ଲକ୍ଷ୍ମୀପାଦ
ଠାକୁର ଘରେ ଓ ସବୁ ରୁମ କବାଟ ପାଖରେ ଅଙ୍କା ଯାଇଥିବା ଲକ୍ଷ୍ମୀପାଦ ଚିତା ଦେଖି ଚମକି ପଡିଲେ ବନ୍ଦନା।
ଆଖି ମଳି ପୁଣି ଦେଖିଲେ।ଭୁଲ ଦେଖୁନାହାନ୍ତି ତ ସିଏ ?
ମାର୍ଗଶୀର ଗୁରୁବାର ବୋଲି ଭୋରୁ ଉଠି ନିଜ ନିତ୍ୟକର୍ମ ସାରି ଘରେ ଚିତା ପକେଇଦେବାକୁ ବୋହୁ ଲୀନାକୁ ଗତକାଲି ରାତିରେ ବାରମ୍ବାର ମନେପକାଇଦେଇଥିଲେ ବନ୍ଦନା।
ହେ ଭଗବାନ ଏମିତିକା ଝୋଟି ପକାଇଛି ବୋହୁ !!
ରୋଷେଇଘରୁ ଶବ୍ଦ ଆସୁଥିଲା,ବୋଧେ ନଡ଼ିଆ କୋରୁଛି ଲୀନା।ଆଜି ଭୋଗରେ ପିଠା ସହ ଖେଚୁଡ଼ି,ଡାଲମା,କ୍ଷୀରି ହେବ ବୋଲି ମନ ଖୁସିଥିଲା ବନ୍ଦନାଙ୍କର।ହେଲେ ସକାଳୁ ଏ ଲକ୍ଷ୍ମୀପାଦ ଦେଖି ମୁଡ ପୁରା ଖରାପ ହୋଇଯାଇଥିଲା।
-ମା ଲୀନା,ଟିକେ ଶୁଣିଲୁ।”
ଲୀନା ପାଖକୁ ଆସିବାପରେ ବନ୍ଦନା ପଚାରିଲେ,
-ତୁ କେଉଁଠୁ ଶିଖି ଏମିତି ଲକ୍ଷ୍ମୀପାଦ ଆଙ୍କିଛୁ ?ଯଦି ଚିତା ପକାଇବାକୁ ଇଛା ନଥିଲା,ତେବେ ମୋତେ କହିଥାନ୍ତୁ।ଆଲୋ ଇୟେ ବଗ ଗୋଡ଼ ଭଳିକା ପାଦ କିଏ ଗୁରୁବାରରେ ଆଙ୍କେ ?”
ନିଜେ ପକାଇଥିବା ଚିତାକୁ ଅନାଇ,ଟିକେ ଘାବରେଇ ଗଲା ଲୀନା ଓ ଏଇ ସମୟରେ,ନିଦରୁ ଉଠି ରୁମ ଭିତରକୁ ଆସୁଥିବା ସ୍ୱାମୀ ଅଙ୍କିତ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲା,
-ଆପଣ ତ କାଲି ଶୀଘ୍ର ଶୋଇ ପଡ଼ିଥିଲେ,ୟାଙ୍କୁ ପଚାରିବାରୁ ଇୟେ ମୋତେ ସହଜିଆ ଲକ୍ଷ୍ମୀପାଦ ଚିତା ଶିଖାଇଦେଲେ।”
ଆଖି ବଡ଼ବଡ଼ କରି ବନ୍ଦନା ,ପୁଅ ଆଡ଼କୁ ଅନାଇ କହିଲେ,
-ହଇରେ ମାଙ୍କଡ,ମୋ ବୋହୁକୁ ଏମିତିକା ଲକ୍ଷ୍ମୀପାଦ ପକାଇବାକୁ ଶିଖାଇଛୁ ?”
