ପ୍ରେସଦିବସ
ସାମ୍ବାଦିକ ଚାକିରିରେ ଦରମା ନଥାଏ। ଚାକିରିର ନିରାପତ୍ତା ନଥାଏ। ଏ ଦୁଇଟି ସମସ୍ୟାର ସମାଧାନ ହେଲେ ଯାଇ ଏ ବୃତ୍ତିର ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇ ପାରିବ। ଯେମିତି- ସମ୍ବାଦିକର ନିରପେକ୍ଷତା, ଠିକଣା ଖବର ଲେଖିବା ଆଦି।
ଆଉ ଗୋଟିଏ ବିଷୟ ହେଉଛି- ଅନିର୍ଦ୍ଦିଷ୍ଟ ସମୟର କାମ। କେତେବେଳେ ସକାଳ ୮/୧୦ରୁ ତାହା ରାତି ସାରା ଚାଲେ। କେତେବେଳେ କାହିଁକି ଯେ ! ପ୍ରାୟତଃ ସବୁ ସମୟରେ। ପୁଣି ବଡ଼ ଘଟଣା ଘଟିଲେ- ନା ରିପୋର୍ଟର, ନା ଡେସ୍କ ଲୋକ ହଲିପାରେ। ଦୁଇ/ତିନି ଦିନରୁ ଆରମ୍ଭ କରି ସାପ୍ତାହେ ପର୍ଯ୍ୟନ୍ତ। ଘରକୁ ଯାଇ ହୁଏନାହିଁ। ରାସ୍ତାକଡ଼ରୁ ବିସ୍କୁଟ କିଣି ସପ୍ତାହେ ଚାଲିଯାଏ। ନିର୍ବାଚନ ଆସିଲେ ମାସ ମାସ ଧରି ଏକାଥରେ।
ନା ଦୁଇ ମାସିଆ ଖରା ଛୁଟି, ନା ୧୫ ଦିନିଆ ପୂଜା ଛୁଟି, ନା ଦୁଇ ସପ୍ତାହର ଧାନକଟା ଛୁଟି।
ଦୋଳରେ ଦୁଇ ଦିନ ହେଉଛି ଖରାଛୁଟି। ଦୁର୍ଗାପୂଜାରେ ଦୁଇଦିନ ସର୍ବାଧିକ ହେଉଛି ପୂଜା ଛୁଟି। ଧାନ କଟା ଛୁଟି ସାତ ସପନ। ବୈଦ୍ୟୁତିକ ଗଣମାଧ୍ୟମରେ ସେତକ ବି ନାହିଁ।
ଆପଣ ଯେତେବେଳେ ବାଦାମ ଟୁଙ୍କି, ସ୍ତ୍ରୀ କି ଗାର୍ଲଫ୍ରେଣ୍ଡ ସହ କଥା ହୋଇ ସେମାନଙ୍କୁ ସତର୍କ କରି, କବାଟ ଝରକା ବନ୍ଦ କରି, ଆଲୁଅ ଚାର୍ଜ କରି, ଆଳୁ-ଅଟା କିଣି ଟିଭିରେ ବାତ୍ୟାକୁ ଅପେକ୍ଷା କରନ୍ତି, ସେତେବେଳେ ବାତ୍ୟାକୁ ବାତ୍ୟାମୁହାଁ ହୋଇ, ଦେଢ଼ ଶହ କିଲୋମିଟର ପବନରେ ଯିଏ ଛିଡା ହୋଇଥାଏ, ସିଧା- ସେ ସାମ୍ବାଦିକ। ବନ୍ୟା ବେଳେ ବଂଧ ଭାଙ୍ଗି ଛାତିରୁ ଅତଡ଼ା ଖସୁଥିବା ବେଳେ ଆପଣ ପେଟିଏମରେ ୧୦୦ ଟଙ୍କା ଦେଇ ଯେତେବେଳେ ନିଜ ନାଗରିକତା ପରିଚୟକୁ ସାବ୍ୟସ୍ତ କରନ୍ତି- ସେବେ ବେକେ ପାଣିରେ ପଶି, ଅନ୍ଧାର, ବହଳ ଅନ୍ଧାରରେ ଯିଏ ଟିକିନିଖି ଖବର ଆପଣଙ୍କୁ ଦିଏ- ସେ ସାମ୍ବାଦିକ। ସିଏ ନିର୍ବାଚନ ବେଳେ ମାସ ମାସ ଧରି ଖଣ୍ଡେ ପେଣ୍ଟ ଜାମାରେ ଖବର ସଂଗ୍ରହ କରେ। ଆପଣ ବସି ଭୋଟ ଖଣ୍ଡେ ଦେଇ ସେଲ୍ଫି ଉଠେଇ ଦେଶର ସେବା କରନ୍ତି। ଦଙ୍ଗା, ବୋମାମାଡରେ ସେ ଆଗ ପହଞ୍ଚେ। ପୁଲିସ ସାତ ପରେ। ନହେଲେ ମୋବାଇଲରେ ସାଙ୍ଗଙ୍କ ସହ ୟାରିଦୋସ୍ତି ଗପ ଗପି ଆଗାମୀ ଛୁଟିର ପ୍ଲାନ କରି ଆପଣ କହିଦେବେ ଯେ- ହେ ସାଲେ ମୂର୍ଖ! ଭଲ ଭିଜୁଆଲ ପାଉ ନାହାନ୍ତି। ଗଧ ସାମ୍ବାଦିକ।
ତାର ବି ଘର ଅଛି। ତାର ପିଲା ଛୁଆ ଅଛନ୍ତି। ବାପମା, ଗାର୍ଲଫ୍ରେଣ୍ଡ ଅଛନ୍ତି। କିନ୍ତୁ ସେ ସଭିଙ୍କୁ ଛାଡି ଝଡ଼ମୁହାଁ ହୋଇ ବାହାରି ଯାଏ। ତା ଘରେ ଅଟା କି ଆଳୁ କିଣିବାକୁ କେହି ନଥାନ୍ତି। ପଇସା ହୁଏତ ନଥାଏ। ଫୋନରେ ମଧୁର ଗପ କରିବାକୁ ତର ନଥାଏ। ଚାର୍ଜ ସରିଗଲେ ଖବର କେମିତି ସେ ଦେବ ଯେ ?
