ଉତ୍କର୍ଷ ଓଡିଶା ଗଠନ ନିମନ୍ତେ ଗଣମାଧ୍ୟମର ସହଯୋଗ ଏକାନ୍ତ ଆବଶ୍ୟକ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା
ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ୱପ୍ନ, ଅଭିଳାଷ, ଆକାଂକ୍ଷା ଓ ସ୍ୱରର ଧାରକ ଓ ବାହକ ହେଉଛି ଗଣମାଧ୍ୟମ
16/11/2024,ଭୁବନେଶ୍ୱର: ଆଜି ୫୯ତମ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ କେଶରୀ ହୋଟେଲରେ ଆୟୋଜିତ ରାଜ୍ୟସ୍ତରୀୟ ସେମିନାରରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇଥିଲେ ।
ସାଧାରଣ ଜନତାଙ୍କ ସ୍ବର ଗଣମାଧ୍ୟମ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସମାଜର ଜାଗ୍ରତ ପ୍ରହରୀ । ସୁସ୍ଥ ସମାଜ ଗଠନ ଓ ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ । ତୃଣମୂଳ ସ୍ତରରେ ଲୋକଙ୍କର ସ୍ୱର ଉତ୍ଥାପନ ହେଉ କି ରାଜନେତାମାନଙ୍କର ସମାଜ ପ୍ରତି ବାର୍ତ୍ତାକୁ ପହଞ୍ଚାଇବାରେ ଗଣମାଧ୍ୟମ ଏକ ପ୍ରମୁଖ ମାଧ୍ୟମ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ପୂର୍ବରୁ ଗଣମାଧ୍ୟମରେ ପ୍ରକାଶିତ ଏକ ଏଡିଟୋରିଆଲ ପଡିଲେ ଏହା ଓଡ଼ିଶାର ଦର୍ପଣ ବୋଲି ପ୍ରତୟ ହେଉଥିଲା ଏବଂ ଏକ ଦିଗଦର୍ଶନ ଦେଉଥିଲା। ଆଜିକା ସମୟରେ “The Pen is mightier than the Sword” ବଦଳରେ “Mobile is mightier than the Sword” ପ୍ରତୀତ ହେଉଛି । ଅଧିକାଂଶ ସମୟରେ ଗଣମାଧ୍ୟମମାନେ ସୋସିଆଲ ମିଡ଼ିଆରେ ଲାଇକ,ସେୟାର ଉପରେ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସରକାର,ପ୍ରଶାସନ ଏବଂ ଗଣମାଧ୍ୟମର ସମନ୍ୱୟରେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ । ଗଣମାଧ୍ୟମ ହେଉଛି ସରକାରଙ୍କର ଆଖି ତେଣୁ ଉତ୍କର୍ଷ ଓଡିଶା ଗଠନ ନିମନ୍ତେ ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ୱପ୍ନ, ଅଭିଳାଷ, ଆକାଂକ୍ଷା ଓ ସ୍ୱରର ଧାରକ ଓ ବାହକ ହୋଇଥିବା ଗଣମାଧ୍ୟମର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ବ୍ୟକ୍ତ କରିଛନ୍ତି ।