ଆଖି ମଳି ମଳି ଲକ୍ଷ୍ମୀପାଦ ଚିତାକୁ ଦେଖି ଫେଁ କିନା ହସି ଅଙ୍କିତ କହିଲା,
-ବୋଉ,ମୁଁ ତାକୁ କହିଥିଲି ଦୁଇଟି ‘ଚାରି’ ନମ୍ବର ପାଖାପାଖି ଚିତାରେ ଲେଖି,ପ୍ରତି ଚାରି ଉପରେ ପାଞ୍ଚୋଟି ବିନ୍ଦୁ ଦେଇଦେଲେ ତାହା ପାଦ ହୋଇଯିବ।ହେଲେ ଲୀନା,ଓଡ଼ିଆରେ ସଂଖ୍ୟା ଚାରି ବଦଳରେ ଇଂରାଜୀରେ ଚାରି,ଅର୍ଥାତ ଫୋର ଲେଖି ତା ଉପରେ ବିନ୍ଦୁ ପକାଇ ଦେଇଛି।ତୁ ବ୍ୟସ୍ତ ହଅନା ବୋଉ,ମୁଁ ତାକୁ ଆହୁରି ସହଜିଆ ଟେକ୍ନିକ ଶିଖାଇଦେବି,ଲୀନା ନୂଆ ପାଦ ଆଙ୍କିଦେବ।”
ରୁମ ବାହାରକୁ ଲୀନାକୁ ଡାକିନେଇ ତା କାନରେ କିଛି କହିଲା ଅଙ୍କିତ ଓ ଲୀନା ଖୁସି ହୋଇ ମୁଣ୍ଡ ଟୁଙ୍ଗାରୁ ଥିଲା।
ବାଥରୁମକୁ ଯାଉ ଯାଉ ବନ୍ଦିତା କହିଲେ,
-ଯେଉଁ ଟେକନିକ ହେଉ,ଶୀଘ୍ର ଚିତା ସାରେ,ପୂଜା ପୁଣି ଆରମ୍ଭ ହେବ।ଅଙ୍କିତ,ତୁ ଶୀଘ୍ର କ୍ଷୀର ପ୍ୟାକେଟ ଓ ଆମ୍ବଡାଳ ନେଇଆସେ।”
ଅଙ୍କିତ ବାହାରକୁ ଚାଲିଗଲା ପରେ ଲୀନା ପୁଣି ଆଙ୍କିଲା ଲକ୍ଷ୍ମୀପାଦ।
ବାଥରୁମ ରୁ ଆସି ନୂଆ ଲକ୍ଷ୍ମୀପାଦ ଚିତା ଦେଖି ବନ୍ଦନା ହସିବେ କି କାନ୍ଦିବେ ଜାଣିପାରୁ ନଥିଲେ।କିଛି ନକହି ସେ ବାହାର କବାଟ ଖୋଲି କରିଡର କୁ ଚାଲିଗଲେ।ପଡିଶା ଘରେ ରହୁଥିବା ଜୟନ୍ତ ର ବାପା ମା କୁଆଡେ ବାହାରୁଥିଲେ।ବନ୍ଦିତାଙ୍କୁ ଦେଖି ଜୟନ୍ତ ର ମା କହିଲେ,
-ଆଜି ବଡ଼ପୁଅର ପୁଅ,ମାନେ ମୋ ବଡ଼ ନାତିର ଜନ୍ମଦିନ ବୋଲି ସେଠିକୁ ଯାଉଛୁ।”
ବନ୍ଦନା ପାଖକୁ ଯାଇ କବାଟ ପାଖରେ ଓ ଘର ଭିତରେ ପଡିଥିବା ଚିତାକୁ ଦେଖି ଖୁସି ହୋଇ କହିଲେ,
-ଆରେ ବାଃ,ଏତେ ସୁନ୍ଦର ଲକ୍ଷ୍ମୀପାଦ ଚିତା କିଏ ପକେଇଛି ?”
-କିଏ ଆଉ ପକେଇବ ?ମୋ ବୋହୁ ପଦ୍ମାଳୟା ପକେଇଛି।ମୁଁ ପରା ଖାସ ସେଇଥିପାଇଁ ଏଠିକୁ ପ୍ରଥମପାଳି ମାର୍ଗଶୀର ଗୁରୁବାର ପୂର୍ବରୁ ଆସିଥିଲି।ଆଜିକାଲିକା ବୋହୁମାନଙ୍କୁ ଟିକେ ଆକଟ/କଣ୍ଟ୍ରୋଲ ନକଲେ,ସେମାନେ କଣ ଏସବୁ ନିଜ ମନକୁ କରିବେ?ଆପଣଙ୍କ ବୋହୁ ଚିତା ପକାଇ ପାରୁଛି ନା ନାହିଁ ?”
