Spread the love

ମହାଡମ୍ବର ରେ ପାଳିତ ହୋଇଛି ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ –

ନୀଳାଦ୍ରିମହୋଦୟାଷ୍ଟମୀ
(ତ୍ରୟୋଦଶ ଯାତ୍ରା )

ମହାପ୍ରଭୁ ଶ୍ରୀଜଗନ୍ନାଥ ଅଦ୍ଯତନ ଦିବସରେ ବ୍ରହ୍ମାଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇ ଶ୍ରୀମନ୍ଦିରରର ରତ୍ନସିଂହାସନରେ ଅଧିଷ୍ଠିତ ହୋଇଥିଲେ ।
– ଆଜି ଦିବସର କିିଛି ମହତ୍ତ୍ବପୂର୍ଣ୍ଣ ପ୍ରାମାଣିକ ତଥ୍ଯ ।

ନୀଳାଦ୍ରି ମହୋଦୟର ମହତ୍ତ୍ଵ ତଥା ମହିମା ସ୍କନ୍ଦପୁରାଣରେ ପ୍ରତିପାଦିତ ହୋଇଛି । ଉକ୍ତ ପୁରାଣର ୨୭ ଅଧ୍ୟାୟର ୧୦୦ ଶ୍ଳୋକ ଠାରୁ ୧୦୩ ମଧ୍ୟରେ ଏହି ଯାତ୍ରାର ପ୍ରସିଦ୍ଧି ବର୍ଣ୍ଣିତ ହୋଇଛି ।

ଯଥା –
ବୈଶାଖସ୍ୟାମଳେ ପକ୍ଷେ ଅଷ୍ଟମ୍ୟା ପୁଷ୍ୟଯୋଗତଃ ।
କୃତା ପ୍ରତିଷ୍ଠା ଭୋ ବିପ୍ରା ଶୋଭନେ ଗୁରୁବାସରେ ॥
( ୨୭ / ୧୦୦ )

ତଦ୍ଦିନଂ ସୁମହତ୍‌ପୁଣ୍ଯଂ ସର୍ବପାପପ୍ରଣାଶନମ୍ ।
ସ୍ନାନଂ ଦାନଂ ତପୋ ହୋମଃ ସର୍ବମକ୍ଷୟମଶ୍ନୁତେ ।
( ୨୭ / ୧୦୧ )

ଶୁକ୍ଳାଷ୍ଟମୀ ଯା ବୈଶାଖେ ଗୁରୁପୁଷ୍ୟଯୁତା ଯଦା ।
ତସ୍ୟାମଭ୍ୟର୍ଚ୍ଚନଂ ବିଷ୍ଣୋଃ କୋଟିଜନ୍ମାଘନାଶନମ୍ ॥ ”
( ସ୍କନ୍ଦ , ୨୭ / ୧୦୩ )

ଏଥିରେ କୁହାଯାଇଛି ଯେ , ସ୍ଵୟଂ ବ୍ରହ୍ମା ବୈଶାଖ ମାସର ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଗୁରୁବାରରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସଂପାଦନ କଲେ । ସେହି ହେତୁ ଏହି ଦିବସଟି ଅତ୍ୟନ୍ତ ପୁଣ୍ୟତମ ସର୍ବପାପ ବିନାଶକାରୀ ଅଟେ । ଉକ୍ତ ଦିବସରେ ସ୍ନାନ , ଦାନ , ତପସ୍ୟା ଓ ହୋମାଦି କାର୍ଯ୍ୟ କଲେ ଅକ୍ଷୟ ଫଳ ମିଳିଥାଏ । ପୁନଶ୍ଚ ପୁଷ୍ୟା ନକ୍ଷତ୍ରଯୁକ୍ତ ଗୁରୁବାର ବୈଶାଖ ଶୁକ୍ଳ ଅଷ୍ଟମୀରେ ଭଗବାନ ଶ୍ରୀବିଷ୍ଣୁଙ୍କର ଅର୍ଚ୍ଚନା କଲେ କୋଟି ଜନ୍ମାର୍ଜିତ ପାପରାଶି ବି ନଷ୍ଟ ହୋଇଥାଏ । ଏପରିକି ଯେଉଁ ମନୁଷ୍ୟମାନେ ଏହି ଦିବସରେ ଭକ୍ତପୂର୍ଣ୍ଣ ହୃଦୟରେ ଶ୍ରୀଜଗନ୍ନାଥାଦି ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରନ୍ତି ସେମାନଙ୍କର ମୁକ୍ତିଲାଭ ନିଶ୍ଚିତ ଭାବରେ ହୋଇଥାଏ ।