ଆପଣ କିନ୍ତୁ ତାକୁ ଗାଳି ଦିଅନ୍ତି। ତାକୁ ଚୋର, ଲାଞ୍ଚୁଆ ବୋଲି କହନ୍ତି। Presstitute କହନ୍ତି। କହନ୍ତି- ଦରମା ନଥିଲା ତ ସାମ୍ବାଦିକ ହେବାକୁ କିଏ କହୁଥିଲା।
ଆପଣ ଜାଣନ୍ତି ନାହିଁ- ଆପଣଙ୍କ ଠାରୁ ଲକ୍ଷେ ଗୁଣରେ ଭଲ ଛାତ୍ର/ଛାତ୍ରୀ ସେ ଥିଲା। ଆପଣଙ୍କଠୁ ଢେର ମାର୍କ ଅଧିକ ରଖିଥିଲା। କିନ୍ତୁ ତା ଭିତରେ ଉଦବେଳନ ଥିଲା। ଥିଲା- ଜୁଆର। ଆପଣଙ୍କର ନଥିଲା।
ଆପଣ ଗଡ଼ିଆ। ସେ ସମୁଦ୍ର। ପାରାବାର। ଅତଳ। ଗଭୀର।
ସେଥିପାଇଁ ସେ ସରକାରୀ ଚାକିରି ବାଛିଲା ନାହିଁ। ବୁଜୁଳା ମୁଣ୍ଡେଇଲା ନାହିଁ। ପରମବ୍ରହ୍ମ (Parambrahma Tripathy) ମ୍ୟାଟ୍ରିକରେ ଶ୍ରେଷ୍ଠ ଦଶ ଜଣରୁ ଗୋଟେ ମାର୍କ କମ ରଖିଥିଲା। ଶୁଭ୍ରାଂଶୁ (Subhransu Sekhar) ୧୦ ବର୍ଷ ସାମ୍ବାଦିକ ହେବା ପରେ ସିଭିଲ ସର୍ଭିସ ପାଇ ବି ନ ଯିବାକୁ ସ୍ଥିର କରିଥିଲା। କୁକୁର ଚାକିରୀ କିଏ କରିବ ବୋଲି ଭାବି।
ଲକ୍ଷେ ଉଦାହରଣ। କୋଟିଏ ଗପ କହିହେବ।
କିନ୍ତୁ ସେମାନେ ସରକାରୀ ବସ୍ତା ମୁଣ୍ଡେଇ ଜୀବନରେ ଠକ, ଲାଞ୍ଚୁଆ, ମିଛୁଆ, ତେଲୁଆ, କୃପଣ କି ପିଣ୍ଡାଓଲୁ ହେବାକୁ ଚାହିଁ ନଥିଲେ।
କିଶନ (Kishan) ପରା କୋଡିଏ କିଲୋମିଟର କାଦୁଅ, ଦଢ଼ି, ପାହାଡ଼, ଉଠାଣି ଚଢ଼ି ଗୁମୁଡ଼ୁମୁହାଁ ଗୁଳିକାଣ୍ଡର ରିପୋର୍ଟ ଦେଇଥିଲା। ଆଉ ସେ ଆଦିବାସୀଙ୍କ କ୍ଷତିପୂରଣ ଯିଏ ଆଜିଯାକେ ଦେଲା ନାହିଁ ସେ ଜଣେ କିମ୍ବା ଗୋଷ୍ଠୀଏ ସରକାରୀ ଚାକିରିଆ। ସ୍ଥାୟୀ। ଗ୍ରେଡ ପେ ଭଲ। ଏବେ ବି ସେ ଆଦିବାସୀ ଦୌଡ଼ୁଛନ୍ତି। ଭୁବନେଶ୍ୱର। ଆପଣଙ୍କ ପ୍ରିୟ ରାଜଧାନୀ।
କଳିଙ୍ଗନଗର ଗୁଳିକାଣ୍ଡ ବେଳେ ସଂଜ ନଇଁ ଆସୁଥାଏ। ଜାନୁଆରିର ସଅଳ ସଂଜ। ଶୀତ ତୀବ୍ର। ମଞ୍ଜଥରା। ଅଜଣା ରାସ୍ତାରେ ଅରିନ୍ଦମ ମତେ କୁଣ୍ଢେଇ କହିଥିଲା- ସାର, ଆମେ ଆଉ ଘରେ ପହଂଚି ପାରିବା ଟି ? ଜୀବନ ନେଇ ଫେରିବା ନାହିଁ ବୋଧେ ! ସଶସ୍ତ୍ର ଆଦିବାସୀଙ୍କ ଘେରରେ ଅମା ଅନ୍ଧାରରେ ସିଏ ଓ ମୁଁ ଛିଡ଼ା ହୋଇଥିଲୁ। ଆଉ କଥା ହୋଇଥିଲୁ- ଆଗ ଖବର ଡାକିଦେବା ଡେସ୍କକୁ। ତାପରେ ଦେଖିବା।
ଗୁଳି ମାରିବା ପାଇଁ ଆଦେଶ ଦେଇଥିଲେ- ସରକାରୀ ଚାକିରିଆ। ଆଦିବାସୀଙ୍କୁ ମାରି ଥାନାରେ ଲୁଚିଥିଲେ।
ଗଣମାଧ୍ୟମରେ ମାଲିକ (ଯଦିଓ ଏ ଶବ୍ଦକୁ ମୁଁ ଘୃଣା କରେ) ତାର ହିଁ ସ୍ୱାଧୀନତା ବୋଲି କିଛି ଅଛି। ଏବେ ତ ସେମାନେ ପ୍ରାୟ- ସାଂସଦ, ବିଧାୟକ କି ମନ୍ତ୍ରୀ। ସେମାନଙ୍କୁ ପଦେ କହିବା ପାଇଁ ଆପଣଙ୍କର ସାହାସ ନାହିଁ। ସାରା ଜୀବନ ହେବ ବି ନାହିଁ। ବରଂ ଅତିଥି କରି ଆପଣଙ୍କ ଉତ୍ସବକୁ ଡାକି- ଭଲକି ଫଟୋ ସହ ନେବା ପାଇଁ କହି ହାତଯୋଡ଼ି ଆପଣମାନେ ଛିଡ଼ା ହୁଅନ୍ତି। ଫଟୋ ଛୋଟ ହେଲେ ସାମ୍ବାଦିକଙ୍କୁ ଗାଳି ଦିଅନ୍ତି। ତୋ ଚାକିରି ନେଇଯିବି ବେ ବୋଲି ଧମକ ଦିଅନ୍ତି।
ସେମାନେ ଆପଣଙ୍କ ଅପେକ୍ଷା ଅଧିକ ଦେଶପ୍ରେମୀ। ଢେର ଅଧିକ ଯତ୍ନବାନ ନିଜ ଦେଶ ପାଇଁ।
ସେଥିପାଇଁ ତ ସେ ଆଗେ ନିଜକୁ ସୁରକ୍ଷିତ ରଖି ପରେ ସମାଲୋଚନା କରେନା। ଆପଣଙ୍କ ଭଳି। ହିପୋକ୍ରାଟ। ସେ ଅନେକ କଷ୍ଟରେ ମାଷ୍ଟର କ୍ୟାଣ୍ଟିନରେ ସୁରକ୍ଷା ପାଇଁ ଥରେ କେବେ ଧାରଣା ଦେଇ ବି ପାରେନା। ଆପଣ ଦରମା, ଏରିଆର, ବକେୟା ଦରମା, ପିଲାଛୁଆ, ଶାଶୁ ଶ୍ୱଶୁରଙ୍କ କଥା ଉଠାନ୍ତି। ସେଥିପାଇଁ ଧାରଣା ଦିଅନ୍ତି।
ଏସବୁ ଲେଖା ପଢ଼ି ଆପଣ ହସିବେ। କହିବେ- ଶଳା ବକବାସ କରୁଛି। ଆପଣଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ। ଆପଣ ଭୁଲିଯିବେ। କାରଣ- ଆପଣ ବେଶ ସ୍ୱାର୍ଥପର ଓ ଭୟଙ୍କର ଭାବେ ଛଳନାକାରୀ।
ସମ୍ବାଦିକଟି ସେମିତି ନୁହେଁ। ଜମା ନୁହେଁ।
ଜାତୀୟ ପ୍ରେସ ଦିବସର ଶୁଭେଚ୍ଛା।
@ଜ୍ୟୋତିପ୍ରକାଶ ମହାପାତ୍ର
IIMC ଢେଙ୍କାନାଳ