କବିତା———-ସେବା
ପାରଦ କୁମାର ପାଢୀ,ଅବସରପ୍ରାପ୍ର ଶିକ୍ଷକ,
ହିଞ୍ଜିଳିକାଟୁ, ଗଞ୍ଜାମ ।
ଏ ମଙ୍ଗଳମୟ ପୃଥିବୀ ରେ ଆମେ
କର୍ମୀ ଗୋଷ୍ଠି ପରିଚିତ ,
କିଛି କରିବାରେ ମୂଲ୍ଯ ଯୁକ୍ତ କର୍ମ
ଆସ ହେବା ଆନନ୍ଦିତ । 1
ସର୍ବ ଜନ ଧର୍ମ ଜୀବ ଜଗତର
ଶାନ୍ତିରେ ବଞ୍ଚିବା ପାଇଁ,
ଅଭାବ ବିପଦୁ ମୁକ୍ତି ଲୋଡେ ସଙ୍ଗ
ଏକାକୀ ପାରିବ ନାଇଁ । 2
ଆନର ଅହିତ ନହେବା ପରିକି
ଯେତେ ସବୁକିଛି କାମ ,
ଅଭିହିତ ତାହା କରାଯାଇଥାଏ ହିତକର ସେବା ନାମ । 3
ଜଗତରେ ରାଜା ରଙ୍କ ସବୁ ଆମେ
ସଭିଏଁ ଅଟୁଁ ସେବକ ,
ପରସ୍ପରେ ରଖି ବୁଝାମଣା ହେବା
ସେବା କରଣେ ଧାବକ ; 4
ହେଲେ ବଳେ ଲାଭ ହୋଇବ ଆମର
ଆଦର୍ଶ ଚରିତ୍ର ଗଢି ,
ମୃତ୍ଯୁପରେ ମଧ୍ଯ ବଞ୍ଚେ ନାମ ଗୁଣ
ଶବ ସିନା ଯାଏ ସଢି। 5
ସେବା ଦାନ କଳ୍ପେ ଧନ ଲୋଡାନାହିଁ
ଲୋଡା ମାତ୍ର ଆମ ମନ ,
କାର୍ପଣ୍ଯାପ୍ରକାଶେ ପୁଣ୍ଯ ଫଳ ସହ
ବଢେ ମଣିଷତ୍ବ ଧନ । 6
ସେବା ଦାନ କଲେ ଅନ୍ଯ ର ସମସ୍ଯା
ହୋଇଥାଏ ଦୂରୀଭୂତ ,
ସେବକକୁ ମିଳେ କୃତଜ୍ଞତା ବାଣୀ
ସେବ୍ଯ ହୁଏ ବ୍ୟବସ୍ଥିତ । 7
ପେଷା ଯାହା ହେଉ ସେବା ମନୋବୃତ୍ତି
ପୋଷଣ ଉଚିତ ଧର୍ମ ,
ସ୍ରଷ୍ଟା ସେଥିପାଇଁ ବିବେକ ଖଞ୍ଜିଛି
ବୁଝ ଏ ବାକ୍ଯ ର ମର୍ମ । 8
ସେବା ସହ ଲୋଭ ଯୋଡିଦେଲେ ଭାଇ
ହୋଇଯାଏ ମୂଲ୍ଯହୀନ ,
ଯୋଡ଼ିଲେ କଳଙ୍କ ଲାଗେ ସେବକ ଠି
ପୁଣ୍ଯ ହୁଏ ମୂଲ୍ଯହୀନ । 9