ଶ୍ରୀମନ୍ଦିରରେ ପାଳିତ ମୁଖ୍ୟ ଦ୍ଵାଦଶ ଯାତ୍ରା ବ୍ୟତୀତ ତ୍ରୟୋଦଶ ଯାତ୍ରା ଭାବେ ନୀଳାଦ୍ରି ମହୋବୟ ସୁପରିଚିତ । କେତେକ ପଣ୍ଡିତଙ୍କ ମତରେ ଶ୍ରୀମନ୍ଦିରର ମୁଖ୍ୟ ତ୍ରୟୋଦଶ ଯାତ୍ରା ମଧ୍ୟରେ ଏହା ଅନ୍ୟତମ । ଏହା ଶ୍ରୀମନ୍ଦିରର ପ୍ରତିଷ୍ଠା ଦିବସ ବୋଲି କୁହାଯାଇଛି । ବୈଶାଖ ଶୁକ୍ଳ ଅଷ୍ଟମୀ ତିଥରେ ଶ୍ରୀମନ୍ଦିରରେ ନୀଳାଦ୍ରି ମହୋଦୟ ଯାତ୍ରା ଅନୁଷ୍ଠିତ ହୋଇଥାଏ । ସୁତରାଂ ଏହି ତିଥି “ ନୀଳାଦ୍ରି ମହୋଦୟାଷ୍ଟମୀ ” ନାମରେ ଅଭିହିତ

“ ବାମଦେବସଂହିତା ” ରେ ଏହି ଯାତ୍ରା ପାଳନ ସଂପର୍କରେ କୁହାଯାଇଛି ଯେ ,

ଭୂୟଃ ଶୃଣୁଷ୍ବ ଦେବସ୍ୟ ନୀଳଶୈଳାଧିପସ୍ୟ ଚ ।
ମାଧବେ ସିତପକ୍ଷେ ଚ ହ୍ଯଷ୍ଟମ୍ଯାଂ ଯଦ୍ଦିନେ ନୃପଃ ॥

ପ୍ରାସାଦଘଟନାଂ ଚକ୍ରେ ତତସ୍ତୁ ପ୍ରତିବତ୍ସରମ୍ ।
ଯଥା ପୁଷ୍ୟାଭିଷେକସ୍ତୁ ତଦ୍ଦତ୍ତଚ୍ଚ ସମାଚରେ ॥
( ୨୪। ୨୫ – ୨୬ )

ଅର୍ଥାତ୍ ଏହି ତିଥିରେ ପ୍ରଭୁଙ୍କର ପ୍ରକଟ ହୋଇଥିବାରୁ ପ୍ରତିବର୍ଷ ପ୍ରକଟୋତ୍ସବ ଏହି ଦିନ ମହାସମାରୋହରେ ପାଳନ କରାଯାଏ ପୁଷ୍ୟାଭିଷେକରେ ।ଶ୍ରୀବିଗ୍ରହମାନଙ୍କର ଅଭିଷେକୋତ୍ସବ ପାଳନ କରାଯିବା ପରି ଏହିଦିନ ମଧ୍ୟ ଅଧିବାସିତ ଜଳରେ ଅଭିଷେକ କରିବ ।