ମୃଦୁହସି ବନ୍ଦନା କହିଲେ,
-ଆପଣଙ୍କ ବୋହୁ ଭଳି ଏକ୍ସପର୍ଟ ନୁହେଁ, କିନ୍ତୁ ଚେଷ୍ଟା କରୁଛି।ମୁଁ କିନ୍ତୁ କଣ୍ଟ୍ରୋଲ ବା ଆକଟ କରେନା,ପିଲାବେଳୁ ମାକୁ ହରାଇଛି ମୋ ବୋହୁ। ପିଲାଲୋକ ଧୀରେ ଧୀରେ ଶିଖୁଛି।ତେବେ ପଦ୍ମାକୁ ଟିକେ କୁହନ୍ତୁ ଆମ ଘରେ ବି କିଛି ଲକ୍ଷ୍ମୀପାଦ ଆଙ୍କିଦେଉ,ତାହେଲେ ମୋ ବୋହୁ ଟିକେ ନିଜ ସାଙ୍ଗଠୁ ଦେଖି ଜଲଦି ଶିଖିଯାଆନ୍ତା।”
ଗର୍ବର ସହ ହସି ବୋହୁ ଉଦ୍ଦେଶ୍ୟରେ ସେ କହିଲେ,
-ଦେଖିଲୁତ, ତୋ ଚିତାକୁ ଅନ୍ୟମାନେ କେତେ ପସନ୍ଦ କରୁଛନ୍ତି ?ଯା, ମାଉସୀଙ୍କ ଘରେ ଲକ୍ଷ୍ମୀପାଦ ଚିତା ପକେଇଦେବୁ।”
ବନ୍ଦନା ଘରକୁ ଆସି ,ଲୀନା ଉଦ୍ଦେଶ୍ୟରେ କହିଲେ,
-ଏଇନା ପଦ୍ମା ଆସିବ ଆମ ଘରେ ଚିତା ପକାଇବା ପାଇଁ, ତା ଠୁ ଶିଖିନେବୁ।”
ଅଙ୍କିତ କ୍ଷୀର ପ୍ୟାକେଟ ଓ ଆମ୍ବଡାଳ ନେଇ ଘର ଭିତରକୁ ଆସିବା ଦେଖି ବନ୍ଦନା କହିଲେ,
-ହଇରେ ଏଇ ନୂଆ ଟେକନିକ ଚିତା ତୁ ଶିଖାଇଛୁ ?”
ଲୀନା ଚଟ କିନା କହିଲା,
-ଇୟେ ମୋତେ କହିଲେ,ସବୁଠୁ ସହଜିଆ ହେଉଛି ଏସ ଲେଖି,ତା ଉପରେ ପାଞ୍ଚଟା ବିନ୍ଦୁ କରିଦେବ।”
ମୁଣ୍ଡକୁ କୁଣ୍ଡାଇ ଅଙ୍କିତ କହିଲା,
-ଆରେ ବାବା,ତମେ ଇଂରାଜୀ ଏସ ବଦଳରେ ଓଡ଼ିଆ ଅକ୍ଷରରେ ଏସ ଲେଖିଛ ?”
-ଇଂରାଜୀରେ ଚାରି ଲେଖିଥିଲି ବୋଲି ପରା ସକାଳେ ମୋତେ ଚିଡୁଥିଲ,ମୁଁ କେମିତି ଇଂରାଜୀରେ ଏସ ଲେଖିଥାନ୍ତି ?”
