିଲେ। ସେ କହିଥିଲେ ଯେ ଯୁଗେଯୁଗେ ପୁସ୍ତକର ଆଦର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ସୀମିତ ଥିଲା। ଛାପାକଳ ଊନବିଂଶ ଶତାବ୍ଦୀରେ ଓଡ଼ିଶାକୁ ଆସିଲା, କିନ୍ତୁ ତା ପୂର୍ବରୁ ହଜାର ହଜାର ବର୍ଷ ଧରି ଓଡ଼ିଆ ଭାଷା ଓ ସାହିତ୍ୟ ବଂଚି ରହିଛି। ଏଣୁ ଡିଜିଟାଲ୍‌ ମାଧ୍ୟମକୁ ନେଇ ଆମେ ଆଦୌ ଆତଙ୍କିତ ହେବାନାହିଁ ବୋଲି ସେ କହିଥିଲେ। ଓଡ଼ିଶା ପ୍ରକାଶକ ସଂଘର ସଦସ୍ୟ ପ୍ରକାଶକମାନେ ଓଡ଼ିଆ ପୁସ୍ତକ ପ୍ରକାଶନ ଓ ସାହିତ୍ୟ କ୍ଷେତ୍ରରେ ବିପ୍ଲବ ଆଣିଛନ୍ତି ବୋଲି ସେ କହିଥିଲେ।

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ମୁଖ୍ୟମଞ୍ଚରେ ରବିବାର ସଂଧ୍ୟାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ କହିଥିଲେ ଯେ ଡିଜିଟାଲ ମାଧ୍ୟମ କେବେ ବି ମୁଦ୍ରଣର ବିକଳ୍ପ ହୋଇପାରିବ ନାହିଁ। ଡିଜିଟାଳ ମାଧ୍ୟମ ସୂଚନା ଓ ତଥ୍ୟ ଦେବ, କିନ୍ତୁ ସୃଜନ ପାଇଁ ପୁସ୍ତକ ହିଁ ସର୍ବଶ୍ରେଷ୍ଠ ମାଧ୍ୟମ। ଓଡ଼ିଶା ପ୍ରକାଶକ ସଂଘର ବାର୍ଷିକ ସମାରୋହକୁ ଉଦ୍‌ଘାଟନବୋଲି ଶ୍ରୀ ଦାସ ଆଶାବ୍ୟକ୍ତ କରିଥିଲେ।

ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଔପନ୍ୟାସିକ କାଳନ୍ଦି ସାମଲ କହିଥିଲେ ଯେ ଭାଗବତ ଭଳି ବହି ଓଡ଼ିଆଙ୍କ ଘରେଘରେ ସ୍ଥାନ ପାଉଛି। ଧର୍ମ ଓ ପାରମ୍ପରିକ କାର୍ଯ୍ୟରେ ଏବେ ବି ବହି ପ୍ରାଧାନ୍ୟ ପାଉଛି।

ଓଡ଼ିଶା ପ୍ରକାଶକ ସଂଘର ସଭାପତି କ୍ଷୀରୋଦ ଚନ୍ଦ୍ର ପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ସଂପାଦକ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଉତ୍ସବରେ ସଂଘର ଦୁଇ ଉପସଭାପତି ବନୋଜ ତ୍ରିପାଠୀ ଓ ସରୋଜ ବଳ ବକ୍ତବ୍ୟ ରଖିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ସଂଘର ଅନ୍ୟତମ ସଦସ୍ୟ ତୁଷାର ବରଣ ସାହୁ।

ସଭା ଅନ୍ତେ ଯୁବ କବି ଅଂଶୁମାନ ସାହୁଙ୍କ ସଂଯୋଜନାରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ହୋଇଥିଲା। କବିତା ପଠୋତ୍ସବରେ ସଂଘର ସଦସ୍ୟ ରଶ୍ମିରଂଜନ ସ୍ବାଇଁ ଅଧ୍ୟକ୍ଷତା କରିଥିବାବେଳେ ବକ୍ତବ୍ୟ ରଖିଥିଲେ ଅନ୍ୟତମ ସଦସ୍ୟ ପବିତ୍ର ବ୍ରହ୍ମପୁତ୍ର ନାୟକ। ଏଥିରେ ୫୦ରୁ ଅଧିକ କବି କବିତା ପଢ଼ିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed