Spread the love

ଆମେ କାହିଁକି ପାରିବାନି ???

ଜାପାନ ଦେଶର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ କାହାଣୀଟି। ଘରଟି ବଢନ୍ତା ପରିବାର ପାଇଁ ଛୋଟ ପଡୁଥିଲା। ଘରଟିକୁ ଭାଙ୍ଗି ଆଉ ଟିକିଏ ବଢ଼େଇବା ପାଇଁ ମନସ୍ଥ କରି ଘର ମାଲିକ ଘରଟିକୁ ଭାଙ୍ଗିବା ଆରମ୍ଭ କଲେ। ଭୂମିକମ୍ପ ଦାଉରୁ ରକ୍ଷା ପାଇବା ପାଇଁ ଜାପାନର ଅଧିକାଂଶ ଘର କାଠରେ ତିଆରି। ଦୁଇ ପଟ କାନ୍ଥ ମଝିରେ କିଛିଟା ଫାଙ୍କା ରହିଥାଏ। ଘର ଭାଙ୍ଗିବା ସମୟରେ ଜାପାନୀ ଜଣକ ଲକ୍ଷ୍ୟ କଲେ ଯେ ଦୁଇ କାନ୍ଥ ର ଫାଙ୍କା ସ୍ଥାନରେ ଗୋଟିଏ ଝିଟିପିଟି ଅଟକି ରହିଛି। ତାର ଗୋଟିଏ ଗୋଡ଼ରେ କଣ୍ଟାଟିଏ ଲଟକି ରହିଛି। ତାଙ୍କର ମନେ ପଡ଼ିଲା ପାଞ୍ଚ ବର୍ଷ ଆଗରୁ ଘର ତିଆରି ସମୟରେ କଣ୍ଟା ମାରି କାନ୍ଥ ଛିଡା କରିଥିଲେ, ସେ ସମୟରେ ହୁଏତ ଝିଟିପିଟି ର ଗୋଡ଼ରେ କଣ୍ଟାଟି ଲାଖି ଯାଇଥିଲା ଓ ସେ ଆଉ ସେଠାରୁ ଖସି ପଳେଇଯିବା ପାଇଁ ସକ୍ଷମ ହୋଇ ପାରି ନଥିଲା। ତେବେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଝିଟିପିଟି ଟି ନଖାଇ ନପିଇ ବଞ୍ଚି ରହିଲା କେମିତି ? ଏକଥାକୁ ନେଇ ଲୋକଟିର ମନରେ କୌତୁହଳ ଜାତ ହେଲା। ସେ କାମ ବନ୍ଦ କରି ଝିଟିପିଟି ଟିକୁ ଲକ୍ଷ୍ୟ କରି ଠିଆହୋଇ ରହିଲେ ଟିକିଏ ଦୂରରେ। ବେଶ କିଛି ସମୟ ଗଲା। ସେମିତି କିଛି ଘଟଣା ଘଟିଲା ନାହିଁ। ନିରାଶ ହୋଇ କାମ ଆରମ୍ଭ କରିବା ପାଇଁ ଯାଉଛନ୍ତି, ହଠାତ ଦୂରରୁ ଗୋଟିଏ ଝିଟିପିଟି ମୁହଁରେ କିଛି ଖାଦ୍ୟ ଧରି ଆସିବାର ଦେଖାଗଲା। ସେହି ଝିଟିପିଟି ଟି ଚାରିଆଡ଼କୁ ଚାହିଁ କିଛି ସମୟ ଅପେକ୍ଷା କରି ରହିଲା। ଯେତେବେଳେ ତାର ବିଶ୍ଵାସ ହୋଇଗଲା ଯେ କେହି ତା’ ଆଡ଼କୁ ଦୃଷ୍ଟି ଦେଉ ନାହାଁନ୍ତି, ଆସ୍ତେ କରି ଆଗକୁ ବଢ଼ିବାରେ ଲାଗିଲା। କଣ୍ଟା ସାଙ୍ଗରେ ଅଟକି ଥିବା ଝିଟିପିଟି ର ମୁହଁ ପାଖକୁ ଆସି ଖାଦ୍ୟ ଟିକକ ତାର ମୁହଁ ରେ ଧରେଇ ଦେଲା, ଆଉ ପୁଣି ଅପସରି ଗଲା। ଆଉ କିଛି ସମୟ ପରେ ଆଉ ଖଣ୍ଡେ ଖାଦ୍ୟ ନେଇ ଆସିଲା ଓ ଝିଟିପିଟି ଟିକୁ ଖୁଆଇବା ପରେ ଚାଲିଗଲା। ଏମିତି ଚାଲିଲା କିଛି ସମୟ। ଶେଷରେ ବୋଧହୁଏ କଣ୍ଟାରେ ଲଟକି ଥିବା ଝିଟିପିଟି ଟି ତା ଭାଷାରେ କିଛି କହି ଜଣେଇଦେଲା ଯେ ତାର ଆଉ ଭୋକ ନାହିଁ। ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଛୁଇଁ ନିଜ ନିଜର ମନର ଭାବନା ବ୍ୟକ୍ତ କଲା ପରେ ପରସ୍ପର ଠାରୁ ବିଦାୟ ନେଲେ।
ଜାପାନୀ ଜଣକ ଝିଟିପିଟି ମାନଙ୍କର ଆଚରଣରେ ବିହ୍ଵଳିତ ହୋଇ ବସିପଡ଼ିଲେ ଛିଡ଼ା ହୋଇ ଥିବା ସ୍ଥାନରେ। ହେ ଭଗବାନ… ଏତେ ଛୋଟ ପ୍ରାଣୀ ଟିଏ, ଜୀବନସାଥୀଟି ପାଇଁ ନିଃସ୍ଵାର୍ଥପର ଭାବରେ ପାଞ୍ଚ ବର୍ଷ ଧରି ଖାଦ୍ୟ ପେୟ ଯୋଗାଇ ଚାଲିଛି, ଥକି ପଡ଼ିନାହିଁ। ମଝିରେ ମଝିରେ ହୁଏତ ଭରସା ଭାଙ୍ଗି ଯାଉଥିବ, ବିଶ୍ୱାସ ବି ଖଣ୍ଡ ବିଖଣ୍ଡିତ ହୋଇ ପଡୁଥିବ। ପୁଣି ପର ମୁହୂର୍ତ୍ତରେ ନିଜକୁ ବୁଝେଇ ଦେଉଥିବ। ସାଥି ଟି ଜାଗାରେ ଯଦି ମୁଁ ହୋଇଥାନ୍ତି, ତେବେ ମତେ କଣ ସେ ଛାଡି ଚାଲି ଯାଇଥାନ୍ତା ବୋଲି ନିଜକୁ ପ୍ରଶ୍ନ ପଚାରୁଥିବ। ହୃଦୟ ଉତ୍ତର ଦେଇଥିବ କେବେ ନୁହେଁ। ତାପରେ ସେ ଆଉ ପଛକୁ ଚାହିଁ ନଥିବ। ବର୍ଷ ପରେ ବର୍ଷ ତାକୁ ଯାହା ଉଚିତ ଲାଗିଥିବ, ସେମିତି କରି ଚାଲିଥିବ ସେ। ଭାବିଥିବ ଦେହରେ ଶକ୍ତି ଥିବା ପର୍ଯ୍ୟନ୍ତ ସାଥିଟି ପାଇଁ କାମ କରିଯିବ, ତେଣିକି ତା’ ଭାଗ୍ୟ। ଭଗବାନ ଅଛନ୍ତି, କିଛିନା କିଛି ବ୍ଯବସ୍ଥା କରିବେ ନିଶ୍ଚୟ।
ଏଥର ମଣିଷ ଜଣକ ନିଜର କାମରେ ଲାଗିଲେ। ଅତି ସନ୍ତର୍ପଣ ରେ ଝିଟିପିଟି ର ପାଦରୁ କଣ୍ଟା ଟି କାଢ଼ି ନେଲେ। ଝିଟିପିଟିର ଗୋଡ଼ରୁ ଧାରେ ନାଲି ରଙ୍ଗର ରକ୍ତ ବହିଗଲା। ପାଞ୍ଚ ବର୍ଷର ବନ୍ଦୀ ଜୀବନ ଯାପନ ପରେ ଖୁସିରେ ଥରେ ଚାରିଆଡେ ବୁଲି ଆସିଲା ସେ। ମଣିଷ ଟିକୁ ଅଭିଶାପ ଦେବ ନା ଆଶୀର୍ବାଦ ଏକଥା ହୁଏତ ସେ ବୁଝି ପାରୁନଥିଲା। କେଉଁଠି ଥିଲା ସେ ଆଗର ଝିଟିପିଟି ଟି କେଜାଣି, ଦୌଡ଼ି ଦୌଡ଼ି ଆସି ମୁକ୍ତ ଝିଟିପିଟି କୁ ସାଥିରେ ଅନ୍ଧକାର ଆଡ଼କୁ ବାଟ କଢେଇ ନେଇ ଚାଲିଗଲା।
ଛାର ଝିଟିପିଟି ଟି ଯଦି ଏତେ ବଡ଼ କାମ କରିପାରିଲା, ମଣିଷ ଭଳି ସୃଷ୍ଟିର ଶ୍ରେଷ୍ଠ ଜୀବ ଚାହିଁଲେ କଣବା କରି ନପାରିବ ?
ନିଜର ବନ୍ଧୁ, ପରିଜନ ମାନେ କୌଣସି ଅସୁବିଧାରେ ପଡ଼ିଥିଲେ କୌଣସି ପରିସ୍ଥିତିରେ ମଧ୍ୟ ପରିତ୍ୟାଗ କରନ୍ତୁ ନାହିଁ। ଏମିତିକି କୌଣସି ଅଚିହ୍ନା, ଅପରିଚିତ ମଣିଷକୁ ମଧ୍ୟ ବିପଦ ସମୟରେ ଛାଡ଼ି ଚାଲିଯିବା କଥା ମନକୁ ଆଣନ୍ତୁ ନାହିଁ। ବିପଦ ଦିନେ ପଳେଇ ଯିବ। କିନ୍ତୁ ସାହାଯ୍ୟକର୍ତ୍ତା ର ମୁହଁ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିଯିବ ସାହାଯ୍ୟ ପାଇଥିବା ମଣିଷର ମନ ଆଉ ହୃଦୟ ଭିତରେ।
ଆଜି ହୁଏତ ଆପଣ ଭାଗ୍ୟବାନ। କିନ୍ତୁ କାଲି ଯେ ଭାଗ୍ଯଦେବୀ ପ୍ରସନ୍ନ ରହିବେ,ଏକଥା ଭାବିବା ଭୁଲ।
ମୁହୂର୍ତ୍ତକର ଅବହେଳା, ଦୀର୍ଘ ଦିନର ସମ୍ପର୍କ ଟିକୁ ଭାଙ୍ଗି ଚୂନା କରି ଦେଇପାରେ।
ତାଛଡା କାଚ ଭାଙ୍ଗିଲେ ଶବ୍ଦ ହୁଏ, ହୃଦୟ କିନ୍ତୁ ନିଃଶବ୍ଦରେ ଭାଙ୍ଗିପଡେ। ଆଉ ସେ କଷ୍ଟ ଅସହନୀୟ,ଅବର୍ଣ୍ଣନୀୟ।
ତେଣୁ ମଣିଷ ଭଳି ମଣିଷ ହୁଅନ୍ତୁ, ସ୍ନେହ ବାଣ୍ଟି ଚାଲନ୍ତୁ। ସୂଧମୂଳ ମିଶି ଦିନେ ପୃଥିବୀ ପ୍ରେମମୟ ହୋଇ ଉଠିବ।

Leave a Reply

Your email address will not be published. Required fields are marked *