ଅଙ୍କିତ ଓ ବନ୍ଦନା ହସି ପକାଇଲେ।ଏଇ ସମୟରେ ବାହାରେ କଲିଙ୍ଗ ବେଲ ଶୁଣି ଅଙ୍କିତ ଭିତରକୁ ଚାଲିଗଲା ଓ ବନ୍ଦନା କବାଟ ଖୋଲି ଦେଖିଲେ ବାହାରେ ପଦ୍ମାଳୟା ହାତରେ ଗୋଟେ ବଡ଼ ବେଲାରେ ଝୋଟି ପକାଇବା ପାଇଁ ଚାଉଳବଟା ଧରି ଠିଆ ହୋଇଛି।ଖୁସି ହୋଇ ବନ୍ଦନା କହିଲେ,
-ଆରେ ମା,ଭିତରକୁ ଆସେ।ଜଲଦି ଜଲଦି ତୁମ ଘରେ ପକାଇଥିବା ଛୋଟ ଛୋଟ ସୁନ୍ଦର ଲକ୍ଷ୍ମୀପାଦ ଆଙ୍କି ଦେ।”
ଚାରି ଆଡକୁ ଅନାଇ ପଦ୍ମାଳୟା କହିଲା,
-ବାରଟା ପୂର୍ବରୁ ସେମିତିକା ଲକ୍ଷ୍ମୀପାଦ ପକେଇ ହେବନି।”
ଆବାକାବା ହୋଇ ବନ୍ଦନା କହିଲେ,
-ତୁ କଣ ପାଞ୍ଜିରେ ଭଲ ସମୟ ଦେଖି ଚିତା ପକାଉ ନା କଣ ?ଏଇନା କାହିଁକି ପକାଇ ପାରିବୁନି ?”
ଧୀର ସ୍ୱରରେ ପଦ୍ମା କହିଲା,
-ଲକ୍ଷ୍ମୀ ସ୍କୁଲ ଯାଇଛି।ସେ ଫେରିଲେ ଚିତା ପଡିବ।”
-ଆଲୋ କେଉଁ ଲକ୍ଷ୍ମୀ ସ୍କୁଲ ଯାଇଛି ?”
ପଦ୍ମା କହିଲା,
-ଆମ ଉପର ଫ୍ଲୋରରେ ରହୁଥିବା ରାଓ ବାବୁଙ୍କ ୟୁ କେଜିରେ ପଢ଼ୁଥିବା ଝିଅ ଲକ୍ଷ୍ମୀ।ତା କୁନି କୁନି ପାଦକୁ ଏଇ ବେଲାରେ ବୁଡାଇ ଚଟାଣ ରେ ଆଜି ସକାଳୁ ଥାପି ଦେଇଥିଲି ବୋଲି ଗୋଟିଏ ସାଇଜର ପାଦ ହୋଇଛି।ମୋ ଶାଶୁଙ୍କୁ ଆପଣ ଏସବୁ କହିବେନି।ଏଇ ଚିତା ପାଇଁ ଲକ୍ଷ୍ମୀକୁ ମୁଁ କ୍ୟାଡ଼ବେରିଜ ଚକୋଲେଟ ଦେଇଥିଲି।ଏଇନା ଲକ୍ଷ୍ମୀ ତ ନାହିଁ,ସେକେଣ୍ଡ ଷ୍ଟାଣ୍ଡର୍ଡ଼ରେ ପଢ଼ୁଥିବା ତା ଭାଇ ଭେଙ୍କଟକୁ ମୁଁ ସାଙ୍ଗରେ ଆଣିଛି।ତା ପାଦ ବେଶୀ ବଡ଼ ନୁହେଁ।ତେବେ ଚିତା ପାଇଁ ତାକୁ ଚକୋଲେଟ ସହ ଆଇସକ୍ରିମ ଦେବାପାଇଁ ସେ କହୁଛି।”
ଚମକି ପଡି ବନ୍ଦନା କହିଲେ,
-ଥାଉରେ ମା,ପାଦରେ ଅଙ୍କା ଚିତାଠୁ ମୋ ବୋହୂର ହାତ ଅଙ୍କା ଚିତା ଢେର ଭଲ।
ମା ଲୀନା,ପିଠୋଉ ଜାଗାଟା ଆଣିଦେ,ମୁଁ ନିଜେ ପକାଇବି ଲକ୍ଷ୍ମୀପାଦ।”