ନୀଳାଦ୍ରିମହୋଦୟ ଅଭିଷେକ ନିମିତ୍ତ ବୈଶାଖ ଶୁକ୍ଳପକ୍ଷ ସପ୍ତମୀରେ ରାତ୍ର ଚନ୍ଦନ ଲାଗି ନୀତି ଶେଷ ହେବା ପରେ ଭୋଗମଣ୍ଡପ ଗୃହ ଧୋ ପଖାଳ ( ପାଣିରେ ଧୁଆ ଯାଏ ) ହୋଇ ଚାନ୍ଦୁଆଟିଏ ବନ୍ଧାଯାଇଥାଏ । କୋଠଭୋଗ ପାଣିଆ ଯୋଗାଇଥିବା ଜଳ ଗଡୁମାନଙ୍କରେ ପୂର୍ଣ୍ଣ କରାଯାଇ ତହିଁରେ ସୁବାସିତ ପୁଷ୍ପ ଓ ସରାମାନ ଘୋଡାଇ ଦିଆଯାଏ । ଏହି ଜଳପୂର୍ଣ୍ଣ ଗଡ଼ୁଗୁଡ଼ିକ ଚାନ୍ଦୁଆ ତଳେ ଚାରି ପନ୍ତି କରି ରଖାଯାଏ । ଏହାପରେ ଚେମେଡ଼ି ପତନି ପକାଇ ପୂଜାପଣ୍ଡା ସେବକ ପୁଷ୍ପ , ଚନ୍ଦନ ଦେଇ ଜଳ ଅଧିବାସ କରାନ୍ତି । ଏହି ବିଧିମାନ ସଂପନ୍ନ ହେଲାପରେ ତଢ଼ଉକରଣ ସେବକ ଦ୍ଵାରମାନ ବନ୍ଦ କରି ମୁଦ ଦିଅନ୍ତି ଏବଂ ଲେଙ୍କା ଜଗି ରହନ୍ତି । ଏହାପରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ । “ ବାମଦେବସଂହିତା ” ର ଉଲ୍ଲେଖ ପ୍ରକାରେ ଅଷ୍ଟମୀ ତିଥି ପୂର୍ବଦିନ ସପ୍ତମୀ ତିଥିରେ ରାତ୍ରିକାଳରେ ୧୦୮ଟି କୁମ୍ଭ ଜଳପୂରଣ କରି ବୀକ୍ଷଣାଦି ସଂସ୍କାର ପୂର୍ବକ ସେଥିରେ କର୍ପୂର ଗନ୍ଧ ପୁଷ୍ପ ପ୍ରଭୃତି ନିକ୍ଷେପ କରି ବସ୍ତ୍ରଦ୍ଵାରା ଆଚ୍ଛାଦନ କରିଦେବ । ତା’ପରେ ତାକୁ ନେଇ ଅଧିବାସ ଗୃହରେ ସ୍ଥାପନ କରିବ । ଅଷ୍ଟମୀ ଦିନ ସକାଳ ଧୂପ ଓ ଆଲଟ ଲାଗି ସରିବା ପରେ ଭିତର ଗମ୍ଭୀରାରେ ପାଣି ପଡ଼ି ପୂଜା ଠା ’ ହୋଇଥାଏ । ପୂର୍ବ ଦିନରୁ ଭୋଗମଣ୍ଡପ ଗୃହରେ ଅଧିବାସ ହୋଇଥିବା ୧୦୮ ଗଡୁ ଜଳକୁ ଗରାବଡୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ , ଛତା , କାହାଳୀ ସହ ତଳିଚ୍ଛ ପଟୁଆରରେ ଚାରି ଥରରେ ଚାରି ପନ୍ତି କରି ଜଳପୂର୍ଣ୍ଣ ଗଡୁମାନ ରତ୍ନସିଂହାସନ ନିକଟରେ ବିଜେ କରିବା ପରେ ଜଳ ପୂଜା ଓ ଲାଗି ନୀତି ଅନୁଷ୍ଠିତ ହୁଏ । ପୂଜାପଣ୍ଡା ସେବକ ସଂସ୍କାର ପୂର୍ବକ ଜଳ ଲାଗି କରନ୍ତି । ଜଳଲାଗି ଅବକାଶ ସମୟ ଭଳି ଦର୍ପଣ ଉପରେ ଲାଗି ହୋଇଥାଏ । ଜଳ ଲାଗି ପରେ ମଇଲମ , ନୂଆଲୁଗା ଲାଗି ହେବା ସହ ଘଟୁଆରୀ ଘର ଠାରୁ ତିନୋଟି ରୂପା ପିଙ୍ଗଣରେ ପୂଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ଚନ୍ଦନ ବିଜେ କରାଇ ଆଣି ସିଂହାସନ ଉପରେ ସଂସ୍କାର କରାଇ ପାଳିଆ ପୁଷ୍ପାଳକଙ୍କ ସହ ଚନ୍ଦନ ସର୍ବାଙ୍ଗ କରାନ୍ତି ।

ଏହାପରେ ଭିତରେ ପାଣି ପଡ଼ି ଧୁଆଯିବା ପରେ ମଧ୍ୟାହ୍ନ ଧୂପ ଓ ଯାତ ଭୋଗ ଘଣ୍ଟ ଛତା କାହାଳୀ ସହି ଶ୍ରୀଛାମୁକୁ ଆସିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି ଓ ଭୋଗ ସରିବା ପରେ ପାଣି ପଡ଼ି ଧୋ ପଖାଳ ହୋଇ ତିନିବାଡ଼ରେ ବନ୍ଦାପନା ନୀତି ହୋଇଥାଏ । ତତ୍ପରେ ପୂଜାପଣ୍ଡା ଆଜ୍ଞାମାଳ ପ୍ରଦାନ କରିବା ପରେ ରାମ , କୃଷ୍ଣ , ମଦନମୋହନ , ଶ୍ରୀଦେବୀ , ଭୂଦେବୀ ବିମାନ ଓ ପାଲିଙ୍କିକୁ ବିଜେ ପୂର୍ବକ ଚାପ କ୍ରୀଡ଼ା ଉଦ୍ଦେଶ୍ୟରେ ନରେନ୍ଦ୍ର ପୁଷ୍କରିଣୀକୁ ଗମନ କରିଥାନ୍ତି । ଚନ୍ଦନ ବାହୁଡ଼ା ବିଜେ ପରେ ଅନ୍ୟାନ୍ୟ ନୀତି ସଂପନ୍ନ ହୋଇଥାଏ …..

।।ଜୟ ଜଗନ୍ନାଥ ।।

Leave a Reply

Your email address will not be published. Required fields are marked *