Spread the love

ଜନ ଜାତୀୟ ଗୌରବ ଦିବସ ଅବସରରେ
ଯୋଗ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ମାଲକାନଗିରି, ୧୫ ନଭେମ୍ବର ୨୦୨୪ :

ଧରତୀ ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଡିଏନକେ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଯାଇଛି । ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଭାସୀ ମାଧ୍ୟମରେ ଯୋଗ ଦେଇ ସଭାକୁ ସମ୍ବୋଧିତ କରିଥିଲେ । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ ମହାଲିଙ୍ଗ ବିର୍ସା ମୁଣ୍ଡାଙ୍କ ବୀରତ୍ଵର ଗାଥା ମନେ ପକାଇଥିଲେ। ସେ କହିଥିଲେ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲା ତଥା ଏଠାରେ ବସବାସ କରୁଥିବା ଜନଜାତିଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବଦ୍ଧ ପରିକର । ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କର ଅଧିକାର ରହିଛି ବୋଲି ସେ କହିଛନ୍ତି। ଆଜି ସ୍ବାସ୍ଥ୍ୟ ବିଭାଗର ୨୪ ଟି ନୂତନ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସହ ମାଥିଲି ଓ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଦୁଇଟି ଡ଼ାଏଲେସିସ ୟୁନିଟର ଶିଳାନ୍ୟାସ କରିଛନ୍ତି। କୋଠା ନିର୍ମାଣ ନିମନ୍ତେ ୧୬୭ କୋଟି ଓ ଡ଼ାଏଲେସିସ ୟୁନିଟ ନିମନ୍ତେ ୧ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହା ସ୍ଥାପନ ହେବା ଦ୍ଵାରା ଜିଲ୍ଲାରେ ଚିକିତ୍ସା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଜିଲ୍ଲା ଆଦିବାସୀ ମହସଂଘ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜନଜାତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଜୟଶ୍ରୀଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀନିବାସ ଆଚାରୀ ଓ ଅର୍ଥ ପରିଚାଳକ ମାନସ ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ ଗତବର୍ଷ ପିଏମ ଜନମନ ଯୋଜନା ମାଧ୍ୟମରେ ମାଲକାନଗିରି ଜିଲ୍ଲାର ୧୨୫ ଗୋଟି ଗ୍ରାମରେ ଆରମ୍ଭ କରାଯାଇଥିବା ଅନେକ କାର୍ଯ୍ୟକ୍ରମ ଚାଲୁରହିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର ଉନ୍ନତି ଅନେକ କାର୍ଯ୍ୟ ହାତକୁ ନିଆଯାଇଛି । ସମସ୍ତ ଜନଜାତିଙ୍କ ସର୍ବାଙ୍ଗିନ ଉନ୍ନତି ଲକ୍ଷ୍ୟ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଧରତି ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଧରତି ଆବା-ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ନାମରେ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୧୭ ଗୋଟି ମନ୍ତ୍ରାଳୟର ସହାୟତାରେ ୨୫ ଗୋଟି କାର୍ଯ୍ୟକ୍ରମ ହାତକୁ ନିଆଯିବ ଯାହା ପ୍ରାୟ ୬୬୦୦ କୋଟି ଟଙ୍କାର ପ୍ରକଳ୍ପକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଜନଜାତିଙ୍କ କଲ୍ୟାଣ ନିମନ୍ତେ ଲୋକାର୍ପଣ କରିଛନ୍ତି । ସମସ୍ତ ଆଦିବାସୀ ପରିବାରକୁ ୧୭ ଟି ବିଭାଗ ସହାୟତାରେ ଆଧାର କାର୍ଡ, କିଶାନ କ୍ରେଡିଟ କାର୍ଡ, ଆୟୁଷ୍ମାନ କାର୍ଡ, ଜଙ୍ଗଲଜମି ପଟା ବଂଟନ ସହ ପ୍ରତିଗ୍ରାମରେ ପିଇବା ପାଣି, ଆବାସ ଯୋଜନା, ସ୍କୁଲ ହଷ୍ଟେଲ, ମେଡିକାଲ ୟୁନିଟ, ଅଙ୍ଗନବାଡି କେନ୍ଦ୍ର, ସୌର ବିଜୁଳିର ବ୍ୟବସ୍ଥା ୫ ବର୍ଷ ମଧ୍ୟରେ ୪୨୫ ଗୋଟି ଗ୍ରାମରେ ପହଂଚାଇବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି । ବର୍ଷ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଆଦିବାସୀ ହସ୍ତତନ୍ତ ଓ ହସ୍ତଶିଳ୍ପର ସମ୍ବଳିତ ବିଭିନ୍ନ କାର୍ଯ୍ୟକ୍ରମ, ଆଦିବାସୀ ହସ୍ତଶିଳ୍ପୀ ମାନଙ୍କ ବିଭିନ୍ନ ଉତ୍ପାଦର ପ୍ରସାର ଓ ମାର୍କେଟିଂ ପାଇଁ କାର୍ଯ୍ୟକ୍ରମ, ସିକିଲ ସେଲ୍‌ ଆନାମିଆ ରୋଗ ସମ୍ପର୍କରେ ସଚେତନତା, ଆଦିବାସୀ କବି ଓ ଲେଖକ ମାନଙ୍କ ସମ୍ମିଳନୀ, ଜଙ୍ଗଲ ଅଧିକାର ଆଇନ ଉପରେ ୱାର୍କସପ୍‌, ଆଦିବାସୀ ମାନଙ୍କ ପାରମ୍ପରିକ ସ୍ଵାସ୍ଥ୍ୟସେବା ଜ୍ଞାନର ପ୍ରଚାର ପାଇଁ ସମ୍ମିଳନୀ ଇତ୍ୟାଦିର ଆୟୋଜନ କରାଯିବ ।

Leave a Reply

Your email address will not be published. Required fields are marked *

